ବଢୁଛି ମାପ ଓଜନରେ ଜାଲିଆତି: ୩ ବର୍ଷରେ ୬୮୦ ପେଟ୍ରୋଲ ପମ୍ପ୍‌ରେ ଠକେଇ

ଯାଜପୁର ଅଫିସ,୫।୪: ଜନସାଧାରଣ କେବଳ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧିଜନିତ ଆର୍ଥିକ ବୋଝକୁ ସହୁନାହାନ୍ତି, ପେଟ୍ରୋଲ ପମ୍ପ୍‌ରେ ମାପ ଠକେଇର ମଧ୍ୟ ଶିକାର ହୋଇଆସୁଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷର ଫେବୃୟାରୀ ୨୧ ସୁଦ୍ଧା ମାପ ଏବଂ ଓଜନ ଆଇନ ଖିଲାପ କରୁଥିବା ରାଜ୍ୟର ୧୩୨ ଜଣ ପମ୍ପ୍‌ ମାଲିକଙ୍କ ବିରୋଧରେ କେସ୍‌ ରୁଜୁ କରାଯାଇ ୯ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ୨୦୧୮-୧୯ରେ ୨୨୫ ଜଣଙ୍କଠାରୁ ୧୧,୭୪,୦୦୦ ଓ ୨୦୧୯-୨୦ରେ ୩୨୩ ପମ୍ପ୍‌ ମାଲିକଙ୍କଠାରୁ ୧୯,୮୩,୦୦୦ ଟଙ୍କା ଅସୁଲି ହୋଇଛି। ୩ ବର୍ଷରେ ୬୮୦ ପେଟ୍ରୋଲ ପମ୍ପ୍‌ରେ ଏଭଳି ଠକେଇ ଯୋଗୁ ଗ୍ରାହକମାନେ ବହୁ କ୍ଷତି ସହିଛନ୍ତି। ଯେଉଁଠି ପମ୍ପ୍‌ ମାଲିକ ଏବଂ ମାପ ଓଜନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଛି, ସେଠାରେ ମାପରେ ଠକିବା ଅଣାୟତ୍ତ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସୁନା ଅଳଙ୍କାର ଦୋକାନରେ ମାପରେ ଠକିବା ଭଳି ସମ୍ବେଦନଶୀଳ କାର୍ଯ୍ୟ ସାମ୍ନାକୁ ଆସିଛି। ୨୦୨୦-୨୧ ଫେବୃୟାରୀ ସୁଦ୍ଧା ୧୯୬ ଜଣ ଗହଣା ବ୍ୟବସାୟୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇ ୪,୪୫,୫୦୦ ଟଙ୍କା ଆଦାୟ ହୋଇଛି। ମାପ ଏବଂ ଓଜନ ଠକେଇକୁ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ଦାୟିତ୍ୱରେ ଅବହେଳା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ବୈଧ ମାପବିଜ୍ଞାନ ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଖଣ୍ଡଗିରିରେ କାର୍ଯ୍ୟ କରୁଛି। ଏହି ନିର୍ଦ୍ଦେଶାଳୟ ଅଧୀନରେ ଜିଲାସ୍ତରରେ ୩୦ ସହକାରୀ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ଖୋଲାଯାଇଛି। ଏହାସହ ଓଡ଼ିଶାରେ ୭୨ଟି ପ୍ରୟୋଗଶାଳା କାର୍ଯ୍ୟ କରୁଛି। ତେବେ ୩୦ ଜିଲା କାର୍ଯ୍ୟାଳୟରୁ ୧୪ ସହକାରୀ ନିୟନ୍ତ୍ରକ ବୈଧ ମାପବିଜ୍ଞାନ(ଏସିଏଲ୍‌ଏମ୍‌), ୮ ବରିଷ୍ଠ ନିରୀକ୍ଷକ, ୨୮ ନିରୀକ୍ଷକ ଓ ୩ କିରାଣି ପଦବୀ ଖାଲି ପଡିଛି। ଏଭଳି ସ୍ଥିତିରେ ଓଜନ ଯନ୍ତ୍ରଗୁଡ଼ିକରେ ଉପଯୁକ୍ତ ଭାବେ ସିଲ୍‌ ଏବଂ କ୍ରମାଙ୍କ କାର୍ଯ୍ୟ ହେଉନାହିଁ। ବର୍ଷକ ତଳେ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ସ୍କ୍ବାଡ୍‌ର ନିରୀକ୍ଷଣରେ ଏହିସବୁ ଦୃଷ୍ଟିଗୋଚର ହୋଇଥିଲା। ଏଣୁ ଏସିଏଲ୍‌ଏମ୍‌ମାନଙ୍କୁ ଓଜନ ମାପଗୁଡିକର ପୁନଃ ନିରୀକ୍ଷଣ କରି ଆଇନ ଅନୁସାରେ ପଦକ୍ଷେପ ନେବାକୁ ବୈଧ ମାପବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ଏପର୍ଯ୍ୟନ୍ତ ଏହାର ସୁଧାର ହୋଇ ନ ଥିବାରୁ ଖାଉଟିମାନେ ବିଭିନ୍ନ ସମୟରେ ଶୋଷଣର ଶିକାର ହେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବ୍ୟବସାୟିକ ଅନୁଷ୍ଠାନ, ଶିଳ୍ପାଞ୍ଚଳ ଓ ଖଣିରେ ଥିବା ୱେବ୍ରିଜ, ବଜାର, ସୁନା ଦୋକାନ, ପରିବା, ରାଶନ ଦୋକାନ, ପେଟ୍ରୋଲ ଟାଙ୍କି ଇତ୍ୟାଦିରେ ଓଜନ ଓ ମାପରେ ବ୍ୟାପକ ଅନିୟମିତତା ହେଉଛି। ପେଟ୍ରୋଲ ଟାଙ୍କିରେ ମନଇଚ୍ଛା ମାପ ବ୍ୟବସ୍ଥା କରାଯାଉଥିବା ଅଭିଯୋଗ ହେଉଛି। ଓଡ଼ିଶାରେ ୧୭୩୨ ପେଟ୍ରୋଲ ପମ୍ପ୍‌ ରହିଛି। ଗତ ୩ ବର୍ଷରେ ସୁନ୍ଦରଗଡ ଜିଲାରେ ସର୍ବାଧିକ ୭୧ ପେଟ୍ରୋଲ ପମ୍ପ୍‌ରେ ମାପରେ ଠକେଇ ହୋଇଥିବା ଧରାପଡିଛି। ସେହିପରି ଅନୁଗୋଳ ଜିଲାରେ ୫୨, ବାଲେଶ୍ୱରରେ ୪୨, ଭଦ୍ରକରେ ୧୯, ବଲାଙ୍ଗୀରରେ ୧୫, ବରଗଡ଼ରେ ୩୧, ବୌଦ୍ଧରେ ୩, କଟକରେ ୩୭, ଦେବଗଡ଼ରେ ୧୩, ଢେଙ୍କାନାଳରେ ୨୮, ଗଜପତିରେ ୮, ଗଞ୍ଜାମରେ ୩୧, ଜଗତ୍‌ସିଂହପୁୁରରେ ୧୧, ଯାଜପୁରରେ ୩୮, ଝାରସୁଗୁଡ଼ାରେ ୧୬, କଳାହାଣ୍ଡିରେ ୨୭, କନ୍ଧମାଳରେ ୭, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୧୭, ଖୋର୍ଦ୍ଧାରେ ୩୩, କୋରାପୁଟରେ ୯, ମାଲକାନଗିରିରେ ୬, ମୟୂରଭଞ୍ଜରେ ୪୩, ନବରଙ୍ଗପୁରରେ ୫, ନୟାଗଡ଼ରେ ୧୩, ନୂଆପଡ଼ାରେ ୬, ପୁରୀରେ ୧୫, ରାୟଗଡ଼ାରେ ୨୧, ସମ୍ବଲପୁରରେ ୧୭, ସୋନପୁରରେ ୨୪ ପେଟ୍ରୋଲ ପମ୍ପ୍‌ ମାଲିକମାନେ ମାପରେ ଠକି ଧରାପଡିଛନ୍ତି। ଶନିବାର ଶେଷ ହୋଇଥିବା ବିଧାନସଭା ବଜେଟ ଅଧିବେଶନରେ ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରତାପ କେଶରୀ ଦେବ, ଅଙ୍ଗଦ କହଁର ଓ ସୌଭିକ ବିଶ୍ୱାଳଙ୍କ ପୃଥକ୍‌ ପୃଥକ୍‌ ପ୍ରଶ୍ନର ଉତ୍ତରରେ ବୈଧ ମାପବିଜ୍ଞାନ ଉପନିୟନ୍ତ୍ରକ ସନାତନ ବାରୀ ଉପରୋକ୍ତ ତଥ୍ୟ ଦାଖଲ କରିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ, ବୈଧମାପ ନିରୀକ୍ଷକମାନେ ନିୟମିତ ବ୍ୟବଧାନରେ ପେଟ୍ରୋଲ ପମ୍ପ୍‌ ଓ ଗହଣା ଦୋକାନରେ ଚଢାଉ କରିଥାନ୍ତି। ମାପ ଏବଂ ଓଜନରେ ଖିଲାପ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଜରିମାନା ଆଦାୟ କରାଯାଉଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?