ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍ଏଲ୍) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍ଷ୍ଟାଣ୍ଡରୁ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ପୁରୁଣା ବସ୍ଷ୍ଟାଣ୍ଡରେ ପହଞ୍ଚି ପ୍ରତିବାଦ କରିଥିଲେ। ପରେ ସେଠାରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ଦଳ ପକ୍ଷରୁ ଏସ୍ଆଇଆର୍ ପ୍ରକ୍ରିୟାରୁ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କ ନାମ ପୁନଃ ଯୋଡ଼ିବା ସହ ଏହି ପ୍ରକ୍ରିୟା ବନ୍ଦ କରିବାକୁ ଦାବି କରାଯାଇଛି। ଏଥିସହ ନିର୍ବାଚନ ଆୟୋଗର ସ୍ୱାଧୀନତା ଓ ବିଶ୍ୱସନୀୟତା ବଜାୟ ରଖିବା ସହ ନିର୍ବାଚନ ଆୟୁକ୍ତ ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କୁ ସାମିଲ କରିବାକୁ ଦାବି ହୋଇଛି।
ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସିପିଆଇ(ଏମ୍ଏଲ୍) ଲିବରେସନର ରାୟଗଡ଼ା ଜିଲା ସମ୍ପାଦକ ତିରୁପତି ଗମାଙ୍ଗ କହିଛନ୍ତି।

