Posted inଜାତୀୟ

ମାଷ୍ଟରଷ୍ଟ୍ରୋକ୍‌ ନା ପରାଜୟ ଭୟ

ନୂଆଦିଲ୍ଲୀ,୨୦।୧୧: ଗୁରୁନାନକ ଦେବଙ୍କ ୫୫୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପ୍ରତ୍ୟାଶିତ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ କୃଷି ଆଇନକୁ ନେଇ ଏତେ ତୁମ୍ବିତୋଫାନ ହେଲା, ୭୦୦ରୁ ଊର୍ଦ୍ଧ୍ୱ କୃଷକଙ୍କ ଜୀବନ ଚାଲିଗଲା ତାକୁ ନେଇ ହଠାତ୍‌ କିପରି ହୃଦୟ ପରିବର୍ତ୍ତନ ହେଲା ବୋଲି ଅନେକେ ପ୍ରଶ୍ନ କରୁଛନ୍ତି। ଉତ୍ତର ଖୋଜିବା ପାଇଁ ମଧ୍ୟ ବେଶି ଦୂର ଯିବାକୁ ପଡ଼ିବ ନାହିଁ। କାରଣ ମୁଣ୍ଡ ଉପରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ। ୨୦୨୨ ଫେବୃୟାରୀ-ମାର୍ଚ୍ଚ ଆଡ଼କୁ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଭୋଟ ଥିବାରୁ କେନ୍ଦ୍ର ସରକାର ବାଧ୍ୟହୋଇ କୃଷକ ବିରୋଧୀ କୃଷି ଆଇନକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। ବିଶେଷକରି ଆନ୍ଦୋଳନରେ ପଞ୍ଜାବ ଏବଂ ୟୁପିର ବହୁ ଚାଷୀ ସାମିଲ ଥିବାରୁ ମୋଦି ସରକାର ପରାଜୟ ଭୟରେ ଏଭଳି ନିଷ୍ପତ୍ତି ନେଇଥିବା ବିରୋଧୀ ନେତାମାନେ ସମାଲୋଚନା କରିଛନ୍ତି। କାରଣ ଅନ୍ନଦାତାଙ୍କୁ ଅସନ୍ତୋଷ କରି କୌଣସି ନିର୍ବାଚନରେ ବିଜୟ ହାସଲ କରିବା ଅସମ୍ଭବ ବୋଲି ମୋଦି ସରକାର ଭଲ ଭାବେ ଜାଣନ୍ତି। ସେହିପରି ନିକଟରେ କଂଗ୍ରେସ ଛାଡ଼ିଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ମଧ୍ୟ ରାଜ୍ୟରେ ଭାଜପାର ସହଯୋଗ ଲୋଡ଼ିଥିଲେ। କେନ୍ଦ୍ର ସରକାର କୃଷକଙ୍କ କଥା ବୁଝିଲେ ଭାଜପା ସହିତ ମେଣ୍ଟକରି ନିର୍ବାଚନ ଲଢ଼ିବେ ବୋଲି ପଞ୍ଜାବ ଲୋକ କଂଗ୍ରେସ ଅଧ୍ୟକ୍ଷ ଅମରିନ୍ଦର କହିଥିଲେ। ପୂର୍ବରୁ ଶିରୋମଣି ଅକାଳୀ ଦଳ ଭାଜପାର ହାତ ଛାଡ଼ିସାରିଥିବାରୁ ଗୈରିକ ଦଳ ମଧ୍ୟ ଜଣେ ଆଖିଦୃଶିଆ ନେତାଙ୍କୁ ଖୋଜୁଥିଲା। ତେଣୁ ପଞ୍ଜାବରେ ଅମାନତ ହରାଇବା ସ୍ଥିତିରୁ ବର୍ତ୍ତିବା ପାଇଁ ଏହା ଭାଜପାକୁ ସହାୟକ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷେ ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭା ନିର୍ବାଚନକୁ ମଧ୍ୟ କେନ୍ଦ୍ରର କୃଷି ଆଇନ ବିଶେଷ ପ୍ରଭାବିତ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଥିଲେ। ୨୦୧୭ରେ ଭାଜପା ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏହି ରାଜ୍ୟରେ ୩୧୨ ଆସନ ଦଖଲ କରିଥିଲା, ଯାହାକି ୨୦୧୯ ସାଧାରଣ ନିର୍ବାଚନରେ ବିଜୟ ପାଇଁ ମୂଳଦୁଆ ପକାଇଥିଲା। କୃଷକ ଆଇନ ବିରୋଧୀ ଆନ୍ଦୋଳନ ବିଶେଷକରି ଲଖିମପୁର ଖେରି ହିଂସାରେ ୩ ଚାଷୀଙ୍କ ଜୀବନ ଯିବା ପରେ ଜାଠ୍‌ ସମୁଦାୟ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ଜୟନ୍ତ ସିଂ ଚୌଧରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ଆଡ଼କୁ ଢ଼ଳିବାରେ ଲାଗିଥିଲେ। ସଂଖ୍ୟାଲଘୁ ଏବଂ ଓବିସି ବର୍ଗର ସମର୍ଥନ ହରାଇଥିବା ଭାଜପା ପାଇଁ ଏହା ୨୦୨୪ ଲୋକ ସଭା ନିର୍ବାଚନରେ କାଳ ହେବ ବୋଲି ବିଶ୍ଳେଷକ ଅନୁମାନ କରିଥିଲେ। ଏସବୁକୁ ନେଇ ମୋଦି ସରକାର ୟୁ-ଟର୍ନ କରିଥିବା କୁହାଯାଉଛି। ଏବେ ଉକ୍ତ ୩ ଆଇନକୁ ରଦ୍ଦ କରିବାକୁ ହେଲେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ପାର୍ଲାମେଣ୍ଟର ମଞ୍ଜୁରୀ ଆବଶ୍ୟକ। ଶୀତ ଅଧିବେଶନରେ ଏହାକୁ ଉଚ୍ଛେଦ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷକ କହୁଛନ୍ତି, ପ୍ରତ୍ୟାହାର କର, ତା’ପରେ ଆନ୍ଦୋଳନରୁ ହଟିବୁ।

କୃଷକଙ୍କ ବିଜୟର ୫ କାରଣ

କୃଷକଙ୍କ ଆନ୍ଦୋଳନ ଆଗରେ ମୋଦି ସରକାର ମୁଣ୍ଡ ନୁଆଇବାକୁ ବାଧ୍ୟ ହୋଇଛନ୍ତି। ନିଜର ୩ ବିବାଦୀୟ କୃଷି ଆଇନକୁ ଫେରାଇ ନେଇଛନ୍ତି। ଆଇନ ପ୍ରତ୍ୟାହାରର ସାମ୍ବିଧାନିକ ପ୍ରକ୍ରିୟା ଆସନ୍ତା ୨୯ରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ କରାଯିବ ବୋଲି ଗୁରୁନାନକ ଦେବଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏହାକୁ ଗତବର୍ଷ ସେପ୍ଟେମ୍ବରରେ କୃଷି ଆଇନ ଅଣାଯିବା ପରଠୁ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)ର ବଡ଼ ବିଜୟ ବୋଲି କୁହାଯାଉଛି। ଏହି ବିଜୟର ୫ ବଡ଼ କାରଣ ସମ୍ପର୍କରେ ଏଠାରେ ଉଲ୍ଲେଖ କରାଗଲା।

ନେତୃତ୍ୱ: କୃଷକ ଆନ୍ଦୋଳନ ସଫଳତାର ଶ୍ରେୟ ଏସ୍‌କେଏମ୍‌ ନେତାମାନଙ୍କୁ ଦିଆଯାଉଛି। ୨୦୨୦ ଜୁନ୍‌ରେ ମୋଦି ସରକାର ଏହି ୩ ଆଇନ ପ୍ରଣୟନ ନିମନ୍ତେ ଅଧ୍ୟାଦେଶ ଆଣିବା ପରେ ୩୨ କୃଷକ ସଙ୍ଗଠନ ଏହାକୁ ବିରୋଧ କରିବା ପାଇଁ ହାତ ମିଳାଇଥିଲେ। କୃଷକ ସଙ୍ଗଠନର ନେତାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ରହିଥିଲେ ହେଁ ସେମାନେ ଏକ ସମାନ ଉଦ୍ଦେଶ୍ୟ ନେଇ ଆନ୍ଦୋଳନ ଜାରି ରଖିଥିଲେ। ଭାରତୀୟ କିଷାନ ୟୁନିୟନ୍‌ (ବିକେୟୁ) ନେତା ବଲବୀର ସିଂ ରାଜେଓବାଲ ଏବଂ ବିକେୟୁ ଅଧ୍ୟକ୍ଷ ଅଜମେର ସିଂ ଲୋଖଓ୍ବାଲଙ୍କ ମତଭେଦ ତୀବ୍ର ହୋଇଥିବା ଦେଖିବାକୁ ମିଳିଥିଲା। ପରେ ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ କୋ-ଅର୍ଡିନେଶନ କମିଟି (ଏଆଇକେଏସ୍‌ସିସି) ବ୍ୟାନରରେ ସେମାନେ ଏକାଠି ହୋଇଥିଲେ। ରାକେଶ ଟିକାୟତ, ଦର୍ଶନ ପାଲ୍‌ ସିଂ ଓ ଯୋଗେନ୍ଦ୍ର ଯାଦବଙ୍କ ଭଳି ନେତା ଏହି ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲେ। ଏସ୍‌କେଏମ୍‌ର ୯ ସଦସ୍ୟ ବିଶିଷ୍ଟ କୋର୍‌ କମିଟି ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିଆବାଦ ସୀମାରେ ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିଥିଲେ। ସଙ୍ଗଠନ ଓ ରଣନୀତି: ଏସ୍‌କେଏମ୍‌ର ପ୍ରତ୍ୟେକ ବୈଠକରେ ବିଭିନ୍ନ ସଙ୍ଗଠନର ନେତାମାନେ ପାଳିକରି ଅଧ୍ୟକ୍ଷତା କରୁଥିଲେ। ଯେଉଁ ସମୟରେ ଯେଉଁ ନେତା ଅଧ୍ୟକ୍ଷତା କରୁଥିଲେ ବୈଠକ ଶେଷରେ ସେ ହିଁ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ। ପ୍ରସ୍ତାବିତ କାର୍ଯ୍ୟକ୍ରମ ଅଥବା ଆଚରଣ ବିଧି ବାହାରେ କେହି ନିଜ ଅନୁସାରେ କିଛି କଲେ ତାଙ୍କ ବିରୋଧରେ ନିଲମ୍ବନ ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା। ଫଳରେ ଭିନ୍ନ ଭିନ୍ନ ସଙ୍ଗଠନର ହୋଇଥିଲେ ମଧ୍ୟ ନେତାମାନେ ଏସ୍‌କେଏମ୍‌ ଛାତ ତଳେ ଗୋଟିଏ ପରିବାର ଭଳି କାମ କରୁଥିଲେ। ଲଖିମପୁର ଖେରି ହିଂସାରେ ପ୍ରାଣ ହରାଇଥିବା ଭାଜପା କର୍ମୀଙ୍କ ପରିବାରକୁ ଭେଟିଥିବା ସ୍ବରାଜ ଇଣ୍ଡିଆ ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବଙ୍କୁ ଏସ୍‌କେଏମ୍‌ ନିଲମ୍ବିତ କରି ଗୋଟିଏ ସନ୍ଦେଶ ଦେଇଥିଲା। ତାହା ହେଉଛି, ସଙ୍ଗଠନ ଊର୍ଦ୍ଧ୍ୱରେ କେହି ନୁହନ୍ତି।
ଅଣରାଜନୈତିକ ଓ ଅହିଂସା: କୃଷକ ଆନ୍ଦୋଳନକୁ ଅନେକ ରାଜନୈତିକ ଦଳ ସମର୍ଥନ କରି ପ୍ରତିକ୍ରିୟା ପ୍ରକାଶ କରୁଥିଲେ। ଅନେକ ନେତା ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ କୃଷକଙ୍କ ସହ ଧାରଣାରେ ବସୁଥିଲେ। ହେଲେ ଚାଷୀଙ୍କ ସଙ୍ଗଠନ ପକ୍ଷରୁ ଏହାକୁ ରାଜନୈତିକ ଆନ୍ଦୋଳନ ହେବାକୁ ଦିଆଯାଇ ନ ଥିଲା। ଏପରି କି ଅନେକ ସଭାରେ ନେତାମାନଙ୍କୁ କହିବାକୁ ଓ ମଞ୍ଚାସୀନ ହେବାକୁ ବାରଣ କରାଯାଇଥିଲା। ସେହିପରି କୌଣସି ପ୍ରକାର ହିଂସାମତ୍କ କାର୍ଯ୍ୟକୁ ଏସ୍‌କେଏମ୍‌ ବିରୋଧ କରିଆସିଥିଲା।
ବିପୁଳ ଜନସମର୍ଥନ: କୃଷକ ଆନ୍ଦୋଳନକୁ ଅଭୂତପୂର୍ବ ଜନସମର୍ଥନ ମିଳିଥିଲା। ସାରା ଦେଶରୁ ବିପୁଳ ଜନସମର୍ଥନ ମିଳୁଥିବା ଦେଖି ଏହାକୁ କେହି କେହି ଆଉ ଏକ ସ୍ବାଧୀନତା ସଂଗ୍ରାମର ଆଖ୍ୟା ଦେଇଥିଲେ। ଏପରି କି ଦିଲ୍ଲୀର ୩ ସୀମାରେ ବର୍ଷାଧିକ କାଳ ଧରି ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଥିବା କୃଷକଙ୍କ ନିକଟକୁ ସାରା ଦେଶରୁ ମାନବୀୟ ସହାୟତାର ସୁଅ ଛୁଟିବାରେ ଲାଗିଥିଲା। ଆନ୍ଦୋଳନରେ ପଞ୍ଜାବୀ କୃଷକ ଅଧିକ ଥିବାରୁ ସ୍ବାଭାବିକ ଭାବେ ପଞ୍ଜାବରୁ ଲଙ୍ଗର ସେବା, ବେଡ୍‌, ଟେଣ୍ଟ, ଔଷଧ ଓ ପୋଷାକ ଯୋଗାଇ ଦିଆଯାଉଥିଲା। କିନ୍ତୁ ଆନ୍ଦୋଳନକୁ ହରିୟାଣାର ଗାଁ ଗହଳିରୁ ସର୍ବାଧିକ ସମର୍ଥନ ମିଳିବା ପରେ ଏହା ଜନ ଆନ୍ଦୋଳନର ରୂପ ନେଇଥିଲା। କେବଳ ଏତିକି ନୁହେଁ, ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ ଓ ଅନ୍ୟ କେତେକ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ସହାୟତାର ହାତ ବଢ଼ାଇଥିଲେ।
ଚାଷୀଙ୍କ ଧୈର୍ଯ୍ୟ: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିଥିବା କୃଷକମାନଙ୍କ ଧୈର୍ଯ୍ୟ ସାରା ବିଶ୍ୱ ଆଗରେ ଏକ ବଡ଼ ଦୃଷ୍ଟାନ୍ତ ହୋଇ ରହିବ। ନିଜ ଅଧିକାର ହାସଲ ପାଇଁ ଶାନ୍ତିପୂର୍ଣ୍ଣ ଉପାୟରେ କିପରି ସରକାରଙ୍କୁ ମୁଣ୍ଡ ନୁଆଇବାକୁ ବାଧ୍ୟ କରାଯାଇପାରେ ତାହା ଏହି କୃଷକମାନଙ୍କଠାରୁ ଅନ୍ୟ ବର୍ଗ ଶିକ୍ଷାଲାଭ କରିବା ଉଚିତ। ଖରା, ବର୍ଷା ଓ ଶୀତ ସହି ପୋଲିସର ପାଣିମାଡ଼ ଓ ଲାଠିମାଡ଼ ଖାଇ ମଧ୍ୟ ଧୈର୍ଯ୍ୟର ସହ କୃଷକମାନେ ନିଜ ଦାବିରେ ଅଡ଼ିବସିଥିଲେ। ଏହି ଆନ୍ଦୋଳନରେ ପ୍ରାୟ ୭୦୦ ଚାଷୀଙ୍କ ଜୀବନ ଯାଇଥିଲା। କେତେଜଣ କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆମତ୍ହତ୍ୟା ମଧ୍ୟ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri