ଗୁଡ଼ାରି,୧୮ା୧୧(ପ୍ରମୋଦ କୁମାର ପତି ): ସମ୍ଭାବ୍ୟ ବାତ୍ୟା ‘ଅକ୍ବାନ’କୁ ଦୃଷ୍ଟିରେ ରଖି ଗୁଡ଼ାରି ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିବା ବିଡ଼ିଓ ଶୁଚିସ୍ମିତା ବେହେରା ସୂଚନା ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ସମସ୍ତ ଲାଇନ୍ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ଭର୍ଚୁଆଲ୍ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ତହସିଲଦାର ଏ. ସ୍ନେହଲତା, ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ, ମେଡିକାଲ ଅଧିକାରୀ ଡା. ସ୍ୱାଗତ ସ୍ୱାଇଁ ଏବଂ ସିଡିପିଓ ଅନିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ, ବୁଧବାର ଅପରାହ୍ନଠାରୁ ବ୍ଲକ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି ଏବଂ ପାଳି କରି କର୍ମଚାରୀମାନଙ୍କୁ ସେଠାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବାତ୍ୟା ପରିଚାଳନାକୁ ଦୃଷ୍ଟିରେ ରଖି ବ୍ଲକର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ମୁଖ୍ୟାଳୟରେ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ପ୍ରସ୍ତୁତ ରଖାଯାଇଛି ।
ବିଶେଷ କରି ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇ ବ୍ଲକର ମୋଟ ୧୪ ଜଣ ଗର୍ଭବତୀ ମହିଳାଙ୍କୁ ଗୁଡ଼ାରିସ୍ଥିତ ‘ମା’ ଗୃହ’କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି । ମେଡିକାଲ ଅଧିକାରୀ ଡା. ସ୍ୱାଗତ ସ୍ୱାଇଁଙ୍କ ସୂଚନା ଅନୁଯାୟୀ, ଏଥିପାଇଁ ତାଲିକା ଚୂଡ଼ାନ୍ତ ହୋଇଥିବା ବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ୪ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହକୁ ଅଣାଯାଇସାରିଛି । ସ୍ୱାସ୍ଥ୍ୟ ବିଭାଗ ଏବଂ ଅଗ୍ନିଶମ ବାହିନୀକୁ ମଧ୍ୟ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

