
ପୁରୁଷୋତ୍ତମପୁର,୩।୫ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ନିକଟସ୍ଥ ଶାର୍ଗୁଣାପଲ୍ଲୀ ପାହାଡରୁ ଚୋରାରେ ମୋରମ ଚାଲାଣ ହେଉଥିଲା। ଏହି ସମୟରେ ଚଢ଼ାଉ କରି ୨ଟି ହାଇୱା ଟ୍ରକ( ନଂ ଓଡି ୦୪ ଭି ୧୭୩୫ ଏବଂ ଓଡି ୦୭ ଏଟି ୨୬୨୩)କୁ ଜବତ କରିବା ସହ ୩ ଜଣଙ୍କୁ ପୁରୁଷୋତ୍ତମପୁର ପୋଲିସ ଶୁକ୍ରବାର ରାତିରେ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ଆସିକା ଥାନା ଧୋବାପଲ୍ଲୀ ଗ୍ରାମର ଭାଗିରଥି ବେହେରା (୩୬), କଟକ ଜିଲା ବଡମ୍ବା ଥାନା ଟୁନାପୁରର ଆଶିଶକୁମାର ଚୌଧୁରୀ(୨୮) କବିସୂର୍ଯ୍ୟନଗର ଥାନା ଆଠଗଡପାଟଣାର ରାଜେନ୍ଦ୍ର ପଲେଇ (୫୪)। ଏହାର କେସ ନଂ ୩୪୧/୨୫ ବୋଲି ପୁରୁଷୋତ୍ତମପୁର ଏସ୍ଡିପିଓ ଡ. ଦୀପକକୁମାର ମିଶ୍ର ସୂଚନା ଦେଇଛନ୍ତି।
ପ୍ରକାଶ ଥାଉ କି, ଏହିଭଳି ଗାଡ଼ି ଗାଡ଼ି ମୋରମ ରିତିମତ ଭାବରେ ବିନା ଦ୍ବିଧାରେ ବାହାରକୁ ଚାଲାଣ ହେଉଛି। ପୁରୁଷୋତ୍ତମପୁର ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର ନିଜେ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଏହି ଗାଡ଼ିମାନ ଉପରେ ସନ୍ଦେହ ପ୍ରକଟ କରି ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଏହି ସମୟରେ ୱାଇ ଫର୍ମକୁ ଯାଞ୍ଚ କରିବାବେଳେ ଏହା ନକଲି ବୋଲି ଜଣାପଡିବା ପରେ ଗାଡିକୁ ଜବତ କରି ପୁରୁଷୋତ୍ତମପୁର ଥାନାକୁ ହସ୍ତାନ୍ତର କରିଥିଲେ। ଏଥିନେଇ ଏସ୍ଆଇ ସୁଶାନ୍ତ କୁମାର ମିଶ୍ର ଗାଡିକୁ ଥାନାକୁ ଆଣିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।