ବଡ଼ କରୋନା ଯୋଦ୍ଧା କୃଷକ

ଡ. ପ୍ରମୋଦ କୁମାର ପଣ୍ଡା

ମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ। ଏହା ୨ କୋଟିରୁ ଊର୍ଦ୍ଧ୍ୱ ଜନତାଙ୍କୁ ଆକ୍ରାନ୍ତ କରି ପାଖାପାଖି ୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ଏହି କରୋନା ମହାମାରୀରୁ ସମଗ୍ର ବିଶ୍ୱକୁ ବଞ୍ଚାଇବା ପାଇଁ ବିଭିନ୍ନ ବିଭାଗର ଅନେକ ଲୋକ ଦିନ ରାତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ବିଶ୍ୱ କଲ୍ୟାଣ ପାଇଁ ଲାଗି ପଡ଼ିଛନ୍ତି, ସେମାନଙ୍କୁ ଆମେ କରୋନା ଯୋଦ୍ଧା ବୋଲି ଆଖ୍ୟା ଦେଇଛୁ। ସେମାନଙ୍କ ମଧ୍ୟରେ ଡାକ୍ତର, ନର୍ସ, ଆଶାକର୍ମୀ, ପୋଲିସ ଅଧିକାରୀ, ଆମ୍ବୁଲାନ୍ସ କର୍ମଚାରୀ, ଟ୍ରାଫିକ କର୍ମଚାରୀ, ଡ୍ରାଇଭର, ହେଲପର, ପାଣି, ବିଜୁଳି କର୍ମଚାରୀ, ସଫେଇ କର୍ମଚାରୀ, ଡାକ, ବ୍ୟାଙ୍କ କର୍ମଚାରୀ, ଗଣମାଧ୍ୟମ କର୍ମକର୍ତ୍ତା, ପ୍ରଶାସନ ପ୍ରମୁଖ। ମାତ୍ର କରୋନା ଯୋଦ୍ଧା ଭାବରେ କୃଷକମାନଙ୍କ ଅବଦାନ ଆମ ସାମ୍ନାରେ ପ୍ରତିଫଳିତ ହୁଏନାହିଁ। ଆସନ୍ତୁ ଚର୍ଚ୍ଚା କରିବା କିପରି କରୋନା ମହାମାରୀ ସମୟରେ କୃଷକମାନେ ମହାଯୋଦ୍ଧା ସାଜି ସମାଜର ମଙ୍ଗଳ ବିଧାନ କରୁଛନ୍ତି।
ଆମେ ସମସ୍ତେ ଅବଗତ ଯେ, ଖାଦ୍ୟ ବିନା ଜୀବନ ଅସମ୍ଭବ। ତାଲାବନ୍ଦୀ ସମୟରେ ସକାଳର ଚା’ରେ କ୍ଷୀର ହେଉ କିମ୍ବା ଚା’ପତ୍ର ହେଉ କିମ୍ବା ଚିନି ହେଉ ସବୁକିଛି କୃଷକର ଅବଦାନ। ସକାଳ ଜଳଖିଆ ହେଉ କିମ୍ବା ମଧ୍ୟାହ୍ନଭୋଜନ କିମ୍ବା ରାତ୍ରିଭୋଜନ, ସବୁକିଛି କୃଷକ ହାତର ସ୍ପର୍ଶ ବିନା ଅଧୁରା। ଯେତେବେଳେ ସମଗ୍ର ଦେଶ ତାଲାବନ୍ଦୀରେ ଘର ଚାରିକାନ୍ଥ ମଧ୍ୟରେ ଟିଭି ଓ ମୋବାଇଲରେ ମନୋରଞ୍ଜନ କରୁଥିଲେ, ସେତେବେଳେ ଚାଷୀକୁଳ ଖରାବର୍ଷାରେ ନିଜ ଜମିରେ ମାଟି ଓ ଫସଲ ସହିତ ନିଜ ରକ୍ତକୁ ପାଣିକରି ଫସଲ ଉତ୍ପନ୍ନ କରୁଥିଲା ଦେଶବାସୀଙ୍କ ମୁଖରେ ଆହାର ଦେବା ପାଇଁ। ତାଲାବନ୍ଦୀ ଯୋଗୁ ରାସ୍ତାଘାଟରେ ଗାଡ଼ିମୋଟର ବନ୍ଦ ଥିବାରୁ ଫସଲକୁ ମୁଣ୍ଡରେ ମୁଣ୍ଡାଇ ନେଇ ଆସୁଥିଲା ଜନତାଙ୍କ ଆବଶ୍ୟକତା ପୂରଣ ପାଇଁ। ନିୟମିତ ହାଟବଜାର ବନ୍ଦଥିବାରୁ ଟାଣଖରାରେ ରାସ୍ତାକଡ଼ରେ ବସି ଲୋକଙ୍କୁ ଖାଦ୍ୟ ଯୋଗାଇଛି ଏହି ଚାଷୀକୁଳ। ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଲେ କାଳେ କରୋନାଗ୍ରସ୍ତ ହୋଇଯିବ, ସେ କଥା କେବେ ଭାବିନି। କରୋନାଗ୍ରସ୍ତ ଓ କରୋନା ଅସଂକ୍ରମିତଙ୍କୁ ସେ କମ୍‌ ପଇସାରେ ଖାଦ୍ୟ ଯୋଗାଇବାରେ ମୁଖ୍ୟ ଭୂମିକା ନେଇଛି। ହୋଟେଲ ବନ୍ଦଥିବାରୁ ଜରିମୁଣାରୁ ଚୁଡା ରାସ୍ତାକଡ଼ର ପାଣିପିଇ ସେ ଜନତାଙ୍କୁ ଖାଦ୍ୟ ଯୋଗାଇଛି। ମୋ ମତରେ ସେମାନେ ଶ୍ରେଷ୍ଠ କରୋନା ଯୋଦ୍ଧା। ଯଦି ଏହି ସମୟରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀ ଉପଲବ୍ଧ ହୋଇ ନ ଥାନ୍ତା, ତା’ହେଲେ ଆମର ସ୍ଥିତି କ’ଣ ହୋଇଥାନ୍ତା ଓ କେତେ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତେ ଏହା ସହଜରେ ଅନୁମେୟ।
ଚାଷୀ ବାତ୍ୟା, ବନ୍ୟା ଓ ମରୁଡ଼ି ଦ୍ୱାରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେଉଛି। ଯେପରି ଏ ବର୍ଷ ଆମର ମରୁଡ଼ି ଭଳି ସ୍ଥିତି ଉପୁଜିଥିବା ବେଳେ ବିହାର ଓ ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ଭୟଙ୍କର ବନ୍ୟା କୃଷକର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପ୍ରାକୃତିକ ବିପର୍ଯ୍ୟୟ କେବେ କେବେ ଚାଷୀକୁଳକୁ ସର୍ବସ୍ବାନ୍ତ କରିଦେଉଛି। ତଥାପି କେତେକ ବିଜ୍ଞବ୍ୟକ୍ତି କୃଷକଙ୍କୁ ସରକାରୀ ସହାୟତା ଯଥା ସବ୍‌ସିଡିର ଜୋର ବିରୋଧୀ। ଆମେ ସମସ୍ତେ ହୃଦୟଙ୍ଗମ କରିବା ଉଚିତ ଯେ, ଚାଷୀକୁଳ ପାଇଁ ହିଁ ଆମର ଶାନ୍ତି, ପ୍ରଗତି, ଉନ୍ନତ ଜୀବନ ଆଦି ସମ୍ଭବ। ଆମ ଚାଷୀମାନଙ୍କ ପାଇଁ ଆମେ ଖାଦ୍ୟାନ୍ନ ରପ୍ତାନି ଦ୍ୱାରା ଅନ୍ୟ ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛେ।
ଆଜି ଆମ ପାଖରେ ୭୫ନିୟୁତ ଟନ୍‌ ଖାଦ୍ୟଶସ୍ୟ ମହଜୁଦ ଅଛି। ଆମ ଚାଷୀଙ୍କ ପାଇଁ ଆମେ ମୋଟ ଖାଦ୍ୟଶସ୍ୟ ୫୦ନିୟୁତ ଟନ୍‌ରୁ (୧୯୫୦ମସିହାରେ) ୨୮୪ ନିୟୁତ ଟନ୍‌ ଉତ୍ପାଦନ କରିବାରେ ସମକ୍ଷ ହୋଇଛୁ। ଦୁଗ୍ଧ, ଡାଲି, ଝୋଟ, କଦଳୀ, ଆମ୍ବ ଓ ଅଳେଇଚ ଉତ୍ପାଦନରେ ଆମେ ପୃଥିବୀର ପ୍ରଥମ ସ୍ଥାନ ଅଧିକାର କରିଛୁ। ସେହିପରି ଧାନ, ଗହମ, ଆଖୁ, ଚିନାବାଦାମ, ପନିପରିବା, ଫଳ, କପା, ଟମାଟୋ, ଆଳୁ, କାଜୁ ଉତ୍ପାଦନରେ ଆମେ ସମଗ୍ର ପୃଥିବୀରେ ଦ୍ୱିତୀୟ ସ୍ଥାନରେ ଅଛୁ। ୧୮୭ ନିୟୁତ ଟନ୍‌ ଦୁଗ୍ଧ ଉତ୍ପାଦନ କରି ପୃଥିବୀର ମୋଟ ଉତ୍ପାଦନର ୨୦ ପ୍ରତିଶତରେ ପହଞ୍ଚିପାରିଛୁ। ସେହିପରି ୧୦୩ ବିଲିୟନ ଅଣ୍ଡା (ବିଶ୍ୱରେ ୩ୟ ସ୍ଥାନ) ଓ ୮ନିୟୁତ ଟନ୍‌ ମାଂସ ଉତ୍ପାଦନ କରିବାରେ ସକ୍ଷମ ହୋଇଛୁ। ମତ୍ସ୍ୟ ଉତ୍ପାଦନରେ ଆମେ ୦.୭୫ ନିୟୁତ ଟନ୍‌ରୁ (୧୯୫୦ ମସିହାରେ) ୧୩.୪ନିୟୁତ ଟନ୍‌ ଯାହା କି ବିଶ୍ୱର ୬ ପ୍ରତିଶତରୁ ଅଧିକ ଉତ୍ପାଦନ କରିପାରୁଛୁ।
୯୮ନିୟୁତ ଟନ୍‌ ଫଳ,୧୮୫ ନିୟୁତ ଟନ୍‌ ପନିପରିବା ଓ ୯ ନିୟୁତ ଟନ୍‌ ମସଲା ଉତ୍ପାଦନ କେବଳ ହିଁ ଆମ ଚାଷୀଭାଇମାନଙ୍କ ଉଦ୍ୟମରେ ସମ୍ଭବ ହୋଇପାରିଛି। ଯଦି କରୋନା ମହାମାରୀ ସମୟରେ କୃଷି ଉତ୍ପାଦନରେ ଆମେ ସ୍ବାବଲମ୍ବୀ ହୋଇ ରପ୍ତାନି କରିବାରେ ସକ୍ଷମ ହୋଇ ନ ଥାନ୍ତୁ, ତେବେ ଆମର ସ୍ଥିତି କ’ଣ ହୋଇଥାନ୍ତା ତାହା କେବଳ ଭଗବାନ ହିଁ କହିପାରିବେ।
ସମୟ ଆସିଛି କୃଷକ ମହାଯୋଦ୍ଧାମାନଙ୍କର ଅବଦାନକୁ ଆଖିରେ ରଖି ତାଙ୍କର ସୁଖସୁବିଧା ନିମିତ୍ତ ବିଭିନ୍ନପ୍ରକାର ଯୋଜନା କାର୍ଯ୍ୟକାରୀ କରିବା। ଅବଶ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କ କଲ୍ୟାଣ ନିମିତ୍ତ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ଆମେ ସମସ୍ତେ ସେସବୁର ସଫଳ ରୂପାୟନ ପାଇ ଁସହଯୋଗ କଲେ ଚାଷୀକୁଳର ହିତସାଧନ ହୋଇପାରିବ। ଏହି କରୋନା ମହାମାରୀ ସମୟରେ ପନିପରିବା ଦର ଖୁବ୍‌ ନିମ୍ନଗାମୀ ହୋଇ ଚାଷୀକୁଳର ପ୍ରଭୂତ କ୍ଷତିସାଧନ କରିଛି। ତେଣୁ ଆମେ ସବୁ ସ୍ବଚ୍ଛଳ ଓ ସଚେତନ ନାଗରିକ ଗରିବ ଚାଷୀମାନଙ୍କର ପଦାର୍ଥ କିଣିଲାବେଳେ ବିନା ମୂଲେଇରେ ଯଦି ଦି’ପଇସା ଅଧିକ ଦିଅନ୍ତେ,ତା’ହେଲେ ଚାଷୀକୁଳର ଉନ୍ନତି ବିଧାନ ହେବା ସଙ୍ଗେସଙ୍ଗେ ସମୃଦ୍ଧ ରାଷ୍ଟ୍ରଗଠନରେ ନିଶ୍ଚୟ ସହାୟକ ହେବ, ଏହା ନିଃସନ୍ଦେହରେ କୁହାଯାଇପାରେ। ଯେଉଁ ବ୍ୟବସାୟୀମାନେ କୃଷିଜାତ ପଦାର୍ଥର କିଣାବିକା କରୁଛନ୍ତି, ସେମାନେ ଏହି ଦୁର୍ଦ୍ଦିନରେ ଚାଷୀ ଭାଇମାନଙ୍କୁ ଅତ୍ୟଧିକ ଶୋଷଣ ନ କରି, ତାଙ୍କ ଆର୍ଥିକ ପ୍ରଗତିରେ ଭାଗୀଦାର ହେଲେ ଚାଷୀଙ୍କ ମଙ୍ଗଳ ବିଧାନ ହେବ। କରୋନା ମହାମାରୀ ସମୟରେ ଦୁଗ୍ଧଚାଷୀ, ମାଛଚାଷୀ, କୁକୁଡା ଓ ଛେଳିଚାଷୀ ଓ ଅନ୍ୟାନ୍ୟ ବର୍ଗର ଉତ୍ପାଦନକାରୀଙ୍କ ଅବଦାନକୁ ସମସ୍ତେ ସହୃଦୟେ ଉପଲବ୍ଧି କରିବା ଓ ସେମାନଙ୍କର ଗୁରୁଦାୟିତ୍ୱ ପାଇଁ ସେମାନଙ୍କୁ ସମ୍ମାନିତ କରିବା ଲାଗି ପଦକ୍ଷେପ ନେଲେ ନିଶ୍ଚିତ ରୂପେ ଏପରି ଦୁର୍ର୍ଦ୍ଦିିନରେ ଚାଷୀ ମନରେ ଚେନାଏ ହସ ଦେଖିବାର ସୁଯୋଗ ସୃଷ୍ଟିହେବ।

ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଭାରତ ସରକାର), ଭୁବନେଶ୍ୱର, ମୋ-୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri