ବ୍ୟୟବହୁଳ ଚିକିତ୍ସା

ଡ. ପ୍ରମୋଦ କୁମାର ପଣ୍ଡା

ଈଶ୍ୱର ନିଶ୍ଚିତରୂପେ ସର୍ବ ଶକ୍ତିମାନ ଓ ସୃଷ୍ଟିର ନିୟନ୍ତ୍ରକ। ମାତ୍ର ଈଶ୍ୱରଙ୍କ ପରେ ଯଦି ଆଉ କେହି ଜୀବନ ଦେବାରେ ସକ୍ଷମ, ସେମାନେ ହେଲେ ଡାକ୍ତର ଗୋଷ୍ଠୀ। ଜଣେ ଡାକ୍ତରଙ୍କର ବ୍ୟକ୍ତିଗତ ଜୀବନ ବୋଲି କିଛି ନ ଥାଏ। ଯେତେବେଳେ ରୋଗୀ ଜୀବନ ସଙ୍କଟାପନ୍ନ ହୁଏ, ସେତେବେଳେ ସମସ୍ତ କାର୍ଯ୍ୟ ଛାଡ଼ି ଡାକ୍ତର ଧାଇଁ ଆସିଥାନ୍ତି ରୋଗୀର ଜୀବନ ବଞ୍ଚାଇବା ପାଇଁ। ଖାଲି ଏତିକି ନୁହେଁ ଏମ୍‌ବିବିଏସ୍‌ ପଢ଼ାରେ ୫ଟି ବର୍ଷ,ସ୍ନାତକୋତ୍ତରରେ ୩ ବର୍ଷ ଓ ଏମ୍‌ସିଏଚ୍‌ରେ ୩ ବର୍ଷ ଏହିପରି ୧୧-୧୨ ବର୍ଷ କଠିନ ପରିଶ୍ରମ କରି ପଢ଼ିବାକୁ ପଡ଼ିଥାଏ, ଯାହାକି ଅନ୍ୟ କୌଣସି ପାଠ୍ୟଖସଡାଠୁ ଅଧିକ। ସେଥିପାଇଁ ଆମେ ସର୍ବଦା ଡାକ୍ତରମାନଙ୍କୁ ଉଚ୍ଚ ସମ୍ମାନ ପ୍ରଦର୍ଶନ କରିବା ଉଚିତ।
ସମାଜରେ କେବେ କେବେ ଡାକ୍ତରମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବାର ଖବର ଆସେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେମାନେ କେହି ବି ଏପରି କରିବା ଉଚିତ ନୁହେଁ। ଆମ ରାଜ୍ୟ ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର।
ସ୍ବାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଅଞ୍ଚଳରେ ଡାକ୍ତରଖାନା ସ୍ଥାପନ କରିଛନ୍ତି। ମେଡିକାଲ କଲେଜରେ ଛାତ୍ରୀଛାତ୍ରମାନଙ୍କ ଶିକ୍ଷା ଖର୍ଚ୍ଚ ସରକାର ମଧ୍ୟ ବହନ କରୁଛନ୍ତି। ରାଜ୍ୟର କରଦାତାଙ୍କ ପଇସାରେ ଏହା ସମ୍ଭବ ହୋଇପାରୁଛି। ସରକାରଙ୍କ ଉଦ୍ଦେଶ୍ୟ ଏହି ଯେ, ଅଧିକ ଡାକ୍ତର ବାହାରିଲେ ଗ୍ରାମାଞ୍ଚଳରେ ରୋଗୀ ସେବା କରିବେ।
ଆଗ କାଳରେ ତୁମ ଜୀବନର ଲକ୍ଷ୍ୟ କ’ଣ ବୋଲି ଛୋଟ ପିଲାଟିକୁ ପ୍ରଶ୍ନ କଲେ ସେ ଉତ୍ତର ଦେଉଥିଲା ମୁଁ ଡାକ୍ତର ହୋଇ ରୋଗୀ ସେବା କରିବାକୁ ଚାହେଁ। ମାତ୍ର ସମୟ ବଦଳିଯାଇଛି, ଲୋକଙ୍କର ମାନସିକତାରେ ପରିବର୍ତ୍ତନ ହୋଇଛି। ଆଜି ଏମ୍‌ବିବିଏସ୍‌ ଛାତ୍ରମାନଙ୍କୁ ପଚାରିଲେ ତୁମେ କ’ଣ କରିବ? ସେମାନଙ୍କ ମଧ୍ୟରୁ ଅଧିକାଂଶ କହିବେ ଆମେ ବିଦେଶ ଯିବାକୁ ଚାହୁଁଛୁ? ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବା ଭଲ। ମାତ୍ର ସେଠାରୁ ଫେରି ଆମ ଦେଶ ବା ରାଜ୍ୟରେ ରୋଗୀ ସେବା କରିବା ଆବଶ୍ୟକ। କିନ୍ତୁ ଡାକ୍ତରୀ ଶିକ୍ଷା ସମାପ୍ତି ପରେ ଅଧିକାଂଶ ଛାତ୍ର ଗ୍ରାମାଞ୍ଚଳର ଡାକ୍ତରଖାନା ଯିବାକୁ ପସନ୍ଦ କରୁନାହାନ୍ତି ।
ସେମାନେ ଘରୋଇ ହାସ୍‌ପାତାଳରେ ଯୋଗଦେଇ ମୋଟା ଅଙ୍କର ଦରମା ପାଇବାକୁ ଚେଷ୍ଟା କରୁଛନ୍ତି। ସରକାରୀ ଦରମା ତାଙ୍କୁ ପସନ୍ଦ ଆସୁନାହିଁ। ଘରୋଇ ହସ୍ପିଟାଲରେ ଯିଏ ଯେତେ ଟେଷ୍ଟ୍‌ ସୁପାରିସ କରିପାରିବେ ସେମାନେ ସେତେ ଅଧିକ କମିଶନ ଓ ଦରମା ପାଇବେ। ଏହି ସମସ୍ୟା ବହୁ କାରଣରୁ ଭୟଙ୍କର ହୋଇ ଉଠିଛି।
ଆଜିକାଲି ଘରୋଇ ଡାକ୍ତରୀ କୋର୍ସ ପାଇଁ ଅତ୍ୟଧିକ ଡୋନେଶନ ମଧ୍ୟ ନିଆଯାଉଛି।
ଅର୍ଥାତ ଯଦି ଜଣେ ଛାତ୍ରକୁ ପିଜି ସାରିବାକୁ ୨ କୋଟି ଟଙ୍କା ଟଙ୍କା ଡୋନେଶନରେ ଖର୍ଚ୍ଚ କରିବାକୁ ପଡେ, ତା ହେଲେ ବର୍ଷକୁ ତା’ର ସୁଧ ବାବଦକୁ ଲକ୍ଷାଧିକ ଟଙ୍କା ଦରକାର ପଡ଼ିବ। ତେଣୁ ଅଧିକ ରୋଜଗାର ଲକ୍ଷ୍ୟରେ ଜଣେ ଡାକ୍ତର ସରକାରୀ ଡାକ୍ତରଖାନାରେ ଯୋଗ ନ ଦେଇ ବେସରକାରୀ ହସ୍ପିଟାଲରେ ଯୋଗ ଦେବାକୁ ପସନ୍ଦ କରୁଛନ୍ତି। ନିଜ ପୁଞ୍ଜି ବିନିଯୋଗରୁ ଆଦାୟ ପାଇଁ ସେମାନେ ଅନାବଶ୍ୟକ ଟେଷ୍ଟକୁ ବାଧ୍ୟତା ମୂଳକ ଭାବେ ରୋଗୀ ଉପରେ ଲଦିଦେବା ସହ ଚିକିତ୍ସାକୁ ବ୍ୟୟବହୁଳ କରିଦେବା ଲକ୍ଷ୍ୟ କରାଯାଉଛି।
ଆଜିକାଲି ସମଗ୍ର ଦେଶରେ ଘରୋଇ ହସ୍ପିଟାଲକୁ ଟଙ୍କା ଛପା ମେଶିନ ହିସାବରେ ବିବେଚନା କରାଯାଉଛି। କିଛି ଦିନ ପୂର୍ବେ ଜଣେ ବ୍ୟକ୍ତି କରୋନା ଚିକିତ୍ସା ପାଇଁ ଭୁବନେଶରର ଏକ ନାମୀଦାମୀ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବାକୁ ଯାଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଦୈନିକ ରୁମ୍‌ ଭଡା ୧୫,୦୦୦ ଟଙ୍କା ପଡ଼ିବ ବୋଲି କହିଲେ। ସେ ଯେତେବେଳେ ଫେରିଯିବାକୁ କହିଲେ ତାଙ୍କୁ ରୁମ୍‌ ଭଡ଼ା ୯,୫୦୦ ଟଙ୍କା ଦେବାକୁ କହିଲେ। ଡିସ୍‌ଚାର୍ଜ ବେଳକୁ ସେ ଜାଣିବାକୁ ପାଇଲେ ଯେ ସମାନ ସୁବିଧା ଥିବା ପାଖ ରୁମ୍‌ର ରୋଗୀ ଦୈନିକ ଭଡ଼ା ୭୦୦୦ଟଙ୍କା ଦେଉଛନ୍ତିି। ଯେହେତୁ ସରକାରୀ ଚିକିତ୍ସାଳୟରେ ସମସ୍ତ ସୁବିଧା ଉପଲବ୍ଧ ନୁହେଁ, ଜୀବନ ବଞ୍ଚାଇବା ପାଇଁ ରୋଗୀ ଘରୋଇ ଚିକିତ୍ସାଳୟକୁ ଆସୁଛନ୍ତି ଓ ମାତ୍ରାଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ କମିଟି ମାଧ୍ୟମରେ ଘରୋଇ ହସ୍ପିଟାଲର ବିଭିନ୍ନ ଚିକିତ୍ସା ପାଇଁ ଏକ ସର୍ବୋଚ୍ଚ ଦର ଧାର୍ଯ୍ୟ ହେବା ଆବଶ୍ୟକ।
ଉଚିତ ଅଡିଟ୍‌ ମାଧ୍ୟମରେ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ କମ୍‌ କରିବାର ମଧ୍ୟ ଆବଶ୍ୟକତା ଅଛି।
ସମାଜରେ ସବୁ ସେବାର ସମାନ ମହତ୍ତ୍ୱ ରହିଛି।
ଯଦି ତାଲିମପ୍ରାପ୍ତି ପରେ ଭାରତୀୟ ସୈନିକ କହିବେ ଆମେ ଚାଇନା ସୈନ୍ୟବାହିନୀ କିମ୍ବା ଆମେରିକା ସୈନ୍ୟବାହିନୀରେ ଯୋଗଦେଇ ଡଲାର ରୋଜଗାର କରିବୁ, ତା’ହେଲେ ଦେଶର ସ୍ଥିତି କ’ଣ ହେବ? ଜଣେ ଚାଷୀ ମାଟି କାଦୁଅରେ ବହୁତ ପରିଶ୍ରମ କରି ଭେଣ୍ଡି କିଲୋ ୨୦ଟଙ୍କାରେ ବିକନ୍ତି ଡାକ୍ତରଙ୍କୁ, ମାତ୍ର ଡାକ୍ତର ରୋଗ ପାଇଁ କାଗଜରେ ୨-୪ଟି ଔଷଧ ନାମ ଲେଖି ତାଙ୍କଠୁ ୨୦୦/୩୦୦/୪୦୦ ଟଙ୍କା ନେବା କେତେଦୂର ସମୀଚୀନ? ଅବଶ୍ୟ ଅନେକ ଡାକ୍ତର ଅଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ମାଗଣା କିମ୍ବା କମ୍‌ ପଇସାରେ ରୋଗୀ ସେବାରେ ବ୍ରତୀ ଅଛନ୍ତି। ଆଉ ମଧ୍ୟ ଏକ ସମସ୍ୟା ସାମ୍ନାକୁ ଆସୁଛି। ବର୍ତ୍ତମାନ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଔଷଧଗୁଡ଼ିକୁ ଚଢ଼ା ଦାମ୍‌ରେ ବିକ୍ରି କରୁଛନ୍ତି। ଡାକ୍ତରମାନେ ସେମାନଙ୍କ ଔଷଧ ପ୍ରେସ୍‌କ୍ରିପସନ କଲେ ସେମାନେ ମୋଟା ଅଙ୍କର କମିଶନି ଦେଉଥିବା ଆଲୋଚନା ହେଉଛି। ଫଳରେ ସାଧାରଣ ଜନତା ଶୋଷଣର ଶିକାର ହେଉଛନ୍ତି। ଅବଶ୍ୟ ସରକାର ଜନଔଷଧି କେନ୍ଦ୍ର ସ୍ଥାପନ କରିଛନ୍ତି, ଯେଉଁଠାରେ ଶସ୍ତା ଦାମରେ ଔଷଧ ମିଳୁଛି। ସେଗୁଡ଼ିକର ସଂଖ୍ୟା ବୃଦ୍ଧିକରି ତା’ର ଫାଇଦା ବିଷୟରେ ଜନସଚେତନତା ଆଣିବା ଆବଶ୍ୟକ। ତା’ ଛଡ଼ା ବର୍ତ୍ତମାନ ନକଲି ଔଷଧ ବିକ୍ରି ବଢିଚାଲିଛି। କୋଟି କୋଟି ଟଙ୍କାରେ ନକଲି କରୋନା ଔଷଧ ଓ ଇଞ୍ଜେକଶନ ଜବତ ହେଉଛି। ତେଣୁ ବଜାରରୁ ନକଲି ଔଷଧ ମୂଳପୋଛ ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ। କେବେ କେବେ ବୀମା ଧାରକଙ୍କଠାରୁ ଅତ୍ୟଧିକ ଲୋଭ ଆଶାରେ ଅନାବଶ୍ୟକ ପ୍ରେସ୍‌କ୍ରିପସନର ନଜିର ମଧ୍ୟ ସାମ୍ନାକୁ ଆସୁଛି I ଡାକ୍ତରଖାନା ଅସାଧୁ ଉପାୟରେ ବୀମା କମ୍ପାନୀକୁ କ୍ଷତି ପହଞ୍ଚାଇଲେ, ବୀମା କମ୍ପାନୀ ବନ୍ଦ ହେବାର ସମ୍ଭାବନା ମଧ୍ୟ ରହିଛି I
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ୧୦୦୦ ଲୋକରେ ଜଣେ ଡାକ୍ତର ରହିବା କଥା। ଭାରତରେ ୧୦୮୦ ଲୋକଙ୍କ ପାଇଁ ଜଣେ ଡାକ୍ତର ଥିବାବେଳେ ଓଡ଼ିଶାରେ ୨୧୮୭ ଜଣଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ପଶ୍ଚିମବଙ୍ଗରେ ୧୩୫୦ ଜଣଙ୍କ ପାଇଁ ଜଣେ ଓ ଆନ୍ଧ୍ର ପ୍ରଦେଶରେ ୧୦୯୧ ଜଣଙ୍କ ପାଇଁ ଜଣେ ଡାକ୍ତର ରହିଛନ୍ତି । ଗୁଜରାଟରେ ପ୍ରତି ୧୦୨୨ ଜଣରେ ଜଣେ ଲେଖାଏଁ ଡାକ୍ତର ଅଛନ୍ତି। ଆମ ରାଜ୍ୟରେ ଡାକ୍ତରଙ୍କର ଘୋର ଅଭାବ ଥିବାବେଳେ କରଦାତାଙ୍କ ପଇସାରେ ପାଠ ପଢ଼ି ଡଲାର ରୋଜଗାର କରିବା ଉଦ୍ଦେଶ୍ୟରେ ବିଦେଶକୁ ଯିବା ସମୀଚୀନ ନୁହେଁ।
ସେହିପରି ଆମ ରାଜ୍ୟରୁ ପ୍ରତିବର୍ଷ ଯେତେ ଡାକ୍ତର ଭାରତର ଅନ୍ୟାନ୍ୟ ସହରକୁ ଯାଆନ୍ତି, ସେ ଅନୁପାତରେ ବାହାର ରାଜ୍ୟର ଡାକ୍ତର ଆମ ରାଜ୍ୟକୁ ଆସନ୍ତି ନାହିଁ। ସେ ଯାହା ହେଉ , ଡାକ୍ତରଙ୍କ ଅଭାବ ରହିଛିୁ ଓ ଏହି ସମସ୍ୟା ନିଶ୍ଚିତ ରୂପେ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରୁଛି। ଦେଶର ସର୍ବୋଚ୍ଚ ଅଦାଲତ ଚିକିତ୍ସା ଖର୍ଚ୍ଚରେ ଅହେତୁକ ବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେଣୁ ମେଡିକାଲ ଶିକ୍ଷା କ୍ଷେତ୍ରରେ ସିଟ୍‌ କିଣା ବିକା ବନ୍ଦ କରିବା, ମେଡିକାଲ ସିଟ୍‌ ସଂଖ୍ୟା ବୃଦ୍ଧି ଓ ଘରୋଇ ହସ୍ପିଟାଲରେ ବିଭିନ୍ନ ଚିକିତ୍ସାର ସର୍ବୋଚ୍ଚ ଦର ନିର୍ଦ୍ଧାରଣ, ମେଡିକାଲ ପ୍ରେସ୍‌କ୍ରିପସନରେ ଟ୍ରେଡ୍‌ ନାମ (କମ୍ପାନୀର ବ୍ୟବସାୟିକ ନାମ) ପରିବର୍ତ୍ତେ ଔଷଧର ଜେନେରିକ ନାମ କିମ୍ବା ରାସାୟନିକ ନାମର ବାଧ୍ୟତାମୂଳକ ପ୍ରଚଳନ ଇତ୍ୟାଦି ପଦକ୍ଷେପ ନେଲେ ନିଶ୍ଚିତ ରୂପେ ଲୋକେ ମାତ୍ରାଧିକ ଚିକିତ୍ସା ଖର୍ଚ୍ଚରୁ ମୁକୁଳି ପାରିବେ। ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭାରତ ସରକାର), ଭୁବନେଶର
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri