ଆଇନଷ୍ଟାଇନ୍‌ ଓ ଭାରତୀୟ

ସୁଧିରାଜ ରାଉତ

ଜଣେ ବନ୍ଧୁ ସକାଳୁ ଫୋନ୍‌ କରି କହିଲା, ତୋତେ ହ୍ବାଟ୍ସଆପ୍‌ରେ ଲିଙ୍କ୍‌ ପଠାଇଛି, ଦେଖେ ଆଇନଷ୍ଟାଇନ୍‌ ଭକ୍ତ! ଲିଙ୍କ୍‌ରେ ଯାଇ ଦେଖିଲି ଉକ୍ତ ଭିଡିଓଟି ବହୁଦିନ ପୂର୍ବରୁ ଦେଖିଥିବା ଭିଡିଓଟିଏ। ଭାବିଲି, ବନ୍ଧୁକୁ ଫୋନ୍‌ କରି କହିବି ଆତଙ୍କବାଦ ଓ ମୌଲାଗିରିକୁ ଫ୍ରାନ୍ସ ବିରୋଧ କରିବାରୁ ଯେଭଳି ପାକିସ୍ତାନ, ବାଂଲାଦେଶ, ତୁର୍କୀ ଦେଶ ସମୂହରେ ଫ୍ରାନ୍ସ ସାମଗ୍ରୀ ବହିଷ୍କାର କରାଗଲା, ଆମେ ଭାରତୀୟ କ’ଣ ସେହି ଭାବରେ ଆଇନଷ୍ଟାଇନ୍‌ ସୃଜନକୁ ବହିଷ୍କାର କରିବା କି? ତେବେ ଆମ ପାଖରେ ଗଚ୍ଛିତ ପରମାଣୁ ବୋମା, ଇସ୍ରୋ, ଭାବା ଆଟୋମିକ୍‌ ରିସର୍ଚ୍ଚ ଆଦିର ଲମ୍ବା ତାଲିକା, ଏସବୁ ବର୍ଜନ କରିବାକୁ ହେବ। ସକାଳୁ ସକାଳୁ ବନ୍ଧୁଙ୍କର ଗରମ ଜାତୀୟତାରେ ଜଳ ଢାଳିବାକୁ ମନ ମନାକଲା, ତେଣୁ କିଛି ନ କହି ନୀରବ ରହିଲି।
ପ୍ରତିଟି ନାଗରିକ ନିଜ ଜାତିକୁ, ଦେଶକୁ ଭଲପାଇବା ଖୁବ୍‌ ଆବଶ୍ୟକ ଏବଂ ସୌଭାଗ୍ୟର କଥା ଏହା ଏକ ପ୍ରାକୃତିକ ଗୁଣ। ପ୍ରତିଟି ମଣିଷ ଭିତରେ ଅଳ୍ପେ, ଅଧିକ ନିଜ ଜାତି, ଧର୍ମ, ଦେଶ ପ୍ରତି ଭଲପାଇବା ରହିଥାଏ। କିନ୍ତୁ ଅନ୍ଧ ଜାତୀୟତା, ଉତ୍ତେଜନାଭରା ଜାତୀୟତା ଜାତିକୁ, ଦେଶକୁ ତଳକୁ ତଳକୁ ନିଏ ସିନା ତା’ର ଉତ୍ତରଣ ଘଟାଏ ନାହିଁ। ଏହାର ଉଦାହରଣ ବିଶ୍ୱ ଇତିହାସରେ ପଢ଼ିଛି, ସାମାନ୍ୟ ସଚେତନ ହେଲେ ତାହା ଦେଖିପାରିବା।
୧୯୨୦ ମସିହାରେ କୌଣସି ଏକ ପ୍ରସଙ୍ଗରେ ଆଇନଷ୍ଟାଇନ୍‌ ଲେଖିଥିଲେ, ”ଭାରତୀୟମାନେ ଶାରୀରିକ ଓ ମାନସିକ ଭାବରେ ଦୁର୍ବଳ, ପନ୍ଦର ମିନିଟ୍‌ ଏକାଗ୍ର ହୋଇପାରନ୍ତି ନାହିଁ। ଏଥିପାଇଁ ଅନେକ ଭାବରେ ଭାରତର ଜଳବାୟୁ ଏବଂ ବଂଶାନୁଗତ କାରଣ ଦାୟୀ।“ ଆଇନଷ୍ଟାଇନ୍‌ କେବଳ ଭାରତ ସମ୍ପର୍କରେ ନୁହେଁ ଚାଇନା, ଶ୍ରୀଲଙ୍କା, ଫ୍ରାନ୍ସ, ଜର୍ମାନ, ଆମେରିକା ସମ୍ପର୍କରେ ମଧ୍ୟ କିଛି ହଜମ ନ ହେବା ଭଳି ଉକ୍ତି କହିଛନ୍ତି ଏବଂ ନିଜ ଇହୁଦୀ ଧର୍ମକୁ ଅନ୍ଧବିଶ୍ୱାସ, କୁସଂସ୍କାରପୂର୍ଣ୍ଣ କହିବା ସଭିଏ ଜାଣିଛୁ। ବର୍ତ୍ତମାନ ବିଚାରର ବିଷୟ ଭାରତୀୟଙ୍କ ସମ୍ପର୍କରେ ତାଙ୍କ ଉକ୍ତିକୁ ଜଣେ ଭାରତୀୟ କିଭଳି ଗ୍ରହଣ କରିବ? ଜଣେ ଶ୍ରେଷ୍ଠ ସୃଜନ ମଣିଷଙ୍କ ଉକ୍ତିକୁ ନିନ୍ଦାସୂଚକ ଶବ୍ଦ ଭାବି ବିରୋଧ କରିବ ନା ଏଇ ଉକ୍ତିରେ ସଚେତନ ହେବାପାଇଁ ଖୋରାକ ସାଉଁଟିବ? ଗୋଟିଏ ଘଟଣାକୁ ଗୋଟିଏ ଜାତି କେଉଁ ରୂପରେ ଦେଖୁଛି, ପ୍ରତିକ୍ରିୟା ପ୍ରକାଶ କରୁଛି ଏବଂ ଶିକ୍ଷାଗ୍ରହଣ କରୁଛି ଏହା ତାହାର ଭବିଷ୍ୟତକୁ ନିର୍ମାଣ କରେ। ଭାରତବର୍ଷ ତରଫରୁ ଏ ଉକ୍ତିକୁ ନେଇ କୌଣସି ରାଜନୈତିକ ଅବା ସାଂସ୍କୃତିକ ବିରୋଧ ସାମାନ୍ୟ ହୋଇନାହିଁ, ଏହା ହିଁ ମୋ ମହାନ୍‌ ଦେଶର ମହାନତା ଏବଂ ଅସାଧାରଣତା। କିନ୍ତୁ ବିଶ୍ୱର ଜଣେ ଅସାଧାରଣ ମଣିଷଙ୍କ ଏ ଉକ୍ତିକୁ ନେଇ ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକରେ କୌଣସି ସାମାନ୍ୟ ବିତର୍କ ନ ହେବା, ଗୋଟିଏ ଖବରକାଗଜରେ ଏ ଚିନ୍ତନକୁ ନେଇ ଗୋଟିଏ ସ୍ତମ୍ଭ ଲେଖା ନ ହେବା ଘଟଣା ହିଁ ଆମ ଚିନ୍ତାଶକ୍ତିର ଦୁର୍ବଳତା ଏବଂ ସ୍ଥାଣୁତାକୁ ଦର୍ଶାଉଛି; ଯାହା ଆଇନଷ୍ଟାଇନ୍‌ ଆମକୁ ସତର୍କ କହିଛନ୍ତି।
ଭାରତବର୍ଷ ଜଗତକୁ ଦେଇଛି କ’ଣ? ଅନେକେ କୁହନ୍ତି, ଏଥିପାଇଁ ପରାଧୀନତା ଦାୟୀ। କିନ୍ତୁ କାହିଁକି ପରାଧୀନ ହେଲୁ ଆମକୁ ତାହା ଦିଶୁନାହିଁ। ସୃଜନ ଭୁଲିଲୁ, ପୁରୁଷାର୍ଥ ଭୁଲିଲୁ, ପରାକ୍ରମ ଭୁଲିଲୁ। କେବଳ ନିଜ ସଂକୀର୍ଣ୍ଣ ସ୍ବାର୍ଥ ପଛରେ ଶହଶହ ବର୍ଷ ମାତିଲୁ, ତେଣୁ ହେଲୁ ପରାଧୀନ। ଏଇ ମନୋଭାବ କେବଳ ଆମକୁ ପ୍ରଭାବିତ କରିନାହିଁ, ଆମ ସ୍ବଭାବରେ ରୂପନେଇ ଆମ ଜୀବକୋଷମାନଙ୍କୁ ଅକ୍ତିଆର କରି ଆମ ପରବର୍ତ୍ତୀ ପିଢ଼ିକୁ ଖୁବ୍‌ ପ୍ରଭାବିତ କରିଛି। କାରଣ ଏହା ବିବର୍ତ୍ତନ ନିୟମ। ଆଇନଷ୍ଟାଇନ୍‌ଙ୍କ ବିଶ୍ୱାସ ଏଥିପାଇଁ ଭାରତର ଜଳବାୟୁ ଅନେକାଂଶରେ ଦାୟୀ। ଏଇ କଥାର କିଛି ସତ୍ୟତା ରହିଛି କି? ଭାରତର ଉର୍ବର ଭୂମି, ତା’ର ନଦନଦୀ, ତା’ର ଅସାଧାରଣ ଭୌଗୋଳିକ ଅବସ୍ଥିତି ଏଠି ବିଶ୍ୱର ପ୍ରଥମ ଏବଂ ଭବ୍ୟ ସଭ୍ୟତା ଗଢ଼ିବାକୁ, ଶାନ୍ତିପ୍ରିୟ ଜୀବନ ବଞ୍ଚତ୍ବାକୁ ତାକୁ ଆଦ୍ୟକାଳରେ ଖୁବ୍‌ ସହଯୋଗ କରିଛି। କିନ୍ତୁ ଫ୍ରାନ୍ସ, ଜର୍ମାନ, ଜାପାନ ସବୁଠି ଏ ସହଯୋଗ ପ୍ରକୃତିର ନାହିଁ ପରିଣାମ ତ ସେଠି ମଣିଷକୁ ଅନବରତ ସଙ୍ଘର୍ଷ କରିବାକୁ, ଲଢ଼ିବାକୁ ହୋଇଛି। ପ୍ରକୃତି ସହ ଲଢ଼ିବାର ଭାବ ସେମାନଙ୍କ ଜୀବକୋଷ ଦେଇ, ସଂସ୍କୃତି ହୋଇ ପରବର୍ତ୍ତୀ ପିଢ଼ିକୁ ବଂଶାନୁଗତ ଭାବେ ମାଡ଼ିଯାଇଛି। କଥାରେ ଅଛି, ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। କଥାଟିରେ ଅନେକ ସତ୍ୟତା ରହିଛି ଏବଂ ପାଶ୍ଚାତ୍ୟକୁ ବାହ୍ୟ ଆବିଷ୍କାର ତଥା ବାହ୍ୟ ସାମର୍ଥ୍ୟ ପ୍ରାପ୍ତିରେ ଏଇ ଭାବ ବରଦାନ ସାବ୍ୟସ୍ତ ହୋଇଛି। ନିଷ୍ଠା ଏବଂ ନିରପେକ୍ଷ ଭାବେ ଦେଖିଲେ ଆଇନଷ୍ଟାଇନ୍‌ଙ୍କ କଥାରେ ଅଳ୍ପ ବହୁତ ସତ୍ୟ ଅବଶ୍ୟ ରହିଛି।
ଆଇନଷ୍ଟାଇନ୍‌ ବିଜ୍ଞାନ ଓ ଦର୍ଶନ ମଧ୍ୟରେ ଥିବା ଦୂରତାକୁ ନିଜ ପ୍ରଜ୍ଞା ଦୃଷ୍ଟିରେ ସମାପ୍ତ କରିଥିଲେ। ଇସ୍ରାଏଲ୍‌ ରାଷ୍ଟ୍ରପତି ପଦକୁ ପ୍ରତ୍ୟାଖ୍ୟାନ କରିବା, ପଦପଦବୀ ମାନ ଅଭିମାନଠାରୁ ସେ ଥିଲେ ବହୁଦୂର। ତେଣୁ ଏଭଳି ଏକ ମଣିଷ ରତ୍ନ ଆମ ସମ୍ପର୍କରେ ଯାହା କହିଛନ୍ତି ତାକୁ ଠିକ୍‌ ଭାବରେ ବୁଝିଲେ ତାହା ଆମକୁ, ଆମର ଅନେକ ଦୁର୍ବଳତା ସବୁକୁ ଡେଇଁଯିବାକୁ ନିଶ୍ଚୟ ଖୁବ୍‌ ସାହାଯ୍ୟ କରିବ। ଯେଉଁମାନେ ଅନ୍ଧ ନ୍ୟାୟରେ ଆଇନଷ୍ଟାଇନ୍‌ଙ୍କ ଉକ୍ତିକୁ ବିରୋଧ କରନ୍ତି ବା କରିବାକୁ ଚାହାନ୍ତି ସେହିମାନଙ୍କ ପାଇଁ ଇତିହାସରୁ ଦୁଇପଦ ଲେଖିବାକୁ ବାଧ୍ୟ ହେଉଛି। ”ମୋର ବିଶ୍ୱାସ, ଭାରତର ଦୁର୍ବଳ ହେବାର ପ୍ରଧାନ କାରଣ ଦାସତ୍ୱ ନୁହେଁ, ଦାରିଦ୍ର୍ୟ ନୁହେଁ, ଚିନ୍ତାଶକ୍ତିର ହ୍ରାସ, ଜ୍ଞାନର ମାତୃଭୂମିରେ ଅଜ୍ଞାନର ବିସ୍ତାର।“ ଏହା ଶ୍ରୀଅରବିନ୍ଦଙ୍କ ଉକ୍ତି। ଏବେ କୁହ! ଏ ଉକ୍ତି କ’ଣ ଭାରତ ବିରୋଧୀ? ସ୍ବାମୀ ବିବେକାନନ୍ଦ ଏଇ କଥାଟିକୁ କେତେ ଭାବରେ କେତେ ରୂପରେ କହିନାହାନ୍ତି। ଆମ ତମ ଜଡ଼ତା ସ୍ଥାଣୁତା ଦେଖି ଦେଖି ରାତି ରାତି ଶୋଇ ନ ପାରି କେବଳ ଏହି କାରଣ ପାଇଁ ଦେହ ଅସୁସ୍ଥ ହୋଇ ଅକାଳରେ ଚାଲିଗଲେ। ତଥାପି ଆଜି ବି ଆମେ କେତେ ବା ଚିନ୍ତା କରିପାରୁ? ଭାରତର ସମୂହ ମଣିଷଙ୍କ ଚିନ୍ତା, ଚେତନା କେତେ ବିକଶିତ ଓ ମାର୍ଜିତ। ଶେଷରେ ସେହି ଶତାବ୍ଦୀ ପୁରୁଷ ଆଇନଷ୍ଟାଇନ୍‌ ଭାରତ ସମ୍ପର୍କରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଉ କ’ଣ କହିଛନ୍ତି ଏଠି କେତୋଟି ଉକ୍ତି ଉଦ୍ଧାର କରୁଛି। ”ଭାରତବର୍ଷ ଜଗତକୁ ‘o’ ଦେଇ ଯେଉଁ ମଙ୍ଗଳ କରିଛି, ସମଗ୍ର ଜଗତ ତା’ ପାଖେ ଯେତେ ଋଣୀ ରହିଲେ ବି କମ୍‌ ହେବ।“ ଆଉ ଏକ ଉକ୍ତି ”ସମଗ୍ର ଜଗତ ଯଦି ଏକ ବିରାଟ ଜାହାଜ ହୁଏ, ଭାରତ ସେ ଜାହାଜର ସୂଚୀ ଚୁମ୍ବକ …ଜାହାଜ କେଉଁ ଦିଗରେ ଯିବ ସୂଚୀ ଚୁମ୍ବକ ଆମକୁ କହିବ।“ ଏ ଉକ୍ତି ସବୁ ଯେଭଳି ସତ୍ୟ, ଅଧିକାଂଶ ଭାରତୀୟ ଚିନ୍ତାରେ ଏବଂ ଶକ୍ତିରେ ଦୁର୍ବଳ … ଏ କଥାଟି ମଧ୍ୟ ସେହି ପରିମାଣରେ ସତ୍ୟ। ଆସ ଏଥର ଅନ୍ଧପୁଟୁଳି ଫିଙ୍ଗି ଆମ ଦୁର୍ବଳତା ସବୁକୁ ଦେଖିବା ଓ ଅତିକ୍ରମ କରିବା।
ଇନ୍ଦ୍ରାବତୀ, ନବରଙ୍ଗପୁର, ମୋ- ୯୮୬୧୯୬୯୬୭୮


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri