ନୂଆଦିଲ୍ଲୀ,୩୦।୧୦: ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଦୁଇଜଣ ବୟସ୍କ ବ୍ୟକ୍ତି ପାରସ୍ପରିକ ଇଚ୍ଛାରେ, ପ୍ରେମ ସମ୍ପର୍କରେ ରହି ଶାରୀରିକ ସମ୍ପର୍କ ରଖୁଛନ୍ତି, ତେବେ କେବଳ ପରବର୍ତ୍ତୀ ସମୟରେ ସମ୍ପର୍କ ଭାଙ୍ଗିଯିବା କାରଣରୁ ତାହାକୁ ବଳାତ୍କାର ବୋଲି ଧରାଯାଇପାରିବ ନାହିଁ। ଆଇନ ପ୍ରଣେତାଙ୍କର ଏଭଳି ଉଦ୍ଦେଶ୍ୟ କେବେ ବି ନଥିଲା।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇନ ପ୍ରଣେତାମାନଙ୍କର ଏଭଳି ଉଦ୍ଦେଶ୍ୟ କେବେ ନଥିଲା ଯେ ପାରସ୍ପରିକ ପ୍ରେମ ଓ ସହମତି ଆଧାରିତ ସମ୍ପର୍କରେ ବୟସ୍କମାନଙ୍କ ମଧ୍ୟରେ ହୋଇଥିବା ଶାରୀରିକ ସମ୍ପର୍କକୁ କେବଳ ସମ୍ପର୍କ ଭାଙ୍ଗିଯିବା ପରେ ପୂର୍ୱ ତାରିଖରୁ ଅପରାଧ ଘୋଷଣା କରାଯାଉ। ଜଷ୍ଟିସ ବି.ଭି. ନାଗରତ୍ନା ଏବଂ ଜଷ୍ଟିସ ଆର୍. ମହାଦେବନଙ୍କ ଖଣ୍ଡପୀଠ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗ ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସମ୍ପ୍ରତି କିଛି ବର୍ଷ ଧରି ସାମ୍ନାକୁ ଆସୁଥିବା ଏକ ଚିନ୍ତାଜନକ ଧାରା ଉପରେ ସୁପ୍ରିମକୋର୍ଟ ଧ୍ୟାନ ଆକର୍ଷଣ କରିଛନ୍ତି, ଯେଉଁଥିରେ ପାରସ୍ପରିକ ସହମତିର ସମ୍ପର୍କ ଶେଷ ହେବା ପରେ ପୁରୁଣା ସମ୍ପର୍କକୁ ପୁନଃ ଯାଞ୍ଚ କରାଯାଉଛି, ଯାହାଫଳରେ ପରବର୍ତ୍ତୀ ସମୟରେ ତାହାକୁ ଯୌନ ହିଂସା କିମ୍ୱା ଯୌନ ର୍ନିଯାତନା ରୂପେ ଉପସ୍ଥାପନ କରାଯାଇପାରିବ।
ଅଦାଲତ କହିଛନ୍ତି ଯେ ଆରମ୍ଭରୁ ହିଁ ପ୍ରତାରଣା ଓ ମିଥ୍ୟା ଆଧାରରେ ସହମତି ହାସଲ କରିବାର ପରିସ୍ଥିତି ଭିନ୍ନ। ମାତ୍ର ସମ୍ପର୍କ ଶେଷ ହେବା ପରେ ପୂର୍ୱରୁ ରଖାଯାଇଥିବା ଶାରୀରିକ ସମ୍ପର୍କକୁ ନେଇ ଅନୁତାପ ହେବା ସମ୍ପୂର୍ଣ୍ଣ ଅଲଗା କଥା। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ସମୟରେ ସମ୍ପର୍କ ଭାଙ୍ଗିଯିବା କାରଣରୁ ପୂର୍ୱରୁ ସହମତିରେ ଗଢ଼ିଉଠିଥିବା ସମ୍ପର୍କକୁ ଅପରାଧ ବିବେଚନା କରାଯାଇପାରିବ ନାହିଁ। ଏପରି କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ସୱାଧୀନତା ଏବଂ ପ୍ରତିଷ୍ଠା ପ୍ରଭାବିତ ହୋଇପାରେ।
ଅଦାଲତ କହିଛନ୍ତି ଯେ ଏଭଳି ଦୃଷ୍ଟିକୋଣ ପୁରୁଷଙ୍କୁ ନିଜ ନିଷ୍ପତ୍ତି ନେବାର ଅଧିକାରରୁ ସମ୍ପୂର୍ଣ୍ଣ ବଞ୍ଚିତ କରିଥାଏ। ଯଦି ଜଣେ ବ୍ୟକ୍ତିଙ୍କ ମନରେ ଏହି ଭୟ ରହିବ ଯେ ସମ୍ପର୍କ ଶେଷ କରିବା ପରେ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଯାଇପାରେ, ତେବେ ସେ କେବଳ ଏହି ଭୟ କାରଣରୁ ସମ୍ପର୍କରେ ବାନ୍ଧିହୋଇ ରହିବାକୁ ବାଧ୍ୟ ହେବେ। ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ ପୁରୁଷଙ୍କର ସମ୍ପର୍କ ଶେଷ କରିବାର ଅଧିକାର ନାହିଁ କି? ତାଙ୍କର ବ୍ରେକଅପ କରିବାର ଏହି ନିଷ୍ପତ୍ତିକୁ ପ୍ରତାରଣା ବା ଠକେଇ କୁହାଯାଇପାରିବ କି? ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଏହାକୁ ସେଭଳି କୁହାଯାଇପାରିବ ନାହିଁ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପାରସ୍ପରିକ ସହମତିର ସମ୍ପର୍କ ବଜାୟ ରହିଛି, ସେହି ସମୟ ମଧ୍ୟରେ ଗଢ଼ିଉଠିଥିବା ଶାରୀରିକ ସମ୍ପର୍କକୁ କେବଳ ଏଇଥିପାଇଁ ପୂର୍ୱ ତାରିଖରୁ ବଳାତ୍କାର ବୋଲି ଧରାଯାଇପାରିବ ନାହିଁ, କାରଣ ପରେ ସମ୍ପର୍କ ତିକ୍ତ ହୋଇ ଶେଷ ହୋଇଗଲା। ଖଣ୍ଡପୀଠ କହିଛନ୍ତି ଯେ ସେମାନେ ବାରମ୍ୱାର ଏଭଳି ମାମଲା ଦେଖୁଛନ୍ତି, ଯେଉଁଥିରେ ବିଫଳ ସମ୍ପର୍କକୁ ଫୌଜଦାରୀ ମକଦ୍ଦମାରେ ପରିଣତ କରିଦିଆଯାଉଛି। ଅଦାଲତ କହିଛନ୍ତି ଯେ ଦୁଷ୍କର୍ମ ଏକ ଗୁରୁତର ଅପରାଧ ଏବଂ ଏହାର ପ୍ରୟୋଗ ପ୍ରକୃତ ଯୌନ ହିଂସା, ଜବରଦସ୍ତି କିମ୍ୱା ଛଳ-କପଟ ଦ୍ୱାରା ସହମତି ନିଆଯାଇଥିବା ମାମଲାରେ ହିଁ ହେବା ଉଚିତ। ପ୍ରତ୍ୟେକ ଭଙ୍ଗା ସହମତି-ଆଧାରିତ ସମ୍ପର୍କକୁ ଦୁଷ୍କର୍ମ ଅଭିଯୋଗରେ ପରିଣତ କରିବା ଦ୍ୱାରା ଏହି ଗୁରୁତର ଅପରାଧର ମୂଳ ପ୍ରକୃତି ଓ ଏହାର ଗୁରୁତ୍ୱ ଦୁର୍ୱଳ ହୋଇଯାଏ।
ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବଳାତ୍କାର ମହିଳାମାନଙ୍କ ଶାରୀରିକ ସୱାୟତ୍ତତା ଏବଂ ଗାରିମା ଉପରେ ଏକ ଗୁରୁତର ଆଘାତ। ଅଦାଲତ ସୱୀକାର କରିଛନ୍ତି ଯେ ଆଜି ମଧ୍ୟ ବହୁ ସଂଖ୍ୟାରେ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇପାରୁନାହିଁ। ଅନେକ ପୀଡ଼ିତା ନିଜର ତଥା ପରିବାରର ସମ୍ମାନ ଭୟରେ ଚୁପ ରହିବାକୁ ଶ୍ରେୟସ୍କର ମଣନ୍ତି। ତେଣୁ, ଯେଉଁଠାରେ ତଥ୍ୟରୁ ଯୌନ ହିଂସା ଏବଂ ଆକ୍ରମଣର ସ୍ପଷ୍ଟ ସଙ୍କେତ ମିଳେ, ସେଠାରେ ପ୍ରକୃତ ମାମଲାର ଗମ୍ଭୀରତାର ସହ ତଦନ୍ତ ଏବଂ ବିଚାର କରାଯିବା ଉଚିତ।
ଏହା ସହିତ ଅଦାଲତ କହିଛନ୍ତି ଯେ କେବଳ ଜଣେ ବ୍ୟକ୍ତି ପାରସ୍ପରିକ ସହମତିରେ ଥିବା ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି ବୋଲି ତାଙ୍କୁ ହଇରାଣ କରିବା ପାଇଁ ନ୍ୟାୟ ବ୍ୟବସ୍ଥାର ବ୍ୟବହାର କରାଯିବା ଉଚିତ ନୁହେଁ।

