
ଧର୍ମଶାଳା,୧୦।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଶତାଧିକ ଲୋକେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସକାଳୁ ସକାଳୁ ଏହି ଅଞ୍ଚଳର ଅନେକ ପଞ୍ଚାୟତରେ ଲୋକେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ମେଡିକାଲ ପରିସରରେ ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ପରିମାଣର ବେଡ ନ ଥିବା କାରଣରୁ ଶତାଧିକ ରୋଗୀ ମେଡିକାଲ ବାରଣ୍ଡା ଓ ଗଛମୂଳେ ସାଲାଇନ ଲଗାଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି। ଖବରପାଇ ଯାଜପୁର ସିଡିଏମଓ ପ୍ରକାଶ ଚନ୍ଦ୍ର ବଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସ୍ଥିତି ଦେଖି ଯାଜପୁର ମୁଖ୍ୟ ଚିକିତ୍ସାଳୟରୁ ଏକ ଟିମ୍ ଡକାଇଛନ୍ତି।