ସ୍ବପ୍ନ ସରିଲା, ନୂଆ ସ୍ବପ୍ନ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ): ରାଜ୍ୟରେ ପୂର୍ବ ପ୍ରସ୍ତାବିତ ଟାଟା ମେମୋରିଆଲ କ୍ୟାନ୍‌ସର ହସ୍ପିଟାଲ ପ୍ରତିଷ୍ଠା କେତେବାଟ ଗଲା ସେକଥା ଏଯାଏ ଜଣାପଡ଼ିନାହିଁ। ହେଲେ ବର୍ତ୍ତମାନ ଭୁବନେଶ୍ୱରଠାରେ ୨୦୨୪ ଜାନୁୟାରୀ ସୁଦ୍ଧା ଆଉ ଏକ କ୍ୟାନ୍‌ସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା ସରିଲାଣି। ଅତୀତରେ ଏହିଭଳି ଏକାଧିକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ କରିବା ନାଁରେ କେତେଗୁଡ଼ିଏ କମ୍ପାନୀ ସରକାରଙ୍କ ସହ ଏମ୍‌ଓୟୁ(ବୁଝାମଣାପତ୍ର)କରି ଜମି ନେବା ସତ୍ତ୍ୱେ ପ୍ରକଳ୍ପ କାମ କରିନାହାନ୍ତି। ଏହାର ଅନେକ ଉଦାହରଣ ରହିଛି। ନିକଟରେ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ, ଗଞ୍ଜାମ ଜିଲା ଗୋପାଳପୁରଠାରେ ଏକ ଇସ୍ପାତ କାରଖାନା ଲାଗି ଟାଟା କମ୍ପାନୀ ୧୯୯୫ ମସିହାରେ ୫୩୭.୮୨ ଏକର ଜମି ନେଇଥିଲା। ହେଲେ ବିନା କାରଖାନାରେ ଆଜି ପର୍ଯ୍ୟନ୍ତ ଜମିକୁ ଟାଟା ନିଜ ଅକ୍ତିଆରରେ ରଖିଛି। ସମାନଭାବେ ଓଡ଼ିଶାରେ ଟାଟା ମେମୋରିଆଲ ହସ୍ପିଟାଲ ନାମରେ କଟକ ଜିଲା ବାରଙ୍ଗସ୍ଥିତ ରତାଗଡ଼ଠାରେ ଓଡ଼ିଶା କ୍ୟାନ୍‌ସର ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ହେବ ବୋଲି ସ୍ଥିର ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲରେ କ୍ୟାନ୍‌ସର ଚିକିତ୍ସା ଲାଗି ଆର୍ଥିକ ସହାୟତା ଯୋଗାଇଦେବାକୁ ବାରମ୍ବାର ଅଭିଯୋଗ ଆସୁଥିବାରୁ ଓଡ଼ିଶାରେ ଏହାର ଏକ ଶାଖା ଖୋଲିବାକୁ ସରକାର ସ୍ଥିରକରି ଏଭଳି ପଦକ୍ଷେପ ନେଇଥିବା କଥା କହିଲେ। ଏହାସହ ପ୍ରସ୍ତାବିତ ହସ୍ପିଟାଲର ଗୁଣାତ୍ମକ ମାନ ମୁମ୍ବାଇର ଟାଟା ମେମୋରିଆଲରେ ମିଳୁଥିବା ସମସ୍ତ ସେବା ସହିତ ସମକକ୍ଷ ହେବ ବୋଲି ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଡିଣ୍ଡିମ ପିଟିଲା। ସେହି ଅନୁଯାୟୀ ୨୦୧୮ ମେ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ରତନ ଟାଟାଙ୍କ ଉପସ୍ଥିତିରେ ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ୫ ବର୍ଷରେ ୮୦୦ କୋଟି ଟଙ୍କା ବିନିମୟରେ ଏହି ହସ୍ପିଟାଲଟି ନିର୍ମାଣ ଶେଷ କରିବାକୁ ଚୁକ୍ତିରେ ଉଲ୍ଲେଖ ଥିଲା। ୧୭ ଫେବୃୟାରୀ ୨୦୧୯ରେ ଏନେଇ କଟକ ଜିଲା ବାରଙ୍ଗ ବ୍ଲକ ରାମଦାସପୁର ପଞ୍ଚାୟତର ରତାଗଡ଼ଠାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଆସିଲେ। ଏଥିଲାଗି ରାଜ୍ୟ ସରକାର ଟାଟା କମ୍ପାନୀକୁ ମାଗଣାରେ ୧୫ ଏକର ଜମି ଏବଂ ୫୦୦ କୋଟି ଟଙ୍କା ଦେବାକୁ ସ୍ଥିର କଲେ। ଏଥିରେ ଟାଟାର ୩୦୦ କୋଟି ଟଙ୍କାର ସହଭାଗିତା ରହିବ ବୋଲି କୁହାଗଲା। ଏହିସବୁ ଭିତରେ ଟାଟା କମ୍ପାନୀ ହାତକୁ ରାଜ୍ୟ ସରକାର ୧୫ ଏକର ଜମି ହସ୍ତାନ୍ତର କରିସାରିଛନ୍ତି। ଏଥି ସହିତ ଚୁକ୍ତି ଅନୁଯାୟୀ ୫୦୦ କୋଟି ଟଙ୍କା ମଧ୍ୟ ଦିଆସରିଲାଣି। ଏମ୍‌ଓୟୁକୁ ବର୍ତ୍ତମାନ ୩ ବର୍ଷ ପୂରଣ ହୋଇଥିବାବେଳେ ଶିଳାନ୍ୟାସକୁ ୨ ବର୍ଷ ୩ ମାସ ପୂରଣ ହେବାକୁ ଯାଉଛି। ହେଲେ ରାଜ୍ୟବାସୀଙ୍କୁ ଉଭୟ ସରକାର ଓ ରତନ ଟାଟା ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏନେଇ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ପଚରାଯିବାରୁ ଜଣାପଡ଼ିଛି ଯେ, “ଏ ପର୍ଯ୍ୟନ୍ତ ଟାଟା ମେମୋରିଆଲ ହସ୍ପିଟାଲ ହେବା ନେଇ ରହିଥିବା ପ୍ରସ୍ତାବ ଖାରଜ ହୋଇନାହିଁ”।
ଏନେଇ ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏ ପର୍ଯ୍ୟନ୍ତ ଉକ୍ତ ଫାଇଲ ବନ୍ଦ ହୋଇନାହିଁ। ୩ ବର୍ଷ ହେଲା ଟାଟା ଏ ବାବଦରେ କିଛି ସ୍ପଷ୍ଟ ମଧ୍ୟ କରୁନାହିଁ। ବିଭିନ୍ନ ସମୟରେ କମ୍ପାନୀ ଅଧିକାରୀ ବଦଳୁଥିବାରୁ କାମ ହୋଇପାରୁ ନ ଥିବା ଟାଟା କହିଆସୁଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅବସର ନେବାର ଦିନ କେଇଟା ପୂର୍ବରୁ ଏ ବାବଦରେ ଟାଟା କମ୍ପାନୀ ଅଧିକାରୀଙ୍କ ସହିତ ଏକ ବୈଠକ କରିଥିଲେ। ସେତେବେଳେ ଟାଟା ୨ ସପ୍ତାହ ମଧ୍ୟରେ ହସ୍ପିଟାଲ ପ୍ରତିଷ୍ଠା ସମ୍ପର୍କରେ ସ୍ପଷ୍ଟ କରିବ ବୋଲି କହିଥିଲେ ସୁଦ୍ଧା ଏଯାଏ ଚୁପ୍‌ ବସିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଯେଉଁ ଜମିରେ ଟାଟା ମେମୋରିଆଲ ହୋଇଥାଆନ୍ତା ସେଠାରେ ବିଭିନ୍ନ ଅସୁବିଧା କଥା କମ୍ପାନୀ ଅଧିକାରୀ ଦର୍ଶାଉଥିବା ବେଳେ ଏଠାରେ ବହୁ ଟଙ୍କା ମଧ୍ୟ ସରକାର ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ଉକ୍ତ ହସ୍ପିଟାଲ କଥା କ’ଣ ହେବ ସେନେଇ ଜଣା ନ ଥିବା ସେ କହିଛନ୍ତି। ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ କଥାରୁ ସ୍ପଷ୍ଟ ବୁଝାପଡୁଛି, ଓଡ଼ିଶାରେ ଟାଟା ମେମୋରିଆଲ ହସ୍ପିଟାଲ ପ୍ରତିଷ୍ଠା ବିଫଳ ହୋଇସାରିଥିବା ନେଇ ରାଜ୍ୟବାସୀଙ୍କୁ ଜଣାଇ ସରକାର ଅପବାଦ ମୁଣ୍ଡାଇବାକୁ ଚାହୁଁନାହାନ୍ତି। ଗୋଟିଏ ଚୁକ୍ତି କାର୍ଯ୍ୟକାରୀ ନ ହେବା ପୂର୍ବରୁ କ୍ୟାନ୍‌ସର ହସ୍ପିଟାଲ ଲାଗି ଆଉ ଏକ ବୁଝାମଣାପତ୍ର ସ୍ବାକ୍ଷର କରିବା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ବର୍ତ୍ତମାନ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ରହିଥିବା ପ୍ରମୋଦ ମେହେର୍ଦ୍ଦା ଯେଉଁ ସମୟରେ ସ୍ବାସ୍ଥ୍ୟ ସଚିବ ଥିଲେ ସେତେବେଳେ ଟାଟା କମ୍ପାନୀ ସହିତ ବୁଝାମଣା ପତ୍ର ତାଙ୍କ ମାଧ୍ୟମରେ ସ୍ବାକ୍ଷରିତ କରାଯାଇଥିଲା। ଏବେ ପୁନର୍ବାର ଏକ ଦମ୍ପତିଙ୍କ ଦ୍ୱାରା ନୂତନ କ୍ୟାନ୍‌ସର ହସ୍ପିଟାଲ ହେବ ବୋଲି ଯାହା କୁହାଯାଉଛି ସେହି ସପନ ଦେଖି ରାଜ୍ୟବାସୀ ସନ୍ତୁଷ୍ଟ ରହିବା ଦରକାର ବୋଲି ସଚିବାଳୟର କେତେଜଣ ବରିଷ୍ଠ ଅଧିକାରୀ କୌତୂହଳରେ ମତ ଦେଉଛନ୍ତି।

ସୁନିତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?