ଧ୍ୱଂସ କ’ଣ ଏକମାତ୍ର ବିକଳ୍ପ

ଡ. ମାନସ ରଞ୍ଜନ ରଥ

ଜୀବନ ଓ ମୃତ୍ୟୁ ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ। ପରସ୍ପର ପରିପୂରକ। ମନୁଷ୍ୟ ଏହି ଦୁଇ ଗୋଟି ପାର୍ଶ୍ୱର ମଧ୍ୟବର୍ତ୍ତୀ ସତ୍ତା। ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ। ବିଦ୍ୟା, ବୁଦ୍ଧି, ବିବେକ ଓ ଚିନ୍ତା କରିବାର ଶକ୍ତି ଯୋଗୁ ସେ ଶ୍ରେଷ୍ଠ। ଜୀବନକୁ ଭଲ କରି ଜିଇବାର ସ୍ବପ୍ନରେ ମସ୍‌ଗୁଲ ମଣିଷ ଜାଣିବାକୁ ଅସମର୍ଥ, କୋଉଟା ତା’ର ଭୁଲ୍‌। କେବଳ ସ୍ବାର୍ଥ ଆଉ ସ୍ବାର୍ଥ। ସ୍ବାର୍ଥ ଟିକକ ପାଇଁ ବିଷ୍ଠା ମଧ୍ୟ ଖାଇ ପାରେ ମଣିଷ। ତା’ରି ପରିଣତିରୁ ଚାଇନାର ଉହାନ ସହରରୁ କରୋନାର ସୃଷ୍ଟି। ଜୈବିକ ଅସ୍ତ୍ର ତିଆରି ଚାଲିଛି ତୃତୀୟ ବିଶ୍ୱଯୁଦ୍ଧ ପାଇଁ ।
ମଣିଷ ଭୁଲିଯାଇଛି ପରମାଣୁ ଅସ୍ତ୍ରର ଭୟାବହତା; ଯାହାର ବାସ୍ତବ ଚିତ୍ର ଆଜି ମଧ୍ୟ ହିରୋସୀମା ଓ ନାଗାସାକିରେ ଦୃଷ୍ଟିଗୋଚର ହୁଏ। କ’ଣ ମିଳିବ ସେ କ୍ଷମତାରୁ, ଯୋଉଠି ଥିବ କେବଳ ଧ୍ୱଂସସ୍ତୂପ।
କରୋନା ଆସିଲାନି ଯେ ଆସିଲା ଏକ ଭସ୍ମାସୁର। ଯାହାକୁ ଛୁଇଁଲା ସେ ପାଲଟିଗଲା ଏକ ଶବରେ। ଏହାର ସ୍ପର୍ଶରେ ସୃଷ୍ଟି ହେଲା ନିରକ୍ଷରତା, ବେରୋଜଗାରୀ ଓ ଧ୍ୱଂସ । ସ୍କୁଲ, କଲେଜ ତଥା ସମସ୍ତ ଶିକ୍ଷାନୁଷ୍ଠାନରେ ବର୍ତ୍ତମାନ ତାଲା। କେବଳ ସେତିକି ନୁହଁ, ପିଲାଙ୍କ ଭବିଷ୍ୟତରେ ମଧ୍ୟ ତାଲା। ଏତିକି ତ କହିଲେ କମ୍‌ ହେବ, ଯୋଉଠି ବର୍ତ୍ତମାନର କଥା ସନ୍ଦେହ ଘେରରେ – ସେଠି ଭବିଷ୍ୟତ ଆସିବ କୋଉଠୁ । କୋକୁଆ ଆସି ଯଦୁବଂଶ ଧ୍ୱଂସ କରିଥିବାର କଥା ତ ଆମେ ଶୁଣିଥିଲୁ। ଏବେ ସତରେ କ’ଣ ସେଇ କୋକୁଆ କରୋନା ବେଶରେ ଆସିଲା କି ? ମନ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ସବୁ ପ୍ରଶ୍ନ ଏବେ ଅସମାହିତ।
ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନାର ସ୍ପର୍ଶ ସମସ୍ତଙ୍କର ଜୀବନୀ ଶକ୍ତିକୁ ଶୋଷି ବଳୀୟାନ ହେବାରେ ଲାଗିଛି। ଯୁଆଡ଼େ ଦେଖ ତାଲାବନ୍ଦ। ମଣିଷ ମଣିଷକୁ ଚିହ୍ନୁ ନାହିଁ । ସମସ୍ତେ ମୁଖା ପିନ୍ଧି ଘରେ ବନ୍ଦୀ। ସମ୍ପର୍କର ମାନେ ଶୂନ ହୋଇଯାଇଛି। ସନ୍ଦେହ ଘେରରେ ସମସ୍ତେ ଘେରି ହୋଇ ରହିଛନ୍ତି। ଗୋଟେ ଛିଙ୍କ କିମ୍ବା କାଶ କେତେ ଯେ ଦୂରତା ସୃଷ୍ଟି କରୁଛି, ତା’ର ମାନଦଣ୍ଡ ନିରୂପଣ କରିବା ବର୍ତ୍ତମାନ ପରିପ୍ରେକ୍ଷୀରେ ଏକ ପ୍ରକାର ଅସମ୍ଭବ। ଟିଭି, ରେଡିଓ, ଖବରକାଗଜଠାରୁ ଆରମ୍ଭକରି ସବୁ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର- କରୋନା ମୃତ୍ୟୁ। ଚାରିଆଡେ ଭୟର ବାତାବରଣ। ତା’ରି ଭିତରେ ବଞ୍ଚିବାର ପ୍ରୟାସ ମଧ୍ୟ ଜାରି ରହିଛି। ହଠାତ୍‌ ଖବର ଆସିଲା ତାଲାବନ୍ଦର। ବଜାରରେ ଆଳୁ ପିଆଜ ଉଭାନ। ଆରେ ତାଲାବନ୍ଦ ଆଉ ଆଳୁପିଆଜର କିଛି ସମ୍ପର୍କ ଥିଲାପରି ତ ମନେହେଉନି। ଅଛି ନିଶ୍ଚୟ ଅଛି। ମାନେ ଥିଲାବାଲା ଲୋକମାନେ ବସ୍ତା ବସ୍ତା ଆଳୁପିଆଜ ଘରକୁ ବୋହିନେଲେ। ଯଦି ତାଲାବନ୍ଦ ହେଲା, ସେମାନେ ତ ବଞ୍ଚିଯିବେ । ଏହାକୁ କହନ୍ତି ମହାସ୍ବାର୍ଥ। ସମସ୍ତେ ମରି ଯାଆନ୍ତୁ। ମୁଁ ବଞ୍ଚିଯାଏ। କିନ୍ତୁ ମଣିଷ ଭୁଲିଯାଏ ସମସ୍ତେ ଭିତରେ ବି ମୁଁର ମୃତ୍ୟୁ ହୋଇଥାଏ।
ତାଲାବନ୍ଦର ପ୍ରଭାବ ଛୋଟରୁ ବଡ ସବୁ ଶ୍ରେଣୀକୁ ସ୍ଥାଣୁ କରିପକାଏ। ଏହା ଯୋଗୁ ସ୍କୁଲ, କଲେଜ ବନ୍ଦ ହୋଇଗଲା। ପିଲାମାନେ ଘରେ ବନ୍ଦୀ। କେମିତି ଗଢ଼ିବେ ସେମାନେ ନିଜର ଭବିଷ୍ୟତ। ଚିନ୍ତାଶୀଳ ବ୍ୟକ୍ତିମାନେ ଧରାଇ ଦେଲେ ମୋବାଇଲ ଓ ଅନ୍‌ଲାଇନ କ୍ଲାସ। ଧନିକ ଶ୍ରେଣୀମାନଙ୍କର ମୋବାଇଲ ପାଇଁ ବିଶେଷ ଅସୁବିଧା ହେଲା ନାହିଁ। ସେମାନେ ନିଜ ପିଲାମାନଙ୍କୁ ଧରାଇ ଦେଲେ ମୋବାଇଲ। ମାତ୍ର ଅସୁବିଧା ଆସିଲା ଗରିବ ଖଟିଖିଆ ପିଲାଙ୍କ ବାପାମା’ଙ୍କ ଉପରେ। ମୋବାଇଲଟିଏ ଯୋଗାଡ଼ କରିବାକୁ ମଧ୍ୟ ସୁନା ବା ଜମି ବନ୍ଧା ରଖିବାଠାରୁ ଆରମ୍ଭ କରି କରଜ ପର୍ଯ୍ୟନ୍ତ କଥା ଗଲା। ଯାହା ବି ହଉ ମୋବାଇଲ ଆସିଗଲା। ହେଲେ ଅସୁବିଧାର ଅସଜଡା ସୂତାଖିଅ ଖୋଲିବାର ନାମ ଧରୁ ନ ଥାଏ । ନିପଟ ମଫସଲରେ ରହୁଥିବା ପିଲାମାନଙ୍କ ମୋବାଇଲରେ ଇଣ୍ଟରନେଟର ସୁବିଧା ଆସିଲା ନାହିଁ। ପିଲା ଚାଲିଲେ ଇଣ୍ଟରନେଟ ଖୋଜି। ପାହାଡ଼, ଗଛ ଓ ପାଣିଟାଙ୍କି ଉପରେ ଥାଇ ଖୋଜିଲେ। କେତେକ ପାଇଲେ ଓ କେତେକ ଅସଫଳ ମଧ୍ୟ ହେଲେ । ଚାଲିଲା ପାଠର ଖୋଜାଖୋଜି। ଧନୀ ଓ ଗରିବ ଛାତ୍ରମାନେ ମିଶି ପାଠକୁ ଖୋଜୁ ଖୋଜୁ କେତେକ ପାଇଗଲେ ଅନ୍‌ଲାଇନ କ୍ରୀଡ଼ା ଓ ଅଶ୍ଳୀଳ ଚିତ୍ରର ଗନ୍ତାଘର। ଚାଲିଲା ପାଠପଢ଼ା ଓ ଭବିଷ୍ୟତ ଗଢ଼ା କାର୍ଯ୍ୟକ୍ରମ।
ଏ ଗଲା ଗୋଟିଏ ଦିଗ କଥା। ଆଉ ଗୋଟିଏ ଦିଗ ମଧ୍ୟ ସମତାଳରେ ଆଗେଇ ଚାଲିଲା। ଯେମିତି ବେସରକାରୀ ଶିକ୍ଷାନୁଷ୍ଠାନର ଫିସ ଆଦାୟ ବ୍ୟବସ୍ଥା। କେତେକ ଅଭିଭାବକ ଗଲେ ନ୍ୟାୟାଳୟ ପାଖକୁ। ନ୍ୟାୟାଳୟ ସମବେଦନା ତ ପ୍ରକାଶ କଲେ କିନ୍ତୁ କିଛି ନିର୍ଦ୍ଦିଷ୍ଟ ଆଦେଶ ଦେଲେ ନାହିଁ। ପୁଣି ଚାଲିଲା ଫିସ ଆଦାୟ। ଏପଟେ ସରକାରୀ ଶିକ୍ଷାନୁଷ୍ଠାନ କଥା ଟିକେ ଭିନ୍ନ। ଏଠି ପୂର୍ବପରି ପିଲାଙ୍କୁ ନ ଡାକି ତାଙ୍କ ଅଭିଭାବକଙ୍କୁ ଡାକି ଚାଉଳ ବଣ୍ଟା ଗଲା। ଆଉ ଗୋଟେ ପଟେ ଶିକ୍ଷକମାନେ କେତେ ଯେ ଅଭିନୟରେ ଅଭିନୟ କଲେ ତା’ର ପ୍ରମାଣ ଖବରକାଗଜଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେଲା। ଯଥା ମଶାଣି ଜଗିବା, ରାଜ୍ୟ ସୀମାରେ ପହରା ଦେବା, ତୁଣ୍ଡି ତଦାରଖ କରିବା ଇତ୍ୟାଦି। ଏଗୁଡ଼ିକ ସବୁ ନୂଆ ଅଭିନୟ ମାନେ କରୋନାର ଆଶୀର୍ବାଦ। ଆଗରୁ ଭୋଟଗଣତି, ଠିକାଦାର ଓ ଅଣ୍ଡାଦିଆ ମାଷ୍ଟ୍ର ଏମିତି ଅନେକ କିଛି ଭୂମିକାରେ ସେ ସଫଳ ଅଭିନୟ କରିପାରିଛି। ଏଥିରୁ ଲାଗୁଛି ଏଇ ସବୁ କାମରୁ ମିଳୁଥିବା ଅଭିଜ୍ଞତା ନିଶ୍ଚିତ ଶିକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ସାଧନ କରିବ।
ଶିକ୍ଷା ପରି ସ୍ବାସ୍ଥ୍ୟ ବିଭାଗ କଥା ନ କହିବା ଭଲ। ତଥାପି ଅଳ୍ପେ ବହୁତେ ଆଲୋଚନା କରିବା। କରୋନା ଯୋଗୁ ଟିକାକରଣ ଦାୟିତ୍ୱ ସ୍ବାସ୍ଥ୍ୟ ବିଭାଗ ହାତରେ ରହିଛି। ଏପରି କି ରୋଗୀକୁ ଠିକ୍‌ କରିବା ଦାୟିତ୍ୱ ମଧ୍ୟ ତା’ର, ଯଦିଓ ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ଏଯାବତ୍‌ ବାହାରି ନାହିଁ। ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ବେଡ୍‌ ସଂଖ୍ୟା ବଢୁନାହିଁ କିମ୍ବା ବଢ଼ିବ ନାହିଁ ମଧ୍ୟ। କାରଣ କରୋନା ଦଂଶନ ହାର ଏତେ ଅଧିକ ଯେ ବେଡ୍‌ ସଂଖ୍ୟା ମଧ୍ୟ ବଢ଼ାଇବା ସମ୍ଭବ ଲାଗୁନାହିଁ। ଟିକାକରଣ ମଧ୍ୟ ଚାଲିଛି। ଟିକାର ଉତ୍ପାଦନ ଅଧିକ ନ ହୋଇପାରିବାରୁ ସମସ୍ତେ ଟିକା ପାଇ ପାରୁନାହାନ୍ତି। ପ୍ରଥମେ ୪୫ ବର୍ଷଠାରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନେ ଟିକା ନେଇଥିଲେ। ସେମାନଙ୍କର ଦ୍ୱିତୀୟ ଡୋଜ୍‌ ନେବାର ସମୟ ଆସିଗଲାଣି। ମାତ୍ର ଟିକା କମ୍‌ ଥିବାରୁ ସମସ୍ତେ ଦ୍ୱିତୀୟ ଡୋଜ୍‌ ନେଇପାରୁ ନାହାନ୍ତି। ଏ ତ ହେଲା ପ୍ରଥମ କାରଣ କିନ୍ତୁ ଦ୍ୱିତୀୟ କାରଣ ଲଜ୍ଜାଜନକ। ଅର୍ଥାତ୍‌ ପାତର ଅନ୍ତର ମନୋଭାବ। କେତେକ ସ୍ବାସ୍ଥ୍ୟକର୍ମୀ ଟିକା ଦେବାବେଳେ ଚିହ୍ନା ମୁହଁ ଓ ଲାଞ୍ଚକୁ ଗୁରୁତ୍ୱ ଦେଉଛନ୍ତି। ଆଉ ଗୋଟିଏ କାରଣ ହେଲା ସଚେତନତାର ଅଭାବ। ସରକାର ବ୍ୟବସ୍ଥା କରିଛନ୍ତି cowin ୱେବ୍‌ସାଇଟରେ ପଞ୍ଜୀକରଣ କରି ଟିକାକେନ୍ଦ୍ରକୁ ଯିବା ପାଇଁ। ମାତ୍ର ଲୋକମାନେ କିଛି ନ ବୁଝି କେନ୍ଦ୍ର ନିକଟରେ ରାତି ଚାରିଟାରୁ ଲାଇନ ଲଗାଉଛନ୍ତି। ପୁଣି cowin ୱେବ୍‌ସାଇଟରେ ମଧ୍ୟ ଅନେକ ସମୟରେ ପଞ୍ଜୀକରଣ ହୋଇପାରୁ ନ ଥିବାରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସୁବିଧାର ଅନ୍ତ ନ ଥିବା ପରି ମନେହେଉଛି। ପୁଣି ଟିକା, ଔଷଧ ଓ ଡାକ୍ତରଖାନାରେ ବେଡ୍‌ର କଳାବଜାର ସମସ୍ୟାକୁ ବଢ଼ାଇବାରେ ଲାଗିଛି।
କରୋନା ଦ୍ୱାରା ଏତେ ଅସୁବିଧା ହେଲାପରେ ମଧ୍ୟ ମନୁଷ୍ୟ ଚେତୁନାହିଁ। ଲାଗୁଛି ମୃତ୍ୟୁ ସୁନିଶ୍ଚିତ। ତଥାପି ଅର୍ଥ ଉପାର୍ଜନର ମୋହ ମନୁଷ୍ୟକୁ ବାତୁଳ କରିସାରିଲାଣି। ସବୁଠି ରାଜନୀତି। ମୁଖ୍ୟ ଉଦ୍ଦେଶ୍ୟ ସ୍ବାର୍ଥ ସାଧନ। କରୋନା ଯୋଗୁ ସମ୍ପର୍କର କ୍ଷେତ ପୂରା ଉଜୁଡ଼ି ଗଲାଣି। ଶବ ପାଇଁ ମଶାଣିର ଅଭାବ। ସମ୍ପର୍କୀୟମାନେ ମୁହଁ ମୋଡୁଛନ୍ତି ଶବ ନେବାପାଇଁ। ଶବ ପାଇଁ ସ୍ବେଚ୍ଛାସେବୀ ହିଁ ଭରସା। ଅନେକ ସ୍ଥାନରେ ଶବ ନିଆଁ ନ ପାଇ ଏଣେ ତେଣେ କୁକୁରମାନଙ୍କ ଖାଦ୍ୟ ପାଲଟୁଛି। ଚାରିଆଡ଼େ ଭୟର ବାତାବରଣ। କାଳ ବୁଲୁଛି। ମୃତ୍ୟୁ ତ ଆସିବାର ଥିଲା। ହେଲେ ଏମିତି ଅଚାନକ ସମସ୍ତଙ୍କୁ ଗୋଡ଼େଇ ଗୋଡ଼େଇ ଗ୍ରାସିବ, କାହାକୁ ଜଣା ନ ଥିଲା। ତଥାପି ଏବେ ମାଳିକା କଥା ସବୁଆଡ଼େ ପ୍ରଚାର ହେଉଛି। ମଣିଷ ତୁଣ୍ଡି ବାନ୍ଧି କରି ଘରେ ଲୁଚିବେ ଓ ପରିଜନମାନଙ୍କୁ ଚିହ୍ନି ପାରିବେନି। କିଏ ମାଳିକା ପଢୁଥିଲା। ଏବେ ସବୁଆଡ଼େ ଚର୍ଚ୍ଚା କ’ଣ ମାଳିକା କଥା ସତ ହେବ। ପୃଥିବୀ ଧ୍ୱଂସ ଦିଗକୁ ଗତି କରୁଛି। ମଣିଷ ନାମକ ସତ୍ତା କ’ଣ ଲିଭି ଯିବ ଏ ପୃଥିବୀ ପୃଷ୍ଠରୁ। ଏତେ ସବୁ ପ୍ରଶ୍ନ ମନକୁ ଆନ୍ଦୋଳିତ କରିବା ବେଳେ ମନେହୁଏ ଧ୍ୱଂସ କ’ଣ ଏକମାତ୍ର ବିକଳ୍ପ?
ଅଧ୍ୟାପକ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଲାଞ୍ଜିଗଡ଼, କଳାହାଣ୍ଡି
ମୋ: ୯୦୪୦୧୦୦୨୭୯
manasrath88@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri