
ବାସୁଦେବପୁର,୯ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗିରିଶ ଚନ୍ଦ୍ର ସାମଲଙ୍କୁ କିଛି ବ୍ୟକ୍ତି ଛୁରି ଓ ରଡ୍ରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ସାମଲ ନିଜ ଘର ନନ୍ଦପୁରରୁ ବାଇକ୍ ଯୋଗେ ରବିବାର ସନ୍ଧ୍ୟାରେ ବାସୁଦେବପୁର ବଜାରକୁ ଯାଉଥିବା ବେଳେ ସେହି ଗ୍ରାମର ୩ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ସାମଲ ଆକ୍ରମଣରେ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣାକୁ ନେଇ ସାମଲ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।