ଗଞ୍ଜାମ,୨୯।୧୦ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସମଗ୍ର ବ୍ଲକର ପ୍ରାୟ ୧୫ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ମଲାଡ଼ ପଞ୍ଚାୟତର ଶ୍ରୀବଣା ଗ୍ରାମ ବେଶ୍ କ୍ଷତିଗ୍ରସ୍ତ ହୋଇଛି। ଲଗାଣ ବର୍ଷା ଯୋଗୁ ଗ୍ରାମବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ଦୁର୍ଦ୍ଦିନ ସମୟରେ ସରକାର ନା ସ୍ଥାନୀୟ ପ୍ରଶାସନ କେହି ବିପନ୍ନଙ୍କ ପାଖରେ ପହଞ୍ଚି ନ ଥିବା ଗ୍ରାମବାସୀ ଗୁରୁତର ଅଭିଯୋଗ ଆଣିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଅସୁବିଧା ବାବଦରେ ଜଣାଇବା ପରେ ସ୍ଥାନୀୟ ସରପଞ୍ଚ ମାତ୍ର ୩ଟି ଡାଲି-ଭାତର ଖାଦ୍ୟ ପୁଟୁଳି ଆଣି ଦେଇଥିଲେ, ଯାହାକି ଗୋଟିଏ ସମ୍ପୂର୍ଣ୍ଣ ଗାଁ ପାଇଁ ‘ସମୁଦ୍ରକୁ ଶଙ୍ଖେ’ ସଦୃଶ ହୋଇଥିଲା। ଏହାକୁ ନେଇ ଗ୍ରାମରେ ପ୍ରବଳ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ ପ୍ରତିବାଦ କରିଥିଲେ।
ଗ୍ରାମର ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପରିବାର ଗୁରୁତର ଅସୁବିଧାରେ ଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ କିଛି ଲୋକଙ୍କୁ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସକାଳ ୬ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେଠାରେ କୌଣସି ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇ ନଥିବା ନେଇ ଜଣେ ଗ୍ରାମବାସୀ ଗଣମାଧ୍ୟମକୁ ଲିଖିତ ଅଭିଯୋଗ ଜଣାଇଛନ୍ତି। ଖାଦ୍ୟ ନପାଇ ବାଧ୍ୟ ହୋଇ ଲୋକମାନେ ପୁଣି ନିଜ ନିଜ ଭଙ୍ଗାରୁଜା ଘରକୁ ଫେରିଯାଇଥିଲେ।
ଗ୍ରାମରେ ଅନେକ ପରିବାର ରନ୍ଧାବଢ଼ା କରିପାରି ନଥିବା ବେଳେ ବର୍ଷା ଓ ବନ୍ୟାରେ ହନ୍ତସନ୍ତ ହେଉଥିବା ଖବର ପାଇ ପୂର୍ବତନ ସରପଞ୍ଚ ପ୍ରଭାତ କୁମାର ସେଠି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ବିପନ୍ନ ପରିବାରଗୁଡ଼ିକୁ ଚୁଡ଼ା, ଗୁଡ଼ ଓ ବିସ୍କୁଟ୍ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ, ଯାହା ଅସହାୟ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି। ଏହି ବିଷୟରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ପଚାରିବାରୁ, ସେ ଘଟଣାର ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

