ଡିଜିଟାଲ ଠକେଇ

ଜୁଲାଇ ୨୦୧୫ରେ ଆରମ୍ଭ କରାଯାଇଥିବା ଡିଜିଟାଲ ଇଣ୍ଡିଆ ଯୋଜନାକୁ ୮ ବର୍ଷ ପୂରିଗଲାଣି। ଇତିମଧ୍ୟରେ ଦେଶ ଡିଜିଟାଲ କ୍ଷେତ୍ରରେ କେତେ ସକ୍ଷମ ହୋଇଛି ତାହାର ଠିକ୍‌ ତଥ୍ୟ ଜାଣିବା କଷ୍ଟକର। କିନ୍ତୁ ପ୍ରତ୍ୟେକ କମ୍ପ୍ୟୁଟର ମାଧ୍ୟମରେ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟବହାର କରୁଥିବା ନାଗରିକ ସବୁଦିନ ଡିଜିଟାଲ ଅକ୍ଷମତା ସମ୍ପର୍କରେ ବିରକ୍ତି ପ୍ରକାଶ କରୁଥିବା ଦେଖାଯାଏ। ଏଥିସହ ତାଳ ମିଳାଇ ସାଇବର ଅପରାଧ ଦ୍ରୁତଗତିରେ ବୃଦ୍ଧି ପାଉଥିବା ସମସ୍ତେ ଜାଣନ୍ତି। ନ୍ୟାଶନାଲ ସାଇବର ସିକ୍ୟୁରିଟି କୋଅର୍ଡିନେଟର ଏମ୍‌.ୟୁ. ନାୟାରଙ୍କ ଅନୁଯାୟୀ ଭାରତରେ ସାଇବର ଅପରାଧ ବୃଦ୍ଧିପାଇ ବୈଶ୍ୱିକ ହାରାହାରି ତୁଳନାରେ ପାଖାପାଖି ୨ଗୁଣ ହୋଇଛି। କେବଳ ଏତିକି ନୁହେଁ, ସାଇବର ଆକ୍ରମଣ ଜନିତ ଦେୟ ମଧ୍ୟ ୧୦ ମାସ ମଧ୍ୟରେ ହାରାହାରି ୧.୫୪ ବିଲିୟନ ଡଲାରରେ ପହଞ୍ଚିଛି; ଯାହା ୨୦୨୨ ତୁଳନାରେ ଦୁଇଗୁଣ। ଏହାସହ ଗତ ୬ ମାସ ମଧ୍ୟରେ ସାଇବର ଅପରାଧ ଭାରତରେ ହାରାହାରି ୨୧୨୭ଥର ଘଟିଥିବାବେଳେ ବିଶ୍ୱରେ ଏହା ୧୧୦୮ ଥର ଘଟିଛି ବୋଲି ନାୟାର ପ୍ରକାଶ କରିଛନ୍ତି। ଏହା ସ୍ପଷ୍ଟ ଯେ, ଡିଜିଟାଇଜେଶନ ସହ ନିୟମିତ ଭାବେ ସାଇବର ଅପରାଧ ବୃଦ୍ଧିପାଇବା ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରତି ବିପଦ ସୃଷ୍ଟିକରୁଛି। ଏହି ସାଇବର ଅପରାଧର ମୂଳଲକ୍ଷ୍ୟ ହେଉଛି ଅର୍ଥ ଆଦାୟ। ଅକ୍ଟୋବର ମାସରେ ଅର୍ଥ ଆଦାୟ ପାଇଁ ଅକିରା ନାମକ ଇଣ୍ଟରନେଟ ରାନ୍‌ସମଓ୍ବେର ଭାଇରସ ସମ୍ପର୍କରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ୍‌ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌ (ସିଇଆର୍‌ଟି) ସତର୍କ କରିଥିଲା। ଏହି ଭାଇରସକୁ ହ୍ୟାକରମାନେ ପ୍ରୟୋଗ କରି ତଥ୍ୟ ଚୋରି କରିବା ପରେ ବ୍ୟବହାରକାରୀମାନଙ୍କୁ ବ୍ଲାକ୍‌ମେଲ କରୁଥିବା ଜଣାପଡ଼ିଛି। ଏ ଦୃଷ୍ଟିରୁ ବିଚାର କଲେ ଭାରତରେ ଡିଜିଟାଇଜେଶନ ଦ୍ୱାରା ବ୍ୟବସାୟରେ ପ୍ରଯୁକ୍ତି ନିର୍ଭରଶୀଳତା ବୃଦ୍ଧିପାଉଥିବାରୁ ତାହା ସାଇବର ଆକ୍ରମଣର ଶିକାର ହେବାର ଅଧିକ ସମ୍ଭାବନା ସୃଷ୍ଟି ହୋଇଛି। ଚିନ୍ତାର ବିଷୟ, ଆଇଟି ଆଣ୍ଡ୍‌ ସାଇବର ସିକ୍ୟୁରିଟି କମ୍ପାନୀ କ୍ଲାଉଡ୍‌ଫ୍ଲେୟାର ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଭାରତୀୟ ସଂସ୍ଥାଗୁଡ଼ିକ ଗତବର୍ଷ ଅତିକମ୍‌ରେ ଗୋଟିଏ ସାଇବର ଆକ୍ରମଣର ଶିକାର ହୋଇଛନ୍ତି ଏବଂ ଏହାଦ୍ୱାରା ସେଗୁଡ଼ିକ ଅନେକ ମିଲିୟନ ଡଲାର କ୍ଷତି ସହିଛନ୍ତି।
ଭାରତରେ ଡିଜିଟାଇଜେଶନକୁ ଲକ୍ଷ୍ୟ କରି ସବୁ କ୍ଷେତ୍ରରେ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଯୋଡ଼ିବା ବାଧ୍ୟତାମୂଳକ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗ୍ରାମୀଣ ଭାରତରେ ୭୦ ପ୍ରତିଶତରୁ ଅଧିକ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକ ରହୁଛନ୍ତି। ସାଇବର ଅପରାଧରେ ଏମାନେ ଠକେଇର ଶିକାର ହେବା ସୁଯୋଗ ଅଧିକ ରହୁଛି। କାରଣ ଭାରତୀୟ ନାଗରିକମାନେ ଆଧାରରେ କେତେ ତଥ୍ୟ ରହୁଛି ନ ଜାଣି ତାହାକୁ ଅନ୍ୟ ହାତକୁ ବଢ଼ାଇ ଦେଉଛନ୍ତି। ଏପରି କି ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ଦ୍ୱାରା ଜାରି କରାଯାଇଥିବା ଆଧାରକୁ ଖୋଲାଖୋଲି ସମସ୍ତଙ୍କୁ ନ ଦେବା ପାଇଁ ବିଧିବଦ୍ଧ ଭାବେ ସରକାରୀ ଘୋଷଣା କରାଗଲାଣି। ଏବେ କହୁଛନ୍ତି କେବଳ ‘ମାସ୍କଡ୍‌ ଆଧାର’ ବ୍ୟବହାର କରିବା ହେଉଛି ବୁଦ୍ଧିମାନର କାମ। ଏହାବ୍ୟତୀତ ଦେଶରେ ବ୍ୟାଙ୍କଗୁଡ଼ିକର ବ୍ୟବସ୍ଥା ପ୍ରାୟତଃ ଦୁର୍ବଳ । ଏଣୁ ଏହା ମାଧ୍ୟମରେ ସାଇବର ଅପରାଧୀମାନେ ଲୋକଙ୍କୁ ଠକିବା ସହଜ ହୋଇଯିବ। ଦେଶରେ ଯେତିକି ଅଧିକ ଡିଜିଟାଇଜେଶନ ପାଇଁ ବାଧ୍ୟ କରାଯିବ ସେତିକି ବେଶି ଠକେଇ ହେବାର ଆଶଙ୍କା ଦେଖାଦେବ। ନିକଟରେ ପ୍ରକାଶିତ ଏକ ଖବର ଅତ୍ୟନ୍ତ ଚିନ୍ତାଜନକ। ଇଣ୍ଟରନେଟରେ ଡାର୍କ ଓ୍ବେବ୍‌ରେ ପିଡବ୍ଲ୍ୟୁଏନ୍‌ ୦୦୦୧ ଛଦ୍ମ ନାମରେ ପରିଚିତ ସଂସ୍ଥା ଘୋଷଣା କରିଥିଲା ଯେ, ତାହା ପାଖରେ ୮୧ କୋଟିରୁ ଅଧିକ ଭାରତୀୟଙ୍କ ଆଧାର ଏବଂ ପାସପୋର୍ଟ ତଥ୍ୟ ମହଜୁଦ ଥିଲା। ଏହିସବୁ ତଥ୍ୟ ବିକିବା ପାଇଁ ମାତ୍ର ୮୦,୦୦୦ ଆମେରିକୀୟ ଡଲାର ମୂଲ୍ୟ ପିଡବ୍ଲ୍ୟୁଏନ୍‌ ୦୦୦୧ ଘୋଷଣା କରିଥିଲା। ଏଥିରୁ ପ୍ରତୀୟମାନ ହେଉଛି ଯେ, କେନ୍ଦ୍ର ସରକାର ନିଜ ନାଗରିକଙ୍କ ଆଧାର ତଥ୍ୟ ସୁରକ୍ଷିତ ରଖିବାରେ ବିଫଳ । ଅନ୍ୟପକ୍ଷରେ ବିଭିନ୍ନ କମ୍ପାନୀ ଓ ସରକାରୀ ସଂସ୍ଥାଗୁଡ଼ିକରେ ପ୍ରଯୁକ୍ତିକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ବ୍ୟବସାୟ ଲାଗି ଅପରିହାର୍ଯ୍ୟ ସାଇବର ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯାଉନାହିଁ। ଅଧିକାଂଶ ବିଜ୍‌ନେସ୍‌ ପଦାଧିକାରୀମାନଙ୍କର ଏ ସମ୍ପର୍କରେ ଜ୍ଞାନର ଅଭାବ ରହୁଛି ଏବଂ ଅନେକ କ୍ଷେତ୍ରରେ କ୍ଷୁଦ୍ର ଓ ମଧ୍ୟମ କମ୍ପାନୀଗୁଡ଼ିକରେ ପାଣ୍ଠିର ଅଭାବ ଯୋଗୁ ସେମାନେ ସାଇବର ଆକ୍ରମଣର ପ୍ରତିରୋଧ କରିବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହାବ୍ୟତୀତ ଭାରତରେ ପୋଲିସ ସାଇବର ସିକ୍ୟୁରିଟି ବିଭାଗର ଅଧିକାଂଶ ଅଧିକାରୀ ଏହି ବିଷୟରେ କୌଣସି ଜ୍ଞାନକୌଶଳ ଜାଣିନାହାନ୍ତି। ଏବେ ଭାରତରେ ଡିଜିଟାଇଜେଶନ ଯେଉଁ ସ୍ତରରେ ରହିଛି ତାହା ବ୍ୟାପକ ହେଲେ ଠକେଇ ଅନେକଗୁଣ ବଢ଼ିଯିବ। ଏଣୁ ଏକ ଡିଜିଟାଇଜେଶନ ସମାଜ ଗଢ଼ିବା ପୂର୍ବରୁ ସାଇବର ଅପରାଧକୁ ରୋକିବା ଲାଗି ଟେକ୍‌ନୋଲୋଜିରେ ଆଗୁଆ ଦେଶଗୁଡ଼ିକ ସହ ମିଳିତ ଭାବେ ଏକ ଦୃଢ଼ ପ୍ରତିରୋଧୀ ବ୍ୟବସ୍ଥା କରାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri