ମାତୃଭାଷାର ଭିନ୍ନ ରୂପ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

“ଗତ କେଇଦିନ ଧରି ଓଡ଼ିଶାରେ କରୋନା ସେଞ୍ଚୁରି ମାରି ଚାଲିଛି। ଅଗଷ୍ଟ ପନ୍ଦର ବେଳକୁ କରୋନା ପାଇଁ ଯଦି ଟିକା ବାହାରିଯାଏ ତେବେ ତାହା କରୋନା ନିୟନ୍ତ୍ରଣର ଏକ ଟର୍ନିଂ ପଏଣ୍ଟ ହେବ। କାଳିଆ ଯୋଜନାରେ ଯେଉଁ କେତେଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଏକ ସେସ୍‌ ଟଙ୍କା ଦିଆଯାଇଛି ତାକୁ ରିଫଣ୍ଡ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ସ୍ବିଡେନ୍‌ର ଏକ ସମ୍ମାନଜନକ ପଦବୀରେ ନିଯୁକ୍ତ ହୋଇଥିବା ପି.କେ. ମହାନନ୍ଦିଆ ଅରିଜିନାଲି ଆମ ଓଡ଼ିଶା ଷ୍ଟେଟ୍‌କୁ ବିଲଙ୍ଗ୍‌ କରନ୍ତି। ପଶ୍ଚିମବଙ୍ଗ ପ୍ରଶାସନରେ ସେଣ୍ଟର ଷ୍ଟେଟ୍‌ ରିଲେଶନ୍‌ ଗୁରୁତର ବିଭ୍ରାଟର ସମ୍ମୁଖୀନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ଭେଜିଟେବଲ ଓ ଗ୍ରସେରି କିଣିଲା ବେଳେ ସୋସିଆଲ୍‌ ଡିଷ୍ଟାନ୍ସଂର ଧଜ୍ଜିଆ ଉଡ଼ାଉଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ଅନ୍‌ନ୍ୟାଚୁରାଲ ଡେଥ୍‌କୁ ନେଇ ତାଙ୍କ ଫ୍ୟାନ୍‌ମାନେ ଏବେ ଡିପ୍ରେସନରେ।”
ସଦ୍ୟ ସଂଘଟିତ କେତୋଟି ପ୍ରମୁଖ ଖବରକୁ ଉପରୋକ୍ତ ମତେ ପ୍ରସାରଣ କରିଥିଲା ଓଡ଼ିଶାର ଏକ ପ୍ରମୁଖ ଘରୋଇ ଚ୍ୟାନେଲ୍‌। ଦିନେ ଅଧେ କରିଥିଲା କହିଲେ ଭଲ ହେବ। ବରଂ ଏହାର ଖବର ପ୍ରସାରଣ କରୁଥିବା ଅଧିକାରୀମାନଙ୍କର ଭାଷା ସବୁବେଳେ ପ୍ରାୟତଃ ଏହିପରି। ଓଡ଼ିଶା ଭିତରେ ଓଡ଼ିଆ ଭାଷାର ଏ ପ୍ରକାର ଅଭିନବ ଶ୍ରାବ୍ୟ ସ୍ବରୂପ କାହା କାନକୁ କେମିତି ଶୁଭେ କେଜାଣି, ଓଡ଼ିଶାରେ ଜନ୍ମ ହୋଇ, ଓଡ଼ିଶାର ପାଣିପବନ ଓ ପଖାଳର ବିଶୁଦ୍ଧ ବାସନାରେ ନିଜ ଶୈଶବକୁ ସମୃଦ୍ଧ କରିଥିବା ଯେ କୌଣସି ଓଡ଼ିଆକୁ ଫେନ୍ସି ଡ୍ରେସ୍‌ ପରିହିତ ଲୋକଙ୍କୁ ଦେଖିବା ଭଳି ଅନୁଭବ ହୋଇଥିବ।
ପରସ୍ପର ମଧ୍ୟରେ ନିଜ ମାତୃଭାଷାରେ କଥାବାର୍ତ୍ତା ହେଲା ବେଳେ ଓଡ଼ିଆ ଭିତରକୁ ଇଂଲିଶ ପଶି ଆସିବା ଏମିତି କିଛି ବିଚିତ୍ର କଥା ନୁହେଁ। ମାତ୍ର ଏକ ଗଣମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ସାମ୍‌ନାରେ ଏମିତି ଇଂଲିଶ ମିଶା ଓଡ଼ିଆ କହିବାର ଏ ଧାରା ଏହିମାତ୍ର ଆରମ୍ଭ ହୋଇନାହିଁ। ନିଜ ପାଇଁ ଏକ ଅତ୍ୟାଧୁନିକ ପରିଚୟ ଗୋଟାଇବା ଲାଗି ଭାଷା ଭିତରେ ଏହି ଅପମିଶ୍ରଣ ପ୍ରକ୍ରିୟା ବହୁଦିନ ହେଲା ଆଧୁନିକ ବୋଲାଉଥିବା କିଛି ଗଣମାଧ୍ୟମ ଅଧିକାରୀଙ୍କ ମଧ୍ୟରେ ଲାଳିତ ହୋଇ ଆସୁଛି। କେଇ ବର୍ଷ ତଳେ ଓଡ଼ିଶାର ପାଠକମାନଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ଏକ ବହୁଳ ପ୍ରସାରିତ ସାପ୍ତାହିକୀ ପତ୍ରିକାରେ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ମୁଖ୍ୟ ପ୍ରସଙ୍ଗରେ ଯାହା ପ୍ରକାଶ ପାଇଥିଲା, ତାହା ଏବେ ଟିଭିରେ ଶୁଣୁଥିବା ବର୍ଣ୍ଣଶଙ୍କର ଓଡ଼ିଆଠୁ କିଛି କମ୍‌ ନ ଥିଲା। ଟିଭିରେ ପ୍ରସାରିତ ଆମ ଭାଷାର ଶ୍ରାବ୍ୟ ରୂପ ଭଳି ପତ୍ରିକାରେ ପ୍ରକାଶିତ ପାଠ୍ୟରୂପ ମଧ୍ୟ ଥିଲା ଅତ୍ୟନ୍ତ ଅଭିନବ।
“ରିୟଲି ଏକ ପ୍ରେଟିଲଙ୍ଗ୍‌ ଜର୍ନି….। ଏହା ତାଙ୍କ ପାଇଁ ଥିଲା ଏକ ମିଜରେବଲ୍‌ ଡେ। କ୍ରିକେଟ୍‌ ପ୍ରତି ସଚିନଙ୍କ କମିଟମେଣ୍ଟ ଓ ଇନ୍‌ଭଲ୍‌ଭମେଣ୍ଟ ଯାହା, ତାହା ଇମାଜିନ୍‌ କରିହେବ ନାହିଁ। ଦେଶର ପ୍ରାଇଡ୍‌ ଓ ପ୍ରେଷ୍ଟିଜ୍‌କୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସୁଛନ୍ତି ସଚିନ। ଏହାକୁ ନାଇସ୍‌ଲି ନିଜ ବ୍ଲେଜରର ଇନ୍‌ସାଇଡ୍‌ ପକେଟ୍‌ରେ ସେ ରଖିଥିଲେ। ତାଙ୍କୁ ଡିଫରେଣ୍ଟଲି ଟ୍ରିଟ୍‌ ନ କରିବା ପାଇଁ ସେ ୟଙ୍ଗଷ୍ଟରମାନଙ୍କୁ ସବୁବେଳେ ପରାମର୍ଶ ଦେଉଥିଲେ। ତାଙ୍କୁ ଇଣ୍ଡିଆର ବିଜୟ ବ୍ୟତୀତ ଅନ୍ୟ କିଛି ଥ୍ରିଲ୍‌ କରେ ନାହିଁ। ପ୍ରତି ସିକ୍‌ସର ପରେ ସେ ଆକାଶକୁ ଚାହିଁ ସେଇ ଅନ୍‌ସିନ୍‌ ଈଶ୍ୱରଙ୍କୁ ନିଜର ଗ୍ରାଟିଚ୍ୟୁଡ୍‌ ଜଣାଉଥିଲେ…।”
ଉପର ବର୍ଣ୍ଣିତ ଟିଭି ଚ୍ୟାନେଲ୍‌ରୁ ଯେଉଁ ଭାଷାରେ ଖବର ପ୍ରସାରିତ ହେଲା ବା କଥିତ ସାପ୍ତାହିକ ପତ୍ରିକାରେ ଯେଉଁ ଭାଷାରେ ସେତେବେଳେ ସଚିନଙ୍କ ସମ୍ପର୍କରେ ପଢ଼ିବାକୁ ମିଳିଥିଲା, ସେଇ ଭାଷାକୁ କ’ଣ ଓଡ଼ିଆ କହିପାରିବା? ଲାୟନ ଓ ଟାଇଗର ମିଶି ‘ଟାଇଗ୍ରେନ୍‌’ ବା ‘ଲାଇଗର୍‌’ ହେଲା ପରି ଇଂଲିଶ ମିଶା ଓଡ଼ିଆର ସେମିତି ”ନାମଟିଏ ରହିବା ଦରକାର, ଯେମିତି କି ‘ଆଙ୍ଗ୍ଲୋଡିଆ’ ଅବା ‘ଓଡିଲିଶ୍‌’। ଏ ପ୍ରକାର ଆଙ୍ଗ୍ଲୋଡିଆ ବା ଓଡିଲିଶ୍‌ ଶୁଣି କି ପଢ଼ି ଯଦି ଶ୍ରୋତା ବା ପାଠକମାନଙ୍କୁ କିଛି ଅଡ଼ୁଆ ନ ଲାଗିଲା, ତା’ ହେଲେ ବୁଝିବାକୁ ହେବ ଯେ ଆଧୁନିକତାର ଆହ୍ବାନ ମଧ୍ୟରେ ମାନବ ସଭ୍ୟତାର ଅନ୍ୟ ବହୁ ଚିଜ୍‌ ପରି ଭାଷା ମଧ୍ୟ ବିବର୍ତ୍ତନ ପଥରେ ଯାଇ ଆଗକୁ ଗତି କରୁଛି। ଭାଷାର ବିବର୍ତ୍ତନ କଳେବରକୁ ବ୍ୟବହାର କରି ସଭ୍ୟ, ସମ୍ଭ୍ରାନ୍ତ ଓ ଆଧୁନିକ ବୋଲାଉଛି ଏ ବେକାର ମଣିଷ। ବାପା ଅଜା ଅମଳରୁ ବ୍ୟବହୃତ ହୋଇ ଆସିଥିବା ମାତୃଭାଷାର ଅନ୍ୟ ନାମ ଯଦି ମାଆର ଭାଷା, ତେବେ ଆଗଯୁଗର କୋଣପଶା, ଓଢ଼ଣାଦିଆ ମାଆଙ୍କ ପରି ନୁହେଁ ତ ଏବେକାର ଆଧୁନିକ ମାଆମାନେ। ସୁତରାଂ, ମାତାଙ୍କ ପରି ମାତୃଭାଷାର ଆଧୁନିକ କଳେବର ହେଲେ କ୍ଷତି କ’ଣ!!“
ହଁ, ବେଶ୍‌ ପ୍ରାଚୀନ ହୋଇଗଲାଣି ଆମ ମାତୃଭାଷା ଓଡ଼ିଆ। ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶର ପରିଚିତି ଲାଭ କରିବାର ଯଥେଷ୍ଟ ପୂର୍ବରୁ ଏ ଭାଷାର ଜନ୍ମ। ‘ଓଡ଼ିଆ ଏକ୍‌ଟା ସ୍ବତନ୍ତ୍ର ଭାଷା ନୟ’ – ବଙ୍ଗାଳୀ ବଡ଼ପଣ୍ଡାଙ୍କ ଏ ଔଦ୍ଧତ୍ୟପୂର୍ଣ୍ଣ ଉଚ୍ଚାରଣକୁ ସମୁଚିତ ଜବାବ ଦେଇ ଓଡ଼ିଶା ଭାଷାକୁ ପ୍ରତିଷ୍ଠିତ କରିବା ପାଇଁ ଯେଉଁ କତିପୟ ଓଡ଼ିଆ ସଂଗ୍ରାମ କରିଥିଲେ, ସେଇ ସଂଗ୍ରାମ ଓ ସାଧନାର କାହାଣୀ କେବେଠୁଁ ପୁରୁଣା ହୋଇଗଲାଣି। ପୁଣି ବଙ୍ଗଳା ଭାଷାକୁ ପଛରେ ପକାଇ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଭଳି ଗୌରବ ଅର୍ଜନ କରି ସାରିଲାଣି କେଇ ବର୍ଷ ତଳୁ। ସୁତରାଂ ନବ୍ୟ ଆଧୁନିକତାର ଭବ୍ୟ ଆହ୍ବାନ ମଧ୍ୟରେ ଭାଷାର ମୌଳିକ ଆବରଣ ମଧ୍ୟରୁ ମୁକୁଳି ଆସି ଇଂଲିଶ କିମ୍ବା ହିନ୍ଦୀର ପୋଷାକ ପିନ୍ଧି ଭିନ୍ନ ଚେହେରାରେ ପରିଚିତ ହେବାର ପ୍ରବଣତା ପ୍ରକାଶ ପାଉଛି ଆମ ଭାଷା ଓ ସଂସ୍କୃତିର ଉତ୍ତରଦାୟାଦ ଭାବେ ପରିଚିତ ଯୁବବର୍ଗଙ୍କ ପାଖରେ। ସେଥିପାଇଁ ତ ‘ଶତକ ଭଳି ବିକଳ୍ପଟିଏ ମହଜୁଦ ଥାଇ ବି ସେମାନେ ‘ସେଞ୍ଚୁରି’ କରୁଛନ୍ତି ତ ‘ଫେରାଇବା ବଦଳରେ ‘ରିଫଣ୍ଡ’ କହି ଆମ ମାତୃଭାଷାର ‘ଧଜ୍ଜିଆ’ ଉଡ଼ାଉଛନ୍ତି!
ପ୍ରତ୍ୟେକ ମଣିଷର ମାଆଟିଏ ଥାଏ, ମାତୃଭାଷାଟିଏ ବି ଥାଏ। ଜଣଙ୍କ ଗର୍ଭରୁ ଜନ୍ମ ନେଇ ସେ ସଂସାରକୁ ଆସେ, ଅନ୍ୟଟିକୁ କଣ୍ଠସ୍ଥ କରି ସେ ନିଜର ଏକ ପରିଚୟ ସୃଷ୍ଟିକରେ। ଉଭୟ ମାତା ଓ ମାତୃଭାଷା ଯେମିତି ଯେଉଁ ରୂପରେ ଥାଆନ୍ତୁ ନା କାହିଁକି, ସେମାନଙ୍କୁ ନେଇ ସ୍ପର୍ଦ୍ଧିତ ସନ୍ତାନଟିଏ ଗର୍ବ ଓ ଗୌରବ ବୋଧକରେ। ଏ ଦୁଇଟି ଆଦିଶକ୍ତିର ଆଶୀର୍ବାଦ ଲାଭ କରି ସେ ଚଢ଼ିଚାଲେ ସକଳ ଉତ୍ତରଣର ପାହାଚ ପରେ ପାହାଚ। ଅଥଚ ସମୟର ଦୁର୍ଭାଗ୍ୟ, ଆଧୁନିକତାର ମିଥ୍ୟା ମୋହରେ ପଡ଼ି ଏଇ ସନ୍ତାନମାନଙ୍କ ମଧ୍ୟରୁ କେତେକ ନିଜକୁ ଭିନ୍ନ ଭାବେ ଉପସ୍ଥାପିତ କରିବାକୁ ଯାଇ ଆପଣା ସଂସ୍କାରକୁ ବିସ୍ମରି ଯାଆନ୍ତି। ନିଜ ମାଆ ଓ ମାତୃଭାଷା ଉଭୟଙ୍କ ଦେହରୁ ପରିଚୟର ପୁରୁଣା ପୋଷାକ ଓହ୍ଲାଇ ଦେଇ ପଶ୍ଚିମା ପୋଷାକରେ ସଜାଇ ଦିଅନ୍ତି। ପରିଣାମ ହୁଏ ଅତ୍ୟନ୍ତ ପ୍ରତ୍ୟାଶିତ। ମାଆ ଓ ମାତୃଭାଷା ଉଭୟ ନିଜ ନିଜର ମୌଳିକତା ହଜାଇ ବିକୃତ ଓ ବିକଳାଙ୍ଗ ଦିଶନ୍ତି। ଓଡ଼ିଆ ବାପାମା’ ଡାଡି ମମି ହୋଇଯାନ୍ତି, ଓଡ଼ିଶାର ବାଡ଼ି ବାଇଗଣ ଭେଜିଟେବୁଲ ହୋଇଯାଏ ଓ ଡାଲି ଚାଉଳ ଆଦି ନିତ୍ୟ ବ୍ୟବହାର୍ଯ୍ୟ ତେଜରାତି ସଉଦା ହୋଇଯାନ୍ତି ଗ୍ରସେରି ଆଇଟମ୍‌ !
ଭାଷା ଏକ ପ୍ରବହମାନ ସ୍ରୋତ ପରି। କଥନ ଓ ଲିଖନର ସୁଅ ମୁହଁରେ ସବୁ ଭାଷା ଗଡ଼ିଚାଲନ୍ତି ଆଗକୁ ଆଗକୁ। ପ୍ରତ୍ୟେକ ଭାଷାର ଆରମ୍ଭ ଅଛି, ଅନ୍ତ ବି ଅଛି। ମାନବ ସଭ୍ୟତାର ବିକାଶ ହେବା ଦିନଠୁଁ କେତେ ଭାଷା ଅତୀତର ଅନ୍ଧାରି ଗର୍ଭରେ ବିଲୟ ଲଭିଲେଣି ତ ଅନ୍ୟ କେତେକ ଭବିଷ୍ୟତରେ ହଜିଯିବେ ବୋଲି ଭବିଷ୍ୟବାଣୀ ହେଲାଣି। ଭାଷାର ଦୁଇଟି ମୁଖ୍ୟ ଉପଜୀବ୍ୟ କଥନ ଓ ଲିଖନ କୌଣସି କାଳରେ ସ୍ବଳ୍ପାୟ ନୁହନ୍ତି। କଥନ ଜିହ୍ବା ଅଭ୍ୟନ୍ତରରୁ ସୃଷ୍ଟି ହୋଇ ଶୂନ୍ୟରେ ମିଳାଇ ଯାଏନା କି ଲିଖନର ମୁଦ୍ରିତ ରୂପ ନିମିଷକେ ହଜିଯାଏନା। ଏହା ପଡ଼ିରହେ କାଳକାଳକୁ ସମୟ, ସଭ୍ୟତା ଓ ସଂସ୍କୃତିର ଦସ୍ତାବିଜ୍‌ ହୋଇ। ପୁଣି କଥନ ହେଉ କି ଲିଖନ, ଯେତେବେଳେ ଭାଷା ଏକ ସୀମିତ ପରିସରରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭାବ ଯୋଗାଯୋଗର ମାଧ୍ୟମ ନ ହୋଇ ଏକ ବିଶାଳ ପରିସରରେ ଗଣମାଧ୍ୟମ ପାଲଟିଯାଏ, ସେତେବେଳେ ଏହାର ପ୍ରଭାବ ହୁଏ ବେଶ୍‌ ସୁଦୂର ପ୍ରସାରୀ। ଯେତେ ଲିଭାଇଲେ ବି ଏହାର ଅକ୍ଷରସବୁ ସହଜରେ ଲିଭି ଯାଏନା। ବ୍ୟକ୍ତି ଚେତନାରୁ ବ୍ୟାପ୍ତ ହୁଏ ଗଣ ଚେତନା !
ଏହି ଆଲେଖ୍ୟର ଉପକ୍ରମଣିକାରେ କୁହାଯାଇଥିବା ଓଡ଼ିଆ ଟିଭି ଚାନେଲର ଖବର ପାଠ ହେଉ କି ସାପ୍ତାହିକ ପତ୍ରିକାର ପ୍ରଚ୍ଛଦ କାହାଣୀ, ପ୍ରତ୍ୟେକ ଗଣମାଧ୍ୟମ ଏକ ବିସ୍ତୃତ ପରିସରରେ ଗଣଚେତନାକୁ ବିସ୍ତାରିତ କରିବାର ଏକ ପ୍ରମୁଖ ପ୍ରବାହ। ଗଣମାଧ୍ୟମ ତଥ୍ୟ ବଜାରରେ କିଛି ଅର୍ଥ ଅର୍ଜନ କରିବାର ଏକ ମାମୁଲି ବାଣିଜି୍ୟକ ପ୍ରଚେଷ୍ଟା ନୁହେଁ। ସମାଜର କଲ୍ୟାଣ ପାଇଁ ବୃହତ୍ତର ପରିସରରେ ଏକ ଅଙ୍ଗୀକୃତ ଗୋଷ୍ଠୀ ଚେତନା ଗଢ଼ି ତୋଳିବା ପ୍ରତ୍ୟେକ ଗଣମାଧ୍ୟମର ପବିତ୍ର କର୍ତ୍ତବ୍ୟ। ଏମିତି ଏକ ସାମାଜିକ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଇଂଲିଶ ଭାଷାର ପ୍ରଭାବରୁ ମୁକ୍ତ ରହି ନ ପାରି ଆମ ମାତୃଭାଷା ଓଡ଼ିଆର ମୂଳ ଚେହେରାକୁ ବିକୃତ ବିକଳାଙ୍ଗ କରିବା କେତେଦୂର ନ୍ୟାୟୋଚିତ, ତାହା ବିଚାର କରିବାର ସମୟ ଆସିଛି। ଆଜି ଯଦି ବ୍ୟାସକବି ଫକୀର ମୋହନ ବଞ୍ଚିଥାନ୍ତେ, ତେବେ ନିଜ ମାତୃଭାଷାର ଏମନ୍ତ ନବ୍ୟ ପ୍ରବାହକୁ ଲକ୍ଷ୍ୟ କରି ଏକଦା ଲେଖିଥିବା ନିଜ କବିତାକୁ ସୁର ଦେଇ ବୋଲିଥାନ୍ତେ-
“ଇଂରେଜ ଇଂରେଜୀ ବିଦ୍ୟା ରଖିଯିବେ ନାହିଁ
ସେତେବେଳେ ରହିଥିବ ଜଳ ଜଳ ଚାହିଁ।
ପଢ଼ ଇଂରାଜୀ କେହି ମନା କରୁନାହିଁ
କିନ୍ତୁ ବାପା କାମକର ଜାତିକୁଳ ଚାହିଁ।”

ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଆପଣା ହସ୍ତେ ଜିହ୍ବା ଛେଦି

ବୈକୁଣ୍ଠନାଥ ମିଶ୍ର ଭାରତ ଏକ ଗ୍ରାମବହୁଳ ଦେଶ। ସମୁଦାୟ ଜନସଂଖ୍ୟାର ପ୍ରାୟ ୮୬ ପ୍ରତିଶତ ଗ୍ରାମଗୁଡ଼ିକରେ ବାସ କରନ୍ତି। କୃଷି ଗ୍ରାମାଞ୍ଚଳର ମୁଖ୍ୟ ଜୀବିକା। ବହୁ...

ଜୀବନର ନକ୍ସା

ମନ-ମାନଚିତ୍ର/ଡ. ନରହରି ବେହେରା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ଆବଶ୍ୟକତାଠାରୁ ଶୀତଳ ଓ ଉଷ୍ମତାର ମାତ୍ରା କମ୍‌ ବା ବେଶି ହେଲେ ଆମ ଶରୀରକୁ ସୁଖ...

ଏଇ ଭାରତରେ

ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଛି। ବିଶେଷକରି କରୋନା ବିରୁଦ୍ଧରେ ଲଢ଼େଇ କରୁଥିବା...

ଓଡ଼ିଶାରେ ଦୋଳଯାତ୍ରା

ଡ. ଭାଗ୍ୟଲିପି ମଲ୍ଲ ଶୀତ ସରି ସରି ଆସୁଛି। ଖରା ଧରାକୁ ମୁହାଁଇଛି। ସନ୍ଧି ସମୟ। କାଳପ୍ରବାହରେ ମଧୁମାସ। ବସନ୍ତ। ଚାରିଆଡ଼େ ଫୁଲ ଆଉ ଫୁଲ।...

ଏଇ ଭାରତରେ

ଝାଡ଼ଖଣ୍ଡର ଜଣେ ସାମାଜିକ କର୍ମୀ ୨୫,୦୦୦ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା କିଛି କମ୍‌ କଥା ନୁହେଁ। ଏଇ ସମାଜସେବୀ ହେଉଛନ୍ତି ନୀଳକଣ୍ଠ ମିଶ୍ର। ନୀଳକଣ୍ଠଙ୍କ...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀରେ ଜୀବିକା ହରାଇଥିବା ଲୋକମାନଙ୍କୁ କାମ ଯୋଗାଇ ଦେବାରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ପ୍ରୟାସ ପ୍ରଶଂସନୀୟ। ଉତ୍ତରପ୍ରଦେଶ ବାରାବଙ୍କି ଜିଲାର ଜିଲାପାଳ ଡ. ଆଦର୍ଶ...

ଏ ଅନ୍ଧକାରରୁ ମୁକ୍ତି କେବେ

ମନ-ମାନଚିତ୍ର / ଡ. ନରହରି ବେହେରା ରୂପେନ୍‌ ବାନାର୍ଜୀ ତାଙ୍କର ‘ଦି ଓଡ଼ିଶା ଟ୍ରାଜେଡ଼ି: ଏ ସାଇକ୍ଲୋନ୍‌’ସ୍‌ ଇୟର ଅଫ୍‌ କାଲାମିଟି’ ବହିରେ ଗୋଟିଏ ରୋଚକ...

ଏଇ ଭାରତରେ

ସମାଜରେ ଦିବ୍ୟାଙ୍ଗଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଲାଗି କାର୍ଯ୍ୟ କରାଯାଉଛି ସତ, କିନ୍ତୁ ସେମାନଙ୍କୁ ବିବାହବନ୍ଧନରେ ବାନ୍ଧି ସ୍ବାବଲମ୍ବୀ କରୁଥିବା ବ୍ୟକ୍ତି ବା ସଂସ୍ଥା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *