ଥୁଆମୂଳ ରାମପୁର,୨୩।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଗ୍ରାମପଞ୍ଚାୟତ ଅମଠାଗୁଡ଼ା ଗ୍ରାମକୁ ଯିବା ବାଟରେ ପଡ଼ୁଥିବା ଏକ ଛୋଟ ନାଳ ଯୋଗୁ ବୁଧବାର ଅପରାହ୍ଣ ପ୍ରାୟ ୪ଟାରେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ଜଣେ ଗର୍ଭବତୀଙ୍କ ନିକଟରେ ୧୦୨ ଆମ୍ବୁଲାନ୍ସ ପହଞ୍ଚି ନ ପାରି ଅଧାରାସ୍ତାରେ ଅଟକି ରହିଥିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ସବୁଠି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଗର୍ଭବତୀ ଓ ପରିବାର ଲୋକେ କଷ୍ଟକର ପରିସ୍ଥିତିରେ ନାଳ ପାର ହୋଇ ଆମ୍ବୁଲାନ୍ସ ନିକଟକୁ ଆସିଥିଲେ। ଏହି ଘଟଣାକୁ ନେଇ ଏକାସାଙ୍ଗରେ ଉଭୟ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କାର୍ଯ୍ୟଦକ୍ଷତା ଏବଂ ପ୍ରଶାସନର ଦାୟିତ୍ୱବୋଧ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାଇରାଲ ଭିଡିଓରେ ଡ୍ରାଇଭର ନିଜ ପକ୍ଷ ରଖି କହିଛନ୍ତି, ନାଳ ଓ ରାସ୍ତା ଖାଲଖମା ଥିବାରୁ ଗାଡ଼ି ଭାଙ୍ଗିଯିବାର ଆଶଙ୍କା ରହିଥିଲା।
ଜରୁରୀକାଳୀନ ପରିସ୍ଥିତିରେ ଏଭଳି ଆଭିମୁଖ୍ୟକୁ ନେଇ ଡ୍ରାଇଭରଙ୍କ କାର୍ଯ୍ୟଦକ୍ଷତା ଓ ଦାୟିତ୍ୱବୋଧ ଉପରେ ସାଧାରଣରେ ପ୍ରଶ୍ନ ଉଠୁଛି। ଅନ୍ୟପଟେ, ଏହି ସମ୍ପୂର୍ଣ୍ଣ ଘଟଣା ପଛରେ ପ୍ରଶାସନିକ ଅବହେଳା ଓ ମୌଳିକ ଭିତ୍ତିଭୂମିର ଅଭାବ ସ୍ପଷ୍ଟ ଭାବେ ଧରାପଡ଼ିଛି।
ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଓ ଗମନାଗମନକୁ ସୁଗମ କରିବା ପାଇଁ ସରକାରଙ୍କ ବହୁ ଯୋଜନା ଥିବା ସତ୍ତ୍ୱେ ଅମଠାଗୁଡ଼ାକୁ ଯିବା ବାଟରେ ଏକ ଛୋଟ ନାଳ ଉପରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବ୍ୟବସ୍ଥା କାହିଁକି ହୋଇପାରିନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହି ସମସ୍ୟା ଯୋଗୁ କେବଳ ଅମଠାଗୁଡ଼ା ନୁହେଁ, ବରଂ କୂଆଙ୍ଗ ଗ୍ରାମବାସୀ ମଧ୍ୟ ଠିକ ସମୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଉକ୍ତ ସ୍ଥାନରେ ତୁରନ୍ତ ଏକ ନୂତନ କଲଭର୍ଟ କିମ୍ବା ନୂତନ କେନାଲ ନିର୍ମାଣ କରାଗଲେ ଭବିଷ୍ୟତରେ ଏଭଳି ପରିସ୍ଥିତି ଉପୁଜିବ ନାହିଁ ଏବଂ ଅମଠାଗୁଡ଼ା ଓ କୂଆଙ୍ଗ ଗ୍ରାମବାସୀ ଆମ୍ବୁଲାନ୍ସ ସେବା ପାଇପାରିବେ।

