ମମତାଙ୍କୁ ଡର ନାହିଁ

ଆସନ୍ତା ଅକ୍ଟୋବରରେ ଇଟାଲୀ ରାଜଧାନୀ ରୋମ୍‌ସ୍ଥିତ ଏକ କ୍ୟାଥଲିକ୍‌ ଫାଉଣ୍ଡେଶନ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ସର୍ବଧର୍ମ ଶାନ୍ତି ସମ୍ମିଳନୀରେ ଯୋଗଦେବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ ମିଳିଥିଲା। ହେଲେ ତାଙ୍କୁ ସେଠାକୁ ଯିବାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଅନୁମତି ଦେଇନାହିଁ। ଉଲ୍ଲେଖଯୋଗ୍ୟ, ଦେଶର ସବୁ ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ କେନ୍ଦ୍ରର ମନ୍ତ୍ରୀ, ସାଂସଦ ଏବଂ ସରକାରୀ ଅଧିକାରୀ ଯେଉଁମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଡିପ୍ଲୋମାଟିକ୍‌ ବା କୂଟନୈତିକ ପାସ୍‌ପୋର୍ଟ ପାଇଛନ୍ତି, ସେମାନେ ବିଦେଶ ଗସ୍ତ ପୂର୍ବରୁ ବହିର୍ବ୍ୟାପାର ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟଠାରୁ ଅନୁମତି ନେବା ବାଞ୍ଛନୀୟ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ହେବାକୁ ଥିବା ଶାନ୍ତି ସମ୍ମିଳନୀ ମମତାଙ୍କ ସ୍ତରର ହୋଇ ନ ଥିବାରୁ ସେ ସେଥିରେ ଯୋଗଦେଇ ପାରିବେ ନାହିଁ। କେନ୍ଦ୍ର କେଉଁ ଉଦ୍ଦେଶ୍ୟରେ ଏଭଳି ମତ ରଖିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମମତାଙ୍କୁ ନୂ୍ୟନ କରି ଦେଖାଯାଇଥିବା ବୁଝାଯାଉଛି। ଏକ ସଂଘୀୟ ବ୍ୟବସ୍ଥାରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କେନ୍ଦ୍ରର ଏଭଳି ବ୍ୟବହାରକୁ ନେଇ ଆଲୋଚନା ହେବା ସ୍ବାଭାବିକ। ମମତା କହିଛନ୍ତି, ବିଦେଶ ଭ୍ରମଣ ନିଶା ତାଙ୍କ ପାଖରେ ନାହିଁ। ଏକ ଶାନ୍ତି ସମ୍ମିଳନୀରେ ଯୋଗଦେବା ଲାଗି ଭାରତରୁ ତାଙ୍କୁ ପ୍ରତିନିଧିତ୍ୱ କରିବାକୁ ନିମନ୍ତ୍ରଣ ମିଳିଥିବାରୁ ସେ ଏଭଳି ଆବେଦନ କରିଥିଲେ। କିନ୍ତୁ ପ୍ରତିଶୋଧମୂଳକ ମନୋଭାବ ରଖି କେନ୍ଦ୍ର ଏପରି ପ୍ରତିବନ୍ଧକ ଲଗାଇଛି ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସମସ୍ତେ ଜାଣନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମମତାଙ୍କ ମଧ୍ୟରେ ଅତ୍ୟନ୍ତ ତିକ୍ତ ସମ୍ପର୍କ ରହିଆସିଛି। ୨୦୨୧ ମାର୍ଚ୍ଚରୁ ମେ’ ଯାଏ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜାତୀୟ ଗଣମାଧ୍ୟମ ବାରମ୍ବାର କହିଆସୁଥିଲା ଯେ, ଭାଜପା ଜିତିବ। ନିଜ ପ୍ରଚାର ଜାଲରେ ନିଜେ ଭାଜପା ନେତୃତ୍ୱ ଛନ୍ଦିହୋଇ ବାସ୍ତବ ସ୍ଥିତି ବୁଝିବାରେ ସକ୍ଷମ ହେଲେ ବୋଲି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଜଣାପଡ଼ିଲା। ମମତାଙ୍କ ତୃଣମୂଳ କଂଗ୍ରେସ ୨୦୦ରୁ ଅଧିକ ଆସନ ଜିଣିଥିବାବେଳେ ଭାଜପା ମାତ୍ର ୭୭ ଆସନ ପାଇପାରିଥିଲା। ସେଇ ଲଢ଼େଇରେ ବାମପନ୍ଥୀ ବିଶେଷକରି ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି କୌଣସି ଆସନ ନ ଜିତି ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ୨୦୧୮ ମସିହାରେ ଆମେରିକାର ଶିକାଗୋଠାରେ ସ୍ବାମୀ ବିବେକାନନ୍ଦଙ୍କ ଐତିହାସିକ ଭାଷଣକୁ ୧୨୫ ବର୍ଷ ପୂରଣ ହୋଇଥିବା ପରିପ୍ରେକ୍ଷୀରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗ ଦେବା ନେଇ ମମତାଙ୍କୁ ଡକା ଯାଇଥିଲା। ସେତେବେଳେ ମଧ୍ୟ ମମତାଙ୍କ ଆବେଦନକୁ କେନ୍ଦ୍ର ଖାରଜ କରିଦେଇଥିଲା। ଅନୁରୂପ ଭାବେ ଚାଇନା ଗସ୍ତକୁ ମଧ୍ୟ କେନ୍ଦ୍ର ସରକାର ବାତିଲ କରିଦେଇଥିଲେ। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଗଣତାନ୍ତ୍ରିକ ଉପାୟରେ ଗଠିତ ରାଜ୍ୟ ସରକାରର ମୁଖ୍ୟଙ୍କୁ କେଉଁଥିପାଇଁ କେନ୍ଦ୍ର ସରକାର ବାରମ୍ବାର ବିଦେଶ ଯିବାକୁ ମନା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାହୁଲ ଗାନ୍ଧୀଙ୍କ ଭଳି ଆହୁରି ଅନେକ ସାଂସଦ ଓ ନେତାଙ୍କର ଡିପ୍ଲୋମାଟିକ୍‌ ପାସ୍‌ପୋର୍ଟ ରହିଛି। ବିଶେଷକରି ରାହୁଲ ବାରମ୍ବାର ବିଦେଶ ଗସ୍ତ କରିଆସୁଛନ୍ତି। ସ୍ବାଭାବିକ ଭାବେ ତାଙ୍କ ମତକୁ ବିଦେଶରେ କୌଣସି ଗୁରୁତ୍ୱ ଦିଆଯାଉ ନାହିଁ କିମ୍ବା ରାହୁଲ ସାଧାରଣରେ ଭାରତୀୟ ରାଜନୀତି ସମ୍ପର୍କରେ ବିଦେଶ ଗସ୍ତ ବେଳେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିବାର ଉଦାହରଣ ନାହିଁ। ରାହୁଲଙ୍କୁ ମମତାଙ୍କ ସହ ତୁଳନା କରିହେବ ନାହିଁ। କେହି ସ୍ବୀକାର କରନ୍ତୁ ବା ନ କରନ୍ତୁ, ମମତା ଜଣେ ଲଢୁଆ ଓ ସ୍ପଷ୍ଟବାଦୀ ଜନନେତା। ତାଙ୍କ ମତକୁ ଭୟକରି କେନ୍ଦ୍ର ଏଭଳି ଏକ ଅତର୍ଚ୍ଛା ନିଷ୍ପତ୍ତି ନେଉଥିବା ଭଳି ମନେହୁଏ। ଏଥିରୁ ଏହା ମଧ୍ୟ ବୁଝାପଡ଼େ ଯେ, ନିଜକୁ ଯେତିକି ଶକ୍ତିଶାଳୀ ବୋଲି ଭାଜପା ନେତୃବୃନ୍ଦ ପ୍ରଦର୍ଶନ କରୁଛନ୍ତି, ବାସ୍ତବରେ ହୁଏତ ସେମାନେ ନିଜେ ହୃଦ୍‌ବୋଧ କରିସାରିଲେଣି ଭିତରୁ ଫମ୍ପା ହୋଇଥିବାରୁ ସେମାନଙ୍କର ଗୁରୁତ୍ୱ ନାହିଁ ବୋଲି ଦେଶବିଦେଶରେ ବୁଝାପଡ଼ିଲାଣି।
ରୋମ୍‌ରେ ହେବାକୁ ଥିତ୍ବା ସମ୍ମିଳନୀ ନେଇ ଯେଉଁ ତଥ୍ୟ ପ୍ରକାଶ ପାଇଛି ସେଥିରୁ ଜଣାପଡ଼ିଛି ଯେ, ପୋପ୍‌ ଫ୍ରାନ୍ସିସ୍‌, ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମାର୍କେଲ, ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କ ସମେତ ବିଶ୍ୱର ପାଖାପାଖି ୫୦୦ ଧର୍ମୀୟ ଓ ରାଜନୈତିକ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଯଦି ଭାଜପା ଆଶଙ୍କା କରୁଥାଏ ଯେ, ମମତା ସେହି ସମ୍ମିଳନୀକୁ ଯାଇ ଭାରତ ସରକାରଙ୍କ ବିରୋଧରେ କିଛି କହିଦେଲେ ମୋଦିଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଯିବ, ତେବେ ତାହା ଅତ୍ୟନ୍ତ ହାସ୍ୟାସ୍ପଦ ମନେହେଉଛି। କାରଣ ମମତାଙ୍କ ଭଳି ଅଭିଜ୍ଞ ରାଜନୀତିଜ୍ଞ କେବେହେଲେ ବିଦେଶରେ ନିଜ ଦେଶ କିମ୍ବା ସରକାର ବିରୋଧରେ ମନ୍ତବ୍ୟ ଦେଇପାରିବେ ନାହିଁ। ସେଭଳି ଅପରିପକ୍ୱତା କୌଣସି ଭାରତୀୟ ଗୁରୁତ୍ୱପୂର୍ଣ୍ଣ ନେତା କରିବାର ଆଜି ପର୍ଯ୍ୟନ୍ତ ନଜିର ନାହିଁ। ଏଠାରେ ମମତା ଅନ୍ୟ ଏକ କୌତୂହଳପୂର୍ଣ୍ଣ କଥା ବଖାଣିଛନ୍ତି। ଯଦି ସବୁ ନିୟମାବଳୀ ପାଳନ କରାଯାଉଛି ବୋଲି କୁହାଯାଉଛି, ତେବେ ମୋଦି କୋଭିଡ୍‌ ପ୍ରତିଷେଧକ ଟିକା କୋଭାକ୍ସିନ ନେଇ କିଭଳି ଆମେରିକା ଗସ୍ତ କଲେ ବୋଲି ମମତା ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା ସରକାର ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) କୋଭାକ୍ସିନକୁ ବୈଧ ଟିକା ମାନ୍ୟତା ଦେଇ ନାହାନ୍ତି।
କେନ୍ଦ୍ର ଓ ରାଜ୍ୟ ସମ୍ପର୍କ ଉତ୍ତମ ରହିଲେ ସଂଘୀୟ ବ୍ୟବସ୍ଥା ସୁଦୃଢ଼ ହୋଇଥାଏ। ତେବେ ଭାରତୀୟ ନେତାମାନଙ୍କର ନିଜ ଦକ୍ଷତା ଉପରେ ଅତ୍ୟଧିକ ଅବିଶ୍ୱାସ ସୃଷ୍ଟି ହେଉଥିବାରୁ ସେମାନେ ମନେରଖିବା ଦରକାର ଯେ, ତାହା ସମଗ୍ର ଦେଶ ପାଇଁ କ୍ଷତିକାରକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri