ଉଚ୍ଚଶିକ୍ଷାରେ ଭେଦଭାବ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାରେ ଭେଦଭାବର ନାମ ଉଚ୍ଚଶିକ୍ଷା। କଲେଜ କଲେଜ, ଶିକ୍ଷକ ଶିକ୍ଷକ ମଧ୍ୟରେ ପାହ୍ୟା, ଶିକ୍ଷାଗତ ଯୋଗ୍ୟତା, ଦରମା ନେଇ ଏତେ ତାରତମ୍ୟ ଯେ ଜଣାପଡ଼େନି ଏମାନେ ସମସ୍ତେ ଗୋଟିଏ ବ୍ୟବସ୍ଥା-ପ୍ରସୂତ କି ନୁହେଁ। ଅନ୍ତତଃ ଦୁଇଟି କ୍ଷେତ୍ର ଉପରେ ନଜର ନିବଦ୍ଧ କରାଯାଇପାରେ।
ସରକାର ନାରୀଙ୍କୁ ସମ୍ମାନର କଥା କହୁଛନ୍ତି, କିନ୍ତୁ ଉଚ୍ଚଶିକ୍ଷା ବିଭାଗର ମହିଳା ଅନୁଷ୍ଠାନଗୁଡ଼ିକୁ ଦେଖିଲେ ଜଣାପଡ଼ିବ ସରକାର ନାରୀ ବା ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ପ୍ରତି କି ପ୍ରକାର ଦୃଷ୍ଟିଭଙ୍ଗୀ ରଖିଛନ୍ତି। ପଚାଶ / ଷାଠିଏ ଦଶକରେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ମହାବିଦ୍ୟାଳୟମାନ ସରକାରୀ ସ୍ତରରେ ପ୍ରତିଷ୍ଠା କରାଯାଇଥିଲା। ଏକ ରକ୍ଷଣଶୀଳ ସମାଜର ମନୋଭାବକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ମୋଟାମୋଟି ଉଚ୍ଚଶିକ୍ଷା ପ୍ରଦାନ କରିବା ପାଇଁ ଖାଲି କଳାଶ୍ରେଣୀ ସହ ସୀମିତ ବିଷୟ ନେଇ ଏହି ଅନୁଷ୍ଠାନମାନ ଖୋଲାଯାଇଥିଲା। ଜାତିଭିତ୍ତିକ ସଂରକ୍ଷଣ ପରି ଏହା ବି ଏକ ପ୍ରକାର ସଂରକ୍ଷଣ-ଲିଙ୍ଗଭିତ୍ତିକ । ସେତେବେଳକାର ସମାଜର ଆହ୍ବାନ ହୁଏତ ସେଇଆ ଥିଲା। ଇତି ମଧ୍ୟରେ ଏହି ସବୁ କଲେଜ ସ୍ଥାପନ ହେବାର ୫୦ବର୍ଷରୁ ଊର୍ଦ୍ଧ୍ୱ ବିତି ଗଲାଣି, କିନ୍ତୁ ମହିଳା ମହାବିଦ୍ୟାଳୟଗୁଡ଼ିକ ସେହି ସଂରକ୍ଷଣର ଅନ୍ଧକାର ଭିତରେ ରହିଯାଇଛନ୍ତି। କାଁ ଭାଁ ଗୋଟିଏ ଦୁଇଟି ମହିଳା ମହାବିଦ୍ୟାଳୟକୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ସରକାରୀ ମହିଳା ମହାବିଦ୍ୟାଳୟମାନ ପୂର୍ଣ୍ଣାଙ୍ଗ ହୋଇପାରି ନାହାନ୍ତି। ଅର୍ଥାତ୍‌ ସେଠି ନା ଅଛି ବିଜ୍ଞାନ ଶ୍ରେଣୀ, ନା ବାଣିଜ୍ୟ ବିଭାଗ। ଯେଉଁ କଳା ବିଭାଗ ଅଛି ସେଥିରେ ବିଶେଷ କିଛି ଅଭିବୃଦ୍ଧି ଘଟିନାହିଁ। ହୁଏତ ଛାତ୍ରୀମାନଙ୍କ ସିଟ୍‌ ସଂଖ୍ୟା ବଢ଼ାଯାଇଛି କିନ୍ତୁ ଆଧୁନିକ, ନିଯୁକ୍ତି ପ୍ରଦାନ ଭଳି ବିଷୟରେ ଶିକ୍ଷାଦାନର ବ୍ୟବସ୍ଥା ନାହିଁ। ଅନୁରୂପ ଭାବରେ ଅନେକ ସହଧ୍ୟାୟୀ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷାଦାନର ବ୍ୟବସ୍ଥା ଥିଲାବେଳେ ଗୋଟିଏ, ଯୋଡ଼ିଏ ମହିଳା ମହାବିଦ୍ୟାଳୟକୁ ଛାଡ଼ି଼ଦେଲେ କୌଣସି ମହିଳା ମହାବିଦ୍ୟାଳୟ ସେ ସୌଭାଗ୍ୟର ଅଧିକାରୀ ନୁହନ୍ତି। ବାଛବିଚାର ଏତିକିରେ ସରିନାହିଁ। ଓଡ଼ିଶାର ପ୍ରାୟ ସବୁ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରିଡର-ଗ୍ରେଡ୍‌ ଶ୍ରେଣୀର ଅର୍ଥାତ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ଭଳି ଏହା ପ୍ରଫେସର ଗ୍ରେଡ୍‌କୁ ଉନ୍ନୀତ ହୋଇନାହିଁ। ଅର୍ଥାତ୍‌ ମହିଳା ମହାବିଦ୍ୟାଳୟଗୁଡ଼ିକ ଦ୍ୱିତୀୟ ଶ୍ରେଣୀର ଶିକ୍ଷାନୁଷ୍ଠାନ। ସରକାର ଯଦି ନାରୀଙ୍କୁ ସମ୍ମାନର କଥା ନିଷ୍ଠାର ସହ କହୁଛନ୍ତି ତା’ହେଲେ ଭିତ୍ତିଭୂମି ଥିବା ମହିଳା ମହାବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ-ଶିକ୍ଷାନୁଷ୍ଠାନରେ ପରିଣତ କରିବା ସହ ସେମାନଙ୍କୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ଦିଗରେ ପଦକ୍ଷେପ ନେଇ ସେଠାରେ ପ୍ରଫେସର-ଗ୍ରେଡ୍‌ର ଅଧ୍ୟକ୍ଷ ନିଯୁକ୍ତ କରନ୍ତୁ। ମହିଳା ଅନୁଷ୍ଠାନର ଛାତ୍ରୀମାନଙ୍କୁ ଦ୍ୱିତୀୟ ଶ୍ରେଣୀର ଛାତ୍ରୀର ନିର୍ଯାତନା ଆଉ ଦିଅନ୍ତୁ ନାହିଁ।
ସରକାରୀ ଅବହେଳା, ସମୟର ଆହ୍ବାନ ଓ ଏକ ଅଣରକ୍ଷଣଶୀଳ, ମୁକ୍ତ ବାତାବରଣ ବିଡ଼ମ୍ବନାକ୍ରମେ ମହିଳା ଶିକ୍ଷାନୁଷ୍ଠାନର ଭାଗ୍ୟକୁ ଆହୁରି ଅନ୍ଧକାରକୁ ଠେଲି ଦେଇଛି। ପୂର୍ଣ୍ଣାଙ୍ଗ ଶିକ୍ଷାର ଅଭାବ, ପ୍ରତିଯୋଗିତାର ଅଭାବ, ସହଧ୍ୟାୟୀମାନଙ୍କଠୁ (ପିଅର ପ୍ରେସର) ଚାପର ଅଭାବ, ଚାକିରି ପ୍ରଦାନକାରୀ ବିଷୟର ଅନୁପସ୍ଥିତି କାରଣରୁ ଆଜି ଅଭିଭାବକମାନେ ଲିଙ୍ଗଭିତ୍ତିକ ସଂରକ୍ଷଣ ନାମରେ ପ୍ରତିଷ୍ଠିତ ମହିଳା ଅନୁଷ୍ଠାନଠୁ ମୁହଁ ମୋଡ଼ି ଦେଇଛନ୍ତି। ସେମାନେ ଚାହୁଁଛନ୍ତି ସେମାନଙ୍କ ଝିଅମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କଲା ଭଳି ଶିକ୍ଷା । ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କର ଲିଙ୍ଗଭିତ୍ତିକ ଶିକ୍ଷାନୁଷ୍ଠାନ ପ୍ରତି କିଛି ଅନୁରାଗ ନାହିଁ । ତେଣୁ ଆଜି ଆଡ୍‌ମିଶନ ପାଇଁ ଫର୍ମ ପୂରଣ ବେଳେ ଯୋଗ୍ୟା, ମେଧାବୀ ଛାତ୍ରୀ ତଥା ଅଭିଭାବକମାନେ ବେଶି ବିଷୟ ପସନ୍ଦ ଥିବା ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନକୁ ପସନ୍ଦ କରୁଛନ୍ତି, ମହିଳା ଅନୁଷ୍ଠାନକୁ ନୁହେଁ। ଫଳତଃ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କର ଶୈକ୍ଷିକ ମାନ ଦିନକୁ ଦିନ ହ୍ରାସ ପାଉଛି। ତା’ଛଡ଼ା ସହଧ୍ୟାୟୀ ଅନୁଷ୍ଠାନରେ ଛାତ୍ରୀମାନେ ଛାତ୍ରମାନଙ୍କ ସହ ପ୍ରତିଯୋଗିତା କରିବାକୁ ପସନ୍ଦ କରୁଛନ୍ତି ଏବଂ ସହଧ୍ୟାୟୀ ଛାତ୍ରମାନଙ୍କ ବୌଦ୍ଧିକ ଚାପରେ ନିଜକୁ ଉନ୍ନୀତ କରିବାକୁ ଚେଷ୍ଟା କରୁଛନ୍ତି; ଯାହା ସେମାନେ ଖାଲି ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ଅନୁଭବ କରୁନାହାନ୍ତି। ତେଣୁ ମହିଳା ମହାବିଦ୍ୟାଳୟଗୁଡ଼ିକ ପାଇଁ ମହିଳା କୈନ୍ଦ୍ରିକ ନିଯୁକ୍ତି ପ୍ରଦାନକାରୀ ସ୍ବତନ୍ତ୍ର ବିଷୟମାନ ଖୋଲାଯାଉ; ଯଦ୍ଦ୍ବାରା ସେମାନେ ଏ ଅନୁଷ୍ଠାନର ପ୍ରାସଙ୍ଗିକତା ଅନୁଭବ କରିବେ, ଭାବିବେ ନାହିଁ ଯେ ଏହା ସହଧ୍ୟାୟୀ ଅନୁଷ୍ଠାନର ଏକ ପୁନରାବୃତ୍ତି ଅନୁଷ୍ଠାନ ବୋଲି।
ଦ୍ୱିତୀୟ ଭେଦଭାବ କ୍ଷେତ୍ରଟି ହେଲା ଯୋଗ୍ୟ ଶିକ୍ଷକମାନଙ୍କ ଭିତରେ ସରକାରୀ ଓ ଘରୋଇ ଅନୁଷ୍ଠାନକ୍ରମରେ ଦରମାଗତ ବୈଷମ୍ୟ। ଏବେ କେବଳ ସରକାରୀ ଡିଗ୍ରୀ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଶିକ୍ଷକମାନଙ୍କୁ ୟୁଜିସି ସ୍କେଲରେ ଦରମା ଦିଆଯାଉଛି; ଘରୋଇ, ପୂର୍ଣ୍ଣ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନଙ୍କୁ ନୁହେଁ। ଦୁଃଖର କଥା, ଓଡ଼ିଶା ଲୋକସେବା ଆୟୋଗ ଭଳି ସରକାରଙ୍କ ସର୍ଭିସ ସିଲେକ୍‌ସନ ବୋର୍ଡ ଦ୍ୱାରା ପୂର୍ଣ୍ଣ ସାହାଯ୍ୟପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟ ପାଇଁ ମନୋନୀତ ଅଧ୍ୟାପକମାନଙ୍କୁ ୟୁଜିସି ସ୍କେଲରୁ ବଞ୍ଚିତ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ୫୦ ପାଖାପାଖି ସରକାରୀ ଡିଗ୍ରୀ/ସ୍ବୟଂଶାସିତ ମହାବିଦ୍ୟାଳୟ ଥିବାବେଳେ ଘରୋଇ ଶିକ୍ଷାନୁଷ୍ଠାନଙ୍କ ସଂଖ୍ୟା ଏକହଜାର ପାଖାପାଖି। ଛାତ୍ରୀଛାତ୍ର ସଂଖ୍ୟା ସେହି ଅନୁପାତରେ ୨୦ଗୁଣ। ତେଣୁ ସଂଖ୍ୟା ବହୁଳ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କୁ ନିମ୍ନ ଦରମା ପ୍ରଦାନ କରି ଆମେ କି ପ୍ରକାର ଗୁଣାତ୍ମକତା ହାସଲ କରିବା? ସରକାର କ’ଣ ବିଭିନ୍ନ ବ୍ଲକ ପାଇଁ ଭିନ୍ନ ମାନର, ଭିନ୍ନ ଦରମାର, ଡାକ୍ତର, ଇଞ୍ଜିନିୟର, ପ୍ରଶାସନିକ ଅଧିକାରୀ ନିଯୁକ୍ତ କରୁଛନ୍ତି? ସିଲାବସ ସମାନ, ପ୍ରଶ୍ନପତ୍ର ସମାନ, ପାଠ୍ୟ ପୁସ୍ତକ ସମାନ (+୨ ତଥା ସହବନ୍ଧିତ ମହାବିଦ୍ୟାଳୟ କ୍ଷେତ୍ରରେ) ଥାଇ ଭିନ୍ନମାନର ଶିକ୍ଷକ ଦ୍ୱାରା ଛାତ୍ରୀଛାତ୍ରମାନେ କି ପ୍ରକାର ଶିକ୍ଷାଲାଭ କରିବେ? ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସରକାର ୟୁଜିସି ନିୟମକୁ ଉଲ୍ଲଂଘନ କରି ସର୍ଭିସ ସିଲେକ୍ସନ ବୋର୍ଡ ଦ୍ୱାରା ମନୋନୀତ ଅଧ୍ୟାପକମାନଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକସ୍ତରରେ ୫୫% ରଖିଛନ୍ତି, ଅଥଚ ୟୁଜିସି ନିୟମାନୁଯାୟୀ ମହାବିଦ୍ୟାଳୟ ଅବା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ହେବା ପାଇଁ ସର୍ବନିମ୍ନ ଡକ୍ଟରେଟ୍‌ ଥିବା ବା ନେଟ୍‌ (ଜାତୀୟ ଯୋଗ୍ୟତା ପରୀକ୍ଷା) ପାଶ କରିଥିବା ଆବଶ୍ୟକ। ଏବେ ୟୁଜିସି ତାକୁ ସଂଶୋଧନ କରି ଜୁଲାଇ ୨୦୨୩ ମସିହାରୁ କେବଳ ଡକ୍ଟରେଟ ଡିଗ୍ରୀକୁ ସର୍ବନିମ୍ନ ଯୋଗ୍ୟତା ହିସାବରେ ଗ୍ରହଣ କରାଯିବାକୁ ସିଦ୍ଧାନ୍ତ ନେଇଛନ୍ତି। ସରକାର କେଉଁ ଦରମା ଦେବେ, ଭିନ୍ନ କଥା କିନ୍ତୁ ଅଧ୍ୟାପକମାନଙ୍କର ସର୍ବନିମ୍ନ ଯୋଗ୍ୟତା ହ୍ରାସ କରିବାର ଅଧିକାର ସରକାରଙ୍କ ନାହିଁ। ଅବଶ୍ୟ ଅନେକ ନେଟ୍‌ ଉତ୍ତୀର୍ଣ୍ଣ ବା ଡକ୍ଟରେଟ୍‌ ଡିଗ୍ରୀଧାରୀ ପ୍ରାର୍ଥୀ ସର୍ଭିସ ସିଲେକ୍ସନ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି। ତେଣୁ ଆପାତତଃ, ପ୍ରାରମ୍ଭିକ ପଦକ୍ଷେପ ହିସାବରେ ସରକାର ଗୁଣାତ୍ମକତା ରକ୍ଷା ପାଇଁ ସର୍ଭିସ ସିଲେକ୍ସନ ବୋର୍ଡ ପରୀକ୍ଷାରେ ମନୋନୀତ ଡକ୍ଟରେଟ୍‌ ଡିଗ୍ରୀ ଥିବା ବା ନେଟ୍‌ ପାଶ କରିଥିବା ପ୍ରାର୍ଥୀମାନଙ୍କୁ ୟୁଜିସି ସ୍କେଲ ଦିଅନ୍ତୁ।
କୌଣସି ବ୍ୟବସ୍ଥା ଭେଦଭାବପୂର୍ଣ୍ଣ ମନୋଭାବ ଉପରେ ପର୍ଯ୍ୟବସିତ ହେଲେ ତା’ର ଏକମାତ୍ର ଫଳ ବିଫଳତା। ଓଡ଼ିଶାରେ ଉଚ୍ଚଶିକ୍ଷାରେ ଦୁରବସ୍ଥା ପାଇଁ ଏହି ଭେଦଭାବପୂର୍ଣ୍ଣ ମନୋଭାବ ମୁଖ୍ୟତଃ ଦାୟୀ। ତା’ ସହିତ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି, ଯାହା ଆଲୋଚନାର ଅବକାଶ ରଖେ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର
ମୋ.:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri