ସମସ୍ତଙ୍କ ପାଇଁ ଫାଷ୍ଟ୍‌ଫୁଡ୍‌

ଆଧୁନିକ ମଣିଷ ତା’ର ସ୍ୱାସ୍ଥ୍ୟ ସମ୍ପର୍କରେ ବହୁଦିନ ଧରି ସଚେତନ ହୋଇଆସିଛି। ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ପ୍ରାରମ୍ଭରେ କରୋନା ଭୂତାଣୁ ସମଗ୍ର ପୃଥିବୀକୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅଧିକ ଚିନ୍ତିତ ଓ ସଚେତନ କରାଇଛି ବୋଲି କହିହେବ। ପିଲାଙ୍କଠାରୁ ଆରମ୍ଭକରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ପର୍କରେ ଭାବୁଥିବା ବେଳେ ଆଜିର ପୃଥିବୀ ସ୍ୱାସ୍ଥ୍ୟକୁ କେବଳ ବ୍ୟକ୍ତିଗତ ଚିନ୍ତାର ବିଷୟ କରି ଛାଡ଼ିଲା ନାହିଁ। ବିଶ୍ୱର ଅନେକ ଅର୍ଥନୀତିଜ୍ଞ ଜଗତୀକରଣ ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରିଆସୁଥିଲେ। ସେମାନେ କହୁଥିଲେ ଉତ୍ପାଦନ, ବଣ୍ଟନ ଓ ବିକ୍ରିକୁ ରାଜନୈତିକ ସୀମାର କର୍ତ୍ତୃତ୍ୱ ମଧ୍ୟରେ ଆବଦ୍ଧ କରି ରଖିବା ଉଚିତ ନୁହେଁ। ସେଥିପାଇଁ ସମଗ୍ର ପୃଥିବୀକୁ ବଜାର ଭାବେ ଦେଖିବା ଦରକାର ବୋଲି ଜଗତୀକରଣର ପଣ୍ଡିତମାନେ କହିଆସୁଥିଲେ। ଏହି ପ୍ରଚ୍ଛଦପଟରେ ଆବିର୍ଭାବ ହେଲା କରୋନା ଭୂତାଣୁ। ସବୁ ଅର୍ଥନୀତି, ପୃଥିବୀର ପ୍ରତ୍ୟେକ ସରକାର ଏବଂ ବିଶ୍ୱ ସମାଜ ଏହି କ୍ଷୁଦ୍ର ଅଦୃଶ୍ୟ ଭୂତାଣୁ ଦ୍ୱାରା ପ୍ରବଳ ଭାବେ ଆଘାତପ୍ରାପ୍ତ। ଏହି ଭାଇରସ୍‌ ବାସ୍ତବ ରୂପରେ ଗ୍ଲୋବାଲାଇଜେଶନ ବା ଜଗତୀକରଣକୁ ଗୋଟିଏ ମାଡ଼ରେ କରାଇ ଦେଇଛି।
ଖାଦ୍ୟ କ୍ଷେତ୍ରକୁ ଦେଖିଲେ ଜଗତୀକରଣ ଯୋଗୁ ଏବର ‘ଫାଷ୍ଟ୍‌ ଫୁଡ୍‌’ ବଜାର ଅଧିକ ବ୍ୟାପକ ହୋଇଯାଇଛି। ଭାରତରେ ଫାଷ୍ଟ ଫୁଡ୍‌ କହିଲେ ସାଧାରଣତଃ ଦୋସା, ଇଡ୍‌ଲି, ମହନଭୋଗ, ଉପମା କିମ୍ବା ବରା ଆଳୁଦମ, ଘୁଘୁନିକୁ ବୁଝାଏ। ଜଗତୀକରଣ ଯୋଗୁ ପିଲାଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ବର୍ଗର, ପିଜା ଏବଂ କୋଲା ଖୋଜୁଛନ୍ତି। ଗୋଟିଏ ପଟେ ସ୍ବାସ୍ଥ୍ୟ ସମ୍ପର୍କରେ ବାଧ୍ୟବାଧକତାରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଅନ୍ୟପଟେ ଅର୍ଥନୈତିକ ଉଦାରୀକରଣ ଯୋଗୁ ଭାରତ ଭଳି ଦେଶରେ ଆବାଳବୃଦ୍ଧବନିତା ସମସ୍ତେ ଏହି ପାଶ୍ଚାତ୍ୟ ଖାଦ୍ୟ ପଛରେ ବାୟା। ମନେରଖିବାକୁ ହେବ ଯେ, ପାଟି ସୁଆଦିଆ ଏହି ଖାଦ୍ୟ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଭାତହାଣ୍ଡିରୁ ଗୋଟିଏ ଚିପି ଦେଖିଲା ଭଳି ପିଜା କିମ୍ବା ବର୍ଗରକୁ ନିଆଯାଇପାରେ। ନିକଟ ବଜାରରେ ପାଇପାରୁଥିବା ଏହି ଖାଦ୍ୟର ପ୍ରସ୍ତୁତିଶାଳା କାହିଁ କେତେ ଦୂରରେ ହୋଇଥାଏ। ଏସବୁକୁ ବହୁ ଦିନ ପର୍ଯ୍ୟନ୍ତ ସେହିଭଳି ସ୍ଥିତିରେ ରଖିବା ଲାଗି ସେଥିରେ ଏକ ପ୍ରକାର ରାସାୟନିକ ଉପାଦାନ ଦିଆଯାଇଥାଏ, ଯାହାକୁ ପ୍ରିଜରଭେଟିଭ୍‌ କୁହାଯାଏ। ପେରିଶେବଲ୍‌ ବା ପଚନଶୀଳ ଖାଦ୍ୟ ଦୀର୍ଘ ଦିନ ସାଇତି ରଖାଯିବା ଦ୍ୱାରା ତାହା ମୌଳିକ ପୋଷକତତ୍ତ୍ୱ ହରାଇବସେ। ଫଳରେ ପାଟିକୁ ତାହା ସୁଆଦିଆ ଲାଗୁଥିଲେ ମଧ୍ୟ ଦେହକୁ ଦୀର୍ଘକାଳୀନ କ୍ଷତି ପହଞ୍ଚାଇଥାଏ। ଏପରି କି ଇମ୍ୟୁନୋ ସିଷ୍ଟମ୍‌ ବା ରୋଗ ପ୍ରତିରୋଧକ ଶକ୍ତି ଶରୀରର ସୁରକ୍ଷାକବଚ ଭାବେ ଜଣାଶୁଣା ଥିଲେ ହେଁ ଫାଷ୍ଟ୍‌ ଫୁଡ୍‌ ଦ୍ୱାରା ତାହା ଗଭୀର ପ୍ରଭାବିତ ହୋଇଥାଏ ବୋଲି ଏବେ ଲଣ୍ଡନର ଫ୍ରାନ୍ସିସ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଜେମ୍ସ ଲି ଏବଂ କାରୋଲା ଭିନ୍ୟୁସା ସ୍ପଷ୍ଟ କରିଛନ୍ତି। ସେମାନଙ୍କ ମତରେ ଫାଷ୍ଟ୍‌ ଫୁଡ୍‌ ଖାଇବା ଯୋଗୁ ଇମ୍ୟୁନୋ ସିଷ୍ଟମ ରୋଗ ବିରୋଧରେ ଲଢ଼େଇ କରିବା ପରିବର୍ତ୍ତେ ସୁସ୍ଥ କୋଷିକାକୁ ଆକ୍ରମଣ କରେ ଓ ତାହା ଅଟୋଇମ୍ୟୁନୋ ଡିଜିଜ୍‌ର କାରଣ ପାଲଟେ। ଉଭୟ ବୈଜ୍ଞାନିକଙ୍କ ମତରେ ଫାଷ୍ଟଫୁୁଡ୍‌ଜନିତ ଏହି ରୋଗ ବିଶ୍ୱରେ ବିଶେଷକରି ଏସିଆ ଏବଂ ମଧ୍ୟପ୍ରାଚ୍ୟରେ ଶୀଘ୍ର ବଢ଼ିଚାଲିଛି। ଅଟୋଇମ୍ୟୁନୋ ଡିଜିଜ୍‌ ମଧ୍ୟରେ ରହିଛି ଟାଇପ୍‌-୧ ଡାଇବେଟିସ୍‌, ବିଭିନ୍ନ ପ୍ରକାର ସ୍ଲେରୋସିସ୍‌, ଦୀର୍ଘସ୍ଥାୟୀ ଆଣ୍ଠୁଗଣ୍ଠି ରୋଗ ଓ ପାଚନତନ୍ତ୍ର ସଂକ୍ରମଣ। ଚଳିତ ଦଶନ୍ଧିରେ ଏହିସବୁ ରୋଗର ପ୍ରାଦୁର୍ଭାବ ଦ୍ରୁତ ଗତିରେ ବଢ଼ିଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ୪୦ ବର୍ଷ ପୂର୍ବେ ଦେଖାଯାଇଥିବା ଏସବୁ ବ୍ୟାଧି ଏବେ ସାରା ବିଶ୍ୱକୁ କବଳିତ କରି ୩ରୁ ୯ ପ୍ରତିଶତ ବୃଦ୍ଧି ପାଇଛି। ଏପରି କି ଯେଉଁ ଦେଶଗୁଡ଼ିକରେ ଏହା କେବେ ବି ଦେଖାଯାଇ ନ ଥିଲା ସେଠାରେ ଲୋକେ ଭୋଗିବା ଆରମ୍ଭ କଲେଣି।
ଭାରତରେ କମ୍‌ ବୟସର ପିଲାକୁ ମଧ୍ୟ ଡାଇବେଟିସ୍‌ ଆକ୍ରାନ୍ତ କରୁଛି। ଫାଷ୍ଟଫୁଡ୍‌ର ସ୍ବାଦ, ମାର୍କେଟିଂ ରଣନୀତି ଏବଂ ଏହା ସହଜରେ ଉପଲବ୍ଧ ହୋଇପାରୁଥିବାରୁୁ ଏ ଦେଶର ସବୁ ବର୍ଗକୁ ଛୁଇର୍ଁ ସାରିଲାଣି। ଆମ ପୁଷ୍ଟିକର ପାରମ୍ପରିକ ଖାଦ୍ୟ ମଧ୍ୟରେ ଫାଷ୍ଟଫୁଡ୍‌ ସଂସ୍କୃତି ସମ୍ପୂର୍ଣ୍ଣ ପଶିଗଲାଣି। ହେଲେ ଏହାର କୁପରିଣାମ ସମ୍ପର୍କରେ ଖୁବ୍‌ କମ୍‌ ଲୋକ ସଚେତନ। ଏଣୁ ଏହାକୁ ଖାଇବା ପୂର୍ବରୁ ଅଧିକାଂଶ ସ୍ବାସ୍ଥ୍ୟ ଦୃଷ୍ଟିରୁ ପରଖୁ ନାହାନ୍ତି। ସବୁଠୁ ଚିନ୍ତାଜନକ ବିଷୟ ହେଉଛିି , ଫାଷ୍ଟଫୁଡ୍‌ ଏବେ ସ୍କୁଲ, କଲେଜ ଓ ବିଶ୍ୱବିିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଖାଦ୍ୟର ଅଭିନ୍ନ ଅଙ୍ଗ ହୋଇଯାଇଛି। ଏହା ଏମାନଙ୍କ ମୋଟାପଣର କାରଣ ହେଉଛି। ବୟସ ବଢ଼ିବା ସହ ସେମାନେ ଅଧିକ ଅଟୋଇମ୍ୟୁନୋ ଡିଜିଜ୍‌ର ଶିକାର ହେଉଛନ୍ତି। ଫାଷ୍ଟଫୁଡ୍‌ ମାର୍କେଟିଂର ପ୍ରସାର ଉପରେ କଡ଼ା ନିୟନ୍ତ୍ରଣ ନାହିଁ। ଭାରତରେ ଅନେକ ବିଦେଶୀ ଫାଷ୍ଟଫୁଡ୍‌ ଚେନ୍‌ ସକ୍ରିୟ ଅଛନ୍ତି। ଏଗୁଡ଼ିକ ଏ ଦେଶର ଲୋକଙ୍କ ପସନ୍ଦୀୟ ଖାଦ୍ୟ ପରଷି ଧୀରେ ଧୀରେ ସେମାନଙ୍କ ବିଜନେସ୍‌ ବୃଦ୍ଧି କରିବାରେ ଲାଗିଛନ୍ତି। ଏପରି କି ଗ୍ରାମାଞ୍ଚଳର ଛୋଟିଆ ବଜାରରେ ଫାଷ୍ଟ୍‌ଫୁଡ୍‌ ତାହାର ପସରା ମେଲାଇ ସାରିଲାଣି। ତେବେ ୨୦୧୫ରେ ପିଲାମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଏସ୍‌ଏଆଇ) ସ୍କୁଲ ପରିସରରେ କିମ୍ବା ଏହାର ୫୦ମିଟର ପରିସୀମା ମଧ୍ୟରେ ଅଧିକ ଫ୍ୟାଟ୍‌, ସୁଗାର ଓ ସଲ୍ଟ ଥିବା ଖାଦ୍ୟକୁ ବିକ୍ରି କିମ୍ବା ବିଜ୍ଞାପନ ଉପରେ ନିଷେଧାଜ୍ଞା ଜାରି କରିଥିଲା। ଏହାସହ କମ୍ପାନୀଗୁଡ଼ିକର ଲୋଗୋ, ଉତ୍ପାଦକୁ ବହି, ପାଠ୍ୟ ଉପକରଣ, ସ୍କୁଲ ବିଲ୍‌ଡିଙ୍ଗ, ବସ୍‌ ଓ ଖେଳପଡିଆରେ ଲଗାଇବା ଲାଗି ବାରଣ କରାଯାଇଥିଲା। ଏବର ସ୍ଥିତି ଦେଖିଲେ ଫାଷ୍ଟ୍‌ଫୁଡ୍‌ ଯେଭଳି ଭାବେ ଭାରତୀୟଙ୍କ ଖାଦ୍ୟସାରଣୀରେ ସାମିଲ ହୋଇଗଲାଣି, ତାହାକୁ ରୋକିବା ସମ୍ଭବପର ନୁହେଁ। ବିଶେଷକରି ସହରାଞ୍ଚଳରେ ଅବିବାହିତ ମହିଳା ଓ ପୁରୁଷଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନେ ନିଜ ହାତରେ ରୋଷେଇ କରିବା ସମ୍ଭବ ହେଉନାହିଁ। ଏହିଭଳି ଆହୁରି ଅନେକ କାରଣ ରହିଛି ଯେଉଁଥିପାଇଁ ଫାଷ୍ଟ୍‌ଫୁଡ୍‌ ଏକ ବାସ୍ତବତା ପାଲଟିଗଲାଣି। ସେଥି ସକାଶେ ସରକାର ଏହାର ନକାରାତ୍ମକ ଦିଗକୁ ସର୍ବନିମ୍ନ ସ୍ତରକୁ ଆଣିବା ଲାଗି ଚେଷ୍ଟା କରିବା ସହିତ ଖାଦ୍ୟର ମାନ ଓ ପୌଷ୍ଟିକତାକୁ ଦୃଷ୍ଟି ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri