ମୃତକଙ୍କୁ ଚିହ୍ନିବା କଷ୍ଟକର

ଭୁବନେଶ୍ୱର,୬।୬ (ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ସୋମବାର ୪ ଦିନ ପୂରିଛି। ଘଟଣାସ୍ଥଳରୁ ଆହତ ଏବଂ ମୃତକଙ୍କ ଉଦ୍ଧାର କାର୍ଯ୍ୟ ସରିଥିବାବେଳେ ଏବେ ମୃତବ୍ୟକ୍ତିଙ୍କର ଚିହ୍ନଟୀକରଣ ଚିନ୍ତାର କାରଣ ହୋଇଛି। କେତେକ ମୃତଦେହ କ୍ଷତବିକ୍ଷତ ହୋଇଯାଇଥିବାରୁ ସେଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ହେଉଛି। ଆଉ କେତେକ ମୃତଦେହ ସମ୍ପୂର୍ଣ୍ଣରୂପେ ଚିହ୍ନି ହୋଇ ପାରୁନାହିଁ। ଏଭଳିସ୍ଥିତିରେ ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ଆସୁଛନ୍ତି। ଭୁବନେଶ୍ୱର ଏମ୍‌ସରେ ସୋମବାର ଏଭଳି ଏକ ଘଟଣା ଘଟିଛି। ଗୋଟିଏ ମୃତଦେହକୁ ଦୁଇଜଣ ଦାବି କରିଥିଲେ। ଶେଷରେ ମୃତକଙ୍କର ଆଇଡେଣ୍ଟିଫିକେଶନ୍‌ ମାର୍କ ଏବଂ ପରିଚୟପତ୍ର ଆଧାର କରି ପ୍ରକୃତ ପରିଜନଙ୍କୁ ହସ୍ତାନ୍ତର କରାଯାଇଥିଲା। ବିଡ଼ମ୍ବନା ଯେ, ଏଭଳି ଦୁଃଖଦ ପରିସ୍ଥିତିରେ କେତେଜଣ ବ୍ୟକ୍ତି ନିଜ ମାନବିକତା ହରାଇ ଅନୁକମ୍ପା ଅର୍ଥରାଶି ହଡ଼ପ କରିବାକୁ ଯୋଜନା କରୁଥିବା ନଜରକୁ ଆସିଛି। ବିଶେଷକରି ଯେଉଁ ମୃତଦେହଗୁଡିକୁ ଠିକ୍‌ ଭାବେ ଚିହ୍ନି ହେଉନାହିଁ, ସେଗୁଡ଼ିକର ଏକାଧିକ ଦାବିଦାର ଆସୁଛନ୍ତି, ଯାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଛି। ରବିବାର ଏଭଳି ଏକ ଘଟଣା ବାଲେଶ୍ୱର ନୋସି ବିଜ୍‌ନେସ୍‌ ପାର୍କ ପରିସରରେ ଦେଖିବାକୁ ମିଳିଥିଲା। ସେଠାରେ ଅନେକ ସମ୍ପର୍କୀୟ ମୃତକଙ୍କୁ ଚିହ୍ନଟ କରୁଥିବାବେଳେ ଗୀତାଞ୍ଜଳି ଦାସ ନାମ୍ନୀ ଜଣେ ମହିଳା ସେଠାରେ ପହଞ୍ଚି କାନ୍ଦବୋବାଳି କରିଥିଲେ। ତାଙ୍କ ସ୍ବାମୀ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା କହିଥିଲେ। ଏପରି କି ଏକ ଶବ ଉପରୁ ଧଳା କପଡ଼ା ହଟାଇ ତାହା ତାଙ୍କ ସ୍ବାମୀଙ୍କର ବୋଲି ପ୍ରକାଶ କରିଥିଲେ। ମାତ୍ର ପରେ ତାହା ମିଛ ବୋଲି ଜଣାପଡ଼ିଥିଲା।
କ୍ଷତବିକ୍ଷତ ମୃତଦେହକୁ ଚିହ୍ନିବାକୁ କଷ୍ଟକର ହେଉଥିବାରୁ ସେଗୁଡ଼ିକର ଡିଏନ୍‌ଏ ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଉଛି। ସୋମବାର ସନ୍ଧ୍ୟା ସୁଦ୍ଧା ଏମ୍‌ସରେ ୫ଜଣଙ୍କର ଡିଏନ୍‌ଏ ପରୀକ୍ଷା କରାଯାଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୃତଦେହ ଚିହ୍ନଟ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ମୃତଦେହ ରହିଥିବା ବ୍ୟାଗରେ ସେମାନଙ୍କର ଫଟୋ ଲଗାଯାଇଛି। ଏହାବାଦ୍‌ ଭୁବନେଶ୍ୱର ଆସିଥିବା ସମସ୍ତ ମୃତଦେହର ଫଟୋ ବିଏମ୍‌ସି ଆଇସିଓଏମ୍‌ସି ଟାଓ୍ବାରରେ ହୋଇଥିବା କଣ୍ଟ୍ରୋଲ ରୁମ୍‌ରେ ରଖାଯାଇଛି। ଏମ୍‌ସରେ ମଧ୍ୟ ସମସ୍ତଙ୍କର ଫଟୋ ରହିଛି। ଯେହେତୁ ଦୁର୍ଘଟଣାରେ କେତେଜଣ ବ୍ୟକ୍ତିଙ୍କର ଚେହେରା ନଷ୍ଟ ହୋଇଯାଇଛି ତେଣୁ ସେମାନଙ୍କର ଡ୍ରେସ୍‌ ବା ଅନ୍ୟାନ୍ୟ ଗହଣା ପତ୍ରରୁ ଚିହ୍ନିବାକୁ ଚେଷ୍ଟା କରୁଛନ୍ତି। ଯେଉଁଠି କିଛି ସାମଞ୍ଜସ୍ୟ ଆସୁଛି, ସେଠାରେ ଦାବିଦାରମାନେ ସମ୍ପୃକ୍ତ ମୃତଦେହ ନିଜ ପରିଜନଙ୍କର ବୋଲି କହୁଛନ୍ତି। ତେବେ ଏଭଳି ଦ୍ୱନ୍ଦ୍ୱ ଉପୁଜିବାରୁ ଡିଏନ୍‌ଏ ଟେଷ୍ଟ ଆରମ୍ଭ ହୋଇଥିବା କମିଶନର କୁଲାଙ୍ଗେ କହିଛନ୍ତି।
ଅପରପକ୍ଷେ ବାଲେଶ୍ୱରରୁ ଭୁବନେଶ୍ୱର ଆସିଥିବା ୧୯୩ଟି ମୃତଦେହ ମଧ୍ୟରୁ ୧୨୩ଟି ଏମ୍‌ସକୁ ଅଣାଯାଇଛି। ସେଥିମଧ୍ୟରୁ ୬୧ଟି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଆଉ ୬୨ଟି ମୃତଦେହ ରହିଛି। ସେଗୁଡ଼ିକ ସଂରକ୍ଷଣ ପାଇଁ ଏମ୍‌ସରେ ଡିପ୍‌ ଫ୍ରିଜ୍‌ ଓ କୋଲ୍ଡ ଷ୍ଟୋରେଜର ଅଭାବ ରହିଥିବାରୁ ଅଧିକ ଦିନ ମୃତଦେହ ସଂରକ୍ଷିତ ରଖାଯିବା ସମ୍ଭବ ନୁହେଁ। ତେଣୁ ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଣ୍ଟେନର ଅଣାଯାଇଛି। ପ୍ରତି କଣ୍ଟେନରରେ ୩୦ରୁ ୪୦ଟି ମୃତଦେହ ସଂରକ୍ଷିତ ରହିପାରିବ। କଣ୍ଟେନରରେ ଦୁଇମାସ ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷିତ ରଖାଯାଇପାରିବ ବୋଲି ଏମ୍‌ସ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ କହିଛନ୍ତି। ଅନ୍ୟପକ୍ଷରେ ୧୬ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଚାଲିଛି। ଆବଶ୍ୟକ ପଡ଼ିଲେ ଡିଏନ୍‌ଏ ଟେଷ୍ଟ କରାଯିବ ଏବଂ ଏଥିପାଇଁ ରାଜ୍ୟର ବିଶେଷଜ୍ଞମାନେ ଏମ୍‌ସରେ କାର୍ଯ୍ୟରତ ଥିବା ଡା. ବିଶ୍ୱାସ ସୂଚନା ଦେଇଛନ୍ତି। ସୂଚନାଥାଉ କି ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୭୫ଜଣ ଯାତ୍ରୀଙ୍କ ମଧ୍ୟରୁ ୧୮୦ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୫୦ରୁ ଊର୍ଦ୍ଧ୍ୱଙ୍କୁ ସେମାନଙ୍କର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ମୃତକଙ୍କ ପରିଜନ କିପରି ସହଜରେ ମୃତଦେହ ନେଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ମୃତଦେହ ପରିବହନର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ସହ ଏଥିପାଇଁ ବ୍ୟବସ୍ଥା କରିବାକୁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାବାଦ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଦୁଇଟି ଟୋଲ୍‌ ଫ୍ରି ନଂ. ୧୮୦୦୩୪୫୦୦୬୧ ଏବଂ ୧୯୨୯ ଜାରି କରାଯାଇଛି। ସମ୍ପର୍କୀୟମାନେ ଓଡ଼ିଶା ଆସିଲେ ଯେପରି ସୁବିଧାରେ ହସ୍ପିଟାଲକୁ ଯାଇ ମୃତାହତଙ୍କୁ ଚିହ୍ନଟ କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମୃତବ୍ୟକ୍ତିଙ୍କର ମୃତ୍ୟୁ ପ୍ରମାଣ ପତ୍ରକୁ ଅନ୍‌ଲାଇନ୍‌ ଏବଂ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ଯଥାଶୀଘ୍ର ସେମାନଙ୍କ ପରିଜନଙ୍କ ନିକଟକୁ ପଠାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଯେଉଁ ମୃତଦେହଗୁଡ଼ିକର ଚିହ୍ନଟ୍‌ ହୋଇପାରିବ ନାହିଁ ସେ ସବୁର ଡିଏନ୍‌ଏ ସାମ୍ପଲ ଓ ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରାଯାଇ ନିୟମ ଅନୁଯାୟୀ ସଂସ୍କାର କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?