ଆପେ ବଞ୍ଚିଲେ ବାପର ନାଁ

ଗୋଟେ କଥା ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଅନେକ ସମୟରେ ମଣିଷ ଯେତେବେଳେ ସ୍ବାର୍ଥସର୍ବସ୍ବ ହୁଅନ୍ତି, ସେତେବେଳେ ଏହି ଉକ୍ତିଟି ବ୍ୟବହାରକରି ନିଜ କାମର ଔଚିତ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଟିକେ ଭଲ ଭାବେ ଚିନ୍ତା କରନ୍ତୁ ତ, ସତରେ କ’ଣ କେବଳ ଆପେ ବଞ୍ଚିବା ବା ନିଜେ ବଞ୍ଚିବାଟା ହିଁ ଆମ ଜୀବନର ଦର୍ଶନ ହେବା ଉଚିତ! ମଣିଷ ଗୋଟେ ସାମାଜିକ ପ୍ରାଣୀ। ତେଣୁ କେବଳ ନିଜେ ବଞ୍ଚିବାକୁ ଚାହିଁଲେ ବି ମଣିଷ ବଞ୍ଚିପାରିବ ନାହିଁ। ଆମେ ସମସ୍ତେ ପରିବାର, ଗୋଷ୍ଠୀ, ଗାଁ ଓ ସମାଜ ହୋଇ ବଞ୍ଚିଥାଉ। ଜଣେ ଆଉ ଜଣକ ଉପରେ ଏକାନ୍ତ ଭାବେ ନିର୍ଭରଶୀଳ। ଏହି ନିର୍ଭରଶୀଳତା କେବଳ ମଣିଷ ମଧ୍ୟରେ ସୀମିତ ନାହିଁ। ସମଗ୍ର ଜୀବଜଗତ ପରସ୍ପରଙ୍କ ଉପରେ ନିର୍ଭରଶୀଳ। ଏହା ବ୍ୟତୀତ ମଣିଷ ବି ପ୍ରକୃତି ଓ ଅନେକ ନିର୍ଜୀବ ବସ୍ତୁ ଉପରେ ମଧ୍ୟ ନିର୍ଭରଶୀଳ। କୌଣସି ଗୋଟିଏ ବି ଊଣା ହୋଇଗଲେ ମଣିଷର ବଞ୍ଚିବା ସମ୍ଭବ ହେବ ନାହିଁ। ତା’ହେଲେ କିପରି ଆମେ କହିପାରିବା ଆପେ ବଞ୍ଚିଲେ ବାପର ନାଁ!

ସମାଜରେ ଯଦି ସନ୍ତୁଳନ ରହିବ ନାହିଁ, ଯଦି ଗୋଟିଏ ଗୋଷ୍ଠୀ ବହୁ ଉପରକୁ ଉଠିଯିବ ଓ ଆଉ ଗୋଟିଏ ଗୋଷ୍ଠୀ ନିର୍ଯାତିତ ହୋଇ ତଳେ ରହିବେ, ତା’ହେଲେ କ’ଣ ଆମେ ଶାନ୍ତିର ସହ ବଞ୍ଚିପାରିବା? ଏପରି ପରିସ୍ଥିତି ପରିଣାମରେ କିଛି ଲୋକଙ୍କୁ ପ୍ରତିକ୍ରିୟାଶୀଳ କରିବା ସହ ଅପରାଧପ୍ରବଣ କରିବ। ଗୋଟିଏ ଅପରାଧପ୍ରବଣ ଓ ସାମାଜିକ ସ୍ଥିରତା ନ ଥିବା ସମାଜରେ ଆମେ ଯେତେ ଚାହିଁଲେ କ’ଣ ଆପେ ବଞ୍ଚିବା ନ୍ୟାୟରେ ସୁଖ ଶାନ୍ତିରେ ରହିପାରିବା! ଯଦି ଆମ ଦେଶରେ ସ୍ବେଚ୍ଛାଚାରିତା ଥିବ, ହିଂସା ଥିବ, ଥୋକେ ଲୋକ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଥିବେ, ତା’ହେଲେ ଆମେ କେମିତି ବଞ୍ଚିପାରିବା! ସମସ୍ତଙ୍କୁ ସମ୍ମାନର ସହ ବଞ୍ଚିରହିବା ପାଇଁ ଏକ ସନ୍ତୁଳିତ ଓ ନ୍ୟାୟପୂର୍ଣ୍ଣ ସମାଜ ଆବଶ୍ୟକ। ଯଦି ସମାଜ ଏହି ରାସ୍ତାରେ ଯାଉନାହିଁ, ତା’ହେଲେ ସେପରି ସମାଜକୁ ପରିବର୍ତ୍ତନ କରିବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ନଚେତ୍‌ ତା’ର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିବାକୁ ବାଧ୍ୟ। ଆଜି ହୁଏତ କିଏ ଟିକିଏ ଭଲରେ ବଞ୍ଚିପାରେ, କିନ୍ତୁ ଆସନ୍ତାକାଲି ତାକୁ ପରିଣାମ ଭୋଗିବାକୁ ହିଁ ହେବ। ତେଣୁ ଆମ ଜୀବନର ଧ୍ୟେୟ ‘ଆପେ ବଞ୍ଚିଲେ ବାପର ନାଁ’ ନ ହୋଇ ସାମୂହିକ ସହଯୋଗ ଓ ସନ୍ତୁଳିତ ସମାଜ ହେବା ଉଚିତ। ସମାଜରେ ଏକ ବୃହତ୍‌ ଭାଗ ଲୋକଙ୍କ ପାଇଁ ଯଦି ଖାଦ୍ୟ, ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତିର ସୁଯୋଗ ଆଦି ସମ୍ମାନର ସହ ପ୍ରାପ୍ତି ହେବନାହିଁ, ତା’ହେଲେ ଆମେ କିପରି ଭଲରେ ବଞ୍ଚିପାରିବା! ଏପରି ସ୍ଥଳେ ସମାଜକୁ ସନ୍ତୁଳିତ କରିବା ପାଇଁ ତଥା ସମସ୍ତଙ୍କ ପାଇଁ ସର୍ବନିମ୍ନ ମୌଳିକ ଆବଶ୍ୟକତା ସମ୍ମାନର ସହ ଉପଲବ୍ଧ ହେବା ପାଇଁ ଆମ ସମସ୍ତଙ୍କର ପ୍ରୟାସ ହେବା ଉଚିତ। ଜାତି ଭିତ୍ତିକ ଭେଦଭାବ, ଧର୍ମଭିତ୍ତିକ ବିଦ୍ୱେଷ, ଧନୀ ଗରିବ ମଧ୍ୟରେ ବିରାଟ ପ୍ରଭେଦ ଥିବା ଗୋଟେ ସମାଜରେ ଜଣେ ଯେତେ ଚାହିଁଲେ ବି ଶାନ୍ତିରେ ବଞ୍ଚିପାରିବ ନାହିଁ। ଏସବୁର ପ୍ରଭାବ ତା’ ଉପରେ ପଡ଼ିବ ନିଶ୍ଚିତ। ତେଣୁ କେବଳ ସ୍ବାର୍ଥ ସର୍ବସ୍ବ ହୋଇ ବଞ୍ଚିବାକୁ ଚାହିଁବା ଓ ସେଥିରେ ସଫଳ ହେବା କେବଳ ଏକ ଭ୍ରମ ଛଡ଼ା କିଛି ନୁହେଁ। ଆଜି ଯେପରି ଭାବେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି, ନାରୀମାନଙ୍କ ଉପରେ ନିର୍ଯାତନା ସୀମା ଲଙ୍ଘୁଛି, ଗରିବ ଲୋକମାନଙ୍କ ଜୀବନ ଧାରଣ କ୍ରମାଗତ ଭାବେ ଦୁଃସହ ହୋଇଚାଲିଛି, ଉନ୍ନତମାନର ଶିକ୍ଷା ଓ ସ୍ବାସ୍ଥ୍ୟ ସାଧାରଣ ଲୋକମାନଙ୍କର ହାତପାହାନ୍ତାର ବାହାରକୁ ଚାଲିଯାଉଛି, ସେତେବେଳେ ଆମେ କିପରି ନିଜର ସୁବିଧାକୁ ଦେଖି ଚୁପ୍‌ଚାପ ବସିଯାଇପାରିବା! ସମାଜରେ ଥିବା ବିଭିନ୍ନ ପ୍ରକାର ଅବ୍ୟବସ୍ଥାରେ ସୁଧାର ଆଣିବାର ପ୍ରୟାସ ହିଁ ପ୍ରତ୍ୟେକ ମଣିଷଙ୍କର ଲକ୍ଷ୍ୟ ହେବା ଉଚିତ। କାରଣ ଆପେ ବଞ୍ଚିଲେ ବାପର ନାଁ ହେବା ତ ଦୂରର କଥା, ବଞ୍ଚିବା ବି ସମ୍ଭବ ନୁହେଁ।

ଟିକିଏ ନିରିଖେଇ ଦେଖିଲେ ଆମେ ବୁଝିପାରିବା ଯେ, ଆମେ ବଞ୍ଚିବା ପାଇଁ ଖାଉଥିବା ଖାଦ୍ୟ, ଚାଲୁଥିବା ରାସ୍ତା, ପଢ଼ୁଥିବା ବିଦ୍ୟାଳୟ, ଚିକିତ୍ସା ହେଉଥିବା ଡାକ୍ତରଖାନା, ରହୁଥିବା ଘର ଆଦି ଆମ ପାଇଁ ଆଉ କିଏ ତିଆରି କରିଛି। ନିଃଶ୍ୱାସ ନେଉଥିବା ପବନ, ପିଉଥିବା ପାଣି, ଛାଇ ଦେଉଥିବା ଗଛ, ପାଦ ଥୋଉଥିବା ମାଟି ଆଦି ଆମକୁ ପ୍ରକୃତି ଦେଇଛି। କେବଳ ବିଭିନ୍ନ ଜିନିଷର ପ୍ରାପ୍ତି ପାଇଁ ନୁହେଁ, ମାନସିକ ଭାବେ ସୁସ୍ଥ ରହିବା ପାଇଁ ମଧ୍ୟ ମଣିଷ ପରସ୍ପର ଉପରେ ନିର୍ଭରଶୀଳ। ମନ କଥା କାହାକୁ କହିବା ପାଇଁ ଯଦି ଆମ ପାଖରେ କେହି ଲୋକ ନ ଥିବେ ତା’ହେଲେ ଆମେ କେବେ ବି ମାନସିକ ଭାବେ ସୁସ୍ଥ ରହିପାରିବା ନାହିଁ। ଆମେ ଏକୁଟିଆ ଚାହିଁଲେ ଗୋଟିଏ ମୁହୂର୍ତ୍ତ ବି ବଞ୍ଚିପାରିବା ନାହିଁ। ତା’ହେଲେ କାହିଁକି ବାରମ୍ବାର ଆମେ ଘୋଷି ହେବା, ଆପେ ବଞ୍ଚିଲେ ବାପର ନାଁ? ଏହା ଆଦୌ ବି ସତ୍ୟ ନୁହେଁ। ସମଗ୍ର ସଂସାର ଏକ ଶୃଙ୍ଖଳରେ ବନ୍ଧାହୋଇଛି। ଗୋଟିଏ ଛିଣ୍ଡିଗଲେ ଅନ୍ୟଟି ବି ଭୁଶୁଡ଼ିପଡ଼ିବ। ଏପରିକି ଗୋଟିଏ ଛୋଟ ପୋକର ବି ଜୀବନ ଶୃଙ୍ଖଳାରେ ସେତିକି ଭୂମିକା ଅଛି, ଯେତିକି ମଣିଷର ଅଛି। ଆମେ ଏବେ ନିଶ୍ଚୟ ଅନୁଭବ କରୁଥିବା ଯେ, ମଣିଷ ସ୍ବାର୍ଥସର୍ବସ୍ବ ହୋଇ ପ୍ରକୃତିକୁ ଯେତେ ଯେତେ କ୍ଷତି ପହଞ୍ଚାଇ ଚାଲୁଛି ତା’ର ୨ଗୁଣ କ୍ଷତି ନିଜେ ବି ସହୁଛି। ମଣିଷ ଯେଉଁ ହାରରେ ସୃଷ୍ଟିର ଅନ୍ୟ ଜୀବମାନଙ୍କ ଉପରେ ଦାଉ ସାଧୁଛି, ସେହି ହାରରେ ଭିନ୍ନ ଭିନ୍ନ ବାଟରେ ତା’ର ଫଳ ବି ଭୋଗୁଛି। ସେଇଥିପାଇଁ ତ କୁହାଯାଏ ବସୁଧୈବ କୁଟୁମ୍ବକମ୍‌। ତା’ହେଲେ ଏ ଆପେ ବଞ୍ଚିଲେ ବାପର ନାଁ ପରି ନୂ୍ୟନ ଚିନ୍ତାଧାରାକୁ ବୋହିବା କାହିଁକି?

ବିଭିନ୍ନ ପ୍ରକାର ସାମାଜିକ ଲକ୍ଷ୍ୟ ଯଥା ଜନସ୍ବାସ୍ଥ୍ୟ, ଶିକ୍ଷା, ପରିବେଶ ସ୍ଥିରତା ଆଦି ଏକୁଟିଆ ବ୍ୟକ୍ତି ଦ୍ୱାରା ସମ୍ଭବ ନୁହେଁ। ଏଥିପାଇଁ ଭିନ୍ନ ଭିନ୍ନ ବର୍ଗଙ୍କ ମଧ୍ୟରେ ସହଯୋଗ ଏକାନ୍ତ କାମ୍ୟ। ଜଣେ ଲୋକ ଅପେକ୍ଷା ଗୋଷ୍ଠୀ ସବୁବେଳେ ଅଧିକ ପ୍ରଭାବଶାଳୀ। ପାରସ୍ପରିକ ସହଯୋଗ ତଥା ଗୋଷ୍ଠୀ ଦ୍ୱାରା ହିଁ ମଣିଷ ବିକାଶ ଦିଗରେ ଗତି କରିବାକୁ ସକ୍ଷମ ହୋଇଥାଏ। ସହଯୋଗ ଦ୍ୱାରା ଜୀବନ ସୁଗମ ହେବା ସହ ଉଭୟଙ୍କ ଭିତରେ ଥିବା ସୀମିତତା ଦୂରହୋଇ ଶକ୍ତିରେ ପରିଣତ ହୋଇଥାଏ। ପ୍ରତ୍ୟେକ ମଣିଷକୁ କେବେ ନା କେବେ ଇମୋସନାଲ ସହାୟତା ଆବଶ୍ୟକ ହୋଇଥାଏ। ସେହି ସମୟରେ ଆମକୁ ଆଉ ଜଣେ ମଣିଷ ନିହାତି ଆବଶ୍ୟକ ହୋଇଥାଏ। ସେଇଥିପାଇଁ ଆମ ସମାଜରେ ସମ୍ପର୍କର ମୂଲ୍ୟ ବହୁ ଅଧିକ। ମଣିଷ ଭିତରେ ସକାରାତ୍ମକ ସହ ନକାରାତ୍ମକ ଶକ୍ତି ଥାଏ। କେବଳ ପାରସ୍ପରିକ ସମ୍ପର୍କ ଓ ସହଯୋଗ ମଣିଷ ଭିତରୁ ନକାରାତ୍ମକତା ଦୂରକରିବାରେ ସହାୟକ ହୋଇଥାଏ।

ସାମ୍ପ୍ରତିକ ସମୟରେ ଆମ ସାମ୍ନାରେ ଯେପରି ଆହ୍ବାନ ସବୁ ଠିଆ୍‌ହୋଇଛନ୍ତି, ତାହା ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ହେଉ ବା ଦ୍ରୁତଗତିରେ ବଢ଼ୁଥିବା ଧନୀ ଗରିବ ମଧ୍ୟରେ ଅସମାନତା ହେଉ, ଏସବୁକୁ ସମାଧାନ କରିବା ପାଇଁ କେଉଁ ଗୋଟିଏ ମଣିଷ ତ ଛାଡ଼ ଗୋଟିଏ ଦେଶ ପାଇଁ ବି ସମ୍ଭବ ନୁହେଁ। ଏଥିପାଇଁ ସୀମାରେଖା ଡେଇଁ ରାଷ୍ଟ୍ର ଓ ରାଷ୍ଟ୍ର ମଧ୍ୟରେ ସହଯୋଗ ଓ ସମନ୍ବୟ ଆବଶ୍ୟକ ବୋଲି ସମସ୍ତଙ୍କୁ ଅନୁଭବ ହେଲାଣି। ଗୋଟେ ସାମୂହିକ ପ୍ରୟାସରେ ହିଁ ବିଶ୍ୱକୁ ରକ୍ଷା କରାଯାଇପାରିବ। ସ୍ବାର୍ଥ କେନ୍ଦ୍ରିକ ମାନସିକତାକୁ ମୁକୁଳି ସାମୂହିକ ଭଲ ଦିଗରେ କାର୍ଯ୍ୟରତ ହେବା ହିଁ ପ୍ରକୃତ ମଣିଷର ପରିଚୟ ଓ ଏହା ଦ୍ୱାରା ହିଁ ସମସ୍ତେ ଭଲରେ ଓ ଶାନ୍ତିରେ ବଞ୍ଚିପାରିବେ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri