ଡଙ୍ଗରର ଘା

ଦ୍ୱିତୀ ଚନ୍ଦ୍ର ସାହୁ

 

ଫଗୁଣର ରଙ୍ଗ ସରି ନ ଥିବ ଆସିଯିବ ଚୈତ୍ର। ପତ୍ର ସବୁ କଅଁଳି ସାରିଥିବେ ଗଛରେ। ଥୁଣ୍ଟା ଗଛ ନୂଆ ଜନ୍ମ ନେଇଥିବ। ଚୋରା ଚଇତିର ବାଆ ବହୁଥିବ। ଖରା ଆସ୍ତେ ଆସ୍ତେ ଜୁରୁଥିବ। ଗଁା ପାଖ ବିଲ ସବୁ ଚିତ ହୋଇ ଶୋଇଥିବେ। ଦେହରେ ଫଡ଼ା ଫଡ଼ା ଫାଟ। ମାଡ଼ି ଯାଇଥିବେ ନାନାଦି ଲଟାବୁଦା। ସେପଟକୁ କାହାର ନିଘା ନ ଥିବ। ଚଇତ ହେଉଛି ଜନଜାତିଙ୍କ ଲାଗି ଶରଧାର ମାସ। ବେଣ୍ଟର ଦିନ। ଭୋଜିଭାତ ଓ ବେଣ୍ଟରେ ମିଳିଥିବା ଜନ୍ତୁଜୁନ୍ତାଙ୍କ ମାଉଁସରେ ଖୁସି ହେବାର ବେଳ। ଡିଶାରି ଯୋଗ ଦେଲା ପରେ ମାତିଯିବେ ଆଦିବାସୀ। ମତପୁରି ହୋଇ ଉଠିବେ। ଧାଙ୍ଗଡା ଧାଙ୍ଗିଡି ଟିକେ ଅଧିକା ଉତ୍ସାହିତ ହେବେ। ଚଇତି ପର୍ବ ବର୍ଷର ଶେଷ ପରବ। ସେଇଟା ପୁଣି ଆସୁଥିବା ବର୍ଷ ପାଇଁ ପ୍ରଥମ ପର୍ବ। ଚଇତି ଶେଷ ପର୍ବ ଏଥିପାଇଁ ଆଦିବାସୀକୁ ଆଉ ତର ସହିବନି। ଜମିବାଡି ସଜଡାସଜଡି। ବୁଣାବୁଣି କାମ ଆରମ୍ଭ କରିବେ। ସେଥିପାଇଁ ଯେତିକି ଶରଧା ହେବା କଥା ସେତିକି ଶରଧା ହେବେ ଚଇତି ପର୍ବରେ।
କନ୍ଧ ଜନଜାତିରେ ଚଇତି ଏକ ଗଣପର୍ବ। ସବୁ ଗାଁରେ ହେବ ଚଇତି ପରବ। ସେମିତି ଚଇତିକୁ ପ୍ରଥମ ପର୍ବ ବୋଲି କନ୍ଧ ଲୋକେ ଲେଖାଯୋଖା କରନ୍ତି ଏଇଥିପାଇଁ ଯେ ଚଇତିରେ ଡିଶାରୀ କହିବା ପ୍ରକାରେ ବେଜୁଣୀ ବିହନ ବୁଣିବା ଅନୁକୂଳ କରେ। ବିହନ ବୁଣା ଅନୁକୂଳ ହୋଇଗଲେ ତେଣିକି ପରବ ପରେ ପରେ ଚାଷବାସରେ ମାତି ଉଠିବେ ଲୋକେ। କନ୍ଧ ଅଞ୍ଚଳରେ ଚଇତି ପରେ ପରେ ଗାଁରେ ପଞ୍ଚାତି ବସିବ। ଡିଶାରୀ ପୋଡୁଚାଷର ଯୋଗ କହିବ। ଯେଉଁ ଦିଗକୁ କହିବ ସେଇ ଦିଗକୁ ଖେଦିଯିବେ ଆଦିବାସୀ। ବଣର ପରିଧି ନିଶ୍ଚିତ ହେବ। ଜମି ଠିକଣା ହେବ କେତେ ଜଙ୍ଗଲ ମରାହେବ। ସେଥିପାଇଁ ଦିନେ ପୂଜାଟିଏ ହୁଏ। ବଣ ଭିତରେ ଥିବା ପୋଡୁଚାଷର ଦେବତା ବାନ୍ଦୁଣୁ ପେନୁକୁ ପୂଜା ହୁଏ। ବେଜୁଣୀ ଉଆ ଚାଉଳ, କୁକୁଡ଼ା ଛୁଆ, ରନ୍ଧା ମଦକୁ ମିଶେଇ ଡଙ୍ଗରରେ ପୂଜା କରେ। ପୂଜା ଶେଷରେ ଭୋଜିଭାତ ହୁଏ। ପୂଜା ସରୁ ସରୁ ଲେଉଟାଣି ବେଳ। ତା’ ପରେ ଅନୁକୂଳ କରି କନ୍ଧ ଜନଜାତି ଟାଙ୍ଗିଆରେ ଚୋଟ ପକାଏ ଗଛରେ। ଚାହୁଁ ଚାହୁଁ ଢଳିଯାଏ ଆକାଶକୁ ଚାହିଁଥିବା ଗଛ। ସେଠି ସଜବାଜ କରି ନିଆଁ ଧରାଏ। ତା’ପରେ ଫେରେ ଗାଁକୁ। ଲଗେଇଥିବା ନିଆଁ ଚରିଯାଏ ଗଛରୁ ଗଛ। ଏ ଜାଗାରୁ ସେ ଜାଗା। ରାତିରେ ଅନ୍ଧାର ସହ ଲେସି ହୋଇଯାଏ ଡଙ୍ଗର। ଡଙ୍ଗର ଦିଶେନି। ଦିଶେ ଅଙ୍କାବଙ୍କା ନିଆଁର ଗାର ଦେହର ସଜ କଟା ଦାଗ ପରି।
ସଞ୍ଜ ମୁହଁରେ ପୋଡୁ ନିଆଁ ଦୂରକୁ ଭଲ ଲାଗେ ଦେଖିବାକୁୁ। ପାହାଡ଼ରେ ଏମିତି ଅସଂଖ୍ୟ କଟା ଦାଗ ଦିଶେ ଦୂରକୁ। ମାଡ଼ି ଚାଲେ ନିଆଁ। ସଭ୍ୟସମାଜ ଏହାକୁ ମାଙ୍କଡ଼ର ବାହାଘର ଭୋଜି ବୋଲି କହେ। ହୁତୁ ହୁତୁ ହୋଇ ଜଳେ ଡଙ୍ଗର। ଡଙ୍ଗର ଭିତରେ ଥିବା ଅନେକ ଗଛ ଠିଆ ଜଳିଯାଏ। ଦୁଲଦାଲ ହୋଇ ଧରାଶାୟୀ ହୁଏ। ଦରପୋଡ଼ା ଗଛ ସବୁ ଚଡ଼ଚାଡ଼ ହୋଇ ବାହୁନି ବାହୁନି କାନ୍ଦୁଥାଏ ଯେମିତି। ତା’ର କଥାକୁ କିଏ ବୁଝିବ। ସକାଳ ନ ହେଉଣୁ କନ୍ଧ ଗାଁ ଖାଲି ହୋଇଯିବ। ପରିବାରର ସମସ୍ତେ ଲାଗି ପଡିବେ ଡଙ୍ଗର ସଫାରେ। କନ୍ଧ ପୁରୁଷ ଦରପୋଡ଼ା ଗଛକୁ ହାଣି କାଠ ଯୋଗାଡ଼ କରେ ଘର ପାଇଁ। କନ୍ଧ ରମଣୀ ପୋଡୁଥିବା ଜାଗାକୁ ସଫା କରେ। ଡାଙ୍ଗଡୁଙ୍ଗା, ପଥର ସବୁ ଗୋଟାଇ ଅଲଗା କରେ। ତା’ ଆୟତର ଜମିକୁ ସେ ବର୍ଷ ପାଇଁ ସଜ କରେ। ସେଥିରେ ପ୍ରଥମ ବର୍ଷ ମାଣ୍ଡିଆ ବୁଣେ। ଦ୍ୱିତୀୟ ବର୍ଷ ଅଳସି ବୁଣେ। ତୃତୀୟ ବର୍ଷ ସୁଆଁ। ତା’ ପରେ ଜମିର ଭାଗ୍ୟ। କନ୍ଧ କପାଳରେ ଭଲ ଜମି ପଡିଥିବ ତ ଚାଷ ହେଉଥିବ। ନ ହେଲେ ସେଠାକୁ ଛାଡି ନୂଆ ଡଙ୍ଗର ଖୋଜିବ ଜନଜାତି।
ଏବେ ଏଇ ଡଙ୍ଗର ଜମିରେ ବର୍ଷ ବର୍ଷ ଧରି ଭଲ କପା ଚାଷ ହେଉଛି। ସକାଳର ଫର୍ଚ୍ଚା ଆଲୁଅରେ ପୋଡୁ ଚାଷରେ ଅଧା ପୋଡା ଡଙ୍ଗର ରୋଗଣା ଲାଗେ। ଡଙ୍ଗରର ଘା’ ଭଳି ଲାଗେ ପୋଡୁ ଚାଷରେ ସଫା ହୋଇଥିବା ଯେତକ ପୋଡା କଳା ଅଞ୍ଚଳ। ଏଇ ଘା ଆଉ ଶୁଖେନି। ସେମିତି କ୍ୟାନସର ଭଳି ବଢ଼ିଚାଲେ ଡଙ୍ଗରରୁ ଡଙ୍ଗର। ବଣ ଘୁଞ୍ଚି ଘୁଞ୍ଚି ଯାଏ। ଲଣ୍ଡା ଲାଗେ ପାହାଡ଼ ଠିକ୍‌ କେମୋଥେରାପି ପରେ କ୍ୟାନସର ରୋଗୀର ଚୁଟି ଝଡ଼ି ଯାଉଥିବା ମୁଣ୍ଡ ପରି। ଏବେ ବି କନ୍ଧ ରାଇଜରେ ପୋଡୁଚାଷ ହୁଏ। ଆଗେ ଗାଁ ଲୋକଙ୍କ ଚାହିଦା ମୁତାବକ ଡଙ୍ଗରରେ ପୋଡୁ ଚାଷ ହେଉଥିଲା ନିର୍ଦ୍ଦିଷ୍ଟ ଅଞ୍ଚଳରେ। ଏବେ ଆଉ ଧରାବନ୍ଧା ନିୟମ ନାହିଁ। ଯିଏ ଯେଉଁଠି ପାରିଲା ଏବେ ଡଙ୍ଗରରେ ଘା ତିଆରି କରୁଛି। ଡଙ୍ଗରକୁ ଡଙ୍ଗର ପଦା ହେଉଛି। ଏଥିରେ ଏବେ ଅନୁସୂଚିତ ଜାତିର ଲୋକ ବି ପୋଡୁ ଚାଷକୁ ଅଣ୍ଟା ଭିଡିଲେଣି। ନୂଆ ଡଙ୍ଗର କରି ଜନଜାତି ଭଳି ଚାଷବାସ କରୁଛନ୍ତି ସେମାନେ। ଚାଷବାସ କରି ଡଙ୍ଗର ଜମିକୁ ନିଜ ଅକ୍ତିଆରରେ ରଖିଲେ ଆଗକୁ ଡଙ୍ଗର ଜମି ପଟ୍ଟା ମିଳିଯିବାର ଗୋଟେ ଆଶା ରଖେ ସେ। ସେଇ ଆଶାରେ ଏବେ ବହୁତ ପୋଡୁ ଚାଷ ହେଉଛି ଓଡ଼ିଶାରେ।
କେବଳ କନ୍ଧ ବସତି ଅଞ୍ଚଳରେ ନୁହେଁ ଚାରିଆଡେ ଡଙ୍ଗର ଉପରେ ଆକ୍ରମଣ। ଫଗୁଣ ନ ସରୁଣୁ ଓଡ଼ିଶାର ସବୁ ଅଞ୍ଚଳରେ ବଣରେ ନିଆଁ। ଦିନ ଦିନ ଧରି ନିଆଁ ଲିଭୁନି। ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ବଣ ନିଆଁକୁ ନେଇ। ଏମିତି କି ସଂରକ୍ଷିତ ଜଙ୍ଗଲରେ ଓ ଅଭୟାରଣ୍ୟରେ ବି ଅନେକ ସମୟରେ ନିଆଁ ଲାଗୁଛି। ବନ ବିଭାଗ ପାରୁପର୍ଯ୍ୟନ୍ତ ଉଦ୍ୟମ କରୁଛି ନିଆଁକୁ ଆୟତ୍ତ କରିବା ପାଇଁ। ସାମୟିକ ଭାବେ ହୁଏତ ସଫଳ ହେଉଛି ,କିନ୍ତୁ ସ୍ଥାୟୀ ପ୍ରତିକାର ଏଯାବତ ସମ୍ଭବ ହୋଇପାରୁନି। ଜନଜାତି ଲୋକ ପେଟପାଟଣାର ଦାୟ ହେଉ କି ପରମ୍ପରା ପାଳନ ନାମରେ ପୋଡୁ ଚାଷ କରି ଚାଲିଛି ବର୍ଷ ବର୍ଷ। କିନ୍ତୁ କାଠ ଓ ଜମି ହାତେଇବା ଲାଗି ବହୁଳ ଭାବରେ ଡଙ୍ଗର ପାହାଡ଼ରେ ନିଆଁ ଲାଗୁଛି ବାହାର ଲୋକଙ୍କ ନିର୍ଦ୍ଦେଶରେ। ଖଣି ଖନନ ପାଇଁ ବହୁ କମ୍ପାନୀ ଡଙ୍ଗରକୁ ଖୋଳିତାଡି ଗଭୀର କ୍ଷତ କରି ଚାଲିଛନ୍ତି। ଏଣିକି ମାଳ ଅଞ୍ଚଳରେ ବଢୁଛି ତାତି। ପାଣି ଟୋପାଏକୁ କାତର ହେଉଛନ୍ତି ମଣିଷ। ତଥାପି ଚେତୁନାହାନ୍ତି ମଣିଷ। ଏବେ ପୃଥିବୀ ସାରା ଡଙ୍ଗରର ଘା ମଣିଷକୁ କଲବଲ କରୁଛି। ଡଙ୍ଗର ଶଢୁଛି। ତା’ ସହିତ ମଣିଷକୁ ଜୀବନବ୍ୟାପୀ ଶଢିବାକୁ ଛାଡି ଦେଇଛି। ବେଳ ଥାଉ ଥାଉ ନ ଚେତିଲେ ପିଢ଼ି ପରେ ପିଢ଼ି ଦହଗଞ୍ଜ ହେବା ନିଶ୍ଚିତ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ -୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri