ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ): ବାତ୍ୟା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। ବାତ୍ୟା ପ୍ରଭାବରେ ଧାନ ସମେତ ଅଣଧାନ ଫସଲ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବାତ୍ୟାରେ ଜିଲାରେ ହୋଇଥିବା ମକାଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ଫଳରେ ଚାଷୀଙ୍କ ମାନସିକ ସ୍ଥିତି ଦୋହଳି ପଡ଼ିଛି ।
ଜିଲା କୃଷି ବିଭାଗର ତଥ୍ୟ ଅନୁସାରେ ବରଗଡ଼ ଜିଲାରେ ୨୫୦୦ ହେକ୍ଟର ଅର୍ଥାତ୍ ୬୫୦୦ ଏକର ଜମିରେ ମକା ଚାଷ ହୋଇଛି । ଏହି କ୍ରମରେ ବରଗଡ଼ ବ୍ଲକ ଚକରକେନ୍ଦ ପଞ୍ଚାୟତର ବୁଦ୍ଧିଆପାଲି ଗ୍ରାମରେ ପ୍ରାୟ ୬୦ ଏକର ଜମିରେ ମକା ଚାଷ ହୋଇଥିଲା । ତେବେ ବାତ୍ୟା ପ୍ରଭାବରେ ଚାଷୀଙ୍କ ମକା ଚାଷ ନଷ୍ଟ ହୋଇଛି। ମକା ଗଛ ଭାଙ୍ଗି ଜମିରେ ପଡି ରହିଛି। ଫଳରେ ଗଛରୁ ପୁଣି ମକା ଧରିବା ଆଶାଙ୍କା ପ୍ରକାଶ ପାଇଛି। ଏପରିକି ଚାଷୀମାନେ ଫଳ ଆସୁଥିବା ସମୟରେ ଦୁର୍ବିପାକର ସମ୍ମୁଖୀନ ହୋଇଥିବା ନେଇ ସଂଯୁକ୍ତ କୃଷକ ସଙ୍ଗଠନ କର୍ମୀମାନଙ୍କୁ ସୂଚନା ଦେଇଛନ୍ତି।
ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ରବିଶଙ୍କର ପଧାନ, କୋସଳ ସେନାର ବୀରବଳ ମହାକୁଡ଼ ପ୍ରମୁଖ ମକା ଫସଲର କ୍ଷେତ୍ର ପରିଦର୍ଶନ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଗ୍ରାମର ଦୟାନିଧି ମେହେର, ଖତୁ ମେହେର, ବିନୋଦ ମେହେର, ବିଶାମିତ୍ର ମେହେର, ଦାଶରଥି ମେହେର, ରାଧାଚରଣ ମେହେର, କୃଷ୍ଣ ମେହେର ଏବଂ ଅନ୍ୟମାନଙ୍କ ବ୍ୟାପକ ମକା ଫସଲ ନଷ୍ଟ ହୋଇଯାଇଛି ।
୧ ଏକର ମକା ଚାଷ କରିବା ପାଇଁ ୩୦ରୁ ୪୦ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ଏବଂ ସେଥିରୁ ଅମଳ ହେଉଥିବା ମକା ପାଖାପାଖି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ଏକର ପ୍ରତି ଏଥିରୁ ୬୦ରୁ ୭୦ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ ବୋଲି ଚାଷୀମାନେ କହିଛନ୍ତି। କିନ୍ତୁ ବିଡମ୍ବନାର ବିଷୟ, ଅଣଧାନ ଚାଷ କରିବା ପାଇଁ ସରକାର ଓ ପ୍ରଶାସନ ପରାମର୍ଶ ଦେଉଥିବା ବେଳେ ଅଣଧାନ ଫସଲ ନଷ୍ଟ ହେଲେ କୌଣସି ପ୍ରକାର କ୍ଷତିପୂରଣ ମିଳିବାର ବ୍ୟବସ୍ଥା କରାଯାଇ ନାହିଁ ।
ଏଭଳି ଦୁର୍ବିପାକ ସମୟରେ ପ୍ରଭାବିତ ଚାଷୀମାନଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାସହ ଅଣଧାନ ଚାଷ କରିବାକୁ ସରକାର ଚାଷୀଙ୍କୁ ଉତ୍ସାହିତ କରନ୍ତୁ ବୋଲି ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି। କ୍ଷେତ୍ର ପରିଦର୍ଶନରେ ଗ୍ରାମର ୱାର୍ଡ ମେମ୍ବର ପହିଲମାନ ମେହେର ଏବଂ ଗ୍ରାମବାସୀ ଲବ ମେହେର, ମାଧବ ପଧାନ, ନେତ୍ରାନନ୍ଦ ସାହୁ, ଭଜମନ ମେହେର ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

