ଭଗବାନ୍‌ ଭରସା

ପ୍ରକାଶ ତ୍ରିପାଠୀ

କରୋନାର ଦ୍ୱିତୀୟ ଲହରରେ ଭାରତ ଲହୁଲୁହାଣ ହେବାରେ ଲାଗିଛି। ପ୍ରତିଦିନ କେହି ନା କେହି ଚିହ୍ନା ପରିଚିତ ଲୋକଙ୍କ କରୋନା ଜନିତ ମୃତ୍ୟୁଖବର ମନକୁ ବିଚଳିତ କରୁଛି। ଏହା ସହ ଡାକ୍ତରଖାନାରେ ଶଯ୍ୟାର ଅଭାବ, ଜୀବନ ରକ୍ଷାକାରୀ ଔଷଧର ଅଭାବ ଓ ବର୍ତ୍ତମାନ ସମୟରେ ଅମ୍ଳଜାନର ଅଭାବ ସମ୍ପର୍କିତ ଗଣମାଧ୍ୟମରେ ପ୍ରକାଶିତ ଖବର ଜନସାଧାରଣରେ ଭୟାକୁଳ ପରିବେଶ ସୃଷ୍ଟି କରିଛି। କରୋନାର ପ୍ରଥମ ଲହରରୁ ଭାରତ କିଛି ଶିକ୍ଷାଲାଭ କରିଥିବା ଭଳି ମନେ ହୁଏନାହିଁ। କାରଣ ଦ୍ୱିତୀୟ ଲହର ବିଦେଶରେ ତାଣ୍ଡବ ରଚୁଥିବା ବେଳେ ଆମେ କରୋନା ଉପରେ ବିଜୟ ପ୍ରାପ୍ତି କରିଦେଲୁ ବୋଲି ଡିଣ୍ଡିମ ପିଟିଲୁ। ସବୁ କଟକଣାକୁ ଭୁଲିଗଲୁ। କେବଳ ମାସ୍କ ଓ ସାମାଜିକ ଦୂରତାକୁ ଅନୁସରଣ କରି ଅନେକ ରାଷ୍ଟ୍ର କରୋନାକୁ ହରାଇଥିଲା ବେଳେ ଭାରତପକ୍ଷେ ତାହା ସମ୍ଭବ ହୋଇ ପାରିନାହିଁ। ଏବେ ଫଳ ଆମ ହାତରେ। ପ୍ରଥମ ଦଫାରେ ଷାଠିଏ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଟିକା ଦେବା ପାଇଁ କାର୍ଯ୍ୟକ୍ରମ ହେଲା। ଦ୍ୱିତୀୟ ଦଫାରେ ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦେବାପାଇଁ ଘୋଷଣା ହେଲା ଓ ଏବେ ପୂର୍ବ ପ୍ରସ୍ତୁତି ନ ଥାଇ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦେବା ଲାଗି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମେ ପ୍ରଥମେ ଟିକା ନେବା ସକାଶେ ଆଗ୍ରହ ହେଉନଥିଲା। ଡାକ୍ତରଖାନାଗୁଡ଼ିକରେ କର୍ମଚାରୀମାନେ ଟିକା ଦେବା ପାଇଁ ଲୋକଙ୍କ ଅପେକ୍ଷାରେ ରହୁଥିଲେ। ଏବେ କରୋନା ତା’ର କାୟା ବିସ୍ତାର କରି ଗୋଟିଏ ପରେ ଗୋଟେ ମୁଣ୍ଡ ନେବା ପରେ ଜନତା ଓ ସରକାରଙ୍କର ଚେତା ପଶୁଛି। ଡାକ୍ତରଖାନାଗୁଡ଼ିକରେ ନାହିଁ ନଥିବା ଗହଳି। ଏଣେ ଟିକାର ଅଭାବ, ତେଣେ କରୋନା ରୋଗୀଙ୍କ ଅବସ୍ଥା ଜଟିଳ ହେବା ସହ ମୃତ୍ୟୁସଂଖ୍ୟା ବଢ଼ିବା ଲୋକଙ୍କ ନିଦ ହଜାଇ ସାରିଲାଣି।
ବର୍ତ୍ତମାନ ବିଶ୍ୱରେ ଭାରତ ସର୍ବାଧିକ କରୋନା ସଂକ୍ରମିତ ଦେଶ ଭାବେ ପରିଚିତ ହୋଇଛି। ବିଦେଶୀ ଗଣମାଧ୍ୟମରେ ସବୁଠି ଭାରତର ଦୁରାବସ୍ଥାର ଆଲୋଚନା। ଯେଉଁ ସମୟରେ କରୋନାର ଦ୍ୱିତୀୟ ଲହର ପାଇଁ ଗୁରୁତ୍ୱ ଦେବା କଥା, ସେତେବେଳେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ପରିଚାଳନାକୁ ଅଗ୍ରାଧିକାର ଦିଆଗଲା। ଯେଉଁ ସମୟରେ ଅର୍ଥନୈତିକ ଅନଗ୍ରସର ଆମର ପଡ଼ୋଶୀ ଦେଶ ପାକିସ୍ତାନ, ଭୁଟାନ୍‌, ନେପାଳ ଓ ବଙ୍ଗଳାଦେଶ ଦ୍ୱିତୀୟ ଲହରକୁ ସଫଳତାର ସହ ମୁକାବିଲା କରିପାରିଲେ, ସେତେବେଳେ ଭାରତ ଏଥିରେ ଏକରକମ ବିଫଳ ହୋଇଥିବା ସାମ୍ପ୍ରତିକ ଘଟଣାବଳୀ ପ୍ରମାଣଦିଏ। ଏବେ କରୋନାର ବିଦେଶୀ ଷ୍ଟ୍ରେନ୍‌ ଭାରତରେ ସଂକ୍ରମଣ ବଢ଼ାଉଛି ବୋଲି କୁହାଗଲେ ମଧ୍ୟ ଭାରତରେ ନୂଆ ନୂଆ ଷ୍ଟ୍ରେନ୍‌ ଉପଲବ୍ଧ ହେଉଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି। ପ୍ରଥମେ ମହାରାଷ୍ଟ୍ର ଷ୍ଟ୍ରେନ୍‌, ପରେ ପଶ୍ଚିମବଙ୍ଗ ଷ୍ଟ୍ରେନ୍‌ ଓ ଏବେ ଆନ୍ଧ୍ର ଷ୍ଟ୍ରେନ୍‌। ଅବଶ୍ୟ କିଛି ରାଜ୍ୟ ଇତିମଧ୍ୟରେ ଲକ୍‌ଡାଉନ୍‌ ଘୋଷଣା କରି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର କରୋନାର ତୃତୀୟ ଲହର ସମ୍ଭାବନାକୁ ବିଜ୍ଞାନୀମାନେ ସତର୍କ କରିବା ପରେ ଏବେ ଚିନ୍ତା ବଢ଼ିଯାଇଛି।
ଭାରତରେ କରୋନାର ଭୟଙ୍କର ସ୍ଥିତିକୁ ନେଇ ସମ୍ପ୍ରତି ବିଶ୍ବ ସମୁଦାୟ ଚିନ୍ତାଗ୍ରସ୍ତ। ଭାରତକୁ ସବୁପ୍ରକାର ସହାୟତା ଯୋଗାଇ ଦେବାକୁ ସେମାନେ ଆଗେଇ ଆସୁଛନ୍ତି। ଅକ୍ସିଜେନଠାରୁ ଆରମ୍ଭ କରି ଟିକା ଓ ଔଷଧ ବି ଯୋଗାଇ ଦେଉଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଭାରତର ଏବେ ଚେତା ଉଦ୍ରେକ ହୋଇଛି। ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଓ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ଆରମ୍ଭ ହୋଇଛି। କିନ୍ତୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଭଳି ପଦକ୍ଷେପ ନେବା କଥା, ତାହା ହୋଇପାରିନି। ଡାକ୍ତରଖାନାରେ ଆଇସିୟୁରେ ବେଡ୍‌, ଅମ୍ଳଜାନ ଓ ଭେଣ୍ଟିଲେଟର ଅଭାବ ପାଇଁ ରୋଗୀ ମୃତ୍ୟୁହାର କମୁନାହିଁ। ଇତିମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶିତ ସାପ୍ତାହିକ ରିପୋର୍ଟରେ ଦର୍ଶାଯାଇଛି ଯେ, ଏବେ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ହାର ଭାରତରେ ସର୍ବାଧିକ। ଅର୍ଥାତ୍‌ ବିଶ୍ୱର ସମୁଦାୟ କରୋନା ସଂକ୍ରମଣର ୪୬ ପ୍ରତିଶତ ଭାରତରେ ଘଟୁଛି। ସଂକ୍ରମଣ ଭଳି ମୃତ୍ୟୁସଂଖ୍ୟା ବି ଭାରତରେ ସର୍ବାଧିକ। ବିଶ୍ୱର ୨୫ ପ୍ରତିଶତ ମୃତ୍ୟୁ ଭାରତରେ ହେଉଛି। ପ୍ରଥମ କରୋନା ଲହର ପରେ ଦ୍ୱିତୀୟ କରୋନା ଲହର ଆସିବ ବୋଲି ଜାଣି ମଧ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଜାଡ଼ି ନାହିଁ ଏ ଦେଶ। ସବୁ ଗଁାକୁ ଏବେ ବି ସ୍ବାସ୍ଥ୍ୟସେବା ଅପହଞ୍ଚ।
ଯଦି ଓଡ଼ିଶା କଥା ବିଚାର କରିବା, ତେବେ କରୋନାର ନୂଆ ନୂଆ ଷ୍ଟ୍ରେନ୍‌ ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିପାରନ୍ତି। ପଶ୍ଚିମବଙ୍ଗ ଓ ଆନ୍ଧ୍ରର ଷ୍ଟ୍ରେନ୍‌ଗୁଡ଼ିକ ଅଧିକ କ୍ଷତିକାରକ ବୋଲି ଡାକ୍ତରମାନେ କହୁଛନ୍ତି। ଯଦି ସଂକ୍ରମଣକୁ ସଫଳତାର ସହ ରୋକାଯାଇ ପାରିବ, ତେବେ ଆଗାମୀ ଦିନରେ ଅମ୍ଳଜାନ, ଭେଣ୍ଟିଲେଟର ଓ ହସ୍ପିିଟାଲଗୁଡ଼ିକ ଉପରେ ଚାପ ନିଶ୍ଚିତ କମିବ। ଟିକାକରଣ ଅଭିଯାନ ମଧ୍ୟ ସଂକ୍ରମଣକୁ ରୋକିବାରେ ସହାୟକ ହେବ। କରୋନା ଭୂତାଣୁ ଲୋକଙ୍କ ପାଖକୁ ଆସେନା, ଲୋକ ଏହା ପାଖକୁ ଯାଇ ସଂକ୍ରମିତ ହୁଅନ୍ତି। ତେଣୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ସତର୍କତା ଅବଲମ୍ବନ କରିବା। ଜୀବନ ରହିଲେ ଜୀବିକା ଆସିବ। ତେଣୁ ପ୍ରଥମେ ଜୀବନ ଓ ପରେ ଅନ୍ୟ କିଛି। ଟିକିଏ ଅସାବଧାନ ହେଲେ ଏହା ନିଜ ସହ ନିଜ ପରିବାର ଓ ନିଜ ଅଞ୍ଚଳ ପାଇଁ ଗଣବିନାଶର କାରଣ ହେବ। ଉନ୍ନତ ମାନର ମାସ୍କ ପିନ୍ଧିବା, ବିଶେଷ କାମ ନ ଥିଲେ ବାହାରକୁ ନ ବାହାରିବା, ସାମାଜିକ ଦୂରତା ଅବଲମ୍ବନ କରିବା, ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଲେ ସଙ୍ଗରୋଧରେ ରହିବା, ନିର୍ଦ୍ଦିଷ୍ଟ ସମୟରେ ଶୃଙ୍ଖଳାର ସହ ଟିକାଗ୍ରହଣ କରିବା, ନିୟମିତ ବ୍ୟବଧାନରେ ମୁହଁ ଓ ହାତ ଧୋଇବା ଭଳି କିଛି ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ଆମେ ଅନାୟାସରେ କରୋନା ଉପରେ ବିଜୟଲାଭ କରିପାରିବା। ଏଥିପାଇଁ ସରକାରୀ ଘୋଷଣାନାମା ବା ପୋଲିସର ପ୍ରହରାଦାରିର ଆବଶ୍ୟକତା ନାହିଁ। ନିଜ ସୁରକ୍ଷା ନିଜ ହାତରେ ନେବାର ସମୟ ଉପନୀତ। କାରଣ ଆଗକୁ ଅଧିକ ବିପଦ ଆସୁଛି। କରୋନାର ତୃତୀୟ ଲହର ଆସିବା ନିଶ୍ଚିତ ଓ ଏହା କରୋନାର ଦ୍ୱିତୀୟ ଲହରଠାରୁ ଅଧିକ ଭୟଙ୍କର ହେବ ବୋଲି ଚେତାବନୀ ଶୁଣାଇଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ସମାନ ଚେତାବନୀ ବି ଦେଇଛନ୍ତି ଭାରତ ସରକାରଙ୍କର ପ୍ରମୁଖ ପରାମର୍ଶଦାତା ଡ. ବିଜୟ ରଘବନ। ତୃତୀୟ ଲହରରେ କରୋନାର ନୂଆ ରୂପ ଯେକୌଣସି ମାଧ୍ୟମରେ ଏହା ଅନ୍ୟକୁ ସଂକ୍ରମିତ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିବ ଓ ଦେଶରେ ଏହା ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିବ ବୋଲି ଚେତାବନୀ ମିଳିଛି। କରୋନାର ଦ୍ୱିତୀୟ ଲହର ପୂର୍ବରୁ କୋହଳ ମନୋବୃତ୍ତିର ଫଳାଫଳ ଏବେ ଆମ ସାମ୍ନାରେ। ତେଣୁ ତୃତୀୟ ଲହର ପୂର୍ବରୁ ଭାରତକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ସହ ସଜାଗ ରହିବାକୁ ପଡ଼ିବ।
କରୋନା ଭୂତାଣୁ ନିୟମିତ ଭାବେ ନିଜକୁ ପରିବର୍ତ୍ତନ କରୁଛି ଓ ବୈଜ୍ଞାନିକମାନେ ଏହାକୁ ଅନୁଧ୍ୟାନ କରି ଏହାର ପ୍ରତିଷେଧକ ବ୍ୟବସ୍ଥା ପାଇଁ ଗବେଷଣା ଜାରି ରଖିଛନ୍ତି। ଏହାର ପ୍ରକରଣ ଯେତେ ବଦଳିବ, ଏହା ସେତେ ଘାତକ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଭାରତ ଏକ ସର୍ବାଧିକ ଜନବହୁଳ ଦେଶ ହୋଇଥିବାରୁ ତଥା ଭାରତୀୟମାନେ ସେତେଟା ସ୍ବାସ୍ଥ୍ୟ ସଚେତନ ନ ଥିବାରୁ କରୋନାର ଦ୍ୱିତୀୟ ଲହର ଘାତକ ସାବ୍ୟସ୍ତ ହୋଇଛି। ଟିକା ନେବା ପାଇଁ ଡାକ୍ତରଖାନାରେ ଧାଡ଼ିରେ ଠିଆ ହେବାକୁ ଯଦି ପୋଲିସର ଆବଶ୍ୟକତା ପଡ଼ୁଛି, ମାସ୍କ ପିନ୍ଧି ବାହାରକୁ ଯିବାକୁ ଦିନ ରାତି ପ୍ରଚାର ହେଉଥିଲେ ମଧ୍ୟ ପୋଲିସକୁ ଏଥିପାଇଁ ନାକେଦମ୍‌ ହେବାକୁ ପଡୁଛି, ସେଭଳି ସ୍ଥଳେ କେବଳ ଭଗବାନ୍‌ଙ୍କୁ ଭରସା କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ।
prakas.tripathy୦୯@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri