ଶିଶୁଙ୍କ ପାଇଁ ନିର୍ବାଚନୀ ଇସ୍ତାହାର

ଘାସିରାମ ପଣ୍ଡା

 

ନିର୍ବାଚନ ଆସିଲେ ରାଜନୈତିକ ଦଳମାନେ ଇସ୍ତାହାର ପ୍ରକାଶ କରନ୍ତି। ବିଭିନ୍ନ ବର୍ଗର ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଇସ୍ତାହାରରେ ଦଳମାନେ ନିର୍ବାଚନୀ ପ୍ରତିଶ୍ରୁତି ଦିଅନ୍ତି। ଇସ୍ତାହାର ପ୍ରସ୍ତୁତି ବେଳେ ଅନ୍ୟ ସବୁ ବର୍ଗ ସ୍ବତନ୍ତ୍ର ଧ୍ୟାନ ଆକର୍ଷିତ କରୁଥିବା ବେଳେ ଶିଶୁମାନଙ୍କ କଥା ହଜିଯାଏ। ଶିଶୁଙ୍କ କଥା ଆସିଲେ ଏହା ଆପେ ଆପେ ମହିଳାଙ୍କ ସହ ଯୋଡିହୋଇଯାଏ। ସେଥିପାଇଁ ସରକାରମାନେ ମଧ୍ୟ ବିଭାଗର ନାଁ ମହିଳା ଓ ଶିଶୁ ବିକାଶ ବିଭାଗ ବୋଲି ରଖିଛନ୍ତି। ଶିଶୁମାନଙ୍କ ପ୍ରତିପୋଷଣ, ଲାଳନ ପାଳନର ଦାୟିତ୍ୱ ମହିଳାମାନଙ୍କ ବୋଲି ଧରି ନିଆଯାଇଛି। ଭବିଷ୍ୟତ ନାଗରିକ ବୋଲି ପିଲା ବିଚାର୍ଯ୍ୟ ହେଉଥିବାରୁ ଏମାନଙ୍କର ସ୍ବାତନ୍ତ୍ର୍ୟ ରହୁନାହିଁ। ଶିଶୁଟିଏ ଭୋଟ ଦେବାକୁ ଯୋଗ୍ୟ ହୋଇ ନ ପାରେ କିନ୍ତୁ ସେ ବର୍ତ୍ତମାନର ନାଗରିକ। ଏଣୁ ମିଶନ ବାତ୍ସଲ୍ୟ ଭଳି ଯୋଜନାରେ ଶିଶୁ ସଭା, ବିଦ୍ୟାଳୟ ପରିଚାଳନା କମିଟିରେ ଶିଶୁଙ୍କ ସହଭାଗିତା ସେମାନଙ୍କର ଅଧିକାର ଭାବରେ ଆଗକୁ ଆସିଲାଣି। ଅପରପକ୍ଷରେ ବିପଦଶଙ୍କୁଳ ଅବସ୍ଥାରେ ଥିବା ପିଲାଙ୍କୁ ସୁରକ୍ଷା ବ୍ୟବସ୍ଥା ଭିତରକୁ ଆଣିବାର ପ୍ରତିଶ୍ରୁତି ଦିଆଯାଇ ପାରିଲେ ପିତାମାତା ଓ ପରିବାର ସଦସ୍ୟଙ୍କ ଭୋଟକୁ ରାଜନୈତିକ ଦଳମାନେ ଆକର୍ଷିତ କରିପାରିବେ। ଏଣୁ ରାଜନୈତିକ ଦଳମାନେ ଏଥର ଶିଶୁଙ୍କୁ ସ୍ବତନ୍ତ୍ର ଶ୍ରେଣୀଭୁକ୍ତ କରି ପ୍ରତିଶ୍ରୁତି ପ୍ରସ୍ତୁତ କଲେ ଉଦାହରଣ ତିଆରି ହୋଇପାରିବ।
ପିଲାମାନେ ଜୀବନ ଚକ୍ରରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆମ ଜିଲାମାନଙ୍କରେ ଶିଶୁ ଜନ୍ମର ସ୍ଥିତିକୁ ଅନୁଧ୍ୟାନ କଲେ ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବରେ କମୁଛି। ସେହିପରି ପ୍ରଥମ ହଜାରେ ଦିନରେ ବଞ୍ଚୁଥିବା ପିଲାଙ୍କ ସଂଖ୍ୟାରେ ମଧ୍ୟ ସେଭଳି ପାର୍ଥକ୍ୟ ପରିଲକ୍ଷିତ ହେଉଛି। ଝିଅପିଲାମାନେ ତୁଳନାତ୍ମକ ଭାବରେ ଅଧିକ ରକ୍ତହୀନତାର ଶିକାର ହେଉଛନ୍ତି। ବର୍ଷରେ ପାଖାପାଖି ୨୫ ହଜାରରୁ ଅଧିକ ନାବାଳିକା ଗର୍ଭବତୀ ହେଉଛନ୍ତି। ନାବାଳିକା ହେବା କାରଣରୁ ଏମାନେ ମମତା ଭଳି ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହା ସେମାନଙ୍କୁ ମାତୃ ମୃତ୍ୟୁ, ଶିଶୁ ମୃତ୍ୟୁ ଭଳି ବିପଦଶଙ୍କୁଳତା ଆଡ଼କୁ ଅଧିକ ଟାଣି ନେଉଛି। ଆମ ରାଜ୍ୟରେ ୨୦.୫ ଭାଗ ଝିଅ ୧୮ରୁ କମ୍‌ ବୟସରେ ବାହା ହେଉଛନ୍ତି। ଏହା ସେମାନଙ୍କ ସମସ୍ତ ଶିଶୁ ଅଧିକାରକୁ କ୍ଷୁଣ୍ଣ କରିବା ସହ ଘରୋଇ ହିଂସାର ଶିକାର ହେବାକୁ ବାଧ୍ୟ କରୁଛି। ଏସବୁ ସମସ୍ୟା ଲିଙ୍ଗଗତ ବୈଷମ୍ୟ କାରଣରୁ ସାଧାରଣତଃ ହେଉଛି। ରାଜନୈତିକ ଦଳମାନେ ଏଥିପାଇଁ ସମ୍ବେଦନଶୀଳ ହେଲେ ଯୁବତୀ ଓ ମହିଳାଙ୍କୁ ଆକର୍ଷିତ କରିପାରିବେ। କିଶୋରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଗତ ଦଶବର୍ଷ ଭିତରେ ପୁଅ ପିଲାଙ୍କ ଭିତରେ ବାଲ୍ୟ ବିବାହର ପରିମାଣ ୨.୩ ଭାଗ ବଢ଼ିଛି। ସ୍ଥାନୀୟ ଅଞ୍ଚଳରେ ଶିକ୍ଷା, କୌଶଳ ବିକାଶ ଓ ନିଯୁକ୍ତିର ସୁଯୋଗ ସେମାନଙ୍କୁ ଏଭଳି ଚାପରୁ ମୁକ୍ତି ଦେବ। ମାତାପିତା ନ ଥିବା ପିଲା ବା ଏକାକୀ ମାତାପିତା ଥିବା ପିଲା ବେଶି ଅସହାୟ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି। କୋଭିଡ୍‌ ବେଳେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ଆଶୀର୍ବାଦ ଯୋଜନାରେ ସହାୟତା ଦେଇ ବର୍ତ୍ତମାନର ଶାସକ ଦଳ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। କିନ୍ତୁ ପରିତାପର ବିଷୟ, ୨୦୧୯ରୁ ଚିହ୍ନିତ ହୋଇଥିବା ପ୍ରାୟ ଦୁଇ ଲକ୍ଷ ପିଲାଙ୍କ ଭିତରୁ ଅନେକେ ଏଯାଏ ସୁରକ୍ଷା ବଳୟ ଭିତରକୁ ଆସିପାରି ନାହାନ୍ତି। ପାଳକ ମାତାପିତା ଜରିଆରେ ମାସକୁ ଚାରିହଜାର ଟଙ୍କାର ସହାୟତା ଦିଆଯାଇ ଏଭଳି ପିଲାଙ୍କୁ ଥଇଥାନ କରାଯାଇ ପାରିବାର ବ୍ୟବସ୍ଥା ଥିଲେ ବି ଆମେ ଏପର୍ଯ୍ୟନ୍ତ ମାତ୍ର ଅଠେଇଶଟି ପିଲାଙ୍କୁ ଏଥିରେ ଯୋଡ଼ି ପାରିଛୁ। ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁ କେଉଁ ଦିନରୁ ଶିଶୁ ଶ୍ରମିକ ଗଣନା ହୋଇପାରି ନାହିଁ! ରାଜ୍ୟରେ କେତେ ଶିଶୁ ଓ ପରିବାର ରାସ୍ତା କଡ଼ରେ ରହିଲା ଭଳି ସ୍ଥିତିରେ ଅଛନ୍ତି ତା’ର ମଧ୍ୟ ଆକଳନ ଆମ ପାଖରେ ନାହିଁ! ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁ ଅନେକ ପରିବାର ବାସ୍ତୁହରା ହେଉଛନ୍ତି, ଦାଦନ ଯାଉଛନ୍ତି। ଏହି ପରିବାରରେ ଥିବା ପିଲାମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁସାରେ ନିଜ ଗାଁରୁ ଏକ କିଲୋମିଟର ଦୂରତାରେ ପ୍ରାଥମିକ ଶିକ୍ଷାର ଅଧିକାର ଥିବାବେଳେ ଦଶ ହଜାରରୁ ଅଧିକ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇ ପିଲାଙ୍କୁ ଘରେ ରହିବା ପାଇଁ ବାଧ୍ୟ କରାଯାଇଛି। ସମସ୍ୟାର ଆଲୋଚନା କଲେ ଆହୁରି କେତେ ଯେ ହେବ ତା’ର ଆକଳନ ନାହିଁ।
ରାଜ୍ୟରେ ସାଧାରଣ ନିର୍ବାଚନ ଘୋଷଣା ହେବା ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ଭିତରେ ତପତ୍ରତା ମଧ୍ୟ ସେତିକି ବଢୁଛି। ଭୋଟରଙ୍କୁ କିଏ କେମିତି ପ୍ରଲୋଭିତ ଓ ଆକର୍ଷିତ କରିପାରିବ ସେ ନେଇ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଛି। ତେବେ ଶିଶୁଙ୍କ ସମସ୍ୟାକୁ ବୁଝିବା ଓ ସେହି ଆଧାରରେ ନିର୍ବାଚନୀ ପ୍ରତିଶ୍ରୁତିର ଘୋଷଣା ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ବର୍ଗର ଶିଶୁଙ୍କ ସହ ଆଲୋଚନା କରିବା ସେମାନଙ୍କର ବିଶ୍ୱସନୀୟତାକୁ ବୃଦ୍ଧି କରିବ। ଏହା ବ୍ୟତୀତ ବିଭିନ୍ନ ସାମାଜିକ ଅନୁଷ୍ଠାନମାନେ ମଧ୍ୟ ଏଦିଗରେ ପ୍ରୟାସ କରୁଛନ୍ତି। ସାଧାରଣତଃ ଏହି ସବୁ ଅନୁଷ୍ଠାନ ଓ ଅନୁଷ୍ଠାନ ସମୂହଙ୍କ ଦ୍ୱାରା ରାଜନୈତିକ ଦଳଙ୍କ ସହ ଯୋଗାଯୋଗ କରାଯାଇ ଇସ୍ତାହାରକୁ ପ୍ରଭାବିତ କରିବାର ପ୍ରୟାସ ହୋଇଥାଏ। କିନ୍ତୁ ରାଜନୈତିକ ଦଳମାନେ ଯଦି ନିଜ ତରଫରୁ ଏଭଳି ସଙ୍ଗଠନ ଓ ଶିଶୁ ପ୍ରତିନିଧିମାନଙ୍କୁ ଶୁଣିବା ପାଇଁ ପ୍ରୟାସ କରନ୍ତେ, ସେମାନଙ୍କର ଲୋକପ୍ରିୟତା ବୃଦ୍ଧିରେ ଏହା ବିଶେଷ ସହାୟକ ହୁଅନ୍ତା।
ସୁବର୍ଣ୍ଣପୁର
ମୋ: ୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri