ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା, ଶିକ୍ଷକ ଅଭାବ କାରଣରୁ ଲକ୍ଷ୍ୟ ସାଧନ ହୋଇପାରୁନାହିଁ। କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ଶାଳଣିଆଁ ହାଇସ୍କୁଲ ଏହାର ଜ୍ୱଳନ୍ତ ଉଦାହରଣ। ଏଠି ସ୍କୁଲ ଅଛି, ପିଲା ଅଛନ୍ତି, ବିଲ୍ଡିଂ ଅଛି, ହେଲେ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ଜଣେ ସାହିତ୍ୟ ଶିକ୍ଷକଙ୍କ କାନ୍ଧରେ ସମ୍ପୂର୍ଣ୍ଣ ସ୍କୁଲ ଭାର ରହିଛି। ଫଳରେ ପିଲାଙ୍କ ଶିକ୍ଷାରେ ସୁଧାର ଆସିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ୧୯୮୪ରେ ସ୍ଥାପିତ ଏହି ହାଇସ୍କୁଲରେ ନବମ ଶ୍ରେଣୀରେ ୨୪, ଦଶମରେ ୨୧ଜଣ ମୋଟ ୪୫ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପାଠ ପଢ଼ାଇବାକୁ ଜଣେ ଶିକ୍ଷୟିତ୍ରୀ, ଜଣେ ଶିକ୍ଷକ ନିଯୁକ୍ତ ହୋଇଥିଲେ। ମାତ୍ର ଶିକ୍ଷୟିତ୍ରୀ ଗତ ଜୁନ୍ରୁ ମାତୃତ୍ୱ ଛୁଟିରେ ରହିଛନ୍ତି। ଫଳରେ ୩ ମାସ ହେବ ପୂରା ହାଇସ୍କୁଲ ଭାର ମାତ୍ର ଜଣେ ଶିକ୍ଷକ ଗୌତମ ଧୁରୁଆଙ୍କ କାନ୍ଧରେ ଲଦାହୋଇଛି। ସେ ଓଡ଼ିଆ(ସାହିତ୍ୟ) ଶିକ୍ଷକ ହୋଇଥିବା ବେଳେ ଗଣିତ, ଇଂଲିଶ, ସଂସ୍କୃତ, ହିନ୍ଦୀ, ସାଧାରଣ ବିଜ୍ଞାନ, ସାମାଜିକ ବିଜ୍ଞାନ ପଢ଼ାଉଛନ୍ତି। ଏପରିକି ପ୍ରଧାନଶିକ୍ଷକଙ୍କ ଦାୟିତ୍ୱ ସହ କିରାଣିଙ୍କ କାମ ମଧ୍ୟ କରୁଛନ୍ତି। ଶାରୀରିକ ଶିକ୍ଷା ଶିକ୍ଷକ ନ ଥିବା ବେଳେ ଶାରୀରିକ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି। ଜଣେ ଶିକ୍ଷକ ଏତେ ବିଷୟ ପଢ଼ାଇବା ସହ ସ୍କୁଲର ଅନ୍ୟାନ୍ୟ କାମ ବୁଝାବୁଝି କରୁଥିବାରୁ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ପିଇବା ପାଣି ଓ ଶୌଚାଳୟ ସୁବିଧା ରହିଥିବାବେଳେ ହାଇସ୍କୁଲରେ ଆଜି ପର୍ଯ୍ୟନ୍ତ ଖେଳ ପଡ଼ିଆଟିଏ ନାହିଁ। ଅନ୍ୟପକ୍ଷେ ସ୍କୁଲର ପଛପଟ ପାଚେରି ନ ଥିବାରୁ ଦିନରାତି ଗୋରୁ, କୁକୁର ସ୍କୁଲ ପରିସରରେ ପଶି ମଳମୂତ୍ର ତ୍ୟାଗ କରୁଛନ୍ତି। ପିଲାମାନେ ଯେଉଁଠି ବସି ପାଠ ପଢ଼ିବେ, ସେଠି ଗୋବର ପଡ଼ି ରହୁଛି। ୨୦୨୨ରେ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ୫-ଟିରେ ୫୦ ଲକ୍ଷ ଟଙ୍କା, ୨୦୨୩ରେ ସାଇନ୍ସ ଲାବରୋଟରି, ଲାଇବ୍ରେରି ଗୃହ ନିର୍ମାଣ ପାଇଁ ୩୨ ଲକ୍ଷ ଟଙ୍କା ଅନୁଦାନ କେନ୍ଦୁଝର ଡିଏମ୍ଏଫ୍ରୁ ଆସିଥିଲା। କିନ୍ତୁ ଅଦ୍ୟାବଧି ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନି କି ଯେଉଁ ସବୁ କାର୍ଯ୍ୟ କରାଯିବା କଥା ତାହା ମଧ୍ୟ କରାଯାଇନାହିଁ। ସାଇନ୍ସ ଲାବରେଟୋରି ଏବଂ ଲାଇବ୍ରେରି ପାଇଁ ୨ମହଲା ବିଶିଷ୍ଟ କୋଠା ଗୃହ ନିର୍ମାଣ ସରିଥିଲେ ବି କାର୍ଯ୍ୟକ୍ଷମ ହୋଇନାହିଁ। ଲାଇବ୍ରେରିରେ ପାଠ୍ୟପୁସ୍ତକ ନାହିଁ କି ସାଇନ୍ସ ଲାବରେଟୋରିରେ ଯନ୍ତ୍ରପାତି, ଉପକରଣ, ସରଞ୍ଜାମ ନାହିଁ। ଏପରିକି ସ୍କୁଲ ପରିସରରେ ଏକ ଅସୁରକ୍ଷିତ ପାଣି କୁଣ୍ଡ କରାଯାଇଛି, ଯାହାକି ଛାତ୍ରୀଛାତ୍ରଙ୍କ ପାଇଁ ବିପଦପୂର୍ଣ୍ଣ ସାଜିଛି। ପୂର୍ବତନ ପ୍ରଧାନ ଶିକ୍ଷକ କୋଦଣ୍ଡଧର ମହାନ୍ତି ଏବଂ ଶାଳଣିଆଁ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ କହିଛନ୍ତି, ସାଇନ୍ସ ଲାବରେଟୋରି, ଲାଇବ୍ରେରି ପାଇଁ ୨ ମହଲା ବିଶିଷ୍ଟ କୋଠା ନିର୍ମାଣ ସରିଥିଲେ ବି ତାହା କାମରେ ଲାଗୁନାହିଁ। ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣରେ ଯାହା ସବୁ କାର୍ଯ୍ୟ କରାଯିବା କଥା ତାହା ହୋଇନାହିଁ କି ଅଦ୍ୟାବଧି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। କଣ୍ଟ୍ରାକ୍ଟର ରଞ୍ଜନ ମହାପାତ୍ର କହିଛନ୍ତି, ୩୨ ଲକ୍ଷ ଟଙ୍କା ଅନୁଦାନରେ ୩ ବର୍ଷ ହେବ ସାଇନ୍ସ ଲାବରେଟୋରି ଏବଂ ଲାଇବ୍ରେରି ପାଇଁ ୨ ମହଲା ବିଶିଷ୍ଟ କୋଠାର ନିର୍ମାଣ କାର୍ଯ୍ୟ ସରିଛି।
ହାଇସ୍କୁଲର ପରିଚାଳନା କମିଟି ସଭାପତି କୈଳାସ କୁଅଁର କହିଛନ୍ତି, କେବଳ ଓଡ଼ିଆ ବିଷୟର ଶିକ୍ଷକ ଅଛନ୍ତି। ସେ ସବୁ ବିଷୟ ପଢ଼ାଇଲେ ଛାତ୍ରୀଛାତ୍ର ପାଠ ପଢ଼ି ଜ୍ଞାନ ଆହରଣ କରିବେ ନା ମୂର୍ଖ ହୋଇ ଭବିଷ୍ୟତ ନଷ୍ଟକରିବେ। ୩ ମାସ ହେଲା ବିକଳ୍ପ ଶିକ୍ଷକ ଦିଆଗଲାନାହିଁ। ସରକାର କିମ୍ବା ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଆଗକୁ ଦଶମ ପରୀକ୍ଷା, ପିଲା କ’ଣ ପଢ଼ି ପରୀକ୍ଷା ଦେବେ ବୋଲି କୁଅଁର କହିଛନ୍ତି। ଶିକ୍ଷକ ଧୁରୁଆ କହିଛନ୍ତି, ସେ ଓଡ଼ିଆ ବିଷୟର ଶିକ୍ଷକ ହୋଇଥିବାବେଳେ ଅନ୍ୟ କୌଣସି ବିଷୟ ଓ ଖେଳ ଶିକ୍ଷକଙ୍କ ସମେତ କିରାଣି ନ ଥିବାରୁ ଏକାକୀ ସମସ୍ତ କାର୍ଯ୍ୟ ତୁଲାଉଛନ୍ତି। ଏକୁଟିଆ ଯେତିକି ପାରୁଛନ୍ତି, ସବୁ ବିଷୟରୁ ଟିକେ ଟିକେ ପଢ଼ାଉଛନ୍ତି। ସ୍କୁଲକୁ ଲାଗି ପଛପଟେ ଥିବା ଖାଲରେ ପାଣି ଜମିରହୁଛି। ବିଭିନ୍ନ ଅବ୍ୟବସ୍ଥା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ଏ ପର୍ଯ୍ୟନ୍ତ କୌଣସି ସୁବ୍ୟବସ୍ଥା ହୋଇନାହିଁ ବୋଲି ଧୁରୁଆ କହିଛନ୍ତି। ଅଭିଭାବକ ସଞ୍ଜୟ ନାୟକ, ଦିବାକର ବାରିକ, ଶରତ ବେହେରା, ବନମାଳୀ ଜେନା, ପ୍ରତିମା କୁଅଁର କହିଛନ୍ତି, ମାଗଣା ପାଠ ପଢ଼ାଇବୁ ବୋଲି ସରକାରୀ ସ୍କୁଲରେ ପିଲା ଦେଲୁ। ହେଲେ ଏଠି ଶିକ୍ଷକ ନାହାନ୍ତି। ଘରୋଇ ସ୍କୁଲରେ ପଢ଼ାଇବାକୁ ସାମର୍ଥ୍ୟ ନ ଥିବାରୁ ବାଧ୍ୟ ହୋଇ ପିଲାଙ୍କୁ ଏହି ବିଦ୍ୟାଳୟକୁ ପଠାଉଛୁ ବୋଲି କହିଛନ୍ତି। ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା କହିଛନ୍ତି, ଏହା ଅନୁଦାନପ୍ରାପ୍ତ ବିଦ୍ୟାଳୟ ହୋଇଥିବାରୁ ସରକାରଙ୍କ ନୂତନ ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା ନାହିଁ। ଅତିଥି ଶିକ୍ଷକ ନିଯୁକ୍ତ କରାଯାଇ ଖୁବ୍ଶୀଘ୍ର ଶିକ୍ଷାଦାନର ବ୍ୟବସ୍ଥା କରାଯିବ। ଲାବରେଟୋରି ଏବଂ ଲାଇବ୍ରେରି କାହିଁକି କାର୍ଯ୍ୟକ୍ଷେମ ହୋଇନାହିଁ କହିପାରିବେ ନାହିଁ।

