ପରିବେଶର ସାବତ ମା’

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

 

ଆମ ପରିବେଶ ଏବେ ଯେଉଁ ରୂପ ଧାରଣ କରି ଜୀବଜଗତ ସହାୟକ ହୋଇପାରିଛି, ସେଥିକୁ ଅବଶ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ସୂର୍ଯ୍ୟଠାରୁ ଆରମ୍ଭ କରି ନଦନଦୀ, ପାହାଡ଼ ପର୍ବତ ଓ ସମୁଦ୍ର ପର୍ଯ୍ୟନ୍ତ ଅନେକଙ୍କର। ତେବେ ତନ୍ମଧ୍ୟରୁ ତା’ର ନିକଟତମ ସମ୍ପର୍କ ଅରଣ୍ୟ ସହିତ, ପରିବାର ମଧ୍ୟରେ ମା’ ଭଳି। ଏହା କ୍ରମାଗତ ଭାବେ ତା’ର ପ୍ରତିଟି ଅଂଗ, ଜଳ, ବାୟୁ ଏବଂ ମୃତ୍ତିକାକୁ ସମୃଦ୍ଧ କରିଥାଏ। ଫଳରେ ପରିବେଶ ଜୀବମାନଙ୍କ ପାଇଁ ଉପାଦେୟ ହୁଏ ଏବଂ ତହିଁରେ ଜୈବ ବିଭିନ୍ନତା ଓ ପରିସଂସ୍ଥା ବିକଶିତ ହୁଏ। କିନ୍ତୁ ବିଗତ ଦୁଇ ଶତାବ୍ଦୀରୁ ଅଧିକ କାଳ ଧରି, ଶିଳ୍ପ ବିପ୍ଳବର ଆରମ୍ଭ ପରଠାରୁ ଆମେ ପ୍ରଗତିର ଦ୍ୱାହି ଦେଇ ପ୍ରାକୃତିକ ସମ୍ପଦର ଅସହନୀୟ ଉପଯୋଗ କରିଚାଲିଛୁ ଏବଂ ତାହାର ପ୍ରଥମ ଓ ପ୍ରଧାନ ଶିକାର ହୋଇଛି ଏହି ମହାନ୍‌ ଜନନୀ। ପରିଣାମସ୍ବରୂପ, ”ଷ୍ଟେଟ୍‌ ଅଫ୍‌ ଓ୍ବାଲଡସ୍‌ ଟ୍ରି ରିପୋର୍ଟ-୨୦୨୧“ ଅନୁସାରେ ବିଗତ ୩୦୦ ବର୍ଷ ମଧ୍ୟରେ ବିଶ୍ୱର ପ୍ରାୟ ୪୦% ଅରଣ୍ୟ ବିଲୁପ୍ତ ହୋଇଛି ଏବଂ ବର୍ତ୍ତମାନ ଥିବା ପ୍ରାୟ ୬୦ ହଜାର ପ୍ରଜାତିର ବୃକ୍ଷମାନଙ୍କ ମଧ୍ୟରୁ ୩୦ ଶତାଂଶ ଏବେ ବିଲୁପ୍ତିର ସମ୍ମୁଖୀନ। ବିଶେଷକରି ବିଗତ ୫୦ ବର୍ଷ ମଧ୍ୟରେ ଏ ପ୍ରକ୍ରିୟା ଦ୍ରୁତରୁ ଦ୍ରୁତତର ହୋଇ ଚାଲିଛି। ପରିବେଶ ଉପରେ ପଡ଼ୁଥିବା ଏହାର ପ୍ରଭାବର ଏବେ ଅନ୍ୟତମ ଭୟାବହ ପରିପ୍ରକାଶ ହୋଇଛି ଜାଗତିକ ଉଷ୍ମତା ବୃଦ୍ଧି ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ, ଯାହାକି ଆମନ୍ତ୍ରଣ କରୁଛି ବିବିଧ ପ୍ରାକୃତିକ ବିପର୍ଯ୍ୟୟକୁ। ଏହି ସମୟ ମଧ୍ୟରେ ଏଗୁଡ଼ିକ ପ୍ରାୟ ୫ ଗୁଣ ବୃଦ୍ଧି ପାଇଛି। ଅତଏବ ୧୯୭୦ରୁ ୧୯୭୯ ମଧ୍ୟରେ ପ୍ରାୟ ୭୦ଟି ପ୍ରଳୟଙ୍କରୀ ବନ୍ୟା ଓ ବାତ୍ୟାଭଳି ଘଟଣା ଘଟିଥିଲାବେଳେ ୨୦୧୦ରୁ ୨୦୧୯ ମଧ୍ୟରେ ତାହା ପ୍ରାୟ ୩,୫୦୦ରେ ପହଞ୍ଚତ୍ଛି (ଜାତିସଂଘର ଓ୍ବାଲର୍‌ଡ ମେଟେରୋଲୋଜିକାଲ୍‌ ରିପୋର୍ଟ ୨୦୨୧)। ଏହାର ଅର୍ଥନୈତିକ କ୍ଷୟକ୍ଷତି ସେହି ସମୟ ମଧ୍ୟରେ ବୃଦ୍ଧି ପାଇଛି ପ୍ରାୟ ୧୦ ଗୁଣ- ୧୫୦ ବିଲିୟନ ଡଲାରରୁ ୧୫୦୦ ବିଲିୟନ୍‌ ଡଲାରକୁ। ପରିଣାମସ୍ବରୂପ, ଏବେ ଆମଠାରେ କିଛି ମାତ୍ରାରେ ଚେତନାର ଉଦୟ ଘଟିଛି। ତେବେ ଏହି ଅପକର୍ମ ବନ୍ଦ ରଖିବା ପରିବର୍ତ୍ତେ ଆମେ ନିଜ ସୀମିତ ଜ୍ଞାନ ଖଟାଇ ଏହାର ବିକଳ୍ପମାନ ସନ୍ଧାନ କରୁଛୁ। ଏଗୁଡ଼ିକ ମଧ୍ୟରେ ପ୍ରଥମ ଓ ପ୍ରଧାନଟି ହେଲା ପୁନଃ ବନୀକରଣ। ଏହା ବାୟୁରୁ ଅଙ୍ଗାରକାମ୍ଳ ଶୋଷଣ କରିବା ସଙ୍ଗେ ସଙ୍ଗେ ଜଳଚକ୍ରକୁ ସୁସଂଗତ କରିବା ମାଧ୍ୟମରେ ପରିବେଶକୁ ଶୀତଳ ଓ ସମୃଦ୍ଧ କରି ଜାଗତିକ ଉଷ୍ମତାର ଧ୍ୱଂସକାରୀ ପ୍ରଭାବକୁ ପ୍ରଶମିତ କରିବ ବୋଲି ଆଶା କରୁଛୁ। ତେବେ ଏହା ଏକ ଭ୍ରାନ୍ତଧାରଣା ବୋଲି ଏବେ କହିଲେଣି ଅନେକ ପରିବେଶ ବିଜ୍ଞାନୀ। ସେମାନଙ୍କ ମତରେ ଏହି ନୂତନ ଭାବେ ସୃଷ୍ଟ ଅରଣ୍ୟ କଦାପି ପ୍ରାକୃତିକ ଅରଣ୍ୟର ବିକଳ୍ପ ହୋଇପାରିବ ନାହିଁ।
୨୦୨୧ରେ ଜାତିସଂଘ ଆରମ୍ଭ କରିଛି ପରିସଂସ୍ଥା ପୁନରୁଦ୍ଧାର ଦଶକ (୨୦୨୧-୨୦୩୦)। ଏହି କାର୍ଯ୍ୟକ୍ରମର ପୁରୋଭାଗରେ ରହିଛି ବ୍ୟାପକ ବୃକ୍ଷରୋପଣ। ଏହା ଜାଗତିକ ଉଷ୍ମତା ଏବଂ ଜଳବାୟୁ ପରିବର୍ତ୍ତନଜନିତ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ‘ରୌପ୍ୟ ବୁଲେଟ୍‌’ ରୂପେ କାର୍ଯ୍ୟକରିବ ବୋଲି ମନେକରାଯାଇଛି। ସାରା ବିଶ୍ୱ ଏହାକୁ ହିଁ ସେଥିପାଇଁ ନୀତିଗତ ଭାବେ ଗ୍ରହଣ କରିଛି। ଯଦିଓ ଅଙ୍ଗାରକାମ୍ଳ ଶୋଷଣ ଲାଗି ଅନ୍ୟାନ୍ୟ ପ୍ରାକୃତିକ ଉପାୟମାନ ରହିଛି, କିନ୍ତୁ ଏଭଳି ଅବିଚାରିତ ବୃକ୍ଷରୋପଣକୁ ଜାତିସଂଘ ଆନୁକୂଲ୍ୟରେ ବିଗତ ବିଶ୍ୱ ପରିବେଶ ଦିବସ ପାଳନ (୬.୬.୨୦୨୨) ଅବସରରେ ବହୁ ପରିବେଶବିତ୍‌ ବିରୋଧ କରିଛନ୍ତି। ସେମାନଙ୍କ ମତରେ, କେବଳ ଅଧିକ ସଂଖ୍ୟକ ବୃକ୍ଷରୋପଣ ଓ କୃତ୍ରିମ ଅରଣ୍ୟ ସୃଷ୍ଟି କଦାପି ପରିବେଶ ସହାୟକ ହୋଇପାରିବ ନାହିଁ। କାରଣ, ଏହାଦ୍ୱାରା ପ୍ରାକୃତିକ ନିବାସଗୁଡ଼ିକର ପୁନରୁଦ୍ଧାର ସମ୍ଭବ ନୁହେଁଁ। ସେଥିପାଇଁ ଉପଯୁକ୍ତ ସ୍ଥାନରେ ପ୍ରାକୃତିକ ଅରଣ୍ୟରେ ଥିବା ସ୍ଥାନୀୟ ପ୍ରଜାତିଗୁଡ଼ିକୁ ଉପଯୁକ୍ତ ସାନ୍ଧ୍ରତାରେ ରୋପଣ କରାଯିବା ଦରକାର। ନଚେତ୍‌ ତାହା ବିପରୀତ ଫଳଦାୟୀ ହୋଇପାରେ। ଉଦାହରଣ ସ୍ବରୂପ, ତୃଣଭୂମି ଓ ନିମ୍ନଭୂମି ଯଥେଷ୍ଟ ପରିମାଣରେ ଅଙ୍ଗାର ଗଚ୍ଛିତ କରି ରଖିଥା’ନ୍ତି। ଏଭଳି ଅଙ୍ଗାର-ସମୃଦ୍ଧ ଭୂମିରେ ଯଦି ଆମେ ବୃହତ୍‌କାୟ ବୃକ୍ଷ ରୋପଣ କରୁ, ତା’ହେଲେ ବୃକ୍ଷ ଶୋଷଣ କରୁଥିବା ଅଙ୍ଗାରଠାରୁ ଏହା ଅଧିକମାତ୍ରାରେ ମୃତ୍ତିକାରୁ ନିର୍ଗତ ହେବ। ଅନ୍ୟପକ୍ଷରେ, ଏହି ପ୍ରଜାତିଗୁଡ଼ିକ ସ୍ଥାନୀୟ ହୋଇ ନ ଥିବାରୁ ସେଠାର ଜୀବଜନ୍ତୁ ବା ପକ୍ଷୀ ଆଦିକୁ ଆବାସ ଯୋଗାଇବାକୁ ଅକ୍ଷମ ହେବେ। ଏହା ବ୍ୟତୀତ ଏଭଳି ବହିରାଗତ ପ୍ରଜାତି ବୃକ୍ଷମାନଙ୍କର ପରିବେଶ ଉପରେ ଅନ୍ୟାନ୍ୟ ନକାରାତ୍ମକ ପ୍ରଭାବ ମଧ୍ୟ ରହିଛି। ଉଦାହରଣ ସ୍ବରୂପ, ୨୦୧୮ରେ ଘୋର ଜଳ ସଂକଟର ସମ୍ମୁଖୀନ ହୋଇଥିବା କେପ୍‌ଟାଉନଠାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏଠାରେ ଆକାଶିଆ ଏବଂ ପାଇନ୍‌ ଭଳି ବହିରାଗତ ବୃକ୍ଷରୋପଣ ଏ ସମସ୍ୟାକୁ ଅଧିକ ଜଟିଳ କରିଥିଲା। ଏହି ମାତ୍ରାଧିକ ଜଳ ଶୋଷଣକାରୀ ବୃକ୍ଷଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଶୋଷଣ କରୁଥିଲେ ବାର୍ଷିକ ପ୍ରାୟ ୫୫ ନିୟୁତ ଲିଟର ଜଳ। ଫଳରେ ବିପଜ୍ଜନକ ଭାବେ ଖସି ଚାଲିଥିଲା ଭୂତଳ ଜଳସ୍ତର।
ସେହିପରି ପୁନଃ ବନୀକରଣରେ ପ୍ରାକୃତିକ ଅରଣ୍ୟରେ ଥିବା ସବୁ ପ୍ରଜାତିର ଉଦ୍ଭିଦ ରୋପଣ କରିବା କଦାପି ସମ୍ଭବ ନୁହେଁ। ତେଣୁ ତାହା ଜୈବ ବିଭିନ୍ନତାର ସୁରକ୍ଷା ଦୃଷ୍ଟିରୁ ଆଦୌ ଉପାଦେୟ ହୋଇ ନ ପାରେ। କାରଣ ତାହା ସ୍ଥାନୀୟ ପକ୍ଷୀ, ଜୀବଜନ୍ତୁ, କୀଟପତଙ୍ଗ ଇତ୍ୟାଦିଙ୍କୁ ଉପଯୁକ୍ତ ଆବାସ ଯୋଗାଇ ପାରିବ ନାହିଁ। ଏଥିଯୋଗୁ ଆମ ଦେଶର ଅନେକ ସ୍ଥାନରେ ସୃଷ୍ଟି କରାଯାଇଥିବା ନୂତନ ଅରଣ୍ୟ ଜୈବ ବିଭିନ୍ନତା ସମୃଦ୍ଧ ହୋଇପାରୁ ନାହିଁ। ପୁନଶ୍ଚ ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯେ, ପ୍ରଚୁର ଅର୍ଥ ବିନିଯୋଗରେ କରାଯାଇଥିବା ବ୍ୟାପକ ଚାରାରୋପଣ ପରବର୍ତ୍ତୀ ଯତ୍ନ ଅଭାବରୁ ନଷ୍ଟ ହୋଇଯାଉଛି। କେତେକ ସ୍ଥାନରେ ଏଗୁଡ଼ିକର ବଞ୍ଚତ୍ରହିବା ହାର ୧୦ରୁ ୨୦ ଶତାଂଶ ଏବଂ ଆଉ କେତେକ ସ୍ଥାନରେ ସର୍ବୋଚ୍ଚ ୫୦ରୁ ୬୦ ଶତାଂଶ ମଧ୍ୟରେ ସୀମିତ ରହୁଛି।
ଅବିଚାରିତ ଭାବେ ଚାଲିଥିବା ପୁନଃ ବନୀକରଣ ସମୟରେ ସ୍ଥାନଟିର ପରିସଂସ୍ଥୀୟ ଏବଂ ସାମାଜିକ ପରିସ୍ଥିତିକୁ ପ୍ରାୟତଃ ବିଚାରକୁ ନିଆଯାଉ ନାହିଁ। ଉଦାହରଣ ସ୍ବରୂପ, ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ପଶୁପକ୍ଷୀ ଓ କୀଟପତଙ୍ଗ ଜୀବନଧାରଣ ପାଇଁ ସେଠାର ପ୍ରାକୃତିକ ବୃକ୍ଷଲତା ଓ ଗୁଳ୍ମ ଆବଶ୍ୟକ କରନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଜୀବିକା ଅର୍ଜନ ପାଇଁ ତାହାରି ଉପରେ ନିର୍ଭରଶୀଳ ହୋଇଥା’ନ୍ତି। ସେଠାରେ ନୂତନ ବହିରାଗତ ବୃକ୍ଷରୋପଣ କରାଗଲେ ଏସବୁ ଗଭୀର ଭାବେ ବ୍ୟାହତ ହେବା ସ୍ବାଭାବିକ।
ଏହା ବ୍ୟତୀତ ଗୋଟିଏ ପ୍ରାକୃତିକ ଜଙ୍ଗଲ କାଟି ବିକଳ୍ପ ରୂପେ ପୁନଃ ବନୀକରଣ କରାଗଲେ ସେଥିପାଇଁ ରୋପଣ ହେଉଥିବା ଚାରାଗଛଗୁଡ଼ିକ ବଢ଼ି ଏହାକୁ ତା’ର ସମକକ୍ଷ କରିବା ଲାଗି ଆବଶ୍ୟକ ହୋଇଥାଏ ୨୫ରୁ ୩୦ ବର୍ଷ। ଏହି ସମୟ ମଧ୍ୟରେ ଏହା ପରିବେଶ ଓ ପରିସଂସ୍ଥାନକୁ ଖୁବ୍‌ କମ୍‌ ସହାୟତା କରିଥାଏ। ଅତଏବ ତାହାରି ଭିତରେ ସେ ସ୍ଥାନର ପରିସଂସ୍ଥୀୟ ରୂପରେଖ ତଥା ଜଳବାୟୁ ଅଣଲେଉଟା ଭାବେ ବଦଳିଯିବା ସ୍ବାଭାବିକ।
ଏସବୁ ଦୃଷ୍ଟିରୁ ବିଚାର କଲେ ପରିବେଶ ଓ ପରିସଂସ୍ଥାର ସୁରକ୍ଷା ଲାଗି ଏକମାତ୍ର ନିର୍ଭରଯୋଗ୍ୟ ମାର୍ଗ ହେଲା ପ୍ରାକୃତିକ ଅରଣ୍ୟର ସୁରକ୍ଷା। ବାଡ଼ବାଗ୍ନୀ କିମ୍ବା ଅନ୍ୟ କୌଣସି କାରଣରୁ କୌଣସିଠାରେ ତାହା ଧ୍ୱଂସପ୍ରାପ୍ତ ହେଲେ ତାହାକୁ ସେଠାରେ ପ୍ରାକୃତିକ ଭାବେ ପୁନର୍ବାର ବିକଶିତ ହେବାକୁ ଦିଆଯିବା ଉଚିତ। ପ୍ରାକୃତିକ ଅରଣ୍ୟ ପ୍ରକୃତିର ଏକ ଅନନ୍ୟ ସୃଷ୍ଟି। ତାହା ପ୍ରକୃତରେ ପରିବେଶର ଜନନୀ। ଅତଏବ ତାହାର ବିକଳ୍ପ ରୂପେ ପୁନଃ ବନୀକରଣ ତାକୁ କେବଳ ଦେଇପାରିବ ସାବତ ମା’ଟିଏ।

ଉଷା ନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri