ନୂଆଦିଲ୍ଲୀ,୩୦।୧୦: ଆଫଗାନିସ୍ତାନର ଷ୍ଟାର୍ ସ୍ପିନର ରଶିଦ ଖାନ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ଇତିହାସ ରଚିଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ରେ ୨୦୦ ଉଇକେଟ ପୂରଣ କରିବାରେ ବିଶ୍ୱର ପ୍ରଥମ ବୋଲର ହୋଇଛନ୍ତି।
ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଶାରଜାହରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ରଶିଦ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ହରାଇ ୨୨୧ ରନ କରିଥିଲା। ଏହାପରେ ବୋଲିଂ କରିବାକୁ ଆସି ରଶିଦ ଇନିଂସର ନବମ ଓଭରର ତୃତୀୟ ବଲ୍ରେ ତାଦିୱାନାଶେ ମାରୁମାନିଙ୍କୁ ଆଉଟ କରି ୨୦୦ ଉଇକେଟ ପୂରଣ କରିଥିଲେ।
ଆଫଗାନିସ୍ତାନର ଏହି ଷ୍ଟାର୍ ଖେଳାଳି ବିଶ୍ୱ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ ଟି-୨୦ ବୋଲର ଭାବେ ପରିଚିତ। ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ମ୍ୟାଚ ପୂର୍ବରୁ ୨୦୦ ଉଇକେଟ ପୂରଣ କରିବାକୁ ତାଙ୍କୁ ମାତ୍ର ଗୋଟିଏ ଉଇକେଟ ଆବଶ୍ୟକ ଥିଲା। ମାରୁମାନିଙ୍କ ଉଇକେଟ ନେବା ସହ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ରଶିଦ ନିଜର ୧୨୦ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ବୋଲିଂ ହାର ୧୩.୯୯ ରହିଛି।
ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଉଇକେଟ ନେଇଥିବା ବୋଲର
ରାଶିଦ ଖାନ ଆଫଗାନିସ୍ତାନ ୨୦୦
ଆଦିଲ ରଶିଦ ଇଂଲଣ୍ଡ ୧୭୧
ଏହସାନ ଖାନ ହଂକଂ ୧୬୫
ଈଶ ସୋଢ଼ୀ ନ୍ୟୁଜିଲାଣ୍ଡ ୧୬୫
ଟିମ ସାଉଦି ନ୍ୟୁଜିଲାଣ୍ଡ ୧୬୪
ଜିମ୍ବାୱେ ବିପକ୍ଷ ଏହି ମ୍ୟାଚ୍ରେ ରଶିଦ କେବଳ ବୋଲିଂରେ ନୁହେଁ, ବ୍ୟାଟିଂରେ ମଧ୍ୟ ନିଜ ଦକ୍ଷତା ଦେଖାଇଥିଲେ। ଆଫଗାନିସ୍ତାନ ଏକଦା ମାତ୍ର ୫ ରନ୍ରେ ୪ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଅଜମତୁଲ୍ଲା ଓମରଜାଇ ୧୧୬ ରନ୍ର ଚମତ୍କାର ଶତକୀୟ ଇନିଂସ ଖେଳି ଦଳକୁ ମଜଭୁତ ସ୍ଥିତିକୁ ଆଣିଥିଲେ।
ଅନ୍ୟପଟେ ରାଶିଦ ମଧ୍ୟ ଶେଷ ଓଭରରେ ବ୍ୟାଟ୍ରେ ଧମାକା କରିଥିଲେ। ସେ ମାତ୍ର ୬ଟି ବଲ୍ରୁ ୪ଟି ଛକା ସହ ଅପରାଜିତ ୨୫ ରନ କରିଥିଲେ। ତାଙ୍କ ଏହି ଦ୍ରୁତ ଇନିଂସ ଯୋଗୁ ଆଫଗାନିସ୍ତାନର ସ୍କୋର ୨୦୦ ରନ ଅତିକ୍ରମ କରି ୨୨୧ରେ ପହଞ୍ଚିଥିଲା।
Dharitri – Odisha’s No.1 Odia Daily

