
ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର ସହିତ ପାଣିରେ ୧୦ ମିନିଟ୍ ସଂଘର୍ଷ କରି ମଙ୍ଗଳବାର ମୃତ୍ୟୁମୁଖରୁ ବଞ୍ଚତ୍ଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅରୁଣନଗର ଗ୍ରାମର ପ୍ରଭାତ ମଣ୍ଡଳ (୬୦)।
ପ୍ରଭାତ ରାମଚଣ୍ଡୀ ଗଳିଆ ନଦୀ କୂଳରେ ଚାଷ ଜମିରେ ୨ ଦିନ ତଳେ ଧାନତଳି ପକାଇଥିଲେ। ଏହାକୁ ଦେଖିବାକୁ ଯାଇଥିବା ବେଳେ ଶୌଚ ଲାଗିବାରୁ ନିକଟ ରାମଚଣ୍ଡୀ ଗଳିଆ ନଦୀକୂଳକୁ ଯାଇଥିଲେ। ଏହି ସମୟରେ ବୁଦା ମୂଳେ ଏକ କୁମ୍ଭୀର ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା। ପ୍ରଭାତ କିଛି ଉପାୟ ନ ପାଇ କୁମ୍ଭୀର ସହ ସଂଘର୍ଷ କରିଥିଲେ। ଜୀବନ ବିକଳରେ ଶେଷରେ ପ୍ରଭାତ ନିଜ ଦୁଇ ଆଙ୍ଗୁଠିକୁ ଜୋରରେ କୁମ୍ଭୀର ଆଖିରେ ଗେଞ୍ଜି ଦେବାରୁ ସେ ଛାଡ଼ି ପାଣିକୁ ଚାଲି ଯାଇଥିଲା। ହେଲେ ପ୍ରଭାତଙ୍କ ହାତ ଓ ଜଂଘରେ ଗଭୀର କ୍ଷତ ଯୋଗୁ ରକ୍ତସ୍ରାବ ହୋଇଥିଲା। କିଛି ଦୂରରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ହାତରେ ୧୦ଟି ଷ୍ଟିଚ ଓ ଜଂଘରେ ୪ଟି ଷ୍ଟିଚ ପଡ଼ିଛି। ତୁରନ୍ତ ବନ ବିଭାଗ ପକ୍ଷରୁ ସରକାରୀ ସହାୟତା ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କୁ ପଚାରିବାରେ ଖବର ମିଳିନାହିଁ। ଆହତ ଚାଷୀ ସମସ୍ତ ରିପୋର୍ଟ ଦାଖଲ କରିବା ପରେ ଆଇନ ଅନୁସାରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।