ଗୋପାଳପୁର, ୨୯।୧୦ (ନବୀନ ରାଜ ଆଚାରୀ): ଗତ ତିନି ଦିନ ଧରି ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲାଗିରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁ ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ କେ. ସୁବାଣୀ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ବାହୁଦା ନଦୀ ଓ ଏହାର ଶାଖା ନାଳର ବନ୍ୟାଜଳ ପ୍ରାୟ ୩ ଫୁଟ୍ରୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଫଳରେ ଗୁରୁବାର ଭୋରରୁ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।
ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ କଲିକତା ଅଭିମୁଖେ ଯାଉଥିବା ଦୁଇଟି ଟ୍ରକ୍ ପାଣିର ସ୍ରୋତରେ ଫସି ଯାଇଥିଲା। ଟ୍ରକ୍ରେ ଥିବା ଲୋକମାନେ ଜଳବନ୍ଦୀ ହୋଇ ଗାଡ଼ି ଛାତ ଉପରେ ଆଶ୍ରୟ ନେଇଥିଲେ। ପ୍ରଥମେ ସ୍ଥାନୀୟ ଧୀବରମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ଆନ୍ଧ୍ରର ଇଚ୍ଛାପୁର ପୋଲିସ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ଉକ୍ତ ସ୍ଥାନଟି ଓଡ଼ିଶା ସୀମାରେ ଥିବାରୁ କୌଣସି ଉଦ୍ଧାର କାର୍ଯ୍ୟ ନକରି ଫେରିଯାଇଥିଲେ।

ପରେ ଚିକିଟି ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ଦୌଡ଼ି ସାହାଯ୍ୟରେ ଉଦ୍ଧାର ପାଇଁ ଉଦ୍ୟମ କରିବା ବେଳେ ଦୁଇ ଜଣ ଅଗ୍ନିଶମ କର୍ମଚାରୀ ପାଣିର ପ୍ରବଳ ସ୍ରୋତରେ ଭାରସାମ୍ୟ ହରାଇଥିଲେ। ପରବର୍ତ୍ତୀ ସମୟରେ ବୋଟ୍ ସାହାଯ୍ୟରେ ଅଗ୍ନିଶମ ବାହିନୀ ସେଠାରେ ଫସିରହିଥିବା ପ୍ରାୟ ୧୮ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ସୁରକ୍ଷା ଓ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗୋଳନ୍ଥରା ଥାନା ନିକଟରେ ଓଡ଼ିଶା ପଟୁ ଆନ୍ଧ୍ରପ୍ରଦେଶ ଯାଉଥିବା ସମସ୍ତ ଯାନବାହାନକୁ ଅଟକାଇ ଦିଆଯାଇଛି। ଖବର ଲେଖାହେବା ସୁଦ୍ଧା ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍, ବସ୍ ଓ କାର୍ ଅଟକି ରହିଥିବା ବେଳେ ଯାତ୍ରୀ, ଜନସାଧାରଣ ଓ ଟ୍ରକ୍ ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

