ଶିଶୁଙ୍କ ପାଇଁ ନିର୍ବାଚନୀ ଇସ୍ତାହାର

ଘାସିରାମ ପଣ୍ଡା

 

ନିର୍ବାଚନ ଆସିଲେ ରାଜନୈତିକ ଦଳମାନେ ଇସ୍ତାହାର ପ୍ରକାଶ କରନ୍ତି। ବିଭିନ୍ନ ବର୍ଗର ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଇସ୍ତାହାରରେ ଦଳମାନେ ନିର୍ବାଚନୀ ପ୍ରତିଶ୍ରୁତି ଦିଅନ୍ତି। ଇସ୍ତାହାର ପ୍ରସ୍ତୁତି ବେଳେ ଅନ୍ୟ ସବୁ ବର୍ଗ ସ୍ବତନ୍ତ୍ର ଧ୍ୟାନ ଆକର୍ଷିତ କରୁଥିବା ବେଳେ ଶିଶୁମାନଙ୍କ କଥା ହଜିଯାଏ। ଶିଶୁଙ୍କ କଥା ଆସିଲେ ଏହା ଆପେ ଆପେ ମହିଳାଙ୍କ ସହ ଯୋଡିହୋଇଯାଏ। ସେଥିପାଇଁ ସରକାରମାନେ ମଧ୍ୟ ବିଭାଗର ନାଁ ମହିଳା ଓ ଶିଶୁ ବିକାଶ ବିଭାଗ ବୋଲି ରଖିଛନ୍ତି। ଶିଶୁମାନଙ୍କ ପ୍ରତିପୋଷଣ, ଲାଳନ ପାଳନର ଦାୟିତ୍ୱ ମହିଳାମାନଙ୍କ ବୋଲି ଧରି ନିଆଯାଇଛି। ଭବିଷ୍ୟତ ନାଗରିକ ବୋଲି ପିଲା ବିଚାର୍ଯ୍ୟ ହେଉଥିବାରୁ ଏମାନଙ୍କର ସ୍ବାତନ୍ତ୍ର୍ୟ ରହୁନାହିଁ। ଶିଶୁଟିଏ ଭୋଟ ଦେବାକୁ ଯୋଗ୍ୟ ହୋଇ ନ ପାରେ କିନ୍ତୁ ସେ ବର୍ତ୍ତମାନର ନାଗରିକ। ଏଣୁ ମିଶନ ବାତ୍ସଲ୍ୟ ଭଳି ଯୋଜନାରେ ଶିଶୁ ସଭା, ବିଦ୍ୟାଳୟ ପରିଚାଳନା କମିଟିରେ ଶିଶୁଙ୍କ ସହଭାଗିତା ସେମାନଙ୍କର ଅଧିକାର ଭାବରେ ଆଗକୁ ଆସିଲାଣି। ଅପରପକ୍ଷରେ ବିପଦଶଙ୍କୁଳ ଅବସ୍ଥାରେ ଥିବା ପିଲାଙ୍କୁ ସୁରକ୍ଷା ବ୍ୟବସ୍ଥା ଭିତରକୁ ଆଣିବାର ପ୍ରତିଶ୍ରୁତି ଦିଆଯାଇ ପାରିଲେ ପିତାମାତା ଓ ପରିବାର ସଦସ୍ୟଙ୍କ ଭୋଟକୁ ରାଜନୈତିକ ଦଳମାନେ ଆକର୍ଷିତ କରିପାରିବେ। ଏଣୁ ରାଜନୈତିକ ଦଳମାନେ ଏଥର ଶିଶୁଙ୍କୁ ସ୍ବତନ୍ତ୍ର ଶ୍ରେଣୀଭୁକ୍ତ କରି ପ୍ରତିଶ୍ରୁତି ପ୍ରସ୍ତୁତ କଲେ ଉଦାହରଣ ତିଆରି ହୋଇପାରିବ।
ପିଲାମାନେ ଜୀବନ ଚକ୍ରରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆମ ଜିଲାମାନଙ୍କରେ ଶିଶୁ ଜନ୍ମର ସ୍ଥିତିକୁ ଅନୁଧ୍ୟାନ କଲେ ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବରେ କମୁଛି। ସେହିପରି ପ୍ରଥମ ହଜାରେ ଦିନରେ ବଞ୍ଚୁଥିବା ପିଲାଙ୍କ ସଂଖ୍ୟାରେ ମଧ୍ୟ ସେଭଳି ପାର୍ଥକ୍ୟ ପରିଲକ୍ଷିତ ହେଉଛି। ଝିଅପିଲାମାନେ ତୁଳନାତ୍ମକ ଭାବରେ ଅଧିକ ରକ୍ତହୀନତାର ଶିକାର ହେଉଛନ୍ତି। ବର୍ଷରେ ପାଖାପାଖି ୨୫ ହଜାରରୁ ଅଧିକ ନାବାଳିକା ଗର୍ଭବତୀ ହେଉଛନ୍ତି। ନାବାଳିକା ହେବା କାରଣରୁ ଏମାନେ ମମତା ଭଳି ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହା ସେମାନଙ୍କୁ ମାତୃ ମୃତ୍ୟୁ, ଶିଶୁ ମୃତ୍ୟୁ ଭଳି ବିପଦଶଙ୍କୁଳତା ଆଡ଼କୁ ଅଧିକ ଟାଣି ନେଉଛି। ଆମ ରାଜ୍ୟରେ ୨୦.୫ ଭାଗ ଝିଅ ୧୮ରୁ କମ୍‌ ବୟସରେ ବାହା ହେଉଛନ୍ତି। ଏହା ସେମାନଙ୍କ ସମସ୍ତ ଶିଶୁ ଅଧିକାରକୁ କ୍ଷୁଣ୍ଣ କରିବା ସହ ଘରୋଇ ହିଂସାର ଶିକାର ହେବାକୁ ବାଧ୍ୟ କରୁଛି। ଏସବୁ ସମସ୍ୟା ଲିଙ୍ଗଗତ ବୈଷମ୍ୟ କାରଣରୁ ସାଧାରଣତଃ ହେଉଛି। ରାଜନୈତିକ ଦଳମାନେ ଏଥିପାଇଁ ସମ୍ବେଦନଶୀଳ ହେଲେ ଯୁବତୀ ଓ ମହିଳାଙ୍କୁ ଆକର୍ଷିତ କରିପାରିବେ। କିଶୋରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଗତ ଦଶବର୍ଷ ଭିତରେ ପୁଅ ପିଲାଙ୍କ ଭିତରେ ବାଲ୍ୟ ବିବାହର ପରିମାଣ ୨.୩ ଭାଗ ବଢ଼ିଛି। ସ୍ଥାନୀୟ ଅଞ୍ଚଳରେ ଶିକ୍ଷା, କୌଶଳ ବିକାଶ ଓ ନିଯୁକ୍ତିର ସୁଯୋଗ ସେମାନଙ୍କୁ ଏଭଳି ଚାପରୁ ମୁକ୍ତି ଦେବ। ମାତାପିତା ନ ଥିବା ପିଲା ବା ଏକାକୀ ମାତାପିତା ଥିବା ପିଲା ବେଶି ଅସହାୟ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି। କୋଭିଡ୍‌ ବେଳେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ଆଶୀର୍ବାଦ ଯୋଜନାରେ ସହାୟତା ଦେଇ ବର୍ତ୍ତମାନର ଶାସକ ଦଳ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। କିନ୍ତୁ ପରିତାପର ବିଷୟ, ୨୦୧୯ରୁ ଚିହ୍ନିତ ହୋଇଥିବା ପ୍ରାୟ ଦୁଇ ଲକ୍ଷ ପିଲାଙ୍କ ଭିତରୁ ଅନେକେ ଏଯାଏ ସୁରକ୍ଷା ବଳୟ ଭିତରକୁ ଆସିପାରି ନାହାନ୍ତି। ପାଳକ ମାତାପିତା ଜରିଆରେ ମାସକୁ ଚାରିହଜାର ଟଙ୍କାର ସହାୟତା ଦିଆଯାଇ ଏଭଳି ପିଲାଙ୍କୁ ଥଇଥାନ କରାଯାଇ ପାରିବାର ବ୍ୟବସ୍ଥା ଥିଲେ ବି ଆମେ ଏପର୍ଯ୍ୟନ୍ତ ମାତ୍ର ଅଠେଇଶଟି ପିଲାଙ୍କୁ ଏଥିରେ ଯୋଡ଼ି ପାରିଛୁ। ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁ କେଉଁ ଦିନରୁ ଶିଶୁ ଶ୍ରମିକ ଗଣନା ହୋଇପାରି ନାହିଁ! ରାଜ୍ୟରେ କେତେ ଶିଶୁ ଓ ପରିବାର ରାସ୍ତା କଡ଼ରେ ରହିଲା ଭଳି ସ୍ଥିତିରେ ଅଛନ୍ତି ତା’ର ମଧ୍ୟ ଆକଳନ ଆମ ପାଖରେ ନାହିଁ! ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁ ଅନେକ ପରିବାର ବାସ୍ତୁହରା ହେଉଛନ୍ତି, ଦାଦନ ଯାଉଛନ୍ତି। ଏହି ପରିବାରରେ ଥିବା ପିଲାମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁସାରେ ନିଜ ଗାଁରୁ ଏକ କିଲୋମିଟର ଦୂରତାରେ ପ୍ରାଥମିକ ଶିକ୍ଷାର ଅଧିକାର ଥିବାବେଳେ ଦଶ ହଜାରରୁ ଅଧିକ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇ ପିଲାଙ୍କୁ ଘରେ ରହିବା ପାଇଁ ବାଧ୍ୟ କରାଯାଇଛି। ସମସ୍ୟାର ଆଲୋଚନା କଲେ ଆହୁରି କେତେ ଯେ ହେବ ତା’ର ଆକଳନ ନାହିଁ।
ରାଜ୍ୟରେ ସାଧାରଣ ନିର୍ବାଚନ ଘୋଷଣା ହେବା ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ଭିତରେ ତପତ୍ରତା ମଧ୍ୟ ସେତିକି ବଢୁଛି। ଭୋଟରଙ୍କୁ କିଏ କେମିତି ପ୍ରଲୋଭିତ ଓ ଆକର୍ଷିତ କରିପାରିବ ସେ ନେଇ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଛି। ତେବେ ଶିଶୁଙ୍କ ସମସ୍ୟାକୁ ବୁଝିବା ଓ ସେହି ଆଧାରରେ ନିର୍ବାଚନୀ ପ୍ରତିଶ୍ରୁତିର ଘୋଷଣା ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ବର୍ଗର ଶିଶୁଙ୍କ ସହ ଆଲୋଚନା କରିବା ସେମାନଙ୍କର ବିଶ୍ୱସନୀୟତାକୁ ବୃଦ୍ଧି କରିବ। ଏହା ବ୍ୟତୀତ ବିଭିନ୍ନ ସାମାଜିକ ଅନୁଷ୍ଠାନମାନେ ମଧ୍ୟ ଏଦିଗରେ ପ୍ରୟାସ କରୁଛନ୍ତି। ସାଧାରଣତଃ ଏହି ସବୁ ଅନୁଷ୍ଠାନ ଓ ଅନୁଷ୍ଠାନ ସମୂହଙ୍କ ଦ୍ୱାରା ରାଜନୈତିକ ଦଳଙ୍କ ସହ ଯୋଗାଯୋଗ କରାଯାଇ ଇସ୍ତାହାରକୁ ପ୍ରଭାବିତ କରିବାର ପ୍ରୟାସ ହୋଇଥାଏ। କିନ୍ତୁ ରାଜନୈତିକ ଦଳମାନେ ଯଦି ନିଜ ତରଫରୁ ଏଭଳି ସଙ୍ଗଠନ ଓ ଶିଶୁ ପ୍ରତିନିଧିମାନଙ୍କୁ ଶୁଣିବା ପାଇଁ ପ୍ରୟାସ କରନ୍ତେ, ସେମାନଙ୍କର ଲୋକପ୍ରିୟତା ବୃଦ୍ଧିରେ ଏହା ବିଶେଷ ସହାୟକ ହୁଅନ୍ତା।
ସୁବର୍ଣ୍ଣପୁର
ମୋ: ୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?