ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍ ସାଇଟର ତଥ୍ୟ ଅନୁଯାୟୀ, ସୋମବାର ଅପରାହ୍ନ ୧ଟାରେ ନଦୀର ଜଳସ୍ତର ୩୯.୧୭୦ ମିଟର ରେକର୍ଡ ହୋଇଛି।
ଆନନ୍ଦପୁରରେ ବୈତରଣୀର ବିପଦ ସଙ୍କେତ ୩୮.୩୬୦ ମିଟର ରହିଥିବା ବେଳେ ବର୍ତ୍ତମାନର ଜଳସ୍ତର ତାହାଠାରୁ ୦.୮୧୦ ମିଟର ଅଧିକ ରହିଛି।
ସେହିପରି ସତର୍କ ସଙ୍କେତ ୩୭.୪୪୫ ମିଟର ରହିଛି। ଅର୍ଥାତ ବୈତରଣୀ ନଦୀ ଜଳସ୍ତର ସତର୍କ ସୀମାଠାରୁ ୧.୭୨୫ ମିଟର ଅଧିକ ରହିଛି।
ଲଗାଣ ବର୍ଷା ଜାରି ରହିଥିବାରୁ ନଦୀର ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ଦେଖାଦେଇଛି।
ଏହାକୁ ନେଇ ନଦୀକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଅଗଷ୍ଟ ୧୪ରେ ପ୍ରବଳ ବର୍ଷା ପରେ ଆନନ୍ଦପୁରଠାରେ ବୈତରଣୀ ବିପଦସଙ୍କେତ ଅତିକ୍ରମ କରିଥିବା ନେଇ ରିପୋର୍ଟ ହୋଇଥିଲା। ପ୍ରଶାସନ ପକ୍ଷରୁ ନଦୀ ଜଳସ୍ତର ଉପରେ ନଜର ରଖିବା ସହ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି।

