ଭଗବାନ୍‌ ଭରସା

ପ୍ରକାଶ ତ୍ରିପାଠୀ

କରୋନାର ଦ୍ୱିତୀୟ ଲହରରେ ଭାରତ ଲହୁଲୁହାଣ ହେବାରେ ଲାଗିଛି। ପ୍ରତିଦିନ କେହି ନା କେହି ଚିହ୍ନା ପରିଚିତ ଲୋକଙ୍କ କରୋନା ଜନିତ ମୃତ୍ୟୁଖବର ମନକୁ ବିଚଳିତ କରୁଛି। ଏହା ସହ ଡାକ୍ତରଖାନାରେ ଶଯ୍ୟାର ଅଭାବ, ଜୀବନ ରକ୍ଷାକାରୀ ଔଷଧର ଅଭାବ ଓ ବର୍ତ୍ତମାନ ସମୟରେ ଅମ୍ଳଜାନର ଅଭାବ ସମ୍ପର୍କିତ ଗଣମାଧ୍ୟମରେ ପ୍ରକାଶିତ ଖବର ଜନସାଧାରଣରେ ଭୟାକୁଳ ପରିବେଶ ସୃଷ୍ଟି କରିଛି। କରୋନାର ପ୍ରଥମ ଲହରରୁ ଭାରତ କିଛି ଶିକ୍ଷାଲାଭ କରିଥିବା ଭଳି ମନେ ହୁଏନାହିଁ। କାରଣ ଦ୍ୱିତୀୟ ଲହର ବିଦେଶରେ ତାଣ୍ଡବ ରଚୁଥିବା ବେଳେ ଆମେ କରୋନା ଉପରେ ବିଜୟ ପ୍ରାପ୍ତି କରିଦେଲୁ ବୋଲି ଡିଣ୍ଡିମ ପିଟିଲୁ। ସବୁ କଟକଣାକୁ ଭୁଲିଗଲୁ। କେବଳ ମାସ୍କ ଓ ସାମାଜିକ ଦୂରତାକୁ ଅନୁସରଣ କରି ଅନେକ ରାଷ୍ଟ୍ର କରୋନାକୁ ହରାଇଥିଲା ବେଳେ ଭାରତପକ୍ଷେ ତାହା ସମ୍ଭବ ହୋଇ ପାରିନାହିଁ। ଏବେ ଫଳ ଆମ ହାତରେ। ପ୍ରଥମ ଦଫାରେ ଷାଠିଏ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଟିକା ଦେବା ପାଇଁ କାର୍ଯ୍ୟକ୍ରମ ହେଲା। ଦ୍ୱିତୀୟ ଦଫାରେ ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦେବାପାଇଁ ଘୋଷଣା ହେଲା ଓ ଏବେ ପୂର୍ବ ପ୍ରସ୍ତୁତି ନ ଥାଇ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦେବା ଲାଗି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମେ ପ୍ରଥମେ ଟିକା ନେବା ସକାଶେ ଆଗ୍ରହ ହେଉନଥିଲା। ଡାକ୍ତରଖାନାଗୁଡ଼ିକରେ କର୍ମଚାରୀମାନେ ଟିକା ଦେବା ପାଇଁ ଲୋକଙ୍କ ଅପେକ୍ଷାରେ ରହୁଥିଲେ। ଏବେ କରୋନା ତା’ର କାୟା ବିସ୍ତାର କରି ଗୋଟିଏ ପରେ ଗୋଟେ ମୁଣ୍ଡ ନେବା ପରେ ଜନତା ଓ ସରକାରଙ୍କର ଚେତା ପଶୁଛି। ଡାକ୍ତରଖାନାଗୁଡ଼ିକରେ ନାହିଁ ନଥିବା ଗହଳି। ଏଣେ ଟିକାର ଅଭାବ, ତେଣେ କରୋନା ରୋଗୀଙ୍କ ଅବସ୍ଥା ଜଟିଳ ହେବା ସହ ମୃତ୍ୟୁସଂଖ୍ୟା ବଢ଼ିବା ଲୋକଙ୍କ ନିଦ ହଜାଇ ସାରିଲାଣି।
ବର୍ତ୍ତମାନ ବିଶ୍ୱରେ ଭାରତ ସର୍ବାଧିକ କରୋନା ସଂକ୍ରମିତ ଦେଶ ଭାବେ ପରିଚିତ ହୋଇଛି। ବିଦେଶୀ ଗଣମାଧ୍ୟମରେ ସବୁଠି ଭାରତର ଦୁରାବସ୍ଥାର ଆଲୋଚନା। ଯେଉଁ ସମୟରେ କରୋନାର ଦ୍ୱିତୀୟ ଲହର ପାଇଁ ଗୁରୁତ୍ୱ ଦେବା କଥା, ସେତେବେଳେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ପରିଚାଳନାକୁ ଅଗ୍ରାଧିକାର ଦିଆଗଲା। ଯେଉଁ ସମୟରେ ଅର୍ଥନୈତିକ ଅନଗ୍ରସର ଆମର ପଡ଼ୋଶୀ ଦେଶ ପାକିସ୍ତାନ, ଭୁଟାନ୍‌, ନେପାଳ ଓ ବଙ୍ଗଳାଦେଶ ଦ୍ୱିତୀୟ ଲହରକୁ ସଫଳତାର ସହ ମୁକାବିଲା କରିପାରିଲେ, ସେତେବେଳେ ଭାରତ ଏଥିରେ ଏକରକମ ବିଫଳ ହୋଇଥିବା ସାମ୍ପ୍ରତିକ ଘଟଣାବଳୀ ପ୍ରମାଣଦିଏ। ଏବେ କରୋନାର ବିଦେଶୀ ଷ୍ଟ୍ରେନ୍‌ ଭାରତରେ ସଂକ୍ରମଣ ବଢ଼ାଉଛି ବୋଲି କୁହାଗଲେ ମଧ୍ୟ ଭାରତରେ ନୂଆ ନୂଆ ଷ୍ଟ୍ରେନ୍‌ ଉପଲବ୍ଧ ହେଉଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି। ପ୍ରଥମେ ମହାରାଷ୍ଟ୍ର ଷ୍ଟ୍ରେନ୍‌, ପରେ ପଶ୍ଚିମବଙ୍ଗ ଷ୍ଟ୍ରେନ୍‌ ଓ ଏବେ ଆନ୍ଧ୍ର ଷ୍ଟ୍ରେନ୍‌। ଅବଶ୍ୟ କିଛି ରାଜ୍ୟ ଇତିମଧ୍ୟରେ ଲକ୍‌ଡାଉନ୍‌ ଘୋଷଣା କରି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର କରୋନାର ତୃତୀୟ ଲହର ସମ୍ଭାବନାକୁ ବିଜ୍ଞାନୀମାନେ ସତର୍କ କରିବା ପରେ ଏବେ ଚିନ୍ତା ବଢ଼ିଯାଇଛି।
ଭାରତରେ କରୋନାର ଭୟଙ୍କର ସ୍ଥିତିକୁ ନେଇ ସମ୍ପ୍ରତି ବିଶ୍ବ ସମୁଦାୟ ଚିନ୍ତାଗ୍ରସ୍ତ। ଭାରତକୁ ସବୁପ୍ରକାର ସହାୟତା ଯୋଗାଇ ଦେବାକୁ ସେମାନେ ଆଗେଇ ଆସୁଛନ୍ତି। ଅକ୍ସିଜେନଠାରୁ ଆରମ୍ଭ କରି ଟିକା ଓ ଔଷଧ ବି ଯୋଗାଇ ଦେଉଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଭାରତର ଏବେ ଚେତା ଉଦ୍ରେକ ହୋଇଛି। ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଓ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ଆରମ୍ଭ ହୋଇଛି। କିନ୍ତୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଭଳି ପଦକ୍ଷେପ ନେବା କଥା, ତାହା ହୋଇପାରିନି। ଡାକ୍ତରଖାନାରେ ଆଇସିୟୁରେ ବେଡ୍‌, ଅମ୍ଳଜାନ ଓ ଭେଣ୍ଟିଲେଟର ଅଭାବ ପାଇଁ ରୋଗୀ ମୃତ୍ୟୁହାର କମୁନାହିଁ। ଇତିମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶିତ ସାପ୍ତାହିକ ରିପୋର୍ଟରେ ଦର୍ଶାଯାଇଛି ଯେ, ଏବେ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ହାର ଭାରତରେ ସର୍ବାଧିକ। ଅର୍ଥାତ୍‌ ବିଶ୍ୱର ସମୁଦାୟ କରୋନା ସଂକ୍ରମଣର ୪୬ ପ୍ରତିଶତ ଭାରତରେ ଘଟୁଛି। ସଂକ୍ରମଣ ଭଳି ମୃତ୍ୟୁସଂଖ୍ୟା ବି ଭାରତରେ ସର୍ବାଧିକ। ବିଶ୍ୱର ୨୫ ପ୍ରତିଶତ ମୃତ୍ୟୁ ଭାରତରେ ହେଉଛି। ପ୍ରଥମ କରୋନା ଲହର ପରେ ଦ୍ୱିତୀୟ କରୋନା ଲହର ଆସିବ ବୋଲି ଜାଣି ମଧ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଜାଡ଼ି ନାହିଁ ଏ ଦେଶ। ସବୁ ଗଁାକୁ ଏବେ ବି ସ୍ବାସ୍ଥ୍ୟସେବା ଅପହଞ୍ଚ।
ଯଦି ଓଡ଼ିଶା କଥା ବିଚାର କରିବା, ତେବେ କରୋନାର ନୂଆ ନୂଆ ଷ୍ଟ୍ରେନ୍‌ ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିପାରନ୍ତି। ପଶ୍ଚିମବଙ୍ଗ ଓ ଆନ୍ଧ୍ରର ଷ୍ଟ୍ରେନ୍‌ଗୁଡ଼ିକ ଅଧିକ କ୍ଷତିକାରକ ବୋଲି ଡାକ୍ତରମାନେ କହୁଛନ୍ତି। ଯଦି ସଂକ୍ରମଣକୁ ସଫଳତାର ସହ ରୋକାଯାଇ ପାରିବ, ତେବେ ଆଗାମୀ ଦିନରେ ଅମ୍ଳଜାନ, ଭେଣ୍ଟିଲେଟର ଓ ହସ୍ପିିଟାଲଗୁଡ଼ିକ ଉପରେ ଚାପ ନିଶ୍ଚିତ କମିବ। ଟିକାକରଣ ଅଭିଯାନ ମଧ୍ୟ ସଂକ୍ରମଣକୁ ରୋକିବାରେ ସହାୟକ ହେବ। କରୋନା ଭୂତାଣୁ ଲୋକଙ୍କ ପାଖକୁ ଆସେନା, ଲୋକ ଏହା ପାଖକୁ ଯାଇ ସଂକ୍ରମିତ ହୁଅନ୍ତି। ତେଣୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ସତର୍କତା ଅବଲମ୍ବନ କରିବା। ଜୀବନ ରହିଲେ ଜୀବିକା ଆସିବ। ତେଣୁ ପ୍ରଥମେ ଜୀବନ ଓ ପରେ ଅନ୍ୟ କିଛି। ଟିକିଏ ଅସାବଧାନ ହେଲେ ଏହା ନିଜ ସହ ନିଜ ପରିବାର ଓ ନିଜ ଅଞ୍ଚଳ ପାଇଁ ଗଣବିନାଶର କାରଣ ହେବ। ଉନ୍ନତ ମାନର ମାସ୍କ ପିନ୍ଧିବା, ବିଶେଷ କାମ ନ ଥିଲେ ବାହାରକୁ ନ ବାହାରିବା, ସାମାଜିକ ଦୂରତା ଅବଲମ୍ବନ କରିବା, ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଲେ ସଙ୍ଗରୋଧରେ ରହିବା, ନିର୍ଦ୍ଦିଷ୍ଟ ସମୟରେ ଶୃଙ୍ଖଳାର ସହ ଟିକାଗ୍ରହଣ କରିବା, ନିୟମିତ ବ୍ୟବଧାନରେ ମୁହଁ ଓ ହାତ ଧୋଇବା ଭଳି କିଛି ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ଆମେ ଅନାୟାସରେ କରୋନା ଉପରେ ବିଜୟଲାଭ କରିପାରିବା। ଏଥିପାଇଁ ସରକାରୀ ଘୋଷଣାନାମା ବା ପୋଲିସର ପ୍ରହରାଦାରିର ଆବଶ୍ୟକତା ନାହିଁ। ନିଜ ସୁରକ୍ଷା ନିଜ ହାତରେ ନେବାର ସମୟ ଉପନୀତ। କାରଣ ଆଗକୁ ଅଧିକ ବିପଦ ଆସୁଛି। କରୋନାର ତୃତୀୟ ଲହର ଆସିବା ନିଶ୍ଚିତ ଓ ଏହା କରୋନାର ଦ୍ୱିତୀୟ ଲହରଠାରୁ ଅଧିକ ଭୟଙ୍କର ହେବ ବୋଲି ଚେତାବନୀ ଶୁଣାଇଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ସମାନ ଚେତାବନୀ ବି ଦେଇଛନ୍ତି ଭାରତ ସରକାରଙ୍କର ପ୍ରମୁଖ ପରାମର୍ଶଦାତା ଡ. ବିଜୟ ରଘବନ। ତୃତୀୟ ଲହରରେ କରୋନାର ନୂଆ ରୂପ ଯେକୌଣସି ମାଧ୍ୟମରେ ଏହା ଅନ୍ୟକୁ ସଂକ୍ରମିତ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିବ ଓ ଦେଶରେ ଏହା ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିବ ବୋଲି ଚେତାବନୀ ମିଳିଛି। କରୋନାର ଦ୍ୱିତୀୟ ଲହର ପୂର୍ବରୁ କୋହଳ ମନୋବୃତ୍ତିର ଫଳାଫଳ ଏବେ ଆମ ସାମ୍ନାରେ। ତେଣୁ ତୃତୀୟ ଲହର ପୂର୍ବରୁ ଭାରତକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ସହ ସଜାଗ ରହିବାକୁ ପଡ଼ିବ।
କରୋନା ଭୂତାଣୁ ନିୟମିତ ଭାବେ ନିଜକୁ ପରିବର୍ତ୍ତନ କରୁଛି ଓ ବୈଜ୍ଞାନିକମାନେ ଏହାକୁ ଅନୁଧ୍ୟାନ କରି ଏହାର ପ୍ରତିଷେଧକ ବ୍ୟବସ୍ଥା ପାଇଁ ଗବେଷଣା ଜାରି ରଖିଛନ୍ତି। ଏହାର ପ୍ରକରଣ ଯେତେ ବଦଳିବ, ଏହା ସେତେ ଘାତକ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଭାରତ ଏକ ସର୍ବାଧିକ ଜନବହୁଳ ଦେଶ ହୋଇଥିବାରୁ ତଥା ଭାରତୀୟମାନେ ସେତେଟା ସ୍ବାସ୍ଥ୍ୟ ସଚେତନ ନ ଥିବାରୁ କରୋନାର ଦ୍ୱିତୀୟ ଲହର ଘାତକ ସାବ୍ୟସ୍ତ ହୋଇଛି। ଟିକା ନେବା ପାଇଁ ଡାକ୍ତରଖାନାରେ ଧାଡ଼ିରେ ଠିଆ ହେବାକୁ ଯଦି ପୋଲିସର ଆବଶ୍ୟକତା ପଡ଼ୁଛି, ମାସ୍କ ପିନ୍ଧି ବାହାରକୁ ଯିବାକୁ ଦିନ ରାତି ପ୍ରଚାର ହେଉଥିଲେ ମଧ୍ୟ ପୋଲିସକୁ ଏଥିପାଇଁ ନାକେଦମ୍‌ ହେବାକୁ ପଡୁଛି, ସେଭଳି ସ୍ଥଳେ କେବଳ ଭଗବାନ୍‌ଙ୍କୁ ଭରସା କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ।
prakas.tripathy୦୯@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri