ପୁନର୍ମୂଷିକ ଭବ

ଅକ୍ଷୟ କୁମାର ମିଶ୍ର

ଆମ ରାଜ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା ହୋଇଥିଲା। ସମସ୍ତେ ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସମଗ୍ର ଦେଶରେ ଆମ ରାଜ୍ୟ ଠିକା ନିଯୁକ୍ତି ଉଚ୍ଛେଦ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା। ଅବଶ୍ୟ କିଛି ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ସେତେବେଳେ ଆଶଙ୍କା ପ୍ରକାଶ କରିବା ସହିତ କିଛି କେଁ ଅଛି ବୋଲି ଅଭିଯୋଗ କରିଥିଲେ। ଆଜି ସେମାନଙ୍କ କଥା ସତ୍ୟ ହେଲା। ସରକାର ନିଜ କଥା ନିଜେ ପ୍ରତ୍ୟାହାର କରିନେଲେ। ପୁଣି ସେହି କଥା। ଠିକା ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଅର୍ଥାତ୍‌ ପୁନଃ ମୂଷିକ ଭବ।
ପ୍ରାଥମିକ ଶିକ୍ଷା ହେଉଛି ଶିକ୍ଷା ସୌଧର ମୂଳଭିତ୍ତି। ମୂଳଦୁଆ ଦୁର୍ବଳ ରହିଲେ ଯେକୌଣସି ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ସ୍ଥିର ନିଶ୍ଚିତ; ପରବର୍ତ୍ତୀ ସମୟରେ ଯେତେ ଉତ୍ତମ ଇଟା, ଦାମୀ ଲୁହାଛଡ଼ ଓ ବେଶି ସିମେଣ୍ଟ ଦେଲେ ମଧ୍ୟ ଅବିକଳ ପ୍ରାଥମିକ ଶିକ୍ଷା ଗୁଣାତ୍ମକ ନ ହେଲେ ମାଧ୍ୟମିକ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା କଦାପି ଉନ୍ନତ ମାନର ହେବା ସମ୍ଭବ ନୁହେଁ। ଆମ ରାଜ୍ୟର ପ୍ରାଥମିକ ଶିକ୍ଷା ସମ୍ପର୍କିତ ଅନେକ ତଥ୍ୟ ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇ ପ୍ରକାଶ କରାଯାଇଛି। ଏକ ସର୍ଭେ ରିପୋର୍ଟରେ କୁହାଯାଇଥିଲା ରାଜ୍ୟରେ ଥିବା ୫୦୫୨୬ଟି ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୪୦୯୫୫ଟି ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ସ୍ବତନ୍ତ୍ର ଶ୍ରେଣୀ କକ୍ଷ, ଶୌଚାଳୟ, ଖେଳପଡ଼ିଆ ନାହିଁ। ଏ ବାବଦରେ ଉଚ୍ଚ ନ୍ୟାୟାଳୟ ମଧ୍ୟ ହସ୍ତକ୍ଷେପ କରି ଶିକ୍ଷା ବର୍ଷ ଆରମ୍ଭରୁ ସମସ୍ତ ବିଦ୍ୟାଳୟର ଏହି ଅଭାବ ଅସୁବିଧାଗୁଡ଼ିକୁ ଦୂର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଇଥିପାଇଁ ବୋଧହୁଏ ସରକାର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ହେବ ବୋଲି କହିଛନ୍ତି। ଅପରପକ୍ଷେ ଶିକ୍ଷକ ଅଭାବଜନିତ ଘଟଣାର ଦୟନୀୟ ସ୍ଥିତି ଖବର ଆକାରରେ ପ୍ରକାଶ ପାଇବା ଦୈନନ୍ଦିନ ଘଟଣା ପାଲଟି ଗଲାଣି। ‘ପଢ଼ିବା ଆଗକୁ ବଢ଼ିବା’ ସ୍ଲୋଗାନ ପ୍ରତି ବିଦ୍ୟାଳୟ କାନ୍ଥରେ ଲେଖାଯାଇଛି। ଅଥଚ ସାତଟି ଶ୍ରେଣୀକୁ ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ। କେବଳ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସତୁରି ହଜାରରୁ ଊଦ୍ଧର୍‌ବ ଶିକ୍ଷକ ପଦବୀ ଶୂନ୍ୟ ପଡ଼ିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ୨୦୧୬ଠାରୁ ଅଦ୍ୟାବଧି ଜଣେ ବି ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ। ଅଥଚ ସରକାର ଗର୍ବର ସହିତ କହୁଛନ୍ତି ଏକା ଥରକେ କୋଡ଼ିଏ ହଜାର ଶିକ୍ଷକ ନିଯୁକ୍ତି ଦେବା ଏକ ଐତିହାସିକ ପଦକ୍ଷେପ। ବିଗତ ସାତ ବର୍ଷ ଧରି ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖି କୋଡ଼ିଏ ହଜାର ନିଯୁକ୍ତି ଦେବା ଏକ ବଡ଼ ନିଷ୍ପତ୍ତି ନୁହେଁ ବୋଲି ଯେକୌଣସି ଶିକ୍ଷାବିତ୍‌ କହିବେ।
ଅଜବ କଥା ହେଲା ସବୁ ସ୍ତରରୁ ଠିକା ନିଯୁକ୍ତି ଉଚ୍ଛେଦ କରାଗଲା ବୋଲି ଦଶ ମାସ ତଳେ ଘୋଷଣା କରି ଏବେ ପୁଣି ସେହି ଠିକା ନିଯୁକ୍ତିକୁ ଆପଣେଇବା। ଏହାକୁ ସହଜରେ କେହି ଗ୍ରହଣ କରିବେ ନାହିଁ। ପୂର୍ବରୁ କେତେ ଜାତିର ଶିକ୍ଷକ ସୃଷ୍ଟି କରାଯାଉଛି ତାହା ଠିକ୍‌ ଭାବେ କହିବା ମୁସ୍କିଲ। ଏବେ ପୁଣି ସେହି ଚିଠାରେ ଆଉ ଏକ ନୂତନ ଜାତି ସ୍କିମାଟିକ ଶିକ୍ଷକ ନାମଧାରୀ ଶିକ୍ଷକ ଯୋଡ଼ିବାକୁ ସରକାର ମନ ବଳେଇଛନ୍ତି। ଦ୍ୱିତୀୟରେ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ କିଛି ଆଇନଗତ ତ୍ରୁଟି ପରିଲକ୍ଷିତ ହେଉଛି। ଯେକୌଣସି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ବେଳେ ସେଥିରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ ଥାଏ। ଫଳରେ ଏହାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ଏହି ପଦବୀ ନିମନ୍ତେ ଆବେଦନ କରିବ କି ନାହିଁ ତାହା ତା’ର ଇଚ୍ଛାଧୀନ ବିଷୟ ହୋଇଥାଏ। କିନ୍ତୁ ଏହି ବିଜ୍ଞପ୍ତିରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ସର୍ବନିମ୍ନଠାରୁ ଆରମ୍ଭ କରି ଆଉ କେଉଁ କେଉଁ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ଆବେଦନ କରିପାରିବେ ତାହା ଉଲ୍ଲେଖ ଅଛି। ଉଚ୍ଚଡିଗ୍ରୀଧାରୀ ଛାତ୍ରୀଛାତ୍ରର ନିଯୁକ୍ତି ସୁଯୋଗ ରହିବ କିନ୍ତୁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ଦାବି କରିବାର ଅଧିକାର ରହିବ ନାହିଁ, ଏହା ସମସ୍ତଙ୍କୁ ବିସ୍ମିତ କରିଛି। ବିଭିନ୍ନ ଶିକ୍ଷାଧାରୀ ଏବଂ ବିଭିନ୍ନ ତାଲିମପ୍ରାପ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ ବୋଲି ଉଲ୍ଲେଖ ରହିବା, ପରବର୍ତ୍ତୀ ସମୟରେ ଆଉ ଏକ ବିବାଦ ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଏହା ପୁଣି ଏକ ବର୍ଷିଆ ଚୁକ୍ତିନାମାରେ ନିଯୁକ୍ତି। ଉତ୍ତମ ଦକ୍ଷତା ପ୍ରମାଣପତ୍ର ଦେଲେ ନବୀକରଣ ହେବ ନଚେତ ସେଇଠି ଚାକିରି ଶେଷ।
ସାତ ବର୍ଷ ଧରି ଲକ୍ଷ ଲକ୍ଷ ଉପଯୁକ୍ତ ତାଲିମପ୍ରାପ୍ତ ଶିକ୍ଷିତ ଯୁବତୀ ଯୁବକ ଅପେକ୍ଷା କରି ବସିଥିଲେ ବିଜ୍ଞପ୍ତିକୁ। ଭାବିଥିଲେ ସିଧାସଳଖ ନିୟମିତ ଶିକ୍ଷକ ହେବାର ସୌଭାଗ୍ୟ ଅର୍ଜନ କରିବେ । କିନ୍ତୁ ହେଲା କ’ଣ? ପ୍ରାଥମିକ ଶିକ୍ଷାରେ ଠିକା ନିଯୁକ୍ତି, ମାଧ୍ୟମିକ ଶିକ୍ଷାରେ ନିୟମିତ ନିଯୁକ୍ତି? ଅନେକେ କହୁଛନ୍ତି ଏହାକୁ ବିରୋଧ କଲେ ସରକାର ଯଦି ବିଜ୍ଞପ୍ତି ବାତିଲ କରିଦେଲେ ତେବେ ହଜାର ହଜାର ଯୁବତୀ ଯୁବକଙ୍କ ସ୍ବପ୍ନ ଧୂଳିସାତ ହୋଇଯିବ । ବୟସ ଚାଲିଯିବ। ନାହିଁ ମାମୁଠାରୁ କଣା ମାମୁ ଭଲ ନ୍ୟାୟରେ ପ୍ରଥମେ ନିଯୁକ୍ତି ସରୁ, ତା’ପରେ ଦେଖିବା। ଅର୍ଥାତ୍‌ ନିଯୁକ୍ତି ପରେ ଏହି ଶିକ୍ଷକମାନେ ମେଳି ବାନ୍ଧିବେ । ନୂଆ ଏକ ସଂଗଠନ ଗଢ଼ିବେ କିମ୍ବା ରାଜ୍ୟରେ ଥିବା ପୁରାତନ ଶିକ୍ଷକ ସଂଗଠନରେ ମିଶି ଆନ୍ଦୋଳନ କରିବେ। ଯେତେଥର ବିଧାନସଭା ବସିବ ସେତେଥର ରାଜଧାନୀ ଧାଇଁବାର ବ୍ୟବସ୍ଥା ସରକାର କରିଦେଲେ। ଶିକ୍ଷାଦାନ କେମିତି ହେବ ଏବେଠାରୁ ଜଣା ପଡ଼ିଗଲାଣି। ମାନସିକ ଯନ୍ତ୍ରଣା ଭିତରେ ରଖି ଗୁଣାତ୍ମକ ଶିକ୍ଷାଦାନ ଆଶା କରିବା ବୃଥା। ଫଳରେ ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷକ କ୍ଷତିଗ୍ରସ୍ତ ହେବେ । ପୁଣି ଏମାନଙ୍କ ଭିତରେ ଚାରୋଟି ବର୍ଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେଉଁମାନେ ଏକ ବର୍ଷ ପରେ କୌଣସି କାରଣରୁ ଦକ୍ଷତା ପ୍ରମାଣପତ୍ର ଯୋଗାଡ଼ କରିବାରେ ଅସମର୍ଥ ହେବେ ସେମାନେ ଚାକିରି ବଞ୍ଚାଇବାକୁ ଆନ୍ଦୋଳନ କରିବେ । ଯେଉଁମାନେ ବି ଏ କିମ୍ବା ବି ଏମ ସି ବି ଇଡି ହୋଇଥିବେ ସେମାନେ ଉଚ୍ଚତର ସ୍କେଲ ଦାବି କରି ଆନ୍ଦୋଳନକୁ ଯିବେ। ଯେଉଁମାନେ ପୋଷ୍ଟ ଗ୍ରାଜୁଏଟ ଏବଂ ବି ଇଡି କିମ୍ବା ଏମ ଇଡି ତାଲିମପ୍ରାପ୍ତ ହୋଇଥିବେ ସେମାନେ ତଦନୁଯାୟୀ ଦରମା ଦାବି କରିବାରେ କୌଣସି ଅଯୌକ୍ତିକତା ରହିବ ନାହିଁ। ଅବଶିଷ୍ଟ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ହେବା ପାଇଁ ମହା ସଂଗ୍ରାମରେ ଅବତୀର୍ଣ୍ଣ ହେବେ। ଏ ପ୍ରକାର ନିଯୁକ୍ତି ପ୍ରକ୍ରିୟା ଅନେକଙ୍କ ମନରେ ସନ୍ଦେହ ମଧ୍ୟ ସୃଷ୍ଟି କଲାଣି। ସରକାର ଏମିତି ବର୍ଗୀକରଣ କାହିଁକି କରୁଛନ୍ତି? ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରି ବିଚାରାଳୟର ଦ୍ୱାର ଖୋଲା ରଖିବା ପଛରେ ଉଦ୍ଦେଶ୍ୟ କ’ଣ? ହଠାତ୍‌ ଚୟନ ପ୍ରକ୍ରିୟା ଜିଲା ପରିଷଦ ହାତକୁ ଦେବା ଏବଂ ଜିଲାପାଳଙ୍କୁ ଚୟନ କମିଟିର ମୁଖ୍ୟ ରଖିବା ପଛରେ ଆଇନଗତ ତ୍ରୁଟି ନାହିଁ କି?
କୁହାଯାଉଛି ଅର୍ଥନୈତିକ ଦୃଷ୍ଟିକୋଣରୁ ଆମ ରାଜ୍ୟ ବଳକା ରାଜ୍ୟ। ଏଠାରେ ଅର୍ଥର ଅଭାବ ନାହିଁ। ଏହା ମଧ୍ୟ ସମସ୍ତେ ବିଶ୍ୱାସ କଲେ ଯେତେବେଳେ ସରକାର ଦମ୍ଭର ସହିତ ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା କଲେ। ନିୟମିତ ନିଯୁକ୍ତି ମଧ୍ୟ ଦେଲେ। କିନ୍ତୁ ବର୍ଷେ ନ ପୂରୁଣୁ ପୁନଃ ମୂଷିକ ଭବ । ଖାଲି ଏତିକି ନୁହେଁ ନିୟମିତ ନିୟମ ପ୍ରକାଶ ପାଇବା ବେଳକୁ ଦେଖାଗଲା ଯେଉଁମାନେ ୨୦୧୩ ପରେ ଠିକା ନିଯୁକ୍ତି ପାଇଥିବେ ସେମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । ଫଳରେ ଯେଉଁମାନେ ୨୦୦୪ ରେ ଏବଂ ପରବର୍ତ୍ତୀ ବର୍ଷମାନଙ୍କରେ ନିଯୁକ୍ତି ପାଇଥିଲେ ସେମାନେ ଏବେ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି। ଠିକ୍‌ ତାହା ହିଁ ହେବ ଏହି ସ୍କିମାଟିକ ଶିକ୍ଷକଙ୍କ କ୍ଷେତ୍ରରେ।
ଶ୍ରେଣୀ କକ୍ଷ ଛାଡ଼ି ଶିକ୍ଷକ ରାସ୍ତାରେ ରହିବା ଶୁଭଙ୍କର ନୁହେଁ। ଏହାଦ୍ୱାରା ଶିକ୍ଷକର ମର୍ଯ୍ୟାଦା ହାନି ହେଉଛି। ମନେରଖିବା ଉଚିତ ଅଧିକାରରୁ ଜଣକୁ ବଞ୍ଚିତ କଲେ ସେ ତା’ର କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ କେଉଁଠି ନା କେଉଁଠି ଅବହେଳା କରିବ। ଭଲ ହେବ ସରକାର ଠିକା ଶିକ୍ଷକ ନିଯୁକ୍ତି ନ ଦେଇ ନିୟମିତ ଶିକ୍ଷକ ନିଯୁକ୍ତି ଦେଲେ । ଏଥିସହିତ ପର୍ଯ୍ୟାୟକ୍ରମେ ସରକାର ଖୁବ୍‌ଶୀଘ୍ର ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରନ୍ତୁ। ଶିକ୍ଷାର ଜାଗରଣ ହେଲେ ଶିକ୍ଷାର୍ଥୀ ମୁହଁରେ ହସ ଫୁଟିବ। ଶିଶୁ ହସିଲେ ଦେଶ ରାଇଜ ହସିବ। ଏଥିପାଇଁ ଶିକ୍ଷକ ଉତ୍ତରଦାୟୀ ହେବା ଆବଶ୍ୟକ। ଏହା ସେତିକିବେଳେ ଆଶା କରାଯାଇ ପାରିବ ଯେତେବେଳେ ଶିକ୍ଷକ କୌଣସି ବୃତ୍ତିଗତ ସମସ୍ୟା ଦ୍ୱାରା ଜର୍ଜରିତ ହେଉ ନ ଥିବ। ସରକାର ଚାହିଁଲେ ନୂଆ ସକାଳ ଆସିବ।
ସଭାପତି (ଓଷ୍ଟା)
ମୋ: ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri