ଅଭିଜ୍ଞ ସୁଦାନ

Dillip Cherian

ପ୍ରୀତି ସୁଦାନ ୟୁପିଏସ୍‌ସି(ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏକ ବିବାଦୀୟ ପରିସ୍ଥିତିରେ ଡ. ମନୋଜ ସୋନୀ ଏହି ପଦବୀରୁ ଇସ୍ତଫା ଦେବା ପରେ ସୁଦାନ ଦାୟିତ୍ୱ ନେଇଛନ୍ତି । ଏବେ କମିଶନର ବିଶ୍ୱସନୀୟତା ପୁନଃସ୍ଥାପିତ କରିବା ତାଙ୍କ ପାଇଁ ଏକ ଆହ୍ବାନ ହୋଇଛି। ସୋନୀଙ୍କ କାର୍ଯ୍ୟକାଳ ୫ ବର୍ଷ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହା ପୂରଣ ହେବା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ। ଟ୍ରେନି ଆଇଏଏସ୍‌ ପୂଜା ଖେଡ୍‌କରଙ୍କ ଜାଲିଆତି ଘଟଣା ସହ ସୋନୀଙ୍କ ଇସ୍ତଫାର ସମ୍ପର୍କ ରହିଛି। ପୂଜା ଅସାଧୁ ଉପାୟରେ ୧୨ ଥର ସିଭିଲ୍‌ ସର୍ଭିସ ପରୀକ୍ଷା ଦେଇଥିବା ଅଭିଯୋଗ ହୋଇଥିଲା; ଯାହା ଅନୁମତିପ୍ରାପ୍ତ ପ୍ରୟାସଠାରୁ ଯଥେଷ୍ଟ ଅଧିକ। ଏହିି ଜାଲିଆତି ୟୁପିଏସ୍‌ସିର ଛବିକୁ କ୍ଷତି ପହଞ୍ଚାଇଛି ଏବଂ ଏବେଠାରୁ ସବୁକିଛି ସଞ୍ଚାଳନ କରିବା ସୁଦାନଙ୍କ ନେତୃତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ୧୯୮୩ ବ୍ୟାଚ୍‌ ଆନ୍ଧ୍ର କ୍ୟାଡର୍‌ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସୁଦାନଙ୍କର ବ୍ୟାପକ ଅଭିଜ୍ଞତା ଅଛି। କୋଭିଡ୍‌-୧୯ ମହାମାରୀ ସମୟରେ ସେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ସାମ୍ପ୍ରତିକ ଇତିହାସରେ ସବୁଠୁ ବଡ଼ ସ୍ବାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବାରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ୨୦୨୨ରେ ସୁଦାନ ୟୁପିଏସ୍‌ସିର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ। ଅଧିକ ସ୍ବଚ୍ଛ ଓ ପୁନର୍ଗଠନ ପାଇଁ କମିଶନକୁ ଆଗେଇନେବାର କଠିନ କାର୍ଯ୍ୟ ତାଙ୍କ ସମ୍ମୁଖରେ ରହିଛି। ସୁଦାନଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚରେ ଶେଷ ହେବ । ଏହା ଅପେକ୍ଷାକୃତ କମ୍‌ ସମୟ, କିନ୍ତୁ ତାଙ୍କଠାରୁ ଅଧିକ କିଛି ଆଶା କରାଯାଉଛି। ସୁଦାନଙ୍କ ଅଭିଜ୍ଞତା, ବିଶେଷକରି ମହାମାରୀ ସମୟରେ ତାଙ୍କ ରଣନୀତିକ ବିଚକ୍ଷଣତା ପୁନର୍ବାର ୟୁପିଏସ୍‌ସି ଉପରେ ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ସହ ଏବକାର ସଙ୍କଟରୁ ମୁକାଳି ତାହାକୁ ଆହୁରି ଦୃଢ଼ କରିବାରେ ସହାୟକ ହେବ।

ଅପ୍ରତ୍ୟାଶିତ ପରିବର୍ତ୍ତନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅପ୍ରତ୍ୟାଶିତ ଭାବେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ମହାନିର୍ଦ୍ଦେଶକ ନୀତିନ ଅଗ୍ରଓ୍ବାଲ ଏବଂ ତାଙ୍କ ଡେପୁଟି ତଥା ସ୍ବତନ୍ତ୍ର ମହାନିର୍ଦ୍ଦେଶକ (ପଶ୍ଚିମ) ଓ୍ବାଇ.ବି. ଖୁରାନିଆଙ୍କୁ ପଦବୀରୁ ହଟାଇ ସେମାନଙ୍କ ରାଜ୍ୟ କ୍ୟାଡର୍‌କୁ ପଠାଇଦେଇଛି। ଏହି ପଦକ୍ଷେପ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ୧୯୮୯ ବ୍ୟାଚ୍‌ କେରଳ କ୍ୟାଡର୍‌ ଆଇପିଏସ୍‌ ଅଧିକାରୀ ଅଗ୍ରଓ୍ବାଲ ଗତବର୍ଷ ଜୁନ୍‌ରୁ ବିଏସ୍‌ଏଫ୍‌ର ଶୀର୍ଷ ପଦବୀରେ ରହିଥିଲେ ଏବଂ ୧୯୯୦ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଧିକାରୀ ଖୁରାନିଆ ପାକିସ୍ତାନ ସୀମାରେ ବିଏସ୍‌ଏଫ୍‌ ଅପରେଶନର ଇନ୍‌ଚାର୍ଜ ଥିଲେ। ଏହି ଆକସ୍ମିକ ପଦକ୍ଷେପକୁ ନେଇ ଲୋକେ ଚର୍ଚ୍ଚା କରୁଛନ୍ତି ଏବଂ ଏହା ପଛର ପ୍ରକୃତ ରହସ୍ୟ କ’ଣ ରହିଛି ତାହା ଅନେକ ଜାଣିବାକୁ ଚାହଁୁଛନ୍ତି। ଅଗ୍ରଓ୍ବାଲ ଅବସର ସମୟ ଆଉ ଦୁଇ ବର୍ଷ ବାକି ଥିବାବେଳେ ଏଭଳି ନିଷ୍ପତ୍ତି ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କେତେଜଣ ବିଶ୍ୱାସ କରନ୍ତି ଯେ, ନିକଟରେ ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଇଥିବା ଉଗ୍ରବାଦୀ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ଏଭଳି ପଦକ୍ଷେପ ନିଆଯାଇଛି। ଉଲ୍ଲେଖନୀୟ ଯେ, ଜମ୍ମୁ-କଶ୍ମୀରରେ ଉଗ୍ରବାଦୀ ମୁକାବିଲାରେ ବିଏସ୍‌ଏଫ୍‌ ଆଗରେ ରହିଛି। ଖୁରାନିଆ କେରଳକୁ ଫେରି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ନେଇପାରନ୍ତି ବୋଲି ଗୁଞ୍ଜରଣ ବି ସୃଷ୍ଟି ହୋଇଛି। କିନ୍ତୁ ଏକ ସମୟରେ ଉଭୟ ଅଧିକାରୀଙ୍କୁ ହଠାତ୍‌ ହଟାଇ ଦିଆଯିବା ଘଟଣାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ସୀମା ସୁରକ୍ଷାକୁ ନେଇ ବହୁ ସମସ୍ୟା ବିଶେଷକରି ଅଧିକ ଅନୁପ୍ରବେଶ ବଢ଼ୁଥିବାରୁ, ସେ ସବୁକୁ ଦୃଷ୍ଟିରେ ରଖି ପରିବର୍ତ୍ତନ କରାଯାଇଥାଇପାରେ ବୋଲି ଅନେକେ ଭାବୁଛନ୍ତି। ଏହି ପଦକ୍ଷେପ ପଛର କାରଣ ସମ୍ପର୍କରେ ସରକାର ଅଧିକ କିଛି କହିନାହାନ୍ତି।

କେ.କେ. ଭରସା ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ର, ମଣିପୁର, ମେଘାଳୟ, ତେଲଙ୍ଗାନା, ରାଜସ୍ଥାନ, ସିକିମ୍‌, ଝାଡ଼ଖଣ୍ଡ ଓ ଛତିଶଗଡ଼ ସମେତ ଅନେକ ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଥିଲେ। ପୁଡୁଚେରୀ ଓ ଚଣ୍ଡିଗଡ଼ର ଲ୍ୟୁଟ୍‌ନାଣ୍ଟ ଗଭର୍ନରଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହି ସବୁ ନିଯୁକ୍ତି ମଧ୍ୟରେ ଅଧିକ କୌତୂହଳପୂର୍ଣ୍ଣ ହେଉଛି କେ. କୈଳାସ ନାଥନଙ୍କ ନିଯୁକ୍ତି। ଗୁଜରାଟର ସବୁଠୁ ପ୍ରଭାବଶାଳୀ ଅମଲାତନ୍ତ୍ରୀମାନଙ୍କ ମଧ୍ୟରେ କୈଳାସ ନାଥନ ଅନ୍ୟତମ ଓ ତାଙ୍କୁ ପୁଡୁଚେରୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର ଭାବେ ନିଯୁକ୍ତ କରାଯାଇଛି। କୈଳାସ ନାଥନ କେ.କେ. ନାମରେ ବେଶ୍‌ ଜଣାଶୁଣା। ସେ ୨୦୧୩ରେ ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅବସର ନେଇଥିଲେ। ସେବେଠାରୁ ସେ ପ୍ରଶାସନିକ କ୍ଷେତ୍ରରେ ଜଣେ ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ରହିଆସିଛନ୍ତି। ବର୍ତ୍ତମାନ ପୁଡୁଚେରୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର ଭାବେ ତାଙ୍କ ନିଯୁକ୍ତି ଦର୍ଶାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏବେ ବି ତାଙ୍କର ଗୁରୁତ୍ୱ ରହିଛି। କେ.କେ. ଅବସର ପରେ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପ୍ରମୁଖ ସଚିବ ହୋଇଥିଲେ। ତାଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏହି ପଦବୀ ସୃଷ୍ଟି କରାଯାଇଥିଲା। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଚାରିଜଣ ମୁଖ୍ୟମନ୍ତ୍ରୀ – ନରେନ୍ଦ୍ର ମୋଦି, ଆନନ୍ଦିବେନ ପଟେଲ, ବିଜୟ ରୂପାନି ଏବଂ ଭୂପେନ୍ଦ୍ର ପଟେଲଙ୍କ ଅଧୀନରେ କାର୍ଯ୍ୟ କରିଥିଲେ। ଏହାସତ୍ତ୍ୱେ କେ.କେ. ଲଗାତର ମୋଦିଙ୍କର ଜଣେ ବିଶ୍ୱସ୍ତ ରହିଥିବା ଦେଖାଯାଉଛି ଏବଂ ସେ ଅହମ୍ମଦାବାଦ ଓ ନୂଆଦିଲ୍ଲୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍‌ ଭାବରେ କାର୍ଯ୍ୟ କରୁଛନ୍ତି। ଗୁଜରାଟର ପ୍ରଶାସନିକ ଦୃଶ୍ୟପଟରେ କେ.କେ.ଙ୍କ ପ୍ରଭାବ ଦୀର୍ଘଦିନ ହେବ ରହିଆସିଛି ଏବଂ ତାଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ବିଶ୍ୱାସ ଓ ଭରସା ଜାରି ରହିଛି ବୋଲି ଏବକାର ନିଯୁକ୍ତି ସ୍ପଷ୍ଟ କରୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri