ମଣିଷରୁ ଦେବତା ନା ଅସୁର

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ଧରାପୃଷ୍ଠରେ ଜୀବଜଗତର ବିକାଶ ସମ୍ପର୍କରେ ଡାର୍‌ଉଇନ୍‌ଙ୍କ ବିବର୍ତ୍ତନ ମତବାଦକୁ ଏବେ ମଧ୍ୟ ସର୍ବଶ୍ରେଷ୍ଠ ବୋଲି ଗଣନା କରାଯାଏ। ଏଥିଅନୁସାରେ ପରିବେଶ ପ୍ରଭାବରେ ଜିନୀୟସ୍ତରରେ ଆସୁଥିବା ପରିବର୍ତ୍ତନ ହେତୁ ନୂତନ ନୂତନ ଜୀବ ଶ୍ରେଣୀମାନଙ୍କର ବିକାଶ ଘଟିଲା। ଏଣୁ ଜୀବନର ସ୍ଥିତି ଏହି ବିବର୍ତ୍ତନ ପ୍ରକ୍ରିୟା ସହିତ ଓତପ୍ରୋତ ଭାବେ ଜଡ଼ିତ। ଏହା ଏବେ ମଧ୍ୟ ଚାଲିଛି ଏବଂ ଜୀବଜଗତର ରୂପରେଖକୁ ପ୍ରଭାବିତ କରିବାରେ ଲାଗିଛି। ମଣିଷ ଏଥିରୁ ବାଦ୍‌ ପଡ଼ିନାହିଁ।
ବିବର୍ତ୍ତନ ଏକ ନିଶ୍ଚିତ ଘଟଣା ଏବଂ ଏହା ଅବିରତ ଭାବେ ଆମ ଶରୀର ମଧ୍ୟରେ ବିଭିନ୍ନ ପରିବର୍ତ୍ତନ ଆଣୁଛି। ଭବିଷ୍ୟତରେ ମଧ୍ୟ ଏହା ଚାଲିବ, ଯେପର୍ଯ୍ୟନ୍ତ ଧରାପୃଷ୍ଠରୁ ଜୀବଜଗତ ସମ୍ପୂର୍ଣ୍ଣ ବିଲୁପ୍ତ ନ ହୋଇଛି। ଏ ପ୍ରକ୍ରିୟା ଏବେ ଚାଲିଥିବାର ଅନେକ ପ୍ରମାଣ ରହିଛି। ତାହା ମଣିଷକୁ ବଦଳାଇବାରେ ଲାଗିଛି।
ଅଗଷ୍ଟ (୨୦୨୧) ଜର୍ନାଲ୍‌ ଅଫ୍‌ ଆନାଟୋମିରେ (ଆମେରିକୀୟ) ଏକ ବିସ୍ମୟକର ଆବିଷ୍କାର ସମ୍ପର୍କରେ ନିବନ୍ଧଟିଏ ପ୍ରକାଶ ପାଇଛି। ସେଥିରେ ସୂଚିତ କରାଯାଇଛି ଯେ, ବର୍ତ୍ତମାନ ମଣିଷର ବାହୁରେ ନୂତନ ଧମନୀଟିଏ ସୃଷ୍ଟି ହେବାରେ ଲାଗିଛି। ତା’ଠାରେ ବିବର୍ତ୍ତନ ପ୍ରକ୍ରିୟା ଏବେ ବି ସକ୍ରିୟ ବୋଲି ଏଥିରୁ ପ୍ରମାଣ ମିଳୁଛି। ତଦନୁଯାୟୀ ଗର୍ଭାଶୟରେ ଥିଲାବେଳେ ଭ୍ରୂଣଠାରେ ଏହା ସୃଷ୍ଟି ହୋଇଥାଏ, କିନ୍ତୁ କ୍ରମେ ତାହା ଉଭେଇଯାଏ। ଏବେ ସେପରି ହେଉନାହିଁ। ଅନେକଙ୍କଠାରେ ଜନ୍ମ ହେଲାପରେ ମଧ୍ୟ ତାହା ରହିଯାଉଛି।
ମଣିଷଠାରେ ବିବର୍ତ୍ତନୀୟ ପରିବର୍ତ୍ତନର ଅନ୍ୟ ଏକ ଦୃଷ୍ଟାନ୍ତ ହେଲା ଶରୀରର ତାପମାତ୍ରା ହ୍ରାସ। ସୃଷ୍ଟିକାଳରୁ ତାହା ଯେତିକି ଥିଲା ଏବେ ନାହିଁ। ଜଣାପଡ଼ିଛି ଯେ, ୧୮୬୮ ମସିହାଠାରୁ ଆଜିଯାଏ ୯୮.୬ ଡିଗ୍ରୀ ଫାରେନ୍‌ହାଇଟ୍‌କୁ ସୁସ୍ଥ ଶରୀରର ତାପମାତ୍ରା ରୂପେ ଗଣନା କରାଯାଉଛି। ଏଥିରୁ ଅଧିକ ହେଲେ ତାହାକୁ ଜ୍ୱର ଏବଂ କମ୍‌ ହେଲେ ଅଳ୍ପ-ତପ୍ତତା ବୋଲି କୁହାଯାଉଛି। କିନ୍ତୁ ନିକଟରେ (୨୦୨୦ ମସିହା) ଷ୍ଟାନ୍‌ ଫୋର୍ଡ ବିଶ୍ୱବିଦ୍ୟାଳୟ (ଆମେରିକା)ର ଭେଷଜ ବିଜ୍ଞାନ ବିଭାଗର ପ୍ରଫେସର ଜୁଲି ପାରସୋବେଟ୍‌ଙ୍କ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରତି ୧୦ ବର୍ଷରେ ଏହା ପ୍ରାୟ ୦.୦୫ ଡିଗ୍ରୀ ହାରରେ ହ୍ରାସ ପାଇବାରେ ଲାଗିଛି। ଫଳରେ ବର୍ତ୍ତମାନ ଏହା ହାରାହାରି ୯୭.୯ ଡିଗ୍ରୀ ଫାରେନ୍‌ହାଇଟ୍‌ରେ ପହଞ୍ଚିଗଲାଣି। ଅତଏବ ମଣିଷର ଶରୀର ଶୀତଳରୁ ଶୀତଳତର ହେବା ଲାଗି ବଦଳି ଚାଲିଛି।
ପୁନଶ୍ଚ ମଣିଷଠାରେ ବିବର୍ତ୍ତନ ପ୍ରକ୍ରିୟାର ଅନ୍ୟତମ ପରିପ୍ରକାଶ ଘଟିଛି ଅସ୍ଥିର ସାନ୍ଦ୍ରତା ହ୍ରାସ ରୂପେ। ତା’ ପୂର୍ବପୁରୁଷଙ୍କଠାରେ ତାହା ଅଧିକ ସାନ୍ଦ୍ର ଏବଂ ଭାରି ଥିଲା। କିନ୍ତୁ ବିବର୍ତ୍ତନ ଏବଂ ପାରିପାର୍ଶ୍ୱିକ ଅବସ୍ଥାରେ ପରିବର୍ତ୍ତନ ହେତୁ ବିଗତ ପ୍ରାୟ ୧୬୦୦୦ ବର୍ଷ ଧରି ତା’ ଅସ୍ଥି ଦୁର୍ବଳ ହେବାରେ ଲାଗିଛି। ଏହି ସମୟରେ ମଣିଷ ଚାଷକର୍ମ ଆରମ୍ଭ କରିଥିଲା ଏବଂ ବସତି ସ୍ଥାପନ କରିଥିଲା। ଆମେରିକୀୟ ନୃତତ୍ତ୍ୱବିତ୍‌ ହାବିବା ଚିର୍‌ଚିର ଏବଂ ତାଙ୍କ ସହଯୋଗୀମାନେ ବିଗତ ୨୦୧୫ ମସିହାରେ କରିଥିବା ଏକ ଅଧ୍ୟୟନରୁ ଉପସଂହାରରେ ପହଞ୍ଚିଛନ୍ତି ଯେ, ଶିକାର ଓ ଖାଦ୍ୟ ସଂଗ୍ରହ ବଦଳରେ କୃଷିକର୍ମ ଆରମ୍ଭ ହେତୁ ମଣିଷକୁ ଖାଦ୍ୟ ନିରାପତ୍ତା ମିଳିବା ପରଠାରୁ ତା’ର କଙ୍କାଳ ସୂକ୍ଷ୍ମ ହେବାକୁ ଲାଗିଛି। ଅନ୍ୟ ଭାଷାରେ କହିବାକୁ ଗଲେ ଜୀବନଧାରା ସହିତ ତାଳ ଦେଇ ତା’ଠାରେ ଏହି ବିବର୍ତ୍ତନୀୟ ପରିବର୍ତ୍ତନ ଆସିଛି।
ଶରୀରର ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ମଣିଷଠାରେ ବିବର୍ତ୍ତନର ସୂଚନା ବହନ କରିଥାଏ। ବିବିଧ ଜୀବାଣୁ, ଭୂତାଣୁ ଏବଂ ତଜ୍ଜନିତ ରୋଗ ପ୍ରତି ତା’ର ରୋଗ ପ୍ରତିରୋଧ ଶକ୍ତି ମୂଳତଃ ବିବର୍ତ୍ତନ ସହିତ ସମ୍ପୃକ୍ତ। ଆଗଭଳି ଅନେକ ଭୂତାଣୁଜନିତ ରୋଗ ତାକୁ ଏବେ ଆଉ ମାରିପାରୁ ନାହିଁ, ଯାହା କି ଏକଦା ଅତି ଘାତକ ଥିଲା। ଏହାର କାରଣ ହେଲା ଯେ, ଯେଉଁମାନେ ଏଥିରୁ ବଞ୍ଚିଗଲେ ତାଙ୍କଠାରେ ସୃଷ୍ଟି ହୋଇଥିବା ନୂତନ ବିବର୍ତ୍ତନୀୟ ବୈଶିଷ୍ଟ୍ୟଗୁଡ଼ିକୁ ତାଙ୍କ ବଂଶଜମାନେ ଉତ୍ତରାଧିକାର ସୂତ୍ରରେ ଲାଭ କଲେ। ଚାଲନ୍ତୁ କୋଭିଡ୍‌-୧୯ କଥା ବିଚାରକୁ ନେବା। ଏବେ ଏହା ଏକ ଭୟଙ୍କର ମହାମାରୀ ରୂପେ ପରିଗଣିତ ହେଉଛି। କିନ୍ତୁ କିଛି ବର୍ଷ ପରେ ତାହା ଆଉ ସେପରି ରହିବ ନାହିଁ। ସାଧାରଣ ଶର୍ଦ୍ଦି ବା ଫ୍ଲୁ ଭଳି ମଧ୍ୟ ଏହାର ଚିକିତ୍ସା ସହଜ ହେବ।
ସେହିପରି ସାଧାରଣତଃ କେତେକ ଖାଦ୍ୟ ମଣିଷଠାରେ ଆଲର୍ଜି ସୃଷ୍ଟି କରନ୍ତି। ବିଭିନ୍ନ ପ୍ରକାର କୋଳି, ଗହମରେ ଥିବା ଶ୍ୱେତସାର ଗ୍ଲୁଟେନ, କ୍ଷୀରରେ ଥିବା ଶର୍କରା ଲାକ୍ଟୋଜ୍‌ ଆଦି ଏହାର ଉଦାହରଣ। ଏଗୁଡ଼ିକ ପ୍ରତି ତା’ର ଅସହିଷ୍ଣୁତା ଥାଏ। ଅନେକ ଲୋକ ଏହାକୁ ଅନୁଭବ କରିପାରନ୍ତି ନାହିଁ ଏବଂ ସେଥିସହିତ ଚଳିଯାଆନ୍ତି। ଲାକ୍ଟୋଜ୍‌ ପ୍ରତି ଅସହିଷ୍ଣୁତା ଆମ ଦେଶରେ ବହୁଳ ଭାବେ ଦେଖାଯାଏ। କିନ୍ତୁ ଦିନକୁଦିନ ତାହା ହ୍ରାସ ପାଇବାରେ ଲାଗିଛି। ଆଜକୁ ପ୍ରାୟ ୫୦୦୦ରୁ ୧୦୦୦୦ ବର୍ଷ ପୂର୍ବେ ୟୁରୋପୀୟମାନଙ୍କଠାରେ ଜିନୀୟ ପରିବର୍ତ୍ତନ ହେତୁ ପ୍ରଥମେ ଲାକ୍ଟୋଜ୍‌ ପ୍ରତି ସହନଶୀଳତା ସୃଷ୍ଟି ହୋଇଥିଲା। ତହିଁରେ କ୍ରମେ ଅନ୍ୟମାନେ ତାହା ହାସଲ କଲେ। ବିଭିନ୍ନ ଖାଦ୍ୟର ଆବଶ୍ୟକତା ସହିତ ବିବର୍ତ୍ତନ କାରଣରୁ ଏହା ଜାତ ହୋଇଥିଲା ବୋଲି ମନେକରାଯାଏ। ଖାଦ୍ୟାଭ୍ୟାସ ସହିତ ସମ୍ପୃକ୍ତ ଜିନ୍‌ରିମାନଙ୍କ ଧ୍ରୁବୀକରଣ ହେତୁ ଏପରି ଘଟିଥାଇପାରେ। ସେହିପରି ମଣିଷର ହାରାହାରି ଉଚ୍ଚତା ବୃଦ୍ଧି, ମସ୍ତିଷ୍କର କିଛି ଅଂଶ ଅଧିକ ସକ୍ରିୟ ହେବା, ଶରୀରର ପ୍ରତିରକ୍ଷା ଜିନ୍‌ମାନଙ୍କରେ ପରିବର୍ତ୍ତନ ଆସିବା ଇତ୍ୟାଦିକୁ ମଧ୍ୟ ବିବର୍ତ୍ତନ ହେତୁ ଘଟୁଥିବାର କୁହାଯାଉଛି।
ଜୀବଜଗତର ସୁଦୀର୍ଘ ବିବର୍ତ୍ତନୀୟ ଯାତ୍ରା ଗଭୀର ମହାସାଗରମାନଙ୍କରୁ ଆରମ୍ଭ ହୋଇଥିଲା। ଏଣୁ ପ୍ରଥମେ ଜଳରେ ପ୍ରାଣୀମାନଙ୍କଠାରୁ ଏହାର ଅୟମାରମ୍ଭ ଘଟି ତତ୍‌ପରେ ବାୟୁ ସାହାଯ୍ୟରେ ଶ୍ୱାସକ୍ରିୟା ସଂପାଦନ କରୁଥିବା ଜୀବମାନଙ୍କର ବିକାଶ ଘଟିଲା ଏବଂ କ୍ରମେ ତହିଁରୁ କିଛି ଭୂଭାଗକୁ ଆସିଲେ। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ, ଏକ ଜାତିର ‘କୋମ୍ବଜେଲି’ ହେଉଛି ସ୍ଥଳଭାଗରେ ବାସ କରୁଥିବା ସର୍ବ ପ୍ରଥମ ଜୀବ। ତତ୍‌ପରେ ପ୍ରାୟ ୩୬୦ ନିୟୁତ ବର୍ଷ ପୂର୍ବେ ‘ହାଗ୍‌ଫିସ୍‌’ ଏବଂ ‘ଲାମ୍‌ଫ୍ରେଜ୍‌’ ଭଳି ସ୍ଥଳଚରମାନେ ସୃଷ୍ଟି ହେଲେ। ଏବର ପ୍ରାଣୀମାନଙ୍କଠାରେ ଭୂପୃଷ୍ଠରେ ବଞ୍ଚତ୍ବା ପାଇଁ ଆବଶ୍ୟକ ହେଉଥିବା କାନ୍ଧ, କହୁଣି, ଗୋଡ଼ ଏବଂ ବେକ ଭଳି ମଣିଷଠାରେ ଥିବା କିଛି ଅଙ୍ଗ ବିକଶିତ ହେବାକୁ ଲାଗିଲା। କ୍ରମେ ଏହିସବୁ ଅଙ୍ଗ ଧାରଣ କରୁଥିବା ମାଙ୍କଡ଼ ଜାତୀୟ ପ୍ରାଣୀଙ୍କର ଆବିର୍ଭାବ ହେଲା ଏବଂ ତା’ଠାରୁ ବିଭିନ୍ନ ସ୍ତର ଦେଇ ମଣିଷ ସୃଷ୍ଟି ହେଲା। ଜିନୀୟ ପରିବର୍ତ୍ତନର ଏସବୁରେ ଥିଲା ମୁଖ୍ୟ ଭୂମିକା। ତେବେ, ତା’ର ପୂର୍ବପୁରୁଷ ରୂପେ ପରିଗଣିତ ଗରିଲା ଓ ତା’ ମଧ୍ୟରେ ଜିନୀୟ ପ୍ରଭେଦତା କେବଳ ୩.୬ ଶତାଂଶ। ଏତିକି ମାତ୍ର ପରିବର୍ତ୍ତନ ସେହି ବନବାସୀ ଜୀବଟିକୁ ଚିନ୍ତାଶକ୍ତି ସମ୍ପନ୍ନ ବୁଦ୍ଧିମାନ ମଣିଷରେ ପରିଣତ କଲା। ଏପରି ସ୍ଥଳେ, ବର୍ତ୍ତମାନ ତା’ଠାରେ ଆସୁଥିବା ବିବର୍ତ୍ତନୀୟ ପରିବର୍ତ୍ତନ ତାକୁ ହୁଏତ ଦିନେ ଅତିମାନବ ବା ଆମ କଳ୍ପନାର ଦେବତାରେ ପରିଣତ କରିଦେବ ବୋଲି ଆଶା କରାଯିବା ସ୍ବାଭାବିକ। କିନ୍ତୁ ବର୍ତ୍ତମାନର ମଣିଷ ଚରିତ୍ର ଯେପରି ନକାରାତ୍ମକ ଭାବେ ବଦଳି ଚାଲିବାର ଦେଖାଯାଉଛି ତାହା ମନରେ ସଂଶୟଟିଏ ମଧ୍ୟ ସୃଷ୍ଟି କରେ ସେ ଅସୁରରେ ପରିଣତ ହେବାକୁ ଯାଉନି ତ?
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?