ବିସ୍ଥାପିତ ଓ ଶରଣାର୍ଥୀ

ବିସ୍ଥାପିତ ଓ ଶରଣାର୍ଥୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଗୋଟିଏ ସ୍ଥାନରେ ଜନ୍ମଗ୍ରହଣ କରି କୌଣସି କାରଣରୁ ସେଠାରୁ ସ୍ଥାନାନ୍ତରିତ ହୋଇ ଅନ୍ୟ ସ୍ଥାନରେ ଆଶ୍ରିତଭାବେ ବସବାସ କଲେ ନୂତନ ଭୂଖଣ୍ଡରେ ସେ ହୁଏ ଶରଣାର୍ଥୀ। ଅନ୍ୟ ଦେଶକୁ ସ୍ଥାନାନ୍ତରିତ ହୋଇ ସମୟକ୍ରମେ ସେ ଦେଶର ଧାର୍ମିକ ଓ ପାରମ୍ପରିକ ରୀତିନୀତିରେ ଅଂଶଗ୍ରହଣକରି ସେ ଦେଶର ନାଗରିକତ୍ୱ ଗ୍ରହଣକରେ ଓ ରାଜନୀତି ଏବଂ ସାମାଜିକ ଉସତ୍ବାନୁଷ୍ଠାନରେ ସକ୍ରିୟ ଭାଗୀଦାରି ହେବାର ଉଦାହରଣ ସୃଷ୍ଟିକରେ। ପ୍ରାଥମିକ ସ୍ତରରେ ସେମାନେ ଅତ୍ୟନ୍ତ ନିରୀହ ଓ ସରଳ ପ୍ରତୀତ ହୁଅନ୍ତି। ସେ ଦେଶର ସ୍ଥାୟୀ ବାସିନ୍ଦା ହେଲା ପରେ ମୂଳଭୂଖଣ୍ଡର ଅଧିବାସୀଙ୍କ ସହ ଆରମ୍ଭ ହୁଏ ତାଙ୍କର ବିବାଦ। ବିବାଦର ଅବସାନ ପରେ ସେମାନେ କ୍ରମେ ମୂଳ ଅଧିବାସୀଙ୍କର ବିଶ୍ୱାସଭାଜନ ହୁଅନ୍ତି ଓ ସୁବିଧା ଦେଖି ପଡ଼ୋଶୀଙ୍କର ଜମିବାଡ଼ି କ୍ରୟକରି ନିଜର ପ୍ରଭୁତ୍ୱ ବିସ୍ତାର କରନ୍ତି। ରାଜନେତା ଓ ରାଜନୈତିକ ଦଳଗୁଡ଼ିକ ସଂକୀର୍ଣ୍ଣ ସ୍ବାର୍ଥର ବଶବର୍ତ୍ତୀ ହୋଇ ସେମାନଙ୍କୁ ଆପଣେଇ ନିଅନ୍ତି। ସେମାନଙ୍କର ଭୋଟ ହାତେଇବା ମୂଳଲକ୍ଷ୍ୟ। ନେତାଙ୍କ ଆଶୀର୍ବାଦର ହାତ ସେମାନଙ୍କ ଉପରକୁ ଲମ୍ବି ଆସିଲେ ବିଚାର ସ୍ଥାନୀୟ ସାଧାରଣ ଜନତା ଆଉ କ’ଣ କରିପାରିବ? ଏପରିକି ଶରଣାର୍ଥୀମାନେ ଅନୀତି ଉପାୟରେ ଧନ ଅର୍ଜନକରି ବେଶ୍‌ ଧନୀ ହୁଅନ୍ତି ଓ ଧନବଳରେ ସ୍ଥାନୀୟ ଅଧିବାସୀଙ୍କୁ ଶୋଷଣ କରନ୍ତି।
ବିସ୍ଥାପନର ଅନେକ କାରଣ ମଧ୍ୟରୁ ଯୁଦ୍ଧ, ଗୋଷ୍ଠୀ ସଂଘର୍ଷ, ସାମ୍ପ୍ରଦାୟିକ ହିଂସା ଓ ପ୍ରାକୃତିକ ବିପର୍ଯ୍ୟୟ ଆଦି ଉଲ୍ଲେଖନୀୟ। ପୂର୍ବେ ଦେଶଦ୍ରୋହ ଅପରାଧରେ କୌଣସି ବ୍ୟକ୍ତିକୁ ରାଜଦଣ୍ଡ ସ୍ବରୂପ ମହାସାଗରର ଅଜଣା ନିର୍ଜନ ଦ୍ୱୀପରେ ନିର୍ବାସନ ଦଣ୍ଡ ଦିଆଯାଉଥିଲା। ଭକ୍ତକବି ମଧୁସୂଦନଙ୍କର ‘ନିର୍ବାସିତର ବିଳାପ’ର କରୁଣ କାହାଣୀ ଆମ ହୃଦୟକୁ ବିଗଳିତ କରିଛି। ଭାରତ ସ୍ବାଧୀନତା ସମୟର ଏକ ଲୋମହର୍ଷଣକାରୀ କାହାଣୀ ପ୍ରାବନ୍ଧିକ ‘ଏଡିଥ୍‌ ପାର୍‌ଜେଟର’ତାଙ୍କ ଲିଖିତ ‘ଏ ଗ୍ରେନ୍‌ ଅଫ୍‌ ମଷ୍ଟାର୍ଡ ସିଡସ୍‌’ରେ ବର୍ଣ୍ଣନା କରିଛନ୍ତି। ପାକିସ୍ତାନର ନୂତନ ଭାବେ ପ୍ରତିଷ୍ଠିତ ସରକାର ଘୋଷଣାକଲେ ଯେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଭାରତୀୟ ହିନ୍ଦୁମାନଙ୍କୁ ପାକିସ୍ତାନ ଛାଡ଼ିବାକୁ ହେବ। ଭାରତ ଅଭିମୁଖେ କେତୋଟି ସ୍ବତନ୍ତ୍ର ଟ୍ରେନ୍‌ର ମଧ୍ୟ ବ୍ୟବସ୍ଥା କରାଗଲା। ଏଡିଥ୍‌ କହନ୍ତି, ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ, ତାଙ୍କ ପିତା ନିଜର ପ୍ରତିଷ୍ଠିତ ବ୍ୟବସାୟ ଓ ସମସ୍ତ ଧନସମ୍ପତ୍ତି ଛାଡ଼ି ସପରିବାର କେବଳ ପିନ୍ଧାବସ୍ତ୍ର ନେଇ ରେଳଷ୍ଟେଶନକୁ ବାହାରିଲେ। ପିତାଙ୍କର ପରମମିତ୍ର ମହଦର ଇକ୍‌ବାଲ ଅନ୍ତରରେ ଗଭୀର ଦୁଃଖକୁ ଚାପିରଖି ମୁହଁରେ କଠୋରତାର ନିର୍ମମ ରୂପ ବହନକରି ପିତାଙ୍କ ପାଖକୁ ମାଡ଼ିଆସିଲେ ଓ ସମସ୍ତଙ୍କ ଗୋଚରରେ ବାପାଙ୍କୁ ମାଡ଼ମାରି କାଳେ କିଛି ନେଇଥିବେ ଭାବି ତାଙ୍କ ପକେଟରେ ହାତ ପୂରାଇଲେ। ପ୍ରାବନ୍ଧିକ କହନ୍ତି, ଟ୍ରେନ୍‌ରେ ଉଠିବା ପରେ ବାପା ତାଙ୍କ କୁର୍ତ୍ତା ପକେଟରୁ ଆବିଷ୍କାର କଲେ ଏକ ରୁମାଲ ଯେଉଁଥିରେ ଥିଲା ୧୫ଶହରୁ ଊର୍ଦ୍ଧ୍ୱ ଟଙ୍କା ଓ ଏକ କ୍ଷୁଦ୍ରଚିଠି। ଚିଠିରେ ଲେଖାଥିଲା – ବନ୍ଧୁ ଭୁଲ୍‌ ବୁଝିବନି। ମୋର ଏପରି ବ୍ୟବହାର ଅନିଚ୍ଛାକୃତ ଓ ଲୋକଦେଖାଣିଆ। ମୋ ଅପେକ୍ଷା ବର୍ତ୍ତମାନ ପରିସ୍ଥିତିରେ ଯାହା ତୁମର ଏକାନ୍ତ ଆବଶ୍ୟକ ତାହା ହେଉଛି ଟଙ୍କା। ଭଗବାନ କରନ୍ତୁ ଆମ ସମ୍ପର୍କ ହାର୍ଦ୍ଦିକ ଭାବେ ଦୃଢ଼ତର ହେଉ। ସେହିପରି ବାଂଲାଦେଶ ୧୯୭୧ରୁ ପାକିସ୍ତାନଠାରୁ ଅଲଗାହୋଇ ଏକ ସ୍ବତନ୍ତ୍ର ଦେଶର ମାନ୍ୟତା ଲାଭ କରିବା ସମୟରେ ସେ ଦେଶରୁ ଶରଣାର୍ଥୀଙ୍କ ସୁଅ ଛୁଟିଲା। ପଶ୍ଚିମବଙ୍ଗ ଓ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବାଂଲା ଶରଣାର୍ଥୀଙ୍କ ଭିଡ଼ ଜମିଲା। କାଳକ୍ରମେ ରାଜନୀତିର ଘନଘଟା ମଧ୍ୟରେ ସେମାନେ ଏ ଦେଶର ଅଧିବାସୀ ହୋଇଗଲେ।
ସବୁ ସମୟରେ ବିଶ୍ୱରେ ବିସ୍ଥାପିତ ଓ ଶରଣାର୍ଥୀ ସମସ୍ୟା ପ୍ରାୟତଃ ଲାଗିରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ଓ ଏପରିକି ସ୍ଥାନୀୟ ଜିଲା ପ୍ରଶାସନ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ ନ କଲେ ବିସ୍ଥାପିତଙ୍କ ଦୁର୍ଦ୍ଦଶା ବୃଦ୍ଧିପାଏ। ଅନନ୍ୟୋପାୟ ହୋଇ ବିସ୍ଥାପିତମାନେ ପଡ଼ୋଶୀ ଦେଶର ଶରଣାର୍ଥୀ ଭାବେ ଜିଇବାକୁ ଶ୍ରେୟ ମଣନ୍ତି। ଜେନେଭାସ୍ଥିତ ଅନ୍ତରୀଣ ବିସ୍ଥାପନ ଅନୁଧ୍ୟାନ କେନ୍ଦ୍ର (ଆଇଡିଏମ୍‌ସି) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ୨୦୨୩ ମସିହା କାଳଖଣ୍ଡ ମଧ୍ୟରେ ଦକ୍ଷିଣ ଏସିଆରେ ବିସ୍ଥାପିତଙ୍କ ସଂଖ୍ୟା ଉଦ୍‌ବେଗଜନକ। ଏହି ଅଞ୍ଚଳରୁ ପ୍ରାୟ ୭୦ ହଜାର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ଏଥିରେ ଭାରତର ମଣିପୁରରୁ କେବଳ ବିସ୍ଥାପିତ ହୋଇଛନ୍ତି ୬୭ ହଜାର। ୨୦୧୮ରୁ ୨୦୨୩ ମଧ୍ୟରେ ଏହା ଭାରତରେ ସବୁଠାରୁ ବଡ଼ ବିସ୍ଥାପନ। ଏହାବାଦ୍‌ ବନ୍ୟା, ବାତ୍ୟା, ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବାସହରା ଲୋକ ଜୀବିକାର୍ଜନର ପନ୍ଥା ଅନୁସରଣକରି ଅନ୍ୟତ୍ର ଆଶ୍ରୟ ନେଉଛନ୍ତି। ୨୦୨୩ରେ ମଣିପୁର ଉଚ୍ଚନ୍ୟାୟାଳୟ ସେଠାକାର ମୋଇତି ସମ୍ପ୍ରଦାୟର ଲୋକମାନଙ୍କୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲାପରେ ସେଠାରେ ହିଂସାମତ୍କ ବିରୋଧର ଅୟମାରମ୍ଭ ହୋଇଥିଲା।
ମଣିପୁର ହିଂସାକାଣ୍ଡରେ ୨ଶହରୁ ଊଦ୍ଧର୍‌ବ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାର ହଜାର ଲୋକ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଛନ୍ତି।
ଉଲ୍ଲେଖ କରାଯାଇପାରେ ଯେ ଆମ ପଡ଼ୋଶୀ ଦେଶ ମ୍ୟାନ୍‌ମାରର ପ୍ରଚଳିତ ଶାସନ ବ୍ୟବସ୍ଥା ସେ ଦେଶର ସେନା ନିୟନ୍ତ୍ରଣକୁ ଆସିବା ପରେ ସାମରିକ ସରକାର ନିରପରାଧ ଜନସାଧାରଣଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ଦମନଲୀଳା ଚଳାଇବାରୁ ସେହି ଅଧିବାସୀମାନେ ଜୀବନ ବିକଳରେ ସୀମାପାର ହୋଇ ଭାରତର ମିଜୋରାମ ଓ ମଣିପୁରକୁ ପଳାଇ ଆସିଲେ। ସେମାନେ ଏହି ୨ ରାଜ୍ୟରେ ଶରଣାର୍ଥୀ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି। ମଜୋରାମରେ ସେମାନଙ୍କୁ ମାନବୋଚିତ ବ୍ୟବହାର ପ୍ରଦର୍ଶନ କରାଯାଉଥିବା ବେଳେ ମଣିପୁରରେ ସେମାନଙ୍କୁ ଠିକ୍‌ ଭାବେ ଗ୍ରହଣ କରାଯାଇନାହିଁ। ମଣିପୁରରେ ୨ ସମ୍ପ୍ରଦାୟ ଯଥା ମୋଇତି ଓ କୁକି-ଜୋ ମଧ୍ୟରେ ଏ ଯାବତ୍‌ ହିଂସା ଲାଗିରହିଥିବା ବେଳେ ମ୍ୟାନ୍‌ମାର ଶରଣାର୍ଥୀ ଏଠାରେ ଭଲ ବ୍ୟବହାର ଆଶା କରିବା ବୃଥା। ଭାରତ-ମ୍ୟାନ୍‌ମାର ସୀମାରେ ୧୬୪୩ କି.ମି. ତାରବାଡ଼ ନିର୍ମାଣ ଘୋଷଣା ଓ ମଣିପୁରର ଉପାନ୍ତ ଜିଲା କାମ୍‌ଜୋଙ୍ଗ୍‌ରେ ଅବାଧ ପ୍ରବେଶ ଲାଗି ରହିଥିବା ବେଳେ ମଣିପୁର ମୁଖ୍ୟମନ୍ତ୍ରୀ ମ୍ୟାନ୍‌ମାର ଅନୁପ୍ରବେଶକାରୀଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।
ପ୍ରଥମେ ମୂଳଭୂଖଣ୍ଡରୁ ବିସ୍ଥାପିତ ଓ ପରେ ସଂଲଗ୍ନ ଦେଶରେ ଶରଣାର୍ଥୀ ସାଜିବା ସବୁ ସମୟରେ ଏକ ବଡ଼ ସମସ୍ୟା ରୂପେ ଦଣ୍ଡାୟମାନ। କୌଣସି ଦେଶକୁ ବିସ୍ଥାପିତମାନେ ଶରଣାର୍ଥୀ ଭାବେ ଆସିଲେ ସେ ଦେଶର ମୂଳ ଅଧିବାସୀ ତାଙ୍କୁ ଗ୍ରହଣ ନ କରିବା ସ୍ୱାଭାବିକ। ମାତ୍ର ପ୍ରାଥମିକ ଅବସ୍ଥାରେ କିଛି ପ୍ରତିକୂଳତାକୁ ସହ୍ୟକରି ସେହି ଦେଶରେ ରହିଲେ ପରେ ସେ ଦେଶର ରାଜନୈତିକ ଅନୁକମ୍ପାରୁ ସ୍ଥିତି ମଜଭୁତ କଲାପରେ ମୂଳ ଅଧିବାସୀଙ୍କ ଉପରେ ଆକ୍ରମଣ କରିବାକୁ ପଛାଉନାହାନ୍ତି। ଏତେ ସବୁ ସତ୍ତ୍ୱେ ଉଭୟ ଶରଣାର୍ଥୀ ଓ ମୂଳ ଅଧିବାସୀ ମାନବିକ ମୂଲ୍ୟବୋଧକୁ ଅଗ୍ରାଧିକାର ଦେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?