ଶ୍ରୀନଗର, ୫।୧ : ଜମ୍ମୁ-କଶ୍ମୀରର ପୁଲୱାମା ଜିଲାରେ ବୁଧବାର ସକାଳେ ମିଳିତ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ସମେତ ତିନିଜଣ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।
କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଯେ ପୁଲୱାମାର ଚାନ୍ଦଗାମରେ ହୋଇଥିବା ଏନକାଉଣ୍ଟର ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ଦୁଇଟି ଏମ୍-୪ କାର୍ବାଇନ୍ସ୍, ଗୋଟିଏ ଏକେ-୪୭ ରାଇଫଲ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
କଶ୍ମୀର ଜୋନ ପୋଲିସ ପକ୍ଷରୁ ଏହି ବିଷୟରେ ସୂଚନା ଦେଇ କୁହାଯାଇଛି ଯେ, ଚାନ୍ଦଗାମରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା କିନ୍ତୁ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ଲୋପ କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଅପରେଶନ୍ ଅଲ୍ଆଉଟ୍ ଜାରି ରହିଛି।