ନକଲି ଡିଫିଟାଲିଓ

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ନିୟମ ଅନୁଯାୟୀ ହଜାରେ ରୋଗୀଙ୍କ ପାଇଁ ଜଣେ ଡାକ୍ତର ରହିବା କଥା। ଭାରତରେ ଏହି ଅନୁପାତ ଉତ୍ତମ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ବାର ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ଦେବା ବେଳେ ଗତବର୍ଷ କହିଥିଲେ ଯେ, ଏଠାରେ ୮୫୪ ରୋଗୀଙ୍କ ପାଇଁ ଜଣେ ଡାକ୍ତର ରହିଛନ୍ତି। ଅର୍ଥାତ୍‌ ଚିକିତ୍ସା ସେବା ଉନ୍ନତ ହେବାରେ ଲାଗିଛି। ମନ୍ତ୍ରୀଙ୍କ ମନ୍ତବ୍ୟ ବାସ୍ତବତାକୁ କେଉଁଭଳି ଭାବେ ପ୍ରତିଫଳିତ କରୁଛି, ତାହା ଦେଶର କୋଣଅନୁକୋଣରେ ଡାକ୍ତରଙ୍କ ଅଭାବ ଯୋଗୁ ରୋଗୀଙ୍କ ପ୍ରାଣହାନି ଘଟୁଥିବା ଘଟଣାରୁ ଜଣାପଡ଼େ। ଦୂରକୁ ଯିବା ଦରକାର ନାହିଁ। ଓଡ଼ିଶାର କୋରାପୁଟ, କଳାହାଣ୍ଡି, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ ଭଳି ଜିଲାରେ ରୋଗୀଙ୍କୁ ୧୦ କିଲୋମିଟର ଯାଏ ଖଟିଆରେ ବୁହାହୋଇ ଯାଉଥିବାର ଦୃଶ୍ୟ ଗଣମାଧ୍ୟମରୁ ଦେଖିବାକୁ ମିଳେ। ଯଦିବା ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି କୁହାଯାଉଛି, ଏଠାରେ ମନେରଖିବାକୁ ହେବ ଯେ ସ୍ବାସ୍ଥ୍ୟସେବାର ଉନ୍ନତି ଉତ୍ତମ ଭିତ୍ତିଭୂମି, ଗମନାଗମନ, ସୁଲଭ ମୂଲ୍ୟରେ ଔଷଧ ଯୋଗାଣ ଉପରେ ନିର୍ଭର କରେ। ଏବେ ଖବର ମିଳିଛି ଭାରତରେ କ୍ୟାନସର ଓ ଲିଭରଜନିତ ରୋଗ ପାଇଁ ଉପଲବ୍ଧ ଔଷଧ ଅନେକାଂଶରେ ନକଲି ରହିଛି। କ୍ୟାନସର ଚିକିତ୍ସାରେ ବ୍ୟବହୃତ ଇଞ୍ଜେକଶନ ଆଡ୍‌ସେଟ୍ରିସ୍‌ ଓ ଲିଭର ଲାଗି ଉଦ୍ଦିଷ୍ଟ ଡିଫିଟାଲିଓର ନକଲି ପ୍ରତି ସାବଧାନ ରହିବାକୁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ସମସ୍ତ ରାଜ୍ୟକୁ ସତର୍କ କରାଇଦେଇଛି। ଡବ୍ଲ୍ୟୁଏଚ୍‌ଓ କହିଛି ଏସବୁ ଔଷଧର ପ୍ରକୃତ ଉତ୍ପାଦନ ଜର୍ମାନୀ ଓ ଅଷ୍ଟ୍ରିଆରେ ହେଉଥିବା ବେଳେ ବ୍ରିଟେନ୍‌ ଓ ଆୟର୍ଲାଣ୍ଡରେ ଏହାର ନକଲି ପ୍ରସ୍ତୁତି କରାଯାଉଛି। ଉଦ୍‌ବେଗର ବିଷୟ ହେଉଛି ଯେ, ଏସବୁ ନକଲି ଔଷଧରେ ଲେଖାଯାଉଥିବା ଏକ୍ସପାଏରି ଡେଟ୍‌ ମଧ୍ୟ ଭୁଲ ରହୁଛି। ବିଶେଷକରି ଭାରତ ଓ ତୁର୍କୀରେ ଡିଫିଟାଲିଓର ବଜାର ପ୍ରବେଶ ଅଧିକାର ନ ଥିବା ବେଳେ ସେଗୁଡ଼ିକ ବ୍ୟାପକ ମାତ୍ରାରେ ଉପଲବ୍ଧ ହେଉଛି। ସେହିଭଳି ଆଡ୍‌ସେଟ୍ରିସ୍‌ ନକଲି ଔଷଧ ଭାରତ ସମେତ ତୁର୍କୀ, ବିଟ୍ରେନ୍‌ ଓ ଆୟର୍ଲାଣ୍ଡରେ ମିଳୁଛି।
ଭାରତରେ ଦୁରାରୋଗ୍ୟ ବ୍ୟାଧିର ଔଷଧ ପ୍ରସ୍ତୁତି ଲାଗି ଗବେଷଣା ଓ ବିକାଶ (ଆର୍‌ ଆଣ୍ଡ୍‌ ଡି) କାର୍ଯ୍ୟକୁ ସେଭଳି ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଠୁସେଠୁ ମାଗିଆଣି କିମ୍ବା ନକଲି କରି ନିର୍ମାତା ଓ ବ୍ୟବସାୟୀମାନେ ମୋଟା ଲାଭ ଅର୍ଜନ କରୁଛନ୍ତି। ଏହା ସିଡିଏସ୍‌ସିଓ ଅଜାଣତରେ ହେଉଥିବ ବୋଲି ବିଶ୍ୱାସ ହେଉନାହିଁ। ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ଭାରତ ପରିଚିତି ହାସଲ କରିଥିଲେ ମଧ୍ୟ ଏହାର ଲୋକଙ୍କୁ ସର୍ବନିମ୍ନ ସ୍ବାସ୍ଥ୍ୟସେବା ପହଞ୍ଚାଯାଇପାରୁ ନାହିଁ। କାରଣ ରୋଗୀଙ୍କ ଚାହିଦାକୁ ଦେଖି ଔଷଧ ନିର୍ମାତା ଓ ଅସାଧୁ ବ୍ୟବସାୟୀମାନେ ସକ୍ରିୟ ରହିଛନ୍ତି। ଗତବର୍ଷ ଅକ୍ଟୋବରରେ ଭାରତ ପ୍ରସ୍ତୁତ କାଶ ସିରପ୍‌ ସେବନ କରି ଗାମ୍ବିଆର ୬୬ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି କଟକ ଯାଏ ନକଲି ଔଷଧ କାରବାର ବିଷୟରେ ସମସ୍ତେ ଜାଣିଛନ୍ତି। କାଁ ଭାଁ କେତେ ଜଣଙ୍କୁ ଧରାଯିବା ପରେ ଘଟଣା କିଛିଦିନ ଥମିଯାଉଛି। କଡ଼ା କାର୍ଯ୍ୟାନୁଷ୍ଠାନ ଅଭାବରୁ ପରବର୍ତ୍ତୀ ସମୟରେ ବେଆଇନ ଯୋଗାଣ ଶୃଙ୍ଖଳ ପୁଣି ସକ୍ରିୟ ହୋଇପାରୁଛି। ତେଣୁ ସିଡିଏସ୍‌ସିଓ କେବଳ ରାଜ୍ୟଗୁଡ଼ିକୁ ନକଲି ଔଷଧ କାରବାର ରୋକିବା ଲାଗି ସତର୍କତା ଜାରିକରି ରହିଗଲେ ସମସ୍ୟାର ସମାଧାନ ଆସିପାରିବ ନାହିଁ। ରାଜ୍ୟଗୁଡ଼ିକରେ ଥିବା ଅନେକ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅସାଧୁ ବ୍ୟବସାୟୀଙ୍କ ସହ ସମ୍ପର୍କ ଥିବାରୁ ଏଭଳି ବେଆଇନ କାର୍ଯ୍ୟକୁ ରୋକାଯାଇପାରୁ ନାହିଁ।
କୁହାଯାଇଥାଏ ଅନ୍ୟ ଯେଉଁ କ୍ଷେତ୍ରରେ ଭେଜାଲ ହେଲେ ମଣିଷ ଯେତେ ମାତ୍ରାରେ ମାରାତ୍ମକତାର ଶିକାର ହୋଇ ନ ଥାଏ, ନକଲି ଖାଦ୍ୟ ଓ ଔଷଧ ତତ୍‌କ୍ଷଣାତ୍‌ ପ୍ରାଣ ନେଇଯାଇଥାଏ। ଖାଦ୍ୟଦ୍ରବ୍ୟ ଏବଂ ଔଷଧ ପ୍ରସ୍ତୁତ କରୁଥିବା ନିର୍ମାତା, ଯୋଗାଣ କାର୍ଯ୍ୟରେ ନିୟୋଜିତ ସଂସ୍ଥା ବା ବ୍ୟକ୍ତିଙ୍କ ଉପରେ ସର୍ବାଧିକ ଦୃଷ୍ଟି ରହିବା କଥା। ଯେଉଁମାନେ ନିୟମ ବିରୁଦ୍ଧ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯାଇ ଦଣ୍ଡିତ କରାଯିବା ଆବଶ୍ୟକ। ଏ ଦିଗରେ ଆଇନକୁ ଅଧିକ କଠୋର କରିବାର ଦାୟିତ୍ୱ କେନ୍ଦ୍ର ସରକାର ଉପରେ ରହିଥିବା ସତ୍ତ୍ୱେ ସେଥିରେ କୌଣସି ଇଚ୍ଛାଶକ୍ତି ଥିବାଭଳି ମନେହୁଏ ନାହିଁ। ବ୍ୟବସାୟ, ରପ୍ତାନି, ବ୍ୟାଙ୍କ, ଜମି ଅଧିଗ୍ରହଣ ଭଳି ବିଷୟଗୁଡ଼ିକ ଉପରେ ଘନ ଘନ ଆଇନ ସୃଷ୍ଟି ହେଉଥିବା ବା ସଂଶୋଧନ କରାଯାଉଛି। କିନ୍ତୁ ନାଗରିକ ସୁସ୍ଥ ଭାବେ ବଞ୍ଚତ୍ବା ପାଇଁ ମୌଳିକ ଚାହିଦା ପ୍ରତି ଦୃଷ୍ଟିଦେବାକୁ କାହାର ସମୟ କିମ୍ବା ଇଚ୍ଛା ଥିବା ଲକ୍ଷ୍ୟ କରାଯାଉ ନାହିଁ। ସାଧାରଣରେ ହତ୍ୟା କରୁଥିବା ବ୍ୟକ୍ତିଙ୍କୁ ଯେଉଁ ଦଣ୍ଡ ଦିଆଯାଇଥାଏ, ନକଲି ଔଷଧ କାରବାରରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଗଣହତ୍ୟା ସମ୍ବନ୍ଧୀୟ ଦଣ୍ଡ ଦିଆଯିବା ଦରକାର। କାରଣ ନକଲି ଔଷଧ ଦ୍ୱାରା ଅସଂଖ୍ୟ ଲୋକଙ୍କ ମୃତ୍ୟୁ ଲାଗି ପୂର୍ବ ପ୍ରସ୍ତୁତି କରାଯାଇଥାଏ।

ସାଧାରଣରେ ହତ୍ୟା କରୁଥିବା ବ୍ୟକ୍ତିଙ୍କୁ ଯେଉଁ ଦଣ୍ଡ ଦିଆଯାଇଥାଏ, ନକଲି ଔଷଧ କାରବାରରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଗଣହତ୍ୟା ସମ୍ବନ୍ଧୀୟ ଦଣ୍ଡ ଦିଆଯିବା ଦରକାର। କାରଣ ନକଲି ଔଷଧ ଦ୍ୱାରା ଅସଂଖ୍ୟ ଲୋକଙ୍କ ମୃତ୍ୟୁ ଲାଗି ପୂର୍ବ ପ୍ରସ୍ତୁତି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri