ଭାରତୀୟ ମେଧାଶକ୍ତିର ଦେଶାନ୍ତର ଯାତ୍ରା

ଡ. ଚିତ୍ତରଂଜନ ମିଶ୍ର

ଉଚ୍ଚଶିକ୍ଷା ପାଇଁ ଭାରତୀୟ ଛାତ୍ରମାନଙ୍କ ଦେଶାନ୍ତର ଯାତ୍ରାର ପ୍ରବୃତ୍ତି ବଢିିଚାଲିଛି। ସଂପ୍ରତି ୧୧.୩ ଲକ୍ଷ ଭାରତୀୟ ଛାତ୍ର ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ଏବଂ ୨୦୨୨ ଏ କ୍ଷେତ୍ରରେ ରେକର୍ଡ କରିବାକୁ ଯାଉଛି। ଭାରତୀୟ ମୁଦ୍ରାର ମୂଲ୍ୟରେ ହ୍ରାସ ସତ୍ତ୍ୱେ ଏପରି ପରିସ୍ଥିତି ଦୃଷ୍ଟିଗୋଚର ହେଉଛି। ଏହି ଛାତ୍ରମାନେ କେବଳ ଟ୍ୟୁଶନ୍‌ ଫି’ ବାବଦକୁ ଅନେକ ବିଲିୟନ ଡଲାର ଅର୍ଥରାଶି ବ୍ୟୟ କରିଥାନ୍ତି। ରିପୋର୍ଟ ପ୍ରକାଶ ପାଇଛି ଯେ, ଭାରତୀୟ ଛାତ୍ରମାନେ ବିଦେଶରେ ବର୍ଷକୁ ପ୍ରାୟ ୩୦ ବିଲିୟନ ଡଲାରର ଅର୍ଥରାଶି ବ୍ୟୟ କରିଥାନ୍ତି। ଏହି ବାର୍ଷିକ ବ୍ୟୟ ପରିମାଣ ଏକ ବିଶାଳ ପୁଞ୍ଜି, ଯାହା ଏକାଧିକ କଲେଜ ଓ ବିଶ୍ୱବିଦ୍ୟାଳୟର କୋଠାବାଡ଼ି ନିର୍ମାଣ କ୍ଷେତ୍ରରେ ବିନିଯୋଗ କରାଯାଇପାରିବ। ଉଦାହରଣ ସ୍ବରୂପ, ୨୦୧୮ରେ ଦେଶରେ ୮ଟି ନୂଆ ଆଇ.ଆଇ.ଟି.କୁ ଫଣ୍ଡିଂ କରିବା ପାଇଁ କେନ୍ଦ୍ର ସରକାରଙ୍କ ସଂଶୋଧିତ ବଜେଟ ପରିମାଣ ୧୩,୯୯୦ କୋଟି ଥିଲା, ଯାହାକି ସେ ସମୟରେ ପ୍ରାୟ ୨ ବିଲିୟନ ଡଲାର। ଏଭଳି ଅତ୍ୟଧିକ ବ୍ୟୟ ସତ୍ତ୍ବେ ଭାରତୀୟ ଛାତ୍ରଙ୍କ ବିଦେଶ ପଳାୟନର ଆବଶ୍ୟକତା ପ୍ରକୃତରେ କ’ଣ ବୁଝାଇଥାଏ? ରିପୋର୍ଟ ଅନୁଯାୟୀ, ମା’ବାପାମାନେ କେବଳ ତାଙ୍କ ପିଲାମାନଙ୍କୁ ବିଦେଶରେ ପାଠ ପଢ଼ାଇବା ପାଇଁ ସେମାନଙ୍କ ଜମିବାଡ଼ି ଓ ଅନ୍ୟାନ୍ୟ ସମ୍ପତ୍ତି ବିକ୍ରି କରି ଦେଉଛନ୍ତି ଏବଂ ବ୍ୟାଙ୍କମାନଙ୍କରୁ ମଧ୍ୟ ପ୍ରଚୁର ପରିମାଣର ଋଣ ନେଉଛନ୍ତି।
ବିଭିନ୍ନ ସର୍ଭେ ଅନୁଯାୟୀ ୯୦ ପ୍ରତିଶତରୁ ଅଧିକ ଛାତ୍ର ଯଦି ସୁଯୋଗ ପାଆନ୍ତି ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ନିଶ୍ଚିତରୂପେ ଆଗଭର ହୋଇଥାନ୍ତି। ହେଲେ ପ୍ରଶ୍ନ ଉଠୁଛି- ଆମେ କାହିଁକି ଆନ୍ତର୍ଜାତିକ କଲେଜଗୁଡ଼ିକ ସହ ସମକକ୍ଷ ହୋଇପାରୁ ନାହୁଁ? ଆମେ ତାଙ୍କ ସହ କାହିଁକି ପ୍ରତିଯୋଗିତା କରିପାରୁନାହୁଁ? ଶିକ୍ଷାକ୍ଷେତ୍ରରେ ଆମେ କ’ଣ ସବୁ ଭୁଲ୍‌ କରୁଛୁ ସେସବୁର ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରାଯିବା ଆବଶ୍ୟକ। ଭାରତୀୟ ଛାତ୍ରମାନେ କାହିଁକି ବିଦେଶରେ ଅଧ୍ୟୟନ କରିବା ପାଇଁ ଅତିମାତ୍ରାରେ ଇଚ୍ଛୁକ ହୋଇଥାନ୍ତି ସେ ବିଷୟରେ ୫ଟି କାରଣ ଅବତାରଣା କରାଯାଇଛି।
୧. ଭାରତର ସାଧାରଣ କଲେଜଗୁଡ଼ିକ ଅଷ୍ଟ୍ରେଲିଆ, ୟୁ.କେ. କିମ୍ବା ଆମେରିକାର ସାଧାରଣ କଲେଜ ତୁଳନାରେ ଏକ ‘ବ୍ରାଣ୍ଡ୍‌ ଇମେଜ୍‌’ ସୃଷ୍ଟି କରିବାରେ ଅସଫଳ ହୋଇଛନ୍ତି। ମାତ୍ର ସ୍ବଳ୍ପ କେତେକ ଭାରତୀୟ ବିଶ୍ୱବିଦ୍ୟାଳୟକୁ ଛାଡ଼ିଦେଲେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଆଦୌ ଏକ ‘ବ୍ରାଣ୍ଡ ଇମେଜ୍‌’ ସୃଷ୍ଟି କରିପାରିନାହାନ୍ତି। ‘ଏଜୁକେଶନାଲ ବ୍ରାଣ୍ଡ୍‌ସ’ କହିଲେ ଶିକ୍ଷାନୁଷ୍ଠାନର ‘ବିଜ୍ଞାପନ’ ବା ‘ଲୋଗୋ’କୁ ବୁଝାଇ ନ ଥାଏ। ଏହା ଆଶା, ବିଶ୍ୱାସ, ଭରସା, ଦାୟିତ୍ୱବୋଧ, ଉତ୍କୃଷ୍ଟତା, ଶ୍ରେଷ୍ଠତା, ପ୍ରତିଷ୍ଠା, ଅତ୍ୟାଧୁନିକ ଜ୍ଞାନ ଏବଂ ନୀତିଶାସ୍ତ୍ରକୁ ବୁଝାଏ। କେତେ ଭାରତୀୟ ଘରୋଇ ବିଶ୍ୱବିଦ୍ୟାଳୟ ଏହି ମୂଲ୍ୟବୋଧକୁ ବୁଝୁଛନ୍ତି? ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ଭବ୍ୟ ଅଟ୍ଟାଳିକାମାନ ନିର୍ମାଣ କରିଛନ୍ତି, ହେଲେ ସେମାନଙ୍କର ଫାକଲ୍‌ଟି, ପାଠ୍ୟକ୍ରମ, ଉଦାରତା, ଗ୍ରହଣଶୀଳତା ଏବଂ ଆଚାର ବିଚାର ସଂପୂର୍ଣ୍ଣତା ଲାଭ କରିପାରିନାହିଁ। ୨.ସ୍ବଳ୍ପ କେତୋଟି ପୁରୁଣା ଭାରତୀୟ ଏଜୁକେଶନାଲ ବ୍ରାଣ୍ଡ ତଥାପି ଶ୍ରେଷ୍ଠତ୍ୱ ବଜାୟ ରଖିଛନ୍ତି। କେତେକ କଲେଜ, ଯେଉଁଗୁଡ଼ିକକୁ ‘ପ୍ରିମିୟମ୍‌ କଲେଜ’ ବୋଲି ଅଭିହିତ କରାଯାଉଥିଲା ସେଗୁଡ଼ିକୁ ଆଜି ବି ‘ପ୍ରିମିୟମ କଲେଜ୍‌’ ବୋଲି ଅଭିହିତ କରାଯାଉଛି।
ଏହି କଲେଜମାନଙ୍କରେ ଛାତ୍ର ହେବା ପାଇଁ ଦରଖାସ୍ତ ସଂଖ୍ୟା ୧୦ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଏପରି କି ନୂଆକରି ଗଢ଼ାଯାଇଥିବା ଆଇ.ଆଇ.ଟି. ଓ ଆଇ.ଆଇ.ଏମ୍‌.ଗୁଡ଼ିକ ପୁରୁଣା କଲେଜ ତୁଳନାରେ ସେହି ଏକାରକମର ସମ୍ମାନ ଓ ମର୍ଯ୍ୟାଦା ଲାଭ କରିପାରୁନାହାନ୍ତି ଏବଂ ତୁଳନାମତ୍କ ଭାବେ ସେମାନେ ଏକାଧିକ ସ୍ତର ନିମ୍ନରେ ରହିଛନ୍ତି।
କଲେଜଗୁଡ଼ିକର ନାଁ ବଦଳେଇ ଦେଲେ କିମ୍ବା ଏକ ବ୍ରାଣ୍ଡକୁ କମ୍‌ଜୋର କରିଦେଲେ ତାହା କୌଣସି ଚମତ୍କାର ଦେଖାଇ ପାରିବ ନାହିଁ। ଏହା ନାଁକୁ ନେଇ ନୁହେଁ ବରଂ ତତ୍ତ୍ୱକୁ ନେଇ, ବାସ୍ତବିକତାକୁ ନେଇ, ଅସ୍ତିତ୍ୱକୁ ନେଇ ଠିଆ ହୋଇଥାଏ। ଗୋଟିଏ ଇନ୍‌ଷ୍ଟିଚ୍ୟୁଶନ୍‌ରେ କାମ କରୁଥିବା ଲୋକ ଏହାର କର୍ମସଂସ୍କୃତି, ଆଚାର ବିଚାର ଏବଂ ମୂଲ୍ୟବୋଧ ସର୍ବଶେଷରେ ଇନ୍‌ଷ୍ଟିଚ୍ୟୁଶନକୁ ପ୍ରଥମ ଶ୍ରେଣୀର ମର୍ଯ୍ୟାଦା ପ୍ରଦାନ କରିଥାଏ। ଏହା ଅତ୍ୟନ୍ତ ଦୁଃଖର କଥା ଯେ, ହାତଗଣତି ମାତ୍ର କେତେକ ସମ୍ଭ୍ରାନ୍ତଶ୍ରେଣୀୟ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଛାଡ଼ିଦେଲେ ନୂଆ କଲେଜଗୁଡ଼ିକ କ୍ଷେତ୍ରରେ ଏହା ସେଭଳି ଫଳପ୍ରଦ ହୋଇପାରିନାହିଁ।
୩. ଅତ୍ୟନ୍ତ ମନୋରମ, ଲୋଭନୀୟ ଓ ଆକର୍ଷଣୀୟ କ୍ୟାମ୍ପସ୍‌, ଦୈନିକ ଖବର କାଗଜ ଓ ମାଗାଜିନ୍‌ମାନଙ୍କରେ ସମ୍ପୂର୍ଣ୍ଣ ପୃଷ୍ଠା ମଣ୍ଡନ କରୁଥିବା ସୁଦୃଶ୍ୟ ବିଜ୍ଞାପନ ଏବଂ ରାଜରାସ୍ତାର ଉଭୟ ପାର୍ଶ୍ୱରେ ବିଶାଳ ହୋର୍ଡିଂ ଆଦି ନୂଆ ଭାରତୀୟ କଲେଜଗୁଡ଼ିକର ପରିଚୟ ବହନ କରୁଅଛି। ଆମେ ‘ହାର୍ଡୱେର’ କ୍ଷେତ୍ରରେ ହୁଏତ ଅଗ୍ରଗତି ହାସଲ କରିପାରିଛେ, ପରନ୍ତୁ ‘ସଫ୍ଟୱେର’ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଅଛେ। ଆଜି ଆବଶ୍ୟକତା ରହିଛି ଦୂରଦୃଷ୍ଟିସମ୍ପନ୍ନ ମହାନ୍‌ ବ୍ୟକ୍ତିବିଶେଷଙ୍କର, ଯେଉଁମାନେ କି ଶିକ୍ଷାନୁଷ୍ଠାନ ନିର୍ମାଣରେ ନିଜର ଅନନ୍ୟ ପରାକାଷ୍ଠା ଓ ବ୍ୟକ୍ତିତ୍ୱର ମହାର୍ଘ ସ୍ପର୍ଶ ପ୍ରଦାନ କରି ରୁଦ୍ଧିମନ୍ତ କରିପାରିବେ। ଆକସ୍ମିକ ଭାବେ ଉତ୍ପନ୍ନ ହୋଇଥିବା ବ୍ୟବସାୟୀ ଅବା ବୟସର ଅପରାହ୍ନରେ ପାଦ ଥାପି କ୍ଳାନ୍ତ, ଶ୍ଲାନ୍ତ ଓ ଅବସନ୍ନ ହୋଇପଡ଼ିଥିବା ତଥା ବୃଦ୍ଧାବସ୍ଥା ପ୍ରାପ୍ତ କରିଥିବା କୌଣସି ଏକ ଅନାମଧେୟ କଲେଜର ଅବସରପ୍ରାପ୍ତ ପ୍ରଫେସର ଏହି କାମ ପାଇଁ ଆଦୌ ଉପଯୁକ୍ତ ବ୍ୟକ୍ତି ନୁହନ୍ତି। ହେଲେ ଏଭଳି ବ୍ୟକ୍ତିତ୍ୱସମ୍ପନ୍ନ ବ୍ୟକ୍ତି ବିଶେଷମାନେ ହିଁ କେତେକ ନୂଆ କଲେଜର ନେତୃତ୍ୱ ଓ ପରିଚାଳନା ଭାର ନିଜ ମୁଣ୍ଡରେ ବହନ କରି ଏବେ ବାଟ ଚାଲୁଛନ୍ତି।
୪. ଦଶନ୍ଧି ଦଶନ୍ଧି ଧରି ବହୁ ଆଲୋଚନା ପରେ ବୈଦେଶିକ ବିଶ୍ୱବିଦ୍ୟାଳୟମାନଙ୍କର କ୍ୟାମ୍ପସ୍‌ ଏବେ ବି ଭାରତ ବର୍ଷରେ ଖୋଲିପାରିନାହିଁ। ଏହି କ୍ୟାମ୍ପସଗୁଡ଼ିକ ଯଦି ବିଦେଶମୁହଁା ହେଉଥିବା ଛାତ୍ରୀଛାତ୍ରମାନଙ୍କ କିଛି ଅଂଶକୁ ଧାରଣ କରିପାରିବ ତେବେ ଏହା ସାର୍ଥକ ସାବ୍ୟସ୍ତ ହେବ। ୫. ସତ କହିବାକୁ ଗଲେ ଅନ୍ୟ ଦେଶମାନଙ୍କରେ ଯେପରି ଉଚ୍ଚଶିକ୍ଷିତ ଓ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ଚାକିରିର ସୁଯୋଗ ଓ ସମ୍ଭାବନା ହାତ ଠାରି ଡାକିଥାଏ ଭାରତରେ ସେଭଳି ସ୍ଥିତି ପ୍ରାୟ ନାହିଁ କହିଲେ ଚଳେ। ଆମ ଦେଶରେ ସଫ୍ଟୱେର ଭଳି ଆଉ କେତେକ କ୍ଷେତ୍ର ଅଛି, ଯେଉଁମାନେ କି ବହୁ ଇଞ୍ଜିନିୟରଙ୍କୁ ଚାକିରି ଯୋଗାଇ ଦେଇଥାଆନ୍ତି। କେତେକ ବହୁରାଷ୍ଟ୍ରୀୟ କମ୍ପାନୀ ଅଛନ୍ତି, ଯେଉଁମାନଙ୍କ ଚାକିରି କେବଳ କେତେକ ପ୍ରତିଷ୍ଠିତ କଲେଜର ଛାତ୍ରୀଛାତ୍ରମାନେ ହିଁ ପୋଛିନେଇଥାନ୍ତି। ଆମେ ଆମର ଶ୍ରେଷ୍ଠ ୨ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ଉତ୍ତମ ଚାକିରି ଯୋଗାଇଦେବାରେ ଭଲ ଫଳ ପ୍ରଦର୍ଶନ କରିଛୁ କିନ୍ତୁ ଶ୍ରେଷ୍ଟ ୨୦ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ନୁହେଁ ।
ଏଭଳି ସମସ୍ୟାର ସମାଧାନ ପାଇଁ ପଥଟିଏ ଆମକୁ ଶିକ୍ଷା ବ୍ୟବସ୍ଥାର ପରିଧି ବାହାରେ ଖୋଜିବାକୁ ପଡ଼ିବ। ଆମ ଅର୍ଥନୀତିକୁ ଆହୁରି ଉନ୍ମୁକ୍ତ କରିବାକୁ ପଡ଼ିବ, ଅପାର ଅଭିବୃଦ୍ଧି ପାଇଁ ନିରନ୍ତର ଅଭିଯାନ ଓ ପ୍ରଚଣ୍ଡ ପ୍ରେରଣା ଜାରି ରଖିବାକୁ ପଡ଼ିବ, ବିଶ୍ୱ ପାଇଁ ଆମକୁ ଏକ ମାନୁଫ୍ୟାକ୍ଚରିଙ୍ଗ୍‌ କେନ୍ଦ୍ର ହେବାକୁ ପଡ଼ିବ ଏବଂ ଏଭଳି ପଲିସି ପ୍ରସ୍ତୁତ କରିବାକୁ ପଡ଼ିବ, ଯାହାକି ଚାକିରି ସୃଷ୍ଟି କରୁଥିବା ସେକ୍ଟରକୁ ପୁଞ୍ଜି ଲଗାଣକାରୀମାନଙ୍କୁ ଆକର୍ଷିତ କରିପାରିବ। ଆମେ ଆମ ଯୁବଶକ୍ତିକୁ ପର୍ଯ୍ୟାପ୍ତ ସୁଯୋଗ ଓ ସମ୍ଭାବନାମୟ ଭବିଷ୍ୟତ ଭେଟିଦେବାକୁ ହେବ। ବ୍ୟବସ୍ଥାରେ ଥିବା ସମସ୍ୟାର ନାଡ଼ି ଚିପି ତା’ର ଠିକ୍‌ ନିରାମୟ କରାଯିବା ଆବଶ୍ୟକ। ଯେଉଁ କାରଣ ପାଇଁ ଛାତ୍ରୀଛାତ୍ରମାନେ ଦେଶଠୁ ମୁହଁ ମୋଡ଼ିଦେଇ ବିଦେଶକୁ ଧାଉଁଛନ୍ତି ସେହି କାରଣର ନିରାକରଣ ଆମକୁ ହିଁ କରିବାକୁ ପଡ଼ିବ ଏବଂ ଯେତେଶୀଘ୍ର କରିପାରିବା ତାହା ରାଷ୍ଟ୍ର ପାଇଁ ପରମ ଶୁଭଙ୍କର ସାବ୍ୟସ୍ତ ହେବ।
ମୋ: ୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?