‘ଘିନୁଆ’ ଦଣ୍ଡ ଲୋଡ଼ା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଭଗବତୀ ଚରଣ ପାଣିଗ୍ରାହୀଙ୍କ ସାମ୍ୟବାଦୀ ସାହିତ୍ୟର ଏକ ଅନବଦ୍ୟ ସୃଷ୍ଟି ‘ଶିକାର’ର କାହାଣୀ ଇତିମଧ୍ୟରେ ବହୁ ପାଠକଙ୍କ ବିସ୍ମୃତିରେ ହଜିଗଲାଣି। ଢେର ପୁରୁଣା ହୋଇଗଲାଣି ଏକ ଅଭିନବ ଶିକାରର ଅଶ୍ରୁତପୂର୍ବ ଆବେଦନ। କାହାଣୀର ନାୟକ ଅସଭ୍ୟ ଅଶିକ୍ଷିତ ଆଦିବାସୀ ଯୁବକ ‘ଘିନୁଆ’ର ସ୍ମୃତି ଉପରେ ଧୂଳି ଜମି ଆସିଲାଣି। ଅବଶ୍ୟ ଚାରି ଦଶନ୍ଧି ତଳେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ‘ମୃଗୟା’ ଚଳଚ୍ଚିତ୍ରରେ ‘ଘିନୁଆ’ ଭୂମିକାରେ ଜୀବନ୍ତ ଅଭିନୟ କରି ରାଷ୍ଟ୍ରୀୟ ପୁରସ୍କାର ପାଇଲା ପରେ ସଭ୍ୟ ଦର୍ଶକସମାଜର ଚେତନାରେ ସେଇ କଳ୍ପିତ ଆଦିବାସୀ ଯୁବକଟି ବେଶ୍‌ କିଛିଦିନ ଚମକ ସୃଷ୍ଟି କରି ପୁଣି ଅପସରି ଯାଇଥିଲା। ଦରିଦ୍ର ଅସହାୟ ଲୋକମାନଙ୍କୁ ବହୁ ଭାବେ ଶୋଷଣ କରୁଥିବା ଅତ୍ୟାଚରୀ ଗୋବିନ୍ଦ ସର୍ଦ୍ଦାରକୁ ଶିକାର କରି ତା’ର ରକ୍ତ ଜୁଡ଼ୁବୁଡ଼ୁ କଟାମୁଣ୍ଡକୁ ହାତରେ ଧରି ମାଇଲ ମାଇଲ ପଥ ଅତିକ୍ରମ କରିବା ଓ ଡେପୁଟି କମିଶନରଙ୍କ ନିକଟରେ ହାଜର ହୋଇ ପୁରସ୍କାର ପାଇଁ ଅଳି କରିବା ଭଳି ଅଭୂତପୂର୍ବ ଆଚରଣ କରିଥିବା ନିରୀହ ଯୁବକର ନାମ ଥିଲା ଘିନୁଆ।
ବଡ଼ ବିଚିତ୍ର ଥିଲା ସରଳ ନିଷ୍କପଟ ଏଇ ବଣୁଆ ଯୁବକଟିର ଚରିତ୍ର। ଏହି ଅସଭ୍ୟ ଆଦିବାସୀ ଲୋକଟିର ଯୁକ୍ତି ବି ଥିଲା ଆହୁରି ବିଚିତ୍ର। ଜଙ୍ଗଲର ବାଘ ଗୋଟିଏ ମଣିଷ ମାରିଦେଲେ ଆଖପାଖର ସମଗ୍ର ଇଲାକାରେ କୋଳାହଳ ବ୍ୟାପିଯାଏ। ନରଭକ୍ଷୀ ବାଘକୁ ନିଜ ବଳ ବିକ୍ରମରେ ହତ୍ୟା କରି ଦଣ୍ଡିତ କରିଥିବା ଲୋକଙ୍କୁ ବୀର ଆଖ୍ୟା ଦିଆଯାଏ। ସେ ମଣିଷ ସମାଜରୁ ଅଜସ୍ର ପ୍ରଶଂସା ପାଏ ତ ରାଜା, ସାମନ୍ତ ବା ଜମିଦାରଙ୍କ ଭଳି ଶାସକଙ୍କଠାରୁ ପାଏ ଅମାପ ପୁରସ୍କାର। ଗୋଟିଏ ମଣିଷ ମାରିଥିବା ବାଘକୁ ମାରିବାରେ ଯଦି ଏତେ ପ୍ରଶଂସା, ଏତେ ପୁରସ୍କାର, ତେବେ ଶହ ଶହ ମଣିଷଙ୍କ ଉପରେ ଅହରହ ଅତ୍ୟାଚାର ଚଳାଇ ଅକାଳରେ ମୃତ୍ୟୁମୁହଁକୁ ଠେଲି ଦେଉଥିବା ଗୋବିନ୍ଦ ସର୍ଦ୍ଦାରକୁ ମାରିବା ତ ଏକ ବୀରୋଚିତ କାର୍ଯ୍ୟ। ସର୍ବଶ୍ରେଷ୍ଠ ବୀରର ପରିଚୟ। ସୁତରାଂ ଅଜସ୍ର ପ୍ରଶଂସା ଓ ଅସୁମାରି ଅର୍ଥ ତ ସ୍ବାଭାବିକ ଭାବେ ତାହାର ପ୍ରାପ୍ୟ! ମୂର୍ଖ ଜଙ୍ଗଲୀ ‘ଘିନୁଆ’ର ଏ ପ୍ରକାର ବିଚାର ବିଶ୍ଳେଷଣ ଯୁକ୍ତିସଙ୍ଗତ ହୋଇପାରେ, ମାତ୍ର ଏକ ସଭ୍ୟ ଶାସନତନ୍ତ୍ରରେ ଏହା ଯେ ଆଇନସମ୍ମତ ନୁହେଁ, ଏ କଥା ତାକୁ ସେତେବେଳେ କିଏ କେମିତି ବୁଝାଇଥାନ୍ତେ ଯେ! ବିଭିନ୍ନ କାଳରେ ଭିନ୍ନ ଭିନ୍ନ ଶାସନ ବ୍ୟବସ୍ଥାରେ ଦୋଷର ପ୍ରକାରଭେଦ ନେଇ ଭିନ୍ନ ଭିନ୍ନ ପ୍ରକାର ଦଣ୍ଡର ପ୍ରଚଳନ ହୋଇ ଆସିଛି। ପ୍ରାଚୀନ କାଳରେ ଏମିତି ଏକ ବ୍ୟବସ୍ଥା ଥିଲା, ଯେଉଁଠି ଯେମିତି ଦୋଷକୁ ସେମିତି ଦଣ୍ଡ ଦିଆଯାଉଥିଲା। କେହି ଯଦି କାହାର ହାତ କାଟି ଦେଉଥିଲା, ବିଚାରରେ ତା’ର ସେହି ହାତଟିକୁ କାଟି ଦିଆଯାଉଥିଲା। ହାତ ବଦଳରେ ହାତ, ଆଖି ବଦଳରେ ଆଖି ବା ମୁଣ୍ଡ ବଦଳରେ ମୁଣ୍ଡ ଥିଲା ସେଇ ସମୟର ବିଚାର। ଏବେ ମଧ୍ୟ ବିଶ୍ୱର କେତେକ ମୌଳବାଦୀ ଶାସନ ବ୍ୟବସ୍ଥାରେ ସର୍ବଜନ ସମ୍ମୁଖରେ ଫାଶୀ ଦେବା ବା ପଥର ଫିଙ୍ଗି ହତ୍ୟା କରିବା ବା ସମସ୍ତଙ୍କ ଆଗରେ ତଥାକଥିତ ଦୋଷୀଙ୍କୁ ଆଣ୍ଠୁ ମାଡ଼ି ବସାଇ ମୁଣ୍ଡକୁ ଗୁଳିକରି ହତ୍ୟା କରିବା ଆଦି ବୀଭତ୍ସ ଦଣ୍ଡ ପ୍ରଦାନର ଯୁକ୍ତି ମୂଳରେ ଥାଏ କେଉଁଠି ଧାର୍ମିକ ଅନ୍ଧାନୁସରଣ ତ ଅନ୍ୟ କେଉଁଠି ଭୟର ବାତାବରଣ ସୃଷ୍ଟି କରିବା। ବିଶ୍ୱର ଅନ୍ୟ କେତେକ ରୂଢ଼ିବାଦୀ ଶାସନ ବ୍ୟବସ୍ଥାରେ ଅତ୍ୟନ୍ତ ଛୋଟ ଅପରାଧ ପାଇଁ ବଡ଼ ଦଣ୍ଡର ବ୍ୟବସ୍ଥା କରାଯାଇଥାଏ। ମେଣ୍ଢାଛୁଆଟିଏ ଚୋରାଇ ନେବା ଭଳି ମାମୁଲି ଅପରାଧ ପାଇଁ ଅପରାଧୀର ହାତ କାଟି ଦିଆଯାଏ। ଏଭଳି ଦଣ୍ଡ ସପକ୍ଷରେ ଯୁକ୍ତି ରଖାଯାଏ ଯେ, ତା’ ହାତ କାଟିଦିଆଗଲା ଏଥିପାଇଁ ନୁହେଁ ଯେ ସେ ମେଣ୍ଢାଛୁଆଟିଏ ଚୋରାଇ ନେଇଥିଲା, ବରଂ ଏଥିପାଇଁ ଯେ ଏଭଳି ଦଣ୍ଡ ଦେଖି ଆଉ କେହି ମେଣ୍ଢା ଚୋରାଇବ ନାହିଁ।
ମାତ୍ର ଧନ୍ୟ କହିବ ଆମ ଦେଶର ନ୍ୟାୟ ବ୍ୟବସ୍ଥାକୁ, ଏଠାକାର ଦଣ୍ଡ ବ୍ୟବସ୍ଥା ଅତ୍ୟନ୍ତ ଉଦାର। ହଜାରେ ଦୋଷୀ ପଛେ ଖସିଯାଆନ୍ତୁ, ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ। ଭାରତୀୟ ନ୍ୟାୟ ବ୍ୟବସ୍ଥାର ଏହି ପରମ୍ପରାର ପ୍ରୟୋଗରେ ଏଠାରେ ଅପରାଧୀ ସର୍ବସାଧାରଣ ସମ୍ମୁଖରେ ଅପରାଧ ସଂଘଟିତ କଲେ ମଧ୍ୟ ତା’ପାଇଁ ଦଣ୍ଡ ଦୀର୍ଘକାଳୀନ ବିଚାରର ଅପେକ୍ଷା ରଖେ। ଦୋଷ ଦଣ୍ଡର ବିଚାର କରି ସିଦ୍ଧାନ୍ତରେ ପହଞ୍ଚତ୍ବାକୁ ଏଠାରେ ସାକ୍ଷୀ ସନ୍ତକଙ୍କ ସାକ୍ଷ୍ୟ ପ୍ରମାଣ ଏତେ ଗୁରୁତ୍ୱପୂର୍ଣ୍ଣ ଯେ, କିଛି ଲୋକ ପେସାଦାର ସାକ୍ଷୀ ଭାବେ ନିଜ ଜୀବିକା ଅର୍ଜନ କରନ୍ତି। ଗୀତା ଉପରେ ହାତ ରଖି ସତ କହିବାକୁ ସେମାନେ ଯେଉଁ ଶପଥ ନିଅନ୍ତି, ସେଇ ଶପଥ ମଧ୍ୟରେ ପ୍ରତିଫଳିତ ହୁଏ ଅର୍ଦ୍ଧ ସତ୍ୟ ଓ ଆଂଶିକ ମିଥ୍ୟାର ଏକ ଭିନ୍ନ ପରିଭାଷା। ପରିଣାମ ହୁଏ ଅତ୍ୟନ୍ତ ପ୍ରତ୍ୟାଶିତ।
ଦୋଷ ଦଣ୍ଡର ଏଇ ଗୌରଚନ୍ଦ୍ରିକାକୁ ଅଧିକ ପ୍ରଲମ୍ବିତ ନ କରି ଏବେ ପ୍ରସଙ୍ଗଟିର ସଦ୍ୟ ପ୍ରତିବିମ୍ବ ଉପରେ ନଜର ପକାଇବା। ଗତ ମାସକ ମଧ୍ୟରେ ଖୁବ୍‌ ଅଳ୍ପଦିନ ବ୍ୟବଧାନରେ ଆମ ରାଜ୍ୟର ବ୍ୟବସାୟିକ ରାଜଧାନୀ କଟକରେ ଗୋଟାକ ପରେ ଗୋଟିଏ ଅପମିଶ୍ରଣର ଲୋମଟାଙ୍କୁରା ଖବର ଲୋକଲୋଚନକୁ ଆସିଛି। ପ୍ରଥମେ ପଚାଶଢ଼ା କଖାରୁରୁ ପ୍ରସ୍ତୁତ ସ୍ବାଦିଷ୍ଟ ସସ୍‌, ପରେ ପରେ କାଠଗୁଣ୍ଡରୁ ତିଆରି ହଳଦୀଗୁଣ୍ଡ ଓ ବିଭିନ୍ନ ପ୍ରକାର ମସଲା ମଣିଷମାରଣ ଯଜ୍ଞ ପାଇଁ ଯଥେଷ୍ଟ ହେଲାନାହିଁ ଯେ, ଦେବତାଙ୍କ କାର୍ଯ୍ୟ ପାଇଁ ମୁଖ୍ୟତଃ ପ୍ରୟୋଜନୀୟ ଘିଅର ବ୍ୟାପକ ଅପମିଶ୍ରଣ କରାଯାଇଥିବାର ଦୃଷ୍ଟିକଟୁ ଦୃଶ୍ୟସବୁ ଆଖିରେ ପଡ଼ି ଆମ ଇଷ୍ଟନିଷ୍ଠତାର ଭିନ୍ନ ପ୍ରମାଣ ପେସ୍‌ କରିଛି। ଟିଭି ପରଦାରେ ପ୍ରଦର୍ଶିତ ଦଶଲକ୍ଷ ଟଙ୍କାର ଅପମିଶ୍ରିତ ଘିଅକୁ ନାଳରେ ଫିଙ୍ଗା ହେଉଥିବାର ଦୃଶ୍ୟ ଯେଉଁମାନଙ୍କ ଦୃଷ୍ଟିରେ ପଡ଼ିଥିବ, ସେମାନେ ମନେପକାଉଥିବେ ପୁରୁଣା ସିନେମା ‘ଉପକାର’ରେ ମାନ୍ନା ଦେଙ୍କ କଣ୍ଠରେ ଅଭିନେତା ପ୍ରାନ୍‌ ଗାଇଥିବା ସେଇ ଗୀତଟିକୁ- ”ଦେତେ ହେଁ ଭଗବାନ୍‌ କୋ ଧୋକା ଇନ୍‌ସାନ୍‌କୋ କ୍ୟା ଛୋଡ଼େଙ୍ଗେ।“
ଇନ୍‌ସାନ୍‌କୁ ଧୋକା ତ ନୁହେଁ, ଇନ୍‌ସାନିୟତ ବା ମାନବିକତାକୁ ଶକ୍ତ ଧକ୍କାଟିଏ ମରାଯାଇଥିବାର ସଦ୍ୟ ଉଦାହରଣଟିଏ ମିଳିଛି ଏଇ କେଇଦିନ ତଳେ ସେଇ କଟକରୁ ଯେତେବେଳେ ଗୋଟିଏ ପାଉଁରୁଟି କାରଖାନା କେକ୍‌ ଓ ପାଉଁରୁଟି ତିଆରି କରିବାକୁ ଆଠଗଡ଼ ଅଞ୍ଚଳରୁ ମଗାଇଥିଲା ଚବିଶ ଶହ ପଚାଅଣ୍ଡା। ଖାଦ୍ୟର ମାନ ନିରୀକ୍ଷଣକାରୀଙ୍କ ଦୃଷ୍ଟିରେ ପଡ଼ି କଥାଟି ଲୋକଲୋଚନକୁ ଆସିବା ପୂର୍ବରୁ ଉପଭୋକ୍ତା ଓ ନିରୀକ୍ଷଣକାରୀଙ୍କ ଦୃଷ୍ଟି ଅନ୍ତରାଳରେ ଏମିତି କେତେ ପଚାଅଣ୍ଡାର ବିଷାକ୍ତ ଉପାଦାନ ଆମ ଭଳି ସାଧାରଣ କେକ୍‌ ଓ ପାଉଁରୁଟିଖିଆ ଲୋକଙ୍କ ଗର୍ଭକୁ ଯାଇଥିବ ଓ ଡାକ୍ତରଙ୍କ ବୟାନ ଅନୁଯାୟୀ ତାହା କର୍କଟ ଭଳି ମାରାମତ୍କ ରୋଗର ବୀଜବପନ କରିଥିବ, ତାହାର ହିସାବ କାହା ପାଖରେ ଥିବ?
ଏବେ ତ ନିତିଦିନ ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ଧଳା ଜହର କୁହାଯାଉଥିବା ବ୍ରାଉନସୁଗାର ରାଜ୍ୟର ରାଜଧାନୀ ସମେତ ସବୁ ଛୋଟବଡ଼ ସହରରେ ଧରାପଡୁଥିବା ଖବର ନଜରକୁ ଆସୁଛି। ଏହି ମନ୍ଥର ବିଷ ସେବନ କରି କେତେ କେତେ ଦୀପ୍ତିମାନ୍‌ ଯୌବନ ଅକାଳରେ ଉଜୁଡ଼ିଯାଉଛି। କେତେ ହତଭାଗ୍ୟ ପିତାମାତାଙ୍କ ଆଖିରେ ଲୁହ ଶୁଖୁନାହଁି। ତାହାର ହିସାବ ଏମାନଙ୍କୁ ଧରି କେତେ ମୂଲ୍ୟର ବ୍ରାଉନସୁଗାର ବା ଗଞ୍ଜେଇ ଧରିଛନ୍ତି ବୋଲି ହିସାବ ଦେଉଥିବା ପୋଲିସ ପାଖରେ ଅଛି ନା ଏଇ ଖବର ପ୍ରକାଶ କରୁଥିବା ଗଣମାଧ୍ୟମ ପାଖରେ ଅଛି! ବାସ୍‌ ଗୋଟିଏ ପଟରେ ଏଗୁଡ଼ିକ ସେବନ କରୁଥିବା ନିଶାସକ୍ତ ଦିବ୍ୟ ଯୌବନର ଅକାଳ ଅବସାନ ତ ଅନ୍ୟପଟେ ଏହାକୁ ସେବନ କରାଉଥିବା ମୃତ୍ୟୁଦୂତ ବେପାରୀମାନଙ୍କ ମାସ କେଇଟା ମଧ୍ୟରେ କୋଟି କୋଟି ଟଙ୍କାର ମୁନାଫା ଅର୍ଜନ! ଖବର ପ୍ରକାଶ ପାଇଛି ଉତ୍ତର ବାଲେଶ୍ୱରର ଏକ ଛୋଟ ସହରରେ ତିନିବର୍ଷ ପୂର୍ବରୁ ରିକ୍ସା ଚଲାଉଥିବା ଜଣେ ଯୁବକ ଧଳା ଜହର ବେପାର କରି ଏବେ କଲିକତା, ମୁମ୍ବାଇ ଓ ଦୁବାଇରେ ଘର କିଣିବା ସହ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇପାରିଛି। ବିଷ ବେପାରରେ ପୁଣି ଏତେ ଲାଭ! ମୃତ୍ୟୁର ସୌଦାଗର ଆଉ କାହାକୁ କହନ୍ତି କି!
ଲକ୍ଷ୍ୟ କରିବାର କଥା, ପଚାଅଣ୍ଡା ମିଶାଇ କେକ୍‌ ଓ ପାଉଁରୁଟି କରୁଥିବା ବେପାରୀ ହୁଅନ୍ତୁ କି ଭେଜାଲ ଘିଅ ବା ମସଲା ତିଆରି କରି ବଜାରକୁ ଛାଡ଼ୁଥିବା ଅପମିଶ୍ରଣକାରୀ ଅବା ପୁଣି ବ୍ରାଉନସୁଗାର ବିକୁଥିବା ବିଷ ବେପାରୀ, ଏମାନେ ଯେବେ ଧରାପଡୁଛନ୍ତି, ତାହା ତାଙ୍କ ଅପରାଧର ପ୍ରଥମ ଦିନ ନ ଥିଲା। ଏହା ବେଶ୍‌ କିଛିଦିନ ଧରି ଚାଲି ଆସୁଥିବ ଓ ସେଇ ସମୟ ମଧ୍ୟରେ ଏମାନେ ଯେଉଁ ବିସ୍ତୀର୍ଣ୍ଣ ଇଲାକାରେ ସେମାନଙ୍କ ବେପାର ବିସ୍ତାରିତ କରିଛନ୍ତି ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ସେବନ କରି ଯେତେଜଣ ରୋଗଗ୍ରସ୍ତ ହୋଇଛନ୍ତି, ସେମାନଙ୍କ ଅବସ୍ଥା ଏବେ କିପରି ଥିବ? ଏମିତି ବି ହୋଇଥାଇପାରେ, ସେଇ ବିଷାକ୍ତ ଅପମିଶ୍ରିତ ଖାଦ୍ୟ ଖାଇ ବା ଧଳା ଜହର ସେବନ କରି ଇତିମଧ୍ୟରେ କେତୋଟି ମୁଣ୍ଡରୁ ଅକାଳରେ ସିନ୍ଦୂର ଲିଭି ଯାଇଥିବ, କେତେକ ଶିଶୁ ଅନାଥ ହୋଇସାରିଥିବେ, ଭଲଭାବେ ବିକଶିତ ହେବା ପୂର୍ବରୁ କେତେ ତରୁଣ ଜୀବନ ଅକାଳରେ ଝଡ଼ି ଯାଇଥିବେ ଓ ଆଉ କେତେକ ଆସ୍ତେ ଆସ୍ତେ ମୃତ୍ୟୁ ନିକଟକୁ ଆଗେଇ ଯାଉଥିବେ। ଅଥଚ କିଛି ସହଜ ଲବ୍ଧ ଅର୍ଥ ଅର୍ଜନ ପାଇଁ ଯେଉଁ ବିଷ ବେପାରୀ ଏଇ ସବୁ ଘୃଣିତ ଅପରାଧ କଲେ, ଭାରତୀୟ ନ୍ୟାୟ ବ୍ୟବସ୍ଥାର କଚ୍ଛପ ଗତି ମଧ୍ୟରେ ସେମାନଙ୍କ ଅପରାଧର ବିଚାର ପାଇଁ ବର୍ଷ ବର୍ଷ ଲାଗିଯିବ ଓ ଯେତେବେଳେ ରାୟ ପ୍ରକାଶ ପାଇବ, କେଇ ମାସ ବା ଅତିବେଶିରେ କେଇବର୍ଷର କାରାବାସ! ପୁଣି ନିମ୍ନକୋର୍ଟର ରାୟ ବିରୋଧରେ ଉଚ୍ଚରୁ ସର୍ବୋଚ୍ଚ କୋର୍ଟରେ ଅପିଲ କଥା ତ ଅଛି। ଯଦିବି ଜେଲ ଯିବାକୁ ପଡ଼େ, ତେବେ ବିଜ୍‌ନେସ୍‌ ଟୁରରେ ଯିବା ଭଳି ନିଜ ବେପାରରୁ ଏକ ସାମୟିକ ଅନୁପସ୍ଥିତି ମାତ୍ର। ବାସ୍‌, ଫେରିଆସିଲେ ପୁଣି ଚାଲିବ ବିଷ ବଣ୍ଟନ ଓ ଅବିଚାରିତ ଅପମିଶ୍ରଣ, କିଛି ଦୃଢ଼ତା ଓ ଆମତ୍ବିଶ୍ୱାସର ସହ!
ଏଇଠି ମନେପଡ଼େ ସେଇ ଅସଭ୍ୟ ଜଙ୍ଗଲୀ ଯୁବକ ଘିନୁଆର ଦଣ୍ଡସଂହିତା କଥା। ଶହ ଶହ ଦରିଦ୍ର, ଦୁଃସ୍ଥ ଅସହାୟ ଲୋକଙ୍କୁ ଅହରହ କଲବଲ କରୁଥିବା ଅତ୍ୟାଚାରୀ ଗୋବିନ୍ଦ ସର୍ଦ୍ଦାରକୁ ମୃତ୍ୟୁଦଣ୍ଡ ଦେଇ ସେ ସବୁଦିନ ପାଇଁ ଏକ ଅଶୁଭ ଗ୍ରହର ଯବନିକା ଟାଣିଥିଲା। ଖାଦ୍ୟରେ ବିଷ ମିଶାଇ ଅବା ବିଷପୁଡ଼ିଆ ବିକି ଅକାଳରେ ବହୁ ଲୋକଙ୍କୁ ମୃତ୍ୟୁମୁହଁକୁ ପଠାଉଥିବା ଖାଦ୍ୟ ଅପମିଶ୍ରଣକାରୀ ବା ବ୍ରାଉନସୁଗାର ବେପାରୀଙ୍କ ଅପରାଧ ଗୋବିନ୍ଦ ସର୍ଦ୍ଦାରର ଅପରାଧଠାରୁ କେଉଁ ଗୁଣରେ କମ୍‌ କି?
ପ୍ରଜ୍ଞା ନିଳୟ , ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri