ପ୍ଲାଷ୍ଟିକ ସଙ୍କଟ ଓ ପ୍ରତିକାର

ଏକ ଚମତ୍କାର ସାମଗ୍ରୀ ରୂପେ ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ ମାନବଜାତିର ନିର୍ଭରଶୀଳତା କ୍ରମଶଃ ଯେତିକି ବୃଦ୍ଧିପ୍ରାପ୍ତ ହେଉଛି, ବୈଜ୍ଞାନିକ ଗବେଷଣାଲବ୍ଧ ତଥ୍ୟସବୁ ଏହାର ନକାରାତ୍ମକ ଦିଗକୁ ସେତେ ସ୍ପଷ୍ଟ ଭାବରେ ଉନ୍ମୋଚିତ କରୁଛି। ଏକ ବୈପ୍ଲବିକ ପରିବର୍ତ୍ତନକାରୀ ସାମଗ୍ରୀ ରୂପେ ବିଂଶ ଶତାବ୍ଦୀରେ ଯାହାର ପ୍ରୟୋଗ କ୍ରମେ ଶିଳ୍ପ ଦୃଶ୍ୟପଟକୁ ନିର୍ଣ୍ଣାୟକ ଭାବରେ ପରିବର୍ତ୍ତିତ ଏବଂ ଦୈନନ୍ଦିନ ଜୀବନରେ ବ୍ୟାପକ ଉନ୍ନତି ସାଧନ କରିଥିଲା, ତାହା ସମ୍ପ୍ରତି ଏକବିଂଶ ଶତାବ୍ଦୀରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବେଶୀୟ ଆହ୍ବାନ ଏବଂ ସ୍ବାସ୍ଥ୍ୟ ପ୍ରତି ବିପଦ ରୂପେ ପରିଗଣିତ ହେଉଛି। ଏହାର ସୁଦୀର୍ଘ ଜୀବନ ଅବଧି, ଅ-ଜୈବବିଘଟନଶୀଳ ପ୍ରକୃତି ଏବଂ ଗ୍ରହ ଉପରେ ବିନାଶକାରୀ ପ୍ରଭାବ ଯୋଗୁ ଏହା ଜୀବଜଗତର ଶତ୍ରୁ ରୂପେ ଉଭା ହୋଇଛି। ପ୍ରଲମ୍ବିତ ସମୟ ବାହ୍ୟ ପରିବେଶରେ ଜମିରହି ପ୍ଲାଷ୍ଟିକ ପଦାର୍ଥ ବିଶ୍ୱର କୋଣ ଅନୁକୋଣରେ କେବଳ କୁତ୍ସିତ ଦୃଶ୍ୟ ଓ ପ୍ରଦୂଷଣ ସୃଷ୍ଟିର କାରଣ ହେଉନାହିଁ, ଏହା ବିଭିନ୍ନ ପରିବେଶୀୟ ଚାପର ବଶବର୍ତ୍ତୀ ହୋଇ ମାଇକ୍ରୋପ୍ଲାଷ୍ଟିକ ଏବଂ ନାନୋପ୍ଲାଷ୍ଟିକ ପରି କ୍ଷୁଦ୍ର, ଅଦୃଶ୍ୟ କଣିକାରେ ପରିଣତ ହେଉଛି। ଏସବୁ ବିଷାକ୍ତ କଣିକା ପାନୀୟ ଜଳ, ନିଃଶ୍ୱାସର ବାୟୁ ଏବଂ ଖାଦ୍ୟ ମାଧ୍ୟମରେ ଜୀବଜନ୍ତୁ ତଥା ମାନବ ଶରୀରରେ ପ୍ରବେଶ କରି ଅଜ୍ଞାତରେ ବହୁ ସ୍ବାସ୍ଥ୍ୟ ସମସ୍ୟା, ଏପରି କି କର୍କଟ ରୋଗର କାରଣ ପାଲଟୁଛି।
ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ପାଇଁ ପ୍ଲାଷ୍ଟିକ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ସହ ଏହାକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ କରିବା ପାଇଁ ବିଶ୍ୱବ୍ୟାପୀ ଜନସାଧାରଣଙ୍କୁ ସଂଶ୍ଲିଷ୍ଟ କରାଯିବା ଦରକାର। ଏହା ବ୍ୟକ୍ତି, ନାଗରିକ ସମାଜ, ବ୍ୟବସାୟ, ଶିଳ୍ପ ସଂସ୍ଥା ଏବଂ ସରକାର, ସମସ୍ତଙ୍କୁ ପ୍ଲାଷ୍ଟିକ ଅପଚୟ ହ୍ରାସ କରିବା ଏବଂ ସହନୀୟ ଅଭ୍ୟାସକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରୋତ୍ସାହିତ କରିବ। ସମ୍ପ୍ରତି ‘ଗ୍ଲୋବାଲ ପ୍ଲାଷ୍ଟିକ୍ସ ହବ’ ନାମରେ ଏକ ପ୍ରମୁଖ ବୈଶ୍ୱିକ ଡିଜିଟାଲ ପ୍ଲାଟଫର୍ମ ସ୍ଥାପିତ ହୋଇଛି, ଯାହା ପ୍ଲାଷ୍ଟିକ ପ୍ରଦୂଷଣର ସମାପ୍ତି ନିମନ୍ତେ ଆବଶ୍ୟକ ତଥ୍ୟ, ଜ୍ଞାନ ଏବଂ ସହଯୋଗ ପ୍ରଦାନ କରି ବିଶ୍ୱ ପରିବେଶ, ମାନବ ସୁସ୍ଥତା ଏବଂ ପ୍ରାଣୀ କଲ୍ୟାଣ ସାଧନର ଲକ୍ଷ୍ୟ ରଖେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ପ୍ଲାଷ୍ଟିକ୍‌ର ଲୋକପ୍ରିୟତାରେ ବ୍ୟାପକ ବୃଦ୍ଧି ଏବଂ ଉତ୍ପାଦନ କ୍ଷେତ୍ରରେ ପ୍ରଭୂତ ଉନ୍ନତି ସଂଘଟିତ ହେଲା । ପ୍ଲାଷ୍ଟିକ ପ୍ରସ୍ତୁତିରେ ବ୍ୟବହୃତ ଉଚ୍ଚ ସାନ୍ଦ୍ରତା ବିଶିଷ୍ଟ ପଲିମର ଆବିଷ୍କାର ନିମନ୍ତେ ୧୯୬୩ରେ କାର୍ଲ ଜିଗଲର୍‌ ଏବଂ ଗିଉଲିଓ ନାଟ୍ଟାଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ ଏକ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କଲା। ଏକ ଚମତ୍କାର ସାମଗ୍ରୀ ଭାବରେ ପ୍ଲାଷ୍ଟିକ୍‌ର ଉପଯୋଗରେ ପ୍ରସ୍ତୁତ ବିଭିନ୍ନ ପଦାର୍ଥ ଶସ୍ତାରେ ଉପଲବ୍ଧ, ଛାଞ୍ଚରେ ସହଜରେ ତିଆରି ହେବା, ବିଦ୍ୟୁତ୍‌ କୁପରିବାହୀ, ଉଭୟ କଠିନ ଏବଂ ତରଳ ପଦାର୍ଥର ବହନକାରୀ ଏବଂ ଅବକ୍ଷୟ ଓ ଭାଙ୍ଗିଯିବାର ପ୍ରତିରୋଧୀ ଥିବାରୁ ଅଧିକ ଉପଯୁକ୍ତ ସାବ୍ୟସ୍ତ ହେଲା। ବିଭିନ୍ନ ପଦାର୍ଥର ପ୍ୟାକେଜିଂ ଏବଂ ବୟନଶିଳ୍ପଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ, ଯାନବାହନ ଏବଂ ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ, ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ଲାଷ୍ଟିକ ପ୍ରବେଶରେ ବୃଦ୍ଧି ଘଟିଲା।
ରାସାୟନିକ ଦୃଷ୍ଟିକୋଣରୁ ପ୍ଲାଷ୍ଟିକ ସବୁ ହେଉଛନ୍ତି ସଂଶ୍ଳେଷିତ ପଲିମର୍‌, ଯାହା ମୁଖ୍ୟତଃ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ କୋଇଲା ପରି ପ୍ରାକୃତିକ ସମ୍ପଦରୁ ଉତ୍ପନ୍ନ ହୋଇଥାଏ। ଏସବୁ ବ୍ୟବହାର ପରେ ବାହ୍ୟ ପରିବେଶକୁ ନିଷ୍କାସିତ ହୋଇ ସେଠାରେ ଜମି ରହିଲେ ସହଜରେ ବୀଜାଣୁମାନଙ୍କ ଦ୍ୱାରା ବିଘଟିତ ହୁଅନ୍ତି ନାହିଁ। ଏକ ପଲିଥିନ ବ୍ୟାଗ ନଷ୍ଟ ହେବାକୁ ହଜାରେରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସମୟ ନେଇପାରେ ଏବଂ ତତ୍ପରେ ଏହା ମଧ୍ୟ ମାଇକ୍ରୋପ୍ଲାଷ୍ଟିକ ଏବଂ ନାନୋପ୍ଲାଷ୍ଟିକ ପରି ଅତ୍ୟନ୍ତ କ୍ଷୁଦ୍ର, ବିଷାକ୍ତ କଣିକାକୁ ଭାଙ୍ଗିଥାଏ। ମହାସାଗରଗୁଡ଼ିକରେ ବିଲିଅନ ସଂଖ୍ୟାରେ ଏସବୁ କଣିକା ପ୍ରଦୂଷକ ରୂପେ ଜମିରହିଛି। ସମ୍ପ୍ରତି ବିଶ୍ୱରେ ବାର୍ଷିକ ୪୩୦ ନିୟୁତ ଟନ୍‌ରୁ ଅଧିକ ପରିମାଣର ପ୍ଲାଷ୍ଟିକ ଉତ୍ପାଦିତ ହେଉଛି, ଯେଉଁଥିରୁ ଅନୂ୍ୟନ ୧୪-୧୭ ନିୟୁତ ଟନ ସ୍ଥଳଭାଗରୁ ସାମୁଦ୍ରିକ ପରିସଂସ୍ଥାକୁ ପ୍ରବେଶ କରୁଛି। ପୂର୍ବାନୁମାନ ଅନୁଯାୟୀ ୨୦୫୦ ସୁଦ୍ଧା ସମୁଦ୍ରରେ ଓଜନ ତୁଳନାରେ ମାଛଙ୍କ ଅପେକ୍ଷା ପ୍ଲାଷ୍ଟିକର ପରିମାଣ ଅଧିକ ହୋଇପାରେ। ସ୍ଥଳଭାଗରେ, ବିଭିନ୍ନ ପ୍ଲାଷ୍ଟିକ ବର୍ଜ୍ୟ ସାଧାରଣ ପରିବେଶ, ମୃତ୍ତିକା ଏବଂ ଜଳକୁ ପ୍ରଦୂଷିତ କରେ, ଯାହା ଦ୍ୱାରା କୃଷି ଏବଂ ମଧୁରଜଳ ବ୍ୟବସ୍ଥା ପ୍ରଭାବିତ ହୁଏ। ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର ଅଧୁନା ଏକ ସୁବିଧାଜନକ, ଉପଭୋକ୍ତାବାଦ ଏବଂ ‘ଫୋପାଡ଼ିବା’ ସଂସ୍କୃତି ସୃଷ୍ଟି କରିଛି। ଯେଉଁ ଉପଯୋଗିତା ନିମନ୍ତେ ଏକଦା ଏହା ପ୍ରଶଂସିତ ହେଉଥିଲା, ତାହା ଆଜି ଏକ ବିଶ୍ୱ ସଙ୍କଟର କାରଣ ପାଲଟିଛି। ପ୍ଲାଷ୍ଟିକ ପ୍ରଦୂଷଣର ମୁକାବିଲା ନିମନ୍ତେ ବୈଶ୍ୱିକ ପ୍ରୟାସ ଜାରି ରହିଛି ଏବଂ ଜୈବଅବକ୍ଷୟଯୋଗ୍ୟ ପ୍ଲାଷ୍ଟିକ ପ୍ରସ୍ତୁତି କ୍ରମେ ବାସ୍ତବତାର ରୂପ ଧାରଣ କରୁଛି। ଆଜିର ଆବଶ୍ୟକତା ହେଉଛି ପ୍ଲାଷ୍ଟିକ ଉତ୍ପାଦନ, ବ୍ୟବହାର ଏବଂ ପରିଚ଼ାଳନାରେ ଏକ ପଦ୍ଧତିଗତ ପରିବର୍ତ୍ତନ ଘଟାଇବା। ପୁନଃବ୍ୟବହାରଯୋଗ୍ୟ ଉତ୍ପାଦଗୁଡ଼ିକୁ ପ୍ରାଧାନ୍ୟ ଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ ଆମର ନିର୍ଭରଶୀଳତାରେ ହ୍ରାସ ଘଟାଇବା ହିଁ ଆଜିର ଆହ୍ବାନ। ପ୍ଲାଷ୍ଟିର ବିନାଶକାରୀ ପ୍ରଭାବକୁ ପ୍ରତିହତ କରିବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକକ ବ୍ୟବହୃତ ସାମଗ୍ରୀ ଉପରେ ନିଷେଧାଦେଶ ଜାରି କରିଥିଲେ ସୁଦ୍ଧା ଏସବୁର ଉତ୍ପାଦନ, ବ୍ୟବସାୟ ଏବଂ ବ୍ୟବହାର ପୂର୍ବବତ୍‌ ଚାଲୁରହିଛି। ପ୍ଲାଷ୍ଟିକ ସମସ୍ୟାର ସମାଧାନ ନିମନ୍ତେ ଜାତିସଂଘ ସମ୍ପ୍ରତି ଏକ ‘ଆନ୍ତଃସରକାରୀ ଚୁକ୍ତିକାରୀ କମିଟି’ ମାଧ୍ୟମରେ ଏକ ଆଇନଗତ, ବାଧ୍ୟତାମୂଳକ ଅନ୍ତର୍ଜାତୀୟ ଚୁକ୍ତିନାମା ବିକଶିତ କରୁଛି, ଯାହା ସମ୍ଭବତଃ ୨୦୨୫ରୁ କାର୍ଯ୍ୟକାରୀ ହୋଇପାରେ। ଏପରି ପୃଷ୍ଠଭୂମିରେ ପ୍ଲାଷ୍ଟିକ-ସମ୍ପର୍କିତ ବୈଶ୍ୱିକ ଆହ୍ବାନର ସ୍ଥାୟୀ ସମାଧାନ ନିମନ୍ତେ ମାନବସମାଜର ପ୍ରତିଶ୍ରୁତିବଦ୍ଧତା ଓ ବିଜ୍ଞତାର ପ୍ରଦର୍ଶନ ଏକାନ୍ତ ଅପରିହାର୍ଯ୍ୟ, ଯାହା ଆମ ଗ୍ରହକୁ ପ୍ରଦୂଷଣ-ମୁକ୍ତ, ସବୁଜିମା ପରିପୂର୍ଣ୍ଣ ଏବଂ ନିରନ୍ତର ବିକାଶ ମାର୍ଗରେ ଅଗ୍ରସର ହେବାର ପଥ ଉନ୍ମୁକ୍ତ କରିବ।

ଡ. ଜୟକୃଷ୍ଣ ପାଣିଗ୍ରାହୀ

କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?