ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ (ପିତା- ହରିହର ସେଠୀ)ଙ୍କ ୩ ବଖରା ବିଶିଷ୍ଟ ମାଟି ବାସଗୃହରେ ବିଦ୍ୟୁତ ସକେଟରେ ସର୍ଟସର୍କିଟ ହେବା ଫଳରେ ନିଆଁ ଲାଗିଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ରଜ ପର୍ବ ଅବସରରେ ଗ୍ରାମରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ତୁରନ୍ତ ଜଣାପଡ଼ିଥିଲା। ନିଆଁ ଦେଖି ଗ୍ରାମବାସୀ ଏକଜୁଟ ହୋଇ ପାଣି ଓ ଅନ୍ୟାନ୍ୟ ଉପାୟରେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।
ଖବର ପାଇ ଅଗ୍ନିଶମ ବିଭାଗର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ସେମାନେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀଙ୍କ ସାହସିକ ଉଦ୍ୟମରେ ନିଆଁ ଅଧିକାଂଶ ନିୟନ୍ତ୍ରଣକୁ ଆସିଯାଇଥିଲା। ପରେ ଅଗ୍ନିଶମ କର୍ମଚାରୀମାନେ ସମ୍ପୂର୍ଣ୍ଣ ଭାବେ ନିଆଁକୁ ଲିଭାଇ ପରିସ୍ଥିତିକୁ ସୁରକ୍ଷିତ କରିଥିଲେ।
ଏହି ଅଗ୍ନିକାଣ୍ଡରେ ଘରର ବିଭିନ୍ନ ଆସବାବପତ୍ର, ଘରୋଇ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତିର ସଠିକ ପରିମାଣ ଜଣାପଡ଼ିନାହିଁ। ତେବେ ଗ୍ରାମବାସୀଙ୍କ ତତ୍ପରତା ଯୋଗୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
Dharitri – Odisha’s No.1 Odia Daily

