ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି।
୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଯନ୍ତ୍ରୀ ଜ୍ଞାନେନ୍ଦୁ ଦାସ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଓଲଟା ଜାତୀୟ ପତାକା ଉଡ଼ାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ପତାକା ଉତ୍ତୋଳନ ପରେ ଖବରଦାତାମାନେ ପହଞ୍ଚିବା ପୂର୍ବରୁ ସେ କାର୍ଯ୍ୟାଳୟ ଛାଡ଼ି ଚାଲିଯାଇଥିଲେ।
ଜାତୀୟ ପତାକା କେବଳ ଏକ କପଡ଼ା ନୁହେଁ; ଏହା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ। ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ। ତେବେ ଜଣେ ସରକାରୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏପରି ଭାବେ ଓଲଟା ଜାତୀୟ ପତାକା ଉଡ଼ିବା ଘଟଣାକୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଶିକ୍ଷାବିତ୍ମାନେ ନିନ୍ଦା କରିଛନ୍ତି।
ଏହି ଘଟଣା ଦେଶପ୍ରେମୀ ଜନସାଧାରଣଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ କରି, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି।
ଅନ୍ୟପକ୍ଷରେ, ଓଲଟା ଜାତୀୟ ପତାକା ଉଡ଼ୁଥିବା ଦୃଶ୍ୟ ଖବରଦାତାଙ୍କ କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି। ପରେ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ତରବରିଆ ଭାବେ ପତାକାକୁ ତଳକୁ ନେଇ ପୁନର୍ବାର ସଠିକ୍ ଭାବେ ବାନ୍ଧି ଉତ୍ତୋଳନ କରିଥିବା ସୂଚନା ମିଳିଛି।
ଏହି କାର୍ଯ୍ୟାଳୟକୁ ବର୍ଷକୁ ଥରେ ମଧ୍ୟ ବିଭାଗୀୟ ଉଚ୍ଚ ଅଧିକାରୀମାନେ ନିୟମିତ ଭାବେ ପରିଦର୍ଶନ କରୁନଥିବା ଅଭିଯୋଗ ମଧ୍ୟ ହୋଇଛି। କେବଳ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଜାତୀୟ ଦିବସରେ ଅଧିକାରୀମାନଙ୍କ ଉପସ୍ଥିତି ଦେଖିବାକୁ ମିଳେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ହିଁ ଅନେକ ସମୟରେ କାର୍ଯ୍ୟାଳୟ ଖୋଲି କାର୍ଯ୍ୟ ସମ୍ପାଦନ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଜାତୀୟ ପତାକା ଓଲଟା ଉଡ଼ିବା ଘଟଣାରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

