ଜଗିବାରେ ଢିଲା ନ ରହୁ

କୋଭିଡ୍‌-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଖର୍ଚ୍ଚର ଆବଶ୍ୟକତାକୁ ପୂରଣ କରିବା ପାଇଁ ଚଳିତମାସ ଆରମ୍ଭରେ ଅନେକ ଆର୍ଥିକ ସଂଯମ ବା ବ୍ୟୟସଂକୋଚମୂଳକ ପଦକ୍ଷେପ ଘୋଷଣା କରିବା ପରେ, ଆର୍ଥିକ ଅନଟନଗ୍ରସ୍ତ ରାଜ୍ୟ ସରକାର ପୁଣି ବିଭିନ୍ନ ହେଡ୍‌ରେ ଚଳିତ ବର୍ଷର ଆବଣ୍ଟିତ ବଜେଟ୍‌ ବ୍ୟୟ ହ୍ରାସ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତ ଫେବୃୟାରୀ ମାସରେ ୨୦୨୦-୨୧ ପାଇଁ ୧.୫୦ ଲକ୍ଷ କୋଟି ଟଙ୍କାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଥିଲେ, ଯାହା ୨୦୧୯-୨୦ର ସଂଶୋଧିତ ଆକଳନଠାରୁ ୧୧ ପ୍ରତିଶତ ଅଧିକ। ବଜେଟ୍‌ରେ ଯେଉଁସବୁ ଲକ୍ଷ୍ୟ ଥିଲା ସେଗୁଡିକ ୧,୨୪,୫୫୦ କୋଟି ଟଙ୍କାର ରାଜକୋଷୀୟ ଆୟ ଏବଂ ୨୪,୪୫୦ କୋଟି ଟଙ୍କାର ଋଣ ମାଧ୍ୟମରେ ପୂରଣ ହେବ ବୋଲି ଆଶା କରାଯାଇଥିଲା। କିନ୍ତୁ ଅର୍ଥନୈତିକ ମାନ୍ଦାବସ୍ଥା ଅର୍ଥନୀତି ଉପରେ କୁପ୍ରଭାବ ପକାଇଲା ଏବଂ ତା’ପରେ ଯେତିକି ଅର୍ଥନୈତିକ କାର୍ଯ୍ୟକଳାପ ଚାଲିଥିଲା କୋଭିଡ୍‌-୧୯ ତାକୁ ପୂରା ମାରିଦେଲା। ଗତ ଏପ୍ରିଲ ଓ ମେ ମାସରେ ଆଭ୍ୟନ୍ତରୀଣ ଉତ୍ସରୁ ରାଜସ୍ବ ଆୟ ୭୦% ହ୍ରାସ ପାଇଛି। ବାର୍ଷିକ ରାଜସ୍ବ ସଂଗ୍ରହରେ ଏହା ୨୦ ପ୍ରତିଶତ ହ୍ରାସ ଘଟାଇବ। ଏଥିସହ କେନ୍ଦ୍ର ସରକାର ବିଭିନ୍ନ ହେଡ୍‌ରେ ରାଜ୍ୟ ସରକାରଙ୍କୁ ଯେଉଁ ସହାୟତା ଯୋଗାଇଥାନ୍ତି, ତାକୁ ହ୍ରାସ କରିପାରନ୍ତି। ଏଭଳି କଠିନ ସମୟରେ ରାଜ୍ୟ ସରକାର ଖର୍ଚ୍ଚକାଟ କରିବା ଏବଂ ବଜେଟ ବ୍ୟୟ ହ୍ରାସ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। କୋଭିଡ୍‌-୧୯ ମହାମାରୀ ପରିଚାଳନାରେ ସରକାର ବିଭିନ୍ନ ହେଡ୍‌ରେ ପ୍ରାୟ ୧୯୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି।
ବ୍ୟୟ ସଂକୋଚନ ମାଧ୍ୟମରେ ସରକାର ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବାକୁ ସ୍ଥିର କରିଥିବାବେଳେ ବଜେଟ୍‌ ଆବଣ୍ଟନକୁ ହ୍ରାସ କରିବା ପାଇଁ ଯେଉଁ ସର୍ବଶେଷ ଘୋଷଣା କରିଛନ୍ତି ତାହା ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ। ସରକାର ଆଭ୍ୟନ୍ତରୀଣ ଋଣ ମାଧ୍ୟମରେ ଅର୍ଥ ସଂଗ୍ରହ କରିବା ପାଇଁ ଘୋଷଣା କରିଥିବାବେଳେ କେନ୍ଦ୍ରୀୟ ସହାୟତା ଆଶାନୁରୂପ ହେବନାହିଁ। ଖୋଲା ବଜାରରୁ ଋଣ ନ ନେବାକୁ ନିଷ୍ପତ୍ତି ନେଇ ରାଜ୍ୟ ସରକାର ଠିକ୍‌ କାର୍ଯ୍ୟ କରିଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ (CAMPA) ଏବଂ ଓଡିଶା ମିନେରାଲ୍‌ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ୍‌ ଅଧୀନରେ ସ୍ବଳ୍ପ ସୁଧହାରରେ ପାଣ୍ଠିର ଉପଲବ୍ଧତା ଏଥିପାଇଁ ସହାୟକ ହେବ। ଗତ ମେ ମାସରେ କେନ୍ଦ୍ର ସରକାର FRBM ନିୟମାବଳୀକୁ କୋହଳ କରି ୨୦୨୦-୨୧ ମସିହାରେ ରାଜ୍ୟଗୁଡ଼ିକର ସର୍ବୋଚ୍ଚ ଋଣନେବା ପରିମାଣକୁ ମୋଟ ରାଜ୍ୟ ଘରୋଇ ଉତ୍ପାଦ (GSDP)ର ୩ ପ୍ରତିଶତରୁ ୫ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏହାଦ୍ୱାରା ରାଜ୍ୟଗୁଡ଼ିକ ଅତିରିକ୍ତ ୪.୨୮ ଲକ୍ଷ କୋଟି ଟଙ୍କା ପାଇପାରିବେ। ଏହି ସୁବିଧାର ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର କିଛି ସର୍ତ୍ତ ରଖିଛନ୍ତି। ପ୍ରାକ୍‌ସର୍ତ୍ତଗୁଡିକ ଭିତରେ ଅଛି- ରାଜ୍ୟ ସରକାର ବ୍ୟବସାୟକୁ ସୁଗମ କରିବା (ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌) ପାଇଁ ଆବଶ୍ୟକ ସଂସ୍କାର ଆଣିବା, ଶକ୍ତି ବଣ୍ଟନ ଏବଂ ଗୋଟିଏ ଦେଶ-ଗୋଟିଏ ରାଶନ କାର୍ଡର ସାର୍ବଜନୀନୀକରଣ ଇତ୍ୟାଦି। ଏହି ସର୍ତ୍ତଗୁଡିକ ଅନୁଯାୟୀ ରାଜ୍ୟ ସରକାର ଉକ୍ତ ସଂସ୍କାରଗୁଡିକୁ କାର୍ଯ୍ୟକାରୀ କରିବାକୁ ଦ୍ରୁତଗତିରେ ଲାଗିପଡ଼ିଛନ୍ତି। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ରେ ରାଜ୍ୟର ସ୍ଥିତିରେ ଉନ୍ନତି ଆଣିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜିଲାସ୍ତରୀୟ ବ୍ୟବସାୟ ସଂସ୍କାର କାର୍ଯ୍ୟ ଯୋଜନା (BRAP)ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ସୂଚକାଙ୍କରେ ଉନ୍ନତି ଘଟିଲେ ରାଜ୍ୟରେ ବ୍ୟବସାୟିକ ଇକୋ-ସିଷ୍ଟମ୍‌ (ପରିବେଶ)ରେ ଉନ୍ନତି ଆସିବ। ଏହା ରାଜ୍ୟକୁ ଅଧିକ ନିବେଶକଙ୍କୁ ଆକର୍ଷିତ କରିବାରେ ସାହାଯ୍ୟ କରିବ। ଏକ ପ୍ରମୁଖ ନୀତିଗତ ପଦକ୍ଷେପ ଭାବରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ରେ ଉନ୍ନତି ଆଣିବା ପାଇଁ ସରକାର ଶିଳ୍ପଗୁଡିକ ପାଇଁ ଅବଧିଭିତ୍ତିକ ଲାଇସେନ୍ସ ନବୀକରଣ ବ୍ୟବସ୍ଥାକୁ ଉଠାଇଦେଇଛନ୍ତି। ଏହା ଏକ ଭଲ ପଦକ୍ଷେପ ଯାହା କେବଳ ଶିଳ୍ପାୟନ ଓ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ ନାହିଁ ବରଂ ଏହା ମଧ୍ୟ ବ୍ୟବସ୍ଥା ଭିତରେ ରହିଥିବା ଦୁର୍ନୀତିକୁ ହ୍ରାସ କରିବ। ଶିଳ୍ପ ସଂସ୍ଥାଗୁଡ଼ିକୁ ଏକାଧିକ ଲାଇସେନ୍ସ ବିଭିନ୍ନ ସମୟାନ୍ତରରେ କର୍ତ୍ତୃପକ୍ଷଙ୍କ ପାଖରୁ ନବୀକରଣ କରାଇବାକୁ ପଡ଼ୁଥିବାରୁ ବ୍ୟବସ୍ଥାଗତ ଦୁର୍ନୀତି ହେଉଥିଲା ଏବଂ ରାଜ୍ୟରେ ଶିଳ୍ପାୟନର ଗତି ମନ୍ଥର ହେଉଥିଲା। ଏହି ନୀତିର ସମାପ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଶିଳ୍ପ କାର୍ଯ୍ୟକଳାପ ଏବଂ ପ୍ରକ୍ରିୟାଗୁଡ଼ିକ ଉପରେ ସରକାର ସଜାଗ ଦୃଷ୍ଟି ରଖିବା ଆବଶ୍ୟକ, ନ ହେଲେ କମ୍ପାନୀଗୁଡିକ ସର୍ଟକଟ୍‌ ବ୍ୟବସ୍ଥା ଆପଣେଇନେବେ। କୋଭିଡ୍‌-୧୯ ଏକ ବର୍ଦ୍ଧନଶୀଳ ସଙ୍କଟ। ଏହି ସଙ୍କଟ କେତେ ସମୟ ପର୍ଯ୍ୟନ୍ତ ରହିବ କିମ୍ବା ଏହାର ଫଳାଫଳ କ’ଣ ହେବ କେହି ଜାଣି ନାହାନ୍ତି। ଏହି ରୋଗ ମାନବଜାତି ଏବଂ ଅର୍ଥନୀତି ଉପରେ ଯେଉଁ କ୍ଷତି ଘଟାଇପାରେ ତାହାର ଆକଳନ କରିବାକୁ ସରକାର ସ୍ଥିତିରେ ନାହାନ୍ତି। ସମ୍ଭାବ୍ୟ ଘଟଣା ପାଇଁ ଯେକୌଣସି ପ୍ରସ୍ତୁତି କେବଳ ଅପୂର୍ଣ୍ଣାଙ୍ଗ ହୋଇପାରେ। ତେଣୁ ସରକାର ଜଗିବାରେ ଢିଲା କରିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri