ନାରୀ ଶିକ୍ଷା ଓ ଜନ୍ମ ନିୟନ୍ତ୍ରଣ

ଡ. ଜୟଦେବ ସାହୁ

 

ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାରୀମାନଙ୍କ ପ୍ରଜନନ କ୍ଷମତା କମିଯିବାର କାରଣ ବିଧାନସଭାରେ କହୁ କହୁ ଅଡୁଆ ପରିସ୍ଥିତିରେ ପଡିଲେ। ତାଙ୍କ ମତରେ ବିହାରରେ ପ୍ରଜନନ କ୍ଷମତା ୪.୨ ପ୍ରତିଶତରୁ ୨.୯ ପ୍ରତିଶତ ଖସିଆସିବାର କାରଣ ନାରୀଶିକ୍ଷାର ପ୍ରଗତି। ନାରୀ ଶିକ୍ଷିତ ହେଲେ ଜନ୍ମ ନିୟନ୍ତ୍ରଣ ହୋଇପାରିବ। ତେବେ ସେ ଯେଉଁ ଭାବରେ ଅବତାରଣା କଲେ ତାହା ନାରୀମାନଙ୍କ ପ୍ରତି ଅପମାନ ବୋଲି ହଇଚଇ ସୃଷ୍ଟି ହୋଇଛି। ତାଙ୍କ ମତରେ ଶିକ୍ଷିତା ନାରୀ ପୁରୁଷକୁ ସଚେତନ କରିବ ଏବଂ ଗର୍ଭବତୀ ହେବାରୁ ନିଜକୁ ରକ୍ଷା କରିପାରିବ। କିନ୍ତୁ ଏମିତି ଚିନ୍ତାଧାରା ପୁରୁଷତାନ୍ତ୍ରିକ ସମାଜରେ ହିଁ କଳ୍ପନା କରାଯାଇପାରେ। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ଭଲଭାବରେ ତର୍ଜମା କଲେ ଜଣାପଡ଼େ ଯେ ଜନ୍ମନିୟନ୍ତ୍ରଣ କେବଳ ନାରୀର କର୍ତ୍ତବ୍ୟ ଏବଂ ପୁରୁଷର ଏଥିରେ କୌଣସି ଭୂମିକା ନାହିଁ। ଜଣେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ହାସ୍ୟାସ୍ପଦ ଛଡା ଆଉ କ’ଣ ହୋଇପାରେ? ଏହା ନାରୀମାନଙ୍କ ପ୍ରତି ଥିବା ପୁରୁଷର ମନୋଭାବକୁ ଇଙ୍ଗିତ କରେ। ବିହାରର ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଜନ୍ମ ନିୟନ୍ତ୍ରଣ ପାଇଁ ବିଦ୍ୟାଳୟରେ ଯୌନଶିକ୍ଷାର ଗୁରୁତ୍ୱ ସମ୍ପର୍କରେ କହିଛନ୍ତି। ସେ ଯାହା ବି ହେଉ ତାଙ୍କ ବକ୍ତବ୍ୟ ଦୁଇଟି ମୁଖ୍ୟ ବିଷୟକୁ ସୂଚାଇ ଦିଏ। ବର୍ତ୍ତମାନ ସମୟରେ ନାରୀଶିକ୍ଷା ଓ ଜନ୍ମନିୟନ୍ତ୍ରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୃଷ୍ଟିର ଆରମ୍ଭରୁ ନାରୀ ପୁରୁଷତାନ୍ତ୍ରିକ ସମାଜରେ ଅବହେଳିତ ହୋଇଆସିଛି। ଘରେ ବା ସମାଜରେ କେବଳ ପୁରୁଷର ହିଁ ଆଧିପତ୍ୟ। ଘରର ସବୁ ପୁରୁଷ ଖାଇସାରିବା ପରେ ହିଁ ସେ ବଳିଥିବା ଖାଦ୍ୟଖାଇ ଆସୁଥିଲା। ଘରର କୌଣସି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ସେ ଭାଗ ନେଇ ପାରୁ ନ ଥିଲା। ସାମାଜିକ, ଅର୍ଥନୈତିକ କିମ୍ବା ସାଥୀ ଚୟନ କୌଣସିଥିରେ ବି ତା’ର ଭୂମିକା ନ ଥିଲା। ଭାରତୀୟ ସଭ୍ୟତାରେ ଯଦିଓ ନାରୀଙ୍କୁ ଉଚ୍ଚ ଆସନ ଦିଆଯିବାର ବ୍ୟବସ୍ଥା ଥିଲା, ତାହା କେବଳ ପୋଥିରେ ହିଁ ସୀମିତ ଥିଲା। ବିଶ୍ୱର ଅନେକ ରାଷ୍ଟ୍ରରେ ନାରୀଶିକ୍ଷା ଉପରେ ରୋକ ଲଗାଯାଇଥିଲା। ଊନ୍ନବିଂଶ ଶତାବ୍ଦୀର ଆରମ୍ଭରେ ନାରୀ ଜାଗରଣର ଆରମ୍ଭ ହେଲା। ୧୮୬୮ ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟ ସର୍ବ ପ୍ରଥମେ ନାରୀଶିକ୍ଷାର ପ୍ରଗତି ପାଇଁ ଆଗେଇ ଆସିଥିଲା। ଭାରତରେ ମଧ୍ୟ ସାବିତ୍ରୀ ବାଈ ଫୁଲେ ଝିଅମାନଙ୍କ ଶିକ୍ଷା ପାଇଁ ସ୍କୁଲ ପ୍ରତିଷ୍ଠା କଲେ। ପ୍ରଗତି ହେତୁ ନାରୀ ନିଜର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହେଲା। ପୁରୁଷ ଓ ନାରୀ ଭଗବାନ୍‌ଙ୍କ ଦୁଇ ସୁନ୍ଦର କୃତି। କେହି କାହାଠାରୁ ନୂ୍ୟନ ନୁହନ୍ତି ବୋଲି ମହାମନୀଷୀମାନେ ତାଙ୍କ ଲେଖନୀ ଦ୍ୱାରା ସୂଚାଇ ଦେଲେ। ନର୍‌ୱେର ନାଟ୍ୟକାର ହେନରିକ ଇବସେନ ‘ଗୋଟିଏ ଖେଳନାର ଘର’ ନାଟକରେ ନାୟିକା ନୋରା ଭଳି ଚରିତ୍ର ମାଧ୍ୟମରେ ପୁରୁଷର ବୃଥା ଅହଂକାରକୁ ଚୂରମାର କରିଦେଲେ। ନୋରାକୁ କେବଳ ଏକ ଭୋଗ୍ୟବସ୍ତୁ ଓ ସନ୍ତାନ ଜନ୍ମ କରିବାର ଏକ ଯନ୍ତ୍ର ବୋଲି ବିବେଚନା କରୁଥିଲେ ପତି ଟୋରଭାଲଡ ହେଲମର। ପୁତ୍ର କନ୍ୟାକୁ ଯତ୍ନ ନେବାର ଅଧିକାର ନ ଥିଲା ସ୍ତ୍ରୀର। ଘରର ସବୁ ସିଦ୍ଧାନ୍ତ ନେଉଥିଲେ ହେଲମର। ଏପରିକି ତାଙ୍କ ସ୍ବାମୀଙ୍କ ଜୀବନ ରକ୍ଷା କରିବା ପାଇଁ ଟଙ୍କା କରଜ କରିବାର ଅଧିକାର ନ ଥିଲା ତାଙ୍କର। ଶେଷରେ ଅତିଷ୍ଠ ହୋଇ ସେ ସ୍ବାମୀ ଓ ଘର ପରିତ୍ୟାଗ କଲେ। ଏହି ନାଟକ ନାରୀବାଦ ପାଇଁ ପଥ ପରିଷ୍କାର କଲା। ଶିକ୍ଷିତା ନାରୀ ତା’ର ଅଧିକାର ପାଇଁ ଲଢିଲା। ପୂର୍ବରୁ ପରିବାର ହିଁ ନାରୀ କେତେ ସନ୍ତାନର ଜନନୀ ହେବ ତାହା ନିର୍ଦ୍ଧାରଣ କରୁଥିଲା। କନ୍ୟାସନ୍ତାନ ଜନ୍ମ ହେବାର ସମ୍ଭାବନା ଥିଲେ ତା’ର ଜନ୍ମ ହେବା ପୂର୍ବରୁ ହତ୍ୟା କରୁଥିଲେ। ଏଥିରେ ନାରୀ ଥିଲା ନାଚାର ସେ ଅନେକ ସନ୍ତାନର ଜନନୀ ହେବାକୁ ଇଚ୍ଛା ବିରୋଧରେ ବାଧ୍ୟ ହେଉଥିଲା।
ଏବେ ଯୁଗ ବଦଳିଛି। ନାରୀ ଶିକ୍ଷିତ ହୋଇଛି। କ’ଣ କଲେ ପରିବାର ନିୟୋଜନ ହୋଇପାରିବ ସେ ସଚେତନ। ଅଧିକ ସନ୍ତାନର ମା’ ହେବା ପାଇଁ ପ୍ରତିରୋଧ କରୁଛି। ଶିକ୍ଷାରେ ନିମଗ୍ନ ହୋଇ ସେ ବିବାହ ବୟସକୁ ଘୁଞ୍ଚାଇ ପାରିଛି। ବିବାହ ଜୀବନର ସବୁ କିଛି ନୁହେଁ ବୋଲି ଅନୁଭବ କରିପାରିଛି ନାରୀ। ଏବେ ଶିକ୍ଷିତା ନାରୀ ୨୫ ବା ତା’ଠୁ ଅଧିକା ବର୍ଷରେ ବିବାହ କରୁଛନ୍ତି ଯାହା ଫଳରେ ପ୍ରଜନନ ସମୟ କମ୍‌ ହୋଇପାରୁଛି। ସେ ଅନୁଭବ କରୁଛି ଯେ ବଂଶ ରକ୍ଷା ପାଇଁ ଗୋଟିଏ ପୁଅ ବା ଝିଅ ହେଲେ ଚଳିବ। ଏପରିକି କିଛି ଶିକ୍ଷିତ ପୁରୁଷ ଓ ନାରୀ ସନ୍ତାନ ଜନ୍ମ ଦେବା ସପକ୍ଷରେ ନାହାନ୍ତି। ଆଜିକାଲି ବହୁ ମହିଳା ସ୍ବାସ୍ଥ୍ୟ ସଚେତନ ହେବା ଦ୍ୱାରା ଜନ୍ମ ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେଉଛନ୍ତି। ଏକ ଆକଳନରୁ ଜଣାପଡେ ଯେ ଭାରତରେ ୧୯୭୦ ମସିହାରେ ୧୩%, ୧୯୯୭ରେ ୩୫% ଓ ୨୦୧୫ରେ ୫୮% ମହିଳା ଗର୍ଭ ନିରୋଧକ ବ୍ୟବହାର କରିଥିଲେ। ଏହା ଦ୍ୱାରା ଜନ୍ମ ହାର ନିୟନ୍ତ୍ରଣ ହେଉଥିବାର ଲକ୍ଷ୍ୟ କରାଯାଏ। ୧୯୬୬ରେ ଜଣେ ମହିଳା ହାରାହାରି ୫.୭ ସନ୍ତାନ ଜନ୍ମ ଦେଉଥିବା ବେଳେ ଏହା ଏବେ ୨.୩ ସନ୍ତାନକୁ ଖସି ଆସିବା ନିଶ୍ଚିତ ଭାବେ ଉତ୍ସାହଜନକ। ଏହା ନାରୀ ଶିକ୍ଷାର ଫଳ।
ଭାରତ ବର୍ଷର ଲୋକସଂଖ୍ୟା ବର୍ତ୍ତମାନ ୧୪୦ କୋଟିରୁ ଅଧିକ। ଯେଉଁ ମାତ୍ରାରେ ଜନସଂଖ୍ୟା ବଢିଚାଲିଛି, ଜନସଂଖ୍ୟାରେ ଭାରତ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ହେବ। ଏବେଠୁ ଯଦି ଜନ୍ମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆ ନ ଯାଏ ତେବେ ଆଗକୁ ଭାରତ ପାଇଁ ଘୋର ସମସ୍ୟା ଦେଖାଦେବ। ଏଥିପାଇଁ ପୁରୁଷ ଓ ନାରୀ ଉଭୟଙ୍କର ବାକରଣର ଆବଶ୍ୟକତା ରହିଛି। ଅନ୍ୟ ଏକ ଆକଳନରୁ ଜଣାପଡେ ଯେ ପ୍ରତି ୧୦ ଜଣ ପୁରୁଷରେ ଜଣେ ମାତ୍ର ଜନ୍ମ ନିୟନ୍ତ୍ରଣ କଥା ଚିନ୍ତା କରୁଥିବା ବେଳେ ୧୦ଜଣରୁ ୪ଜଣ ମହିଳା ଜନ୍ମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଅନ୍ତି। ପ୍ରାୟ ୪୦ ପ୍ରତିଶତ ପୁରୁଷ ଭାବନ୍ତି ଯେ ଜନ୍ମ ନିୟନ୍ତ୍ରଣ ନାରୀର କାର୍ଯ୍ୟ। ଏଭଳି ଭାବନା ଆମ ସମାଜ ପାଇଁ ଅହିତକର। ପୁରୁଷ ନାରୀକୁ ଏ କ୍ଷେତ୍ରରେ ସହଯୋଗ କଲେ ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ।
କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଭବାନୀପାଟଣା
ମୋ-୭୯୭୮୯୯୦୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?