ନୂଆପଡ଼ା,୨୧ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକରେ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ କୋମନା ସଦର ବଙ୍ଗଳାପଡାଠାରୁ କୋମନା ବ୍ରିଜ୍ ପର୍ଯ୍ୟନ୍ତ ପ୍ରାୟ ୫ ଶହ ମିଟର ରାସ୍ତା କଂକ୍ରିଟକରଣ ସହ ଡ୍ରେନ୍ ନିର୍ମାଣ ହୋଇଥିଲା। କିନ୍ତୁ ପରିତାପର ବିଷୟ କାମ ଶେଷ ହେବାର ମାସେ ନ ପୁରୂଣୁ ଅନେକ ସ୍ଥାନରେ କଂକ୍ରିଟ ଭାଙ୍ଗି ଖସି ପଡ଼ିଛି। ଡ୍ରେନ ଉପରେ ପକାଯାଇଥିବା ଛାତ ମଧ୍ୟ ନିମ୍ନମାନର ସାମଗ୍ରୀ ବ୍ୟବହାର ଯୋଗୁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। କଂକ୍ରିଟ ରାସ୍ତାରେ ଗେଟି ଉପୁଡ଼ିବା ଆରମ୍ଭ ହେଲାଣି। ଏଥିଯୋଗୁ ଯାତାୟାତରେ ସମସ୍ୟା ଉପୁଜୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାମ ଚାଲିଥିବା ସମୟରେ ଅଧିକାରୀ ଓ ଠିକାଦାରଙ୍କୁ ନିମ୍ନମାନର କାମ ହେଉଛି ବୋଲି କୁହାଯାଇଥିଲେ ମଧ୍ୟ ଗୁରୁତ୍ୱ ଦିଆଯାଇ ନ ଥିଲା। ନିମ୍ନମାନର ସିମେଣ୍ଟ, ବାଲି ଓ ଗେଟି ବ୍ୟବହାର କରାଯାଇଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ କୋମନା ତହସିଲଦାର ଯାଇ ଏହାର ତଦନ୍ତ କରିବେ। ରାସ୍ତା କାମ ନିମ୍ନମାନର ହୋଇଥିଲେ ପୁଣି ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

