ବିପର୍ଯ୍ୟୟ କେବେ ଆସିବ, କେଉଁଠି ଆସିବ ଏବଂ କେତେ ଜୀବନକୁ ପ୍ରଭାବିତ କରିବ, ତାହା କେହି ଜାଣିନାହାନ୍ତି। ବନ୍ୟାର ପ୍ରଖର ସ୍ରୋତ, ବାତ୍ୟାର ତାଣ୍ଡବ, ଭୂସ୍ଖଳନ, ଅଗ୍ନିକାଣ୍ଡ କିମ୍ବା ସଡ଼କ ଦୁର୍ଘଟଣା ଯେକୌଣସି ମୁହୂର୍ତ୍ତରେ ମଣିଷର ସ୍ବାଭାବିକ ଜୀବନକୁ ଦୋହଲାଇ ଦେଇପାରେ। ଏପରି ଦୁର୍ଦ୍ଦିନରେ ଯେତେବେଳେ ଚାରିଆଡ଼େ ଆତଙ୍କ, ଆର୍ତ୍ତଚିତ୍କାର ଓ ଅସହାୟତାର ଚିତ୍ର ଦେଖାଯାଏ, ସେତେବେଳେ ଗୋଟିଏ ସାହସୀ ହାତର ସହାୟତା, ଆଶ୍ୱାସନାର ଦୁଇପଦ କଥା ଓ ଠିକ୍ ସମୟରେ ମିଳିଥିବା ପ୍ରାଥମିକ ଚିକିତ୍ସା ଜଣେ ମଣିଷ ପାଇଁ ନୂଆ ଜୀବନର ଆଶା ହୋଇପାରେ। ଏଠି କହିପାରିବା ଗୋଟିଏ ସହାନୁଭୂତିର ସ୍ପର୍ଶ, ବଞ୍ଚାଇପାରେ ଗୋଟିଏ ଅମୂଲ୍ୟ ଜୀବନ । ପ୍ରକୃତରେ ବିପର୍ଯ୍ୟୟର କ୍ଷତ କେବଳ ଶରୀରରେ ସୀମିତ ରହେ ନାହିଁ। ଏହା ମଣିଷର ମନ, ପରିବାର ଓ ସମାଜକୁ ଗଭୀର ଭାବେ ପ୍ରଭାବିତ କରେ। ଏପରି ସମୟରେ ପ୍ରାଥମିକ ଚିକିତ୍ସା କେବଳ ଏକ ଚିକିତ୍ସା ପଦ୍ଧତି ନୁହେଁ,ଏହା ହେଉଛି ମାନବିକତାର ପ୍ରଥମ ପରିଚୟ। ଜୀବନ ପ୍ରତି ସମ୍ମାନ ଏବଂ ବିପନ୍ନ ମଣିଷ ପାଖରେ ଠିଆ ହେବାର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ।
ଦୁର୍ଘଟଣା କିମ୍ବା ବିପର୍ଯ୍ୟୟ ପରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପୂର୍ବରୁ ଯେଉଁ ସହାୟତା ଦିଆଯାଏ, ତାହା ଅନେକ ସମୟରେ ଜୀବନରକ୍ଷାକାରୀ ହୋଇଥାଏ। କିନ୍ତୁ ଏଥିପାଇଁ କେବଳ ଉତ୍ସାହ ଯଥେଷ୍ଟ ନୁହେଁ। ଆବଶ୍ୟକ ହୁଏ ଜ୍ଞାନ, ଅଭ୍ୟାସ, ଧୈଯ୍ୟ ଓ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେବାର ଦକ୍ଷତା। ଜଣେ ଆହତ ବ୍ୟକ୍ତିଙ୍କୁ ଦେଖି ଭୟଭୀତ ହୋଇଯିବା କିମ୍ବା ଭିଡ଼ ଜମାଇ କେବଳ ଦର୍ଶକ ସାଜିବା ପରିବର୍ତ୍ତେ ତାଙ୍କ ନିକଟକୁ ଯାଇ ପରିସ୍ଥିତିର ସୁରକ୍ଷିତ ମୂଲ୍ୟାୟନ କରିବା, ଜରୁରିକାଳୀନ ସହାୟତା ଡାକିବା ଏବଂ ନିଜ ତାଲିମ ଅନୁଯାୟୀ ଆବଶ୍ୟକ ସହାୟତା ପ୍ରଦାନ କରିବା ଜଣେ ସଚେତନ ନାଗରିକର କର୍ତ୍ତବ୍ୟ।
ମନେରଖିବା ଉଚିତ, ଭୁଲ୍ ପଦ୍ଧତିରେ ଆହତଙ୍କୁ ଉଠାଇବା କିମ୍ବା ଅଜ୍ଞତାରେ ଚିକିତ୍ସା କରିବା ଦ୍ୱାରା କ୍ଷତି ବଢ଼ିପାରେ। ତେଣୁ ପ୍ରାଥମିକ ଚିକିତ୍ସାର ମୂଳମନ୍ତ୍ର ହେଉଛି ନିଜ ସୁରକ୍ଷା, ଆହତଙ୍କ ସ୍ଥିତିର ଆକଳନ, ତୁରନ୍ତ ଜରୁରିକାଳୀନ ସହାୟତା ଏବଂ ତାଲିମ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ।
ବିପର୍ଯ୍ୟୟ ସମୟରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳଙ୍କ ସହିତ ସମନ୍ବୟ ରଖି ନିଜ ଅଞ୍ଚଳରେ ଲୋକଙ୍କୁ ସହାୟତା କରୁଥିବା ପ୍ରଶିକ୍ଷିତ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ‘ଆପଦମିତ୍ର’ ଯୋଜନା ଏହି ମାନବିକ ଦାୟିତ୍ୱବୋଧର ଏକ ଉଲ୍ଲେଖନୀୟ ଉଦାହରଣ। ଆପଦରେ ଯିଏ ମିତ୍ର, ସେ ପ୍ରକୃତ ଆପଦାମିତ୍ର। ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସଚେତନ କରିବା, ସୁରକ୍ଷିତ ସ୍ଥାନକୁ ଯିବାରେ ସହଯୋଗ କରିବା, ଆହତଙ୍କୁ ପ୍ରାଥମିକ ସହାୟତା ଦେବା ଏବଂ ଉଦ୍ଧାରକାରୀ ସଂସ୍ଥାଙ୍କ ସହ ଯୋଗାଯୋଗ ରଖିବା କାର୍ଯ୍ୟରେ ଏହି ସ୍ବେଚ୍ଛାସେବୀମାନେ ଅବଦାନ ଦେଇପାରନ୍ତି। ସେମାନଙ୍କ ପାଖରେ ଥିବା ପ୍ରଶିକ୍ଷଣ ଓ ଅଭିଜ୍ଞତା କେବଳ ଏକ ପ୍ରମାଣପତ୍ରରେ ସୀମିତ ନ ରହି, ମାନବ ଜୀବନର ସୁରକ୍ଷାରେ ବିନିଯୋଗ ହେବା ଆବଶ୍ୟକ। ଏଥିପାଇଁ ନିୟମିତ ଅଭ୍ୟାସ, ମକ୍ ଡ୍ରିଲ୍, ଉପକରଣର ଉପଯୁକ୍ତ ବ୍ୟବହାର ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅତ୍ୟନ୍ତ ଜରୁରୀ।
ବିପର୍ଯ୍ୟୟ ଧନୀ-ଗରିବ, ଜାତି-ଧର୍ମ, ଭାଷା-ବର୍ଣ୍ଣ କିମ୍ବା ଅଞ୍ଚଳର ଭେଦଭାବ କରେ ନାହିଁ। ଏହା ସମସ୍ତଙ୍କୁ ସମାନ ଭାବେ ପ୍ରଭାବିତ କରିପାରେ। ତେଣୁ ବିପର୍ଯ୍ୟୟ ମୁକାବିଲାରେ ଆମର ମନୋଭାବ ମଧ୍ୟ ନିର୍ବିଶେଷ ହେବା ଆବଶ୍ୟକ। ଜଣେ ବୃଦ୍ଧଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ଜଣେ ଶିଶୁକୁ ଭୟମୁକ୍ତ କରିବା, ଜଣେ ଦିବ୍ୟାଙ୍ଗଙ୍କୁ ସହାୟତା କରିବା କିମ୍ବା ବିପର୍ଯ୍ୟୟରେ ପରିବାରଠାରୁ ବିଚ୍ଛିନ୍ନ ହୋଇଥିବା ଶିଶୁଙ୍କୁ ସୁରକ୍ଷା ଦେବା ଏସବୁ କାର୍ଯ୍ୟରେ ମାନବିକତା ବଡ଼ ଶକ୍ତି। ସେହିପରି ପ୍ରାଥମିକ ଚିକିତ୍ସା ସହିତ ମାନସିକ ଆଶ୍ୱାସନା ମଧ୍ୟ ଜରୁରୀ। ଭୟଭୀତ ବ୍ୟକ୍ତିଙ୍କୁ ଧୈର୍ଯ୍ୟ ଦେବା, ତାଙ୍କ କଥା ଶୁଣିବା ଓ ସୁରକ୍ଷାର ଭରସା ଦେବା ଦ୍ୱାରା ତାଙ୍କ ମନୋବଳ ବୃଦ୍ଧି ପାଇପାରେ। ଏକ ସମ୍ବେଦନଶୀଳ ମନ ଓ ଏକ ପ୍ରଶିକ୍ଷିତ ହାତର ମିଳିତ ପ୍ରୟାସ ବିପର୍ଯ୍ୟୟ ପରବର୍ତ୍ତୀ ଅନ୍ଧକାରରେ ଆଶାର ଆଲୋକ ଜାଳିପାରେ। ବିପର୍ଯ୍ୟୟ ଆସିବା ପରେ ପ୍ରସ୍ତୁତି ଆରମ୍ଭ କଲେ ଅନେକ ସମୟରେ ବିଳମ୍ବ ହୋଇଯାଏ। ତେଣୁ ପ୍ରତ୍ୟେକ ବିଦ୍ୟାଳୟ, ମହାବିଦ୍ୟାଳୟ, ଗ୍ରାମପଞ୍ଚାୟତ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ସାମାଜିକ ଅନୁଷ୍ଠାନରେ ପ୍ରାଥମିକ ଚିକିତ୍ସା ସମ୍ପର୍କିତ ସଚେତନତା ଓ ତାଲିମକୁ ଗୁରୁତ୍ୱ ଦେବା ଦରକାର। ପ୍ରତ୍ୟେକ ପରିବାରରେ ପ୍ରାଥମିକ ଚିକିତ୍ସା ବାକ୍ସ, ଜରୁରିକାଳୀନ ଯୋଗାଯୋଗ ନମ୍ବର ଓ ବିପର୍ଯ୍ୟୟ ସମୟରେ କେଉଁଠାକୁ ଯିବାକୁ ହେବ, ସେ ସମ୍ପର୍କରେ ସଚେତନ ରହିବା ଆବଶ୍ୟକ। ଲୋକଙ୍କୁ ସିପିଆର୍, ରକ୍ତସ୍ରାବ ନିୟନ୍ତ୍ରଣ ଓ ଜରୁରୀ ସହାୟତା ଡାକିବାର ଉପଯୁକ୍ତ ପଦ୍ଧତି ବିଷୟରେ ପ୍ରଶିକ୍ଷିତ କରାଯିବା ଉଚିତ। ଏଥିସହ ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ସେବା, ପୋଲିସ, ଉଦ୍ଧାରକାରୀ ଦଳ ଓ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ସମନ୍ବୟ ବଢ଼ାଇବା ଦରକାର। କାରଣ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ସେକେଣ୍ଡ ମୂଲ୍ୟବାନ୍ ଏବଂ ପ୍ରତ୍ୟେକ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।
ଆମେ ଏପରି ଏକ ସମାଜ ଗଢ଼ିବା, ଯେଉଁଠାରେ ବିପଦରେ ପଡ଼ିଥିବା ମଣିଷକୁ ଦେଖି କେହି ମୁହଁ ଫେରାଇବେ ନାହିଁ, ବରଂ ସହାୟତାର ହାତ ବଢ଼ାଇବେ। ଯେଉଁଠାରେ ପ୍ରତ୍ୟେକ ନାଗରିକ ନିଜ କ୍ଷମତା ଅନୁଯାୟୀ ଅନ୍ୟର ଜୀବନ ରକ୍ଷା ପାଇଁ ସଚେତନ ରହିବେ। ଯେଉଁଠାରେ ପ୍ରଶିକ୍ଷଣ, ପ୍ରସ୍ତୁତି ଓ ସେବା ମନୋଭାବ ଏକାଠି ହୋଇପାରିବ, ସେଠି ବିପର୍ଯ୍ୟୟର ମୁକାବିଲା ସହଜ ହୋଇଯାଏ। କାରଣ, ଜୀବନ ଅମୂଲ୍ୟ। ଏହାକୁ ସୁରକ୍ଷା ଦେବା କେବଳ ଡାକ୍ତର, ଉଦ୍ଧାରକାରୀ କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ସାମାଜିକ ଓ ନୈତିକ କର୍ତ୍ତବ୍ୟ।
ମନେରଖିବା ଉଚିତ ଯେ, ବିପର୍ଯ୍ୟୟକୁ ଆମେ ରୋକିପାରିବା ନାହିଁ, କିନ୍ତୁ ସଚେତନତା, ପ୍ରସ୍ତୁତି ଓ ଉପଯୁକ୍ତ ସମୟରେ ଠିକ୍ ସହାୟତା ଦ୍ୱାରା ଅନେକ ଜୀବନ ରକ୍ଷା କରିପାରିବା। ଗୋଟିଏ ଜୀବନ ବଞ୍ଚାଇବା ଅର୍ଥ ଗୋଟିଏ ପରିବାରର ଆଶାକୁ ବଞ୍ଚାଇବା। ମାନବିକତା ଉପରେ ମଣିଷର ବିଶ୍ୱାସକୁ ଆହୁରି ଦୃଢ଼ କରିବା। ଏଣୁ ଆମେ ସମସ୍ତେ ସଚେତନ ହେବା, ପ୍ରଶିକ୍ଷିତ ହେବା ଓ ମାନବିକତାର ହାତ ବଢ଼ାଇବା। ବିପଦ ସମୟରେ ଆମେ କେବଳ ଦର୍ଶକ ନୁହେଁ, ଜୀବନ ରକ୍ଷାର ସହଯୋଗୀ ହେବା। କାରଣ, ମାନବ ସେବା ହିଁ ମାଧବ ସେବା। ଆଉ ଗୋଟିଏ ଜୀବନ ବଞ୍ଚାଇବା ମାନବିକତାର ସର୍ବୋତ୍ତମ ପରିଚୟ।
ଡା. ରାଜାରାମ ଷଡ଼ଙ୍ଗୀ
ପଡ଼ିଆବାହାଲ, ସମ୍ବଲପୁର
ମୋ: ୯୪୩୭୪୦୫୪୫୫

