ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।
ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଜାପାନରର ସାନୋଠାରେ ଏହି ମ୍ୟାଚ ଖେଳାଯିବ। ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଆଇଚି-ନାଗୋୟାଠାରେ ଖେଳାଯିବ। ଏହି ମ୍ୟାଚକୁ ନେଇ ଉଭୟ ଜାପାନ କ୍ରିକେଟ ଆସୋସିଏଶନ (ଜେସିଏ)ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସେମାନଙ୍କର ଖୁସି ବ୍ୟକ୍ତ କରିଛନ୍ତି।
ଜାପାନର ତୋଚିଗି ପ୍ରିଫେକ୍ଚରସ୍ଥିତ ସାନୋ ଇଣ୍ଟରନ୍ୟାଶନାଲ କ୍ରିକେଟ ଗ୍ରାଉଣ୍ଡରେ ଦୁଇ ଦଳ ସୁଜୁକି କପ୍ ପାଇଁ ମ୍ୟାଚ ଖେଳିବେ। ଏହି ମ୍ୟାଚ ‘ସ୍ପୋଟର୍ସ ୭୫’ର ପ୍ରଥମ ପଦକ୍ଷେପ ହେବ। ଏହା ଏକ ପ୍ରୟାସ, ଯାହା ଜାପାନ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚି ଓ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଶିଖର ସମ୍ମିଳନୀରେ ହୋଇଥିବା ଚୁକ୍ତିନାମାରୁ ଉତ୍ପନ ହୋଇଛି।
ଏହାର ଲକ୍ଷ୍ୟ ହେଉଛି ୨୦୩୬ରେରେ ଅଲିମ୍ପିକ ଓ ପାରାଲିମ୍ପିକ୍ ଗେମ୍ ଆୟୋଜନ ଲାଗି ଭାରତର ମହାକାଂକ୍ଷାକ ଦୃଷ୍ଟିରେ ରଖି ଭାରତ ଓ ଜାପାନ ମଧ୍ୟରେ ମାନବ ଆଦାନପ୍ରଦାନ ଏବଂ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ପ୍ରଦାନ କରିବା ବୋଲି ଏକ ବିବୃତ୍ତିରେ କୁହାଯାଇଛି।
ମ୍ୟାଚରେ ଶ୍ରେୟସ ଆୟର ଭାରତୀୟ ଦଳର ନେତୃତ୍ୱ ନେବେ। ତିଲକ ବର୍ମା ତାଙ୍କୁ ଡେପୁଟି ଭାବେ ଦାୟିତ୍ୱ ତୁଲାଇବେ। ଦଳରେ ସ୍ଥାନ ପାଇଥିବା ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ସଞ୍ଜୁ ସାମସନ ଓ ସ୍ବଳ୍ପ ବୟସ୍କ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ଅନ୍ୟତମ।
ଭାରତ ହେଉଛି ଗତଥରର ଏସିଆନ ଗେମ ଚାମ୍ପିୟନ ଦଳ। ଚାଇନାର ହାଙ୍ଗଝୋଠାରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ଦଳର ସ୍ବର୍ଣ୍ଣ ପଦକ ଲାଭ କରିଥିଲା। ଆଫଗାନିସ୍ତାନ ବିପକ୍ଷ ଫାଇନାଲ ବର୍ଷାରେ ଧୋଇଯିବାରୁ ଅନ୍ତର୍ଜାତୀୟ ଟି୨୦ ସିଡିଂ ଭିତ୍ତିରେ ଭାରତକୁ ଟାଇଟଲ ବିଜୟୀ ଘୋଷଣା କରାଯାଇଥିଲା। ଭାରତ ସେପ୍ଟେମ୍ବର ୨୮ରେ ସିଧାସଳଖ କ୍ୱାର୍ଟରଫାଇନାଲ ଖେଳି ଏସିଆନ ଗେମ୍ସରେ ଏହାର ଅଭିଯାନ ଆରମ୍ଭ କରିବ।

