ଏକ ଉଜ୍ଜ୍ୱଳ ସମ୍ଭାବନା

ଅଧ୍ୟାପକ ଗୋପବନ୍ଧୁ

 

ରାସଗୋବିନ୍ଦପୁର ବିମାନ ବନ୍ଦର ବା ଏୟାରଷ୍ଟ୍ରିପ ସମ୍ବନ୍ଧରେ ଖୁବ୍‌ କମ୍‌ ଲୋକ ଅବଗତ ଅଛନ୍ତି। ଓଡ଼ିଶା ବାହାରର ସାଧାରଣ ଲୋକମାନେ ଖୁବ୍‌ କମ୍‌ ସଂଖ୍ୟାରେ ଏହି ସ୍ଥାନ ବିଷୟରେ ଜାଣିଛନ୍ତି। ଏପରିକି ଓଡ଼ିଶାର ମଧ୍ୟ ଅନେକ ଲୋକ ଏହି ଐତିହାସିକ ସ୍ଥାନ ସମ୍ବନ୍ଧରେ ଅବଗତ ନୁହନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିର୍ମିତ ହୋଇଥିବା ଏହି ସାମରିକ ବିମାନ ବନ୍ଦର ଏବେ ପରିତ୍ୟକ୍ତ। ଏହାର ଅନ୍ତର୍ଗତ ଏୟାରଷ୍ଟ୍ରିପ ଏବେବି ଅକ୍ଷତ ଅବସ୍ଥାରେ ରହିଛି। କିଛି ଅଂଶକୁ ସଡ଼କ ପଥ ରୂପେ ବ୍ୟବହାର କରାଯାଉଛି। ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ଏହା ନିର୍ମିତ ହୋଇଥିଲା। ଏହାର ବିଭିନ୍ନ ମାର୍ଗ ଏପରି ଭାବେ ଲମ୍ବିଛି ଯେ ଜଣେ ନବାଗତ ଏହା ମଧ୍ୟରେ ବାଟବଣା ହୋଇଯିବାର ସମ୍ଭାବନା ରହିଛି। ଅନେକ ଲୋକ ଏହା ମଧ୍ୟରେ ଦିଗ ନିର୍ଣ୍ଣୟ କରି ନ ପାରି ଘୂରିବାର ଅନୁଭୂତି ପ୍ରକାଶ କରିଛନ୍ତି। ମୁଁ ନିଜେ ବୁଥ ନିର୍ବାଚନ ପରିଚାଳନା କରିବା ପାଇଁ ରାତିରେ ଅନ୍ୟ ସାଥୀମାନଙ୍କ ସହିତ ଗାଡ଼ିରେ ଯିବା ସମୟରେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିଲି। ଦୁଇଘେରା ଘୂରିଲା ପରେ ଜଣେ ସ୍ଥାନୀୟ ଲୋକର ଗାଡ଼ିକୁ ଅନୁସରଣ କରି ଝିଲାପି ଘେରାରୁ ବାହାରିଥିଲୁ।
ଏହା ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ ବା ଅମର୍ଦା ରୋଡ ଏୟାରଷ୍ଟ୍ରିପ ଭାବେ ପରିଚିତ। ଏହା ମୁଖ୍ୟତଃ ପ୍ରତିରକ୍ଷା ପାଇଁ ଉଦ୍ଦିଷ୍ଟ ସୈନିକ ବିମାନ ବନ୍ଦର ଥିଲା। ସ୍ଥାନଟି ମୟୂରଭଞ୍ଜ ଜିଲା ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକରେ ପଡେ। ମୟୂରଭଞ୍ଜର ସଦରମହକୁମା ବାରିପଦାଠାରୁ ଦୂରତା ହେଉଛି ମାତ୍ର ୩୫ କି.ମି., ବାଲେଶ୍ୱରକୁ ଦୂରତା ହେଉଛି ୩୦ କି.ମି. ଓ ପଶ୍ଚିମବଙ୍ଗ ଦିଘାରୁ ଦୂରତା ହେଉଛି ୭୦ କି.ମି.। ପଶ୍ଚିମବଙ୍ଗର ଖଡଗପୁର ଓ ମେଦିନାପୁର ମଧ୍ୟ ଏଠାରୁ ବେଶିଦୂର ନୁହେଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯ ରୁ ୧୯୪୫) ସମୟରେ ୧୯୪୦ରେ ଏହା ନିର୍ମିତ ହୋଇଥିଲା ଛାମୁଆ ଯୁଦ୍ଧ ବିମାନ ବନ୍ଦର ରୂପେ ବ୍ୟବହାର ହେବା ପାଇଁ। ଐତିହାସିକ ଅନିଲ ଧୀରଙ୍କ ମତରେ ଯେତେବେଳେ ଜାପାନ ବର୍ମାକୁ ଅଧିକାର କରିନେଲା ସେ ସମୟରେ ଜାପାନୀ ସୈନିକମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଏହି ବିମାନ ବନ୍ଦର ତିଆରିର ଆବଶ୍ୟକତା ପଡ଼ିଥିଲା। ଏହା ବ୍ରିଟିଶ ଶାସନାଧୀନ ରୟାଲ ଇଣ୍ଡିଆନ ଏୟାର୍‌ ଫୋର୍ସ ଅଧୀନରେ ଥିଲା। ଏଠାରେ ଏସିଆର ବୃହତ୍ତମ ରନୱେ ରହିଛି, ଯାହାର ଲମ୍ବ ୩.୫ କି.ମି.ରୁ ଅଧିକ। ରନୱେ(ବିମାନ ଉତ୍ତୋଳନ ପାଇଁ ରାସ୍ତା), ଟ୍ୟାକ୍ସିୱେ(ବିମାନକୁ ନେବା ରାସ୍ତା), ଯୁଦ୍ଧାସ୍ତ୍ର ଓ ସାଧାରଣ ଯାତାୟାତ ରାସ୍ତାକୁ ମିଶାଇ ମୋଟ ୬୦ କି.ମି.ରୁ ଅଧିକ ରାସ୍ତା ଥିଲା।
ବିଶ୍ୱଯୁଦ୍ଧର ସମାପ୍ତ ପରେ ଏହି ବିମାନ ବନ୍ଦରଟିକୁ ପରିତ୍ୟକ୍ତ ଅବସ୍ଥାରେ ଛାଡି ଦିଆଯାଇଥିଲା। ଏହାର କାରଣ ଅନେକ ଥିଲା। ବିଶ୍ୱଯୁଦ୍ଧ ଶେଷ ହେବା ଓ ଜାପାନର ଆତ୍ମସମର୍ପଣ ପରେ ପୂର୍ବଦିଗରୁ ଆକ୍ରମଣର ସମ୍ଭାବନା ଆଉ ନ ଥିଲା। ବିଶ୍ୱଯୁଦ୍ଧର ସମାପ୍ତ ପରେ ଭାରତବର୍ଷର ସାଧୀନତା ପ୍ରାପ୍ତି କଥା ନିଶ୍ଚିତ ହୋଇଯାଇଥିଲା। ତେଣୁ ଇଂରେଜମାନେ ଏହି ବିମାନ ବନ୍ଦର ଉପରେ ଅଧିକ ଧ୍ୟାନ ଦେଇ ନ ଥିଲେ। ସାଧୀନତା ପରେ ଅଳ୍ପ ଦୂରରେ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳରେ ଥିବା କୋଲେଇକୋଣ୍ଡାକୁ ସାମରିକ ବିମାନ ବନ୍ଦର ଭାବେ ବିକଶିତ କରାଯାଇଥିଲା। ବୋଧହୁଏ ସେ ସମୟରେ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପକୁ ସାମରିକ ଗୁରୁତ୍ୱ ଦେବା ପାଇଁ ଓଡ଼ିଆ ଲବି ଦୁର୍ବଳ ପଡ଼ିଯାଇଥିଲା। ସାଧୀନତା ପରେ ଏହା ବେସାମରିକ ବିମାନ ବନ୍ଦର ଭାବେ ବ୍ୟବହୃତ ହେବା ପାଇଁ ଆର୍ଥିକ ଭାବେ ଅନୁପଯୋଗୀ ଥିଲା। ଏହାର ଚତୁର୍ଦ୍ଦିଗରେ ୫୦ କି.ମି. ବ୍ୟାପି ଅଞ୍ଚଳ ଉନ୍ନତ ନ ଥିଲା। ଲୋକମାନେ ଏରୋପ୍ଲେନ ଜରିଆରେ ଯିବା ଆସିବା କରିବା ସମ୍ଭବ ନ ଥିଲା। ନିକଟବର୍ତ୍ତୀ ଅଞ୍ଚଳରେ ଶିଳ୍ପାଞ୍ଚଳ, ବାଣିଜ୍ୟ କେନ୍ଦ୍ର, ବିକଶିତ ପର୍ଯ୍ୟଟନ ସ୍ଥଳ, ବୃହତ ବନ୍ଦର କିମ୍ବା ରେଳ ଜଙ୍କ୍‌ସନ ନଥିଲା ଯାହା ବେସାମରିକ ବିମାନ ବନ୍ଦର ପାଇଁ ଖୋରାକ ଯୋଗାଇ ଥାଆନ୍ତା। ଏବେ ଏହା ଭାରତୀୟ ସାମରିକ ବାହିନୀ ଅଧୀନରେ ଅଛି। ଚାନ୍ଦିପୁରରେ ଥିବା ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର ତତ୍ତ୍ୱାବଧାନରେ ଏହା ରହିଛି।
ବହୁବର୍ଷ ପରେ ଏବେ ପୁଣି ଏହି ବିମାନ ବନ୍ଦର ଚର୍ଚ୍ଚାକୁ ଆସିଛି। ଏହା ସାମରିକ ବିମାନଘାଟିର ମର୍ଯ୍ୟାଦା ସିନା ପାଇଲା ନାହିଁ, ହେଲେ ଏବେ ବେସାମରିକ ବିମାନ ବନ୍ଦରର ମର୍ଯ୍ୟାଦା ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଦେଶରେ କାର୍ଯ୍ୟକାରୀ ହେଉଥିବା ‘ଉଡାନ୍‌’(ଉଡେ ଦେଶ୍‌କା ଆମ ନାଗରିକ) ଯୋଜନା ଅନୁଯାୟୀ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ବିମାନ ବନ୍ଦରକୁ ବିକଶିତ କାରିବାର ଯୋଜନା କରିଛନ୍ତି। ଯୋଜନା ମୁତାବକ ସାମରିକ ମନ୍ତ୍ରଣାଳୟ ୧୬୦.୩ ଏକର ଜମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ଜମିର ହସ୍ତାନ୍ତର ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନେଇ ଗଠିତ ଏକ ବୋର୍ଡ ଜରିଆରେ ହେବ। ମୟୂରଭଞ୍ଜର ଜିଲାପାଳଙ୍କୁ ଏହା ହସ୍ତାନ୍ତରିତ ହେବ। ଏହା ପରେ ହିଁ ତ୍ୱରାନ୍ବିତ କାର୍ଯ୍ୟ ଆରମ୍ଭ ହେବ।
ବର୍ତ୍ତମାନର ପରିପ୍ରେକ୍ଷୀରେ ଏହା ଆର୍ଥିକ ଭାବେ ଉପାଦେୟ ବିମାନ ବନ୍ଦର ହେବ ବୋଲି ଆକଳନ ହେଉଛି। ପୂର୍ବାପେକ୍ଷା ବାରିପଦା, ବାଲେଶ୍ବର, ଦିଘା, ଖଡଗପୁର-ମେଦିନାପୁର ସହର ସମେତ ପାଖାପାଖି ଅନେକ ଛୋଟ ଛୋଟ ସହର ବିକଶିତ ହେବାରେ ଲାଗିଛି। ଏହି ସମଗ୍ର ଅଞ୍ଚଳରେ ଲୋକମାନଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆସିଛି। ଅନେକ ଲୋକ ଦେଶର ବିଭିନ୍ନ ଅଞ୍ଚଳରେ ତଥା ଦେଶ ବାହାରେ ଚାକିରି ଓ ବ୍ୟବସାୟ-ବାଣିଜ୍ୟ କରୁଛନ୍ତି। ଏମାନଙ୍କ ଭିତରୁ ଅନେକେ ବିମାନ ଯୋଗେ ଯିବା ଆସିବା କରନ୍ତି। ଏଥି ପାଇଁ ଏମାନଙ୍କୁ ଭୁବନେଶର କିମ୍ବା କଲିକତା ବିମାନ ବନ୍ଦରକୁ ଯିବାକୁ ପଡ଼େ। ରାସଗୋବିନ୍ଦପୁରଠାରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଏମାନଙ୍କ ସହିତ ଆହୁରି ଅନେକେ ବିମାନ ଯାତ୍ରାକୁ ଆପଣେଇ ନେବେ। ଆଲୋଚିତ ସମଗ୍ର ଅଞ୍ଚଳରେ ପୂର୍ବାପେକ୍ଷା ବହୁଅଧିକ ପର୍ଯ୍ୟଟନର ବିକାଶ ଘଟିଛି। ଜାତୀୟ ଉଦ୍ୟାନ ଶିମିଳିପାଳ ସମଗ୍ର ଦେଶରେ ତଥା ଦେଶ ବାହାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଏହା ସହିତ ମୟୂରଭଞ୍ଜରେ ଅନେକ ଆକର୍ଷଣୀୟ ସ୍ଥାନ ରହିଛି। ଏଗୁଡ଼ିକର ବିକାଶ ହେଲେ ପର୍ଯ୍ୟଟକଙ୍କ ଭିଡ଼ ହେବ। ବାଲେଶ୍ୱର ଜିଲାରେ ଚାନ୍ଦିପୁର, ତାଳସାରି ପରି ଅନେକ ଆକର୍ଷଣୀୟ ବେଳାଭୂମି ରହିଛି। ପଶ୍ଚିମବଙ୍ଗର ଦିଘା ଏକ ମୁଖ୍ୟ ବେଳାଭୂମି ପର୍ଯ୍ୟଟନ କେନ୍ଦ୍ର। ଏହି ବିମାନବନ୍ଦର ସ୍ଥାପନ ହେଲେ ଏ ଅଞ୍ଚଳରେ ଶିଳ୍ପାୟନର ସମ୍ଭାବନା ତିଆରି ହେବ। ଆର୍ଥିକ ବିକାଶରେ ଏହା ସହାୟକ ହେବ।
କିନ୍ତୁ ଏବେ ମୁଖ୍ୟ ସମସ୍ୟା ହେଉଛି ରାଜନୈତିକ କନ୍ଦଳ। କେଉଁ ଦଳ ଓ କେଉଁ ନେତା ଏହାର ଶ୍ରେୟ ନେଇପାରିବ ତା’ ଉପରେ ଛକାପଞ୍ଝା ଚାଲିଛି। ଏହାକୁ ନେଇ ହୋର୍ଡିଂ ଓ ବ୍ୟାନର ମଧ୍ୟ ମରାହୋଇଛି। ଜନସାଧାରଣ ଚାହାନ୍ତି ଯୋଜନା ଶୀଘ୍ର କାର୍ଯ୍ୟକାରୀ ହେଉ। ରାଜନୈତିକ ଝଗଡ଼ା ଯୋଗୁ ଜିଲାର ସ୍ବାର୍ଥକୁ ଜଳାଞ୍ଜଳି ଦିଆ ନ ଯାଉ। ଏପରି ଏକ ଜନସ୍ବାର୍ଥ ଓ ଗୌରବମୟ ବିଷୟକୁ ରାଜନୈତିକ ବିବାଦର ଊର୍ଦ୍ଧ୍ୱରେ ରଖାଯାଉ। ଜିଲାର ଏ ଐତିହ୍ୟ ତା’ର ନ୍ୟାଯ୍ୟ ଗୌରବ ପ୍ରାପ୍ତ ହେଉ।
ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ,
ମୋ. ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri