ଲାଞ୍ଛିତ ଭାରତୀୟ ମାତୃତ୍ୱ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

 

ଜୈନ ସମ୍ପ୍ରଦାୟର ଏକ ଭାରତୀୟ ଦମ୍ପତି, ଭବେଶ ଓ ଧାରା ସାହା। ଜର୍ମାନୀର ବର୍ଲିନ୍‌ଠାରେ ଆଇ.ଟି. ସେକ୍ଟରରେ ନିଯୁକ୍ତ ହୋଇଥିଲେ। ସେମାନଙ୍କ ପାଖରେ ଶିଶୁକନ୍ୟା ଆରିହା ଓ ଭବେଶଙ୍କ ମା’ ରହୁଥିଲେ। ସେପ୍ଟେମ୍ବର ୨୦୨୧ରେ ଆରିହାର ସିଚନାଞ୍ଚଳ (ମଳଦ୍ୱାର ଓ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନ ଅର୍ଥାତ୍‌ ପେରିନିଅମ୍‌)ରେ ଆଘାତର ଚିକିତ୍ସା ପାଇଁ ସାହା ଦମ୍ପତି ଡାକ୍ତରଖାନାକୁ ଗଲେ। କିନ୍ତୁ ସେମାନେ ଆଶା କରି ନ ଥିଲେ ଯେ, ଏହା ପଛରେ ଲୁଚି ରହିଛି ଏକ ଜଟିଳ ସମସ୍ୟା। ଯୌନ ଅତ୍ୟାଚାର ବୋଲି ଏହାକୁ ବିବେଚନା କରି ସେଠାକାର କର୍ତ୍ତୃପକ୍ଷ ସାହା-ଦମ୍ପତି ଉପରେ ମକଦ୍ଦମା ଆରମ୍ଭ କଲେ। ସନ୍ତାନ ଲାଳନପାଳନ କରିବାରେ ଧାରାଙ୍କ ସାମର୍ଥ୍ୟ ନାହିଁ ବୋଲି ସେମାନେ ଦୋଷାରୋପ କରିବା ସହ ଶିଶୁଟିକୁ ଆଉ ପରିବାରକୁ ନ ସମର୍ପି ସିପିଏସ୍‌(ଚାଇଲ୍ଡ ପ୍ରୋଟେକ୍‌ଶନ ସର୍ଭିସେସ୍‌)ର ହେପାଜତରେ ରଖିଲେ। ପୋଲିସ ଏହି ଅପରାଧରେ ସମ୍ପୃକ୍ତି ବିଷୟରେ ଖୋଳତାଡ଼ରେ ଲାଗିପଡ଼ିଲା। ଶିଶୁଟିର ସମ୍ବେଦନଶୀଳ ସ୍ଥାନରେ ଆଘାତ ଏକ ଗମ୍ଭୀର ମାମଲା ବୋଲି ଅଭିହିତ କରିଥିଲା। ଦୀର୍ଘଦିନ ଧରି ସାହା ଦମ୍ପତି ପୋଲିସର ଅନୁସନ୍ଧାନ ଯୋଗୁ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ପରିଶେଷରେ ଫେବୃୟାରୀ ୨୦୨୨ରେ ସେମାନେ ଏହି ଅଭିଯୋଗରୁ ମୁକ୍ତ ହେଲେ। ତଥାପି ଆରିହାକୁ ଶିଶୁ ସୁରକ୍ଷା ସଂସ୍ଥା ଅଧୀନରେ ରଖାଗଲା। ବର୍ତ୍ତମାନ ସୁଦ୍ଧା ରହିଛି।
ଦମ୍ପତି କନ୍ୟାକୁ ପାଖରେ ନ ପାଇ ଦୁଃଖ ଓ ଯନ୍ତ୍ରଣାରେ ମ୍ରିୟମାଣ ହୋଇଗଲେ। ଜୈନ ଧର୍ମାବଲମ୍ବୀ ହୋଇଥିବାରୁ ସେମାନେ ନିରାମିଷାଶୀ। କିନ୍ତୁ ସେମାନଙ୍କ ବାରଣ ସତ୍ତ୍ୱେ ସିପିଏସ୍‌ ଛୁଆଟିକୁ ଆମିଷ ଦେଉଛନ୍ତି। ପୁଣି ଜୈନଧର୍ମର ସଂସ୍କୃତିଠାରୁ କନ୍ୟାଟି ବଞ୍ଚିତ ହୋଇଥିବାରୁ ମାତାପିତା ଉଦ୍‌ବେଗ ପ୍ରକାଶ କରୁଛନ୍ତି। କିନ୍ତୁ ଏହା ଅବାନ୍ତର ବୋଲି କର୍ତ୍ତୃପକ୍ଷ କୌଣସି ଗୁରୁତ୍ୱ ଦେଉନାହାନ୍ତି। ସର୍ବୋପରି ବାତ୍ସଲ୍ୟରୁ ପିଲାଟି ବଞ୍ଚିତ ହୋଇଥିବାରୁ ପାରିବାରିକ ସମ୍ପର୍କ ଛିନ୍ନବିଚ୍ଛିନ୍ନ ହୋଇଗଲା। ତୀବ୍ର ମାନସିକ ପୀଡ଼ାର ଶିକାର ହୋଇ ସାହା ଦମ୍ପତି ଆରିହାର ନିଜ ସାନ୍ନିଧ୍ୟରେ ଅଭିଭାବକତ୍ୱ ପାଇଁ ଜଟିଳ ମକଦ୍ଦମା ଲଢ଼ି ସର୍ବସ୍ବାନ୍ତ ଅବସ୍ଥାରେ ଉପନୀତ ହୋଇଗଲେଣି, ହେଲେ ନୈରାଶ୍ୟ ଜର୍ଜରିତ ସାହା ଦମ୍ପତି ହାତଯୋଡ଼ି ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପିଲାଟିକୁ ମୁକୁଳାଇବାକୁ ପ୍ରାର୍ଥନା କରିଛନ୍ତି। ‘ବେଟି ବଚାଓ’ ନୀତିକୁ ପ୍ରାଧାନ୍ୟ ଦେଉଥିବା ପ୍ରଧାନମନ୍ତ୍ରୀ ସେମାନଙ୍କ ଗୁହାରି ଶୁଣିବେ ବୋଲି ସେମାନେ ଆଶାପୋଷଣ କରିଛନ୍ତି।
ଭାରତୀୟମାନେ ପାଶ୍ଚାତ୍ୟ ଦେଶରେ ଏତାଦୃଶ ସମସ୍ୟା ଦ୍ୱାରା ଉପତ୍ୀଡିତ ହେଉଥିବା ଏକାଧିକ ଘଟଣା ପରିଲକ୍ଷିତ ହେଉଛି। ୨୦୧୧ ମସିହାର ଗୋଟିଏ ଘଟଣା ଅନୁରୂପ ଭଟ୍ଟାଚାର୍ଯ୍ୟ ନାମକ ଜଣେ ଯୁବକ ନରଓ୍ବେରେ ଜିଓ-ଫିଜିସିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ତରୁଣୀ ପନତ୍ୀ ହେଉଛନ୍ତି ପଶ୍ଚିମବଙ୍ଗର ବିରାଟ ଜନବସତିରେ ଜନ୍ମିତା ସାଗରିକା ଚକ୍ରବର୍ତ୍ତୀ। ସ୍ବାମୀଙ୍କ ପାଖରେ ରହିବା ପାଇଁ ୨୦୧୧ରେ ପ୍ରଥମ ଥର ପାଇଁ ସେ ବିଦେଶ ଯାତ୍ରା କଲେ। ସେଠାରେ ତାଙ୍କ ଏକତ୍ରିତ ପରିବାରରେ ରହିଲେ ସେମାନଙ୍କ ଦୁଇଟି ସନ୍ତାନ। ପୁଅ ବଡ଼ ଓ କନ୍ୟାଟି ସାନ। ସାଗରିକା ସ୍ବଭାବତଃ ବିନୟୀ। ତାଙ୍କ ଚେହେରା ଆକର୍ଷଣୀୟ। ସ୍ବାମୀ-ସ୍ତ୍ରୀ ପିଲାମାନଙ୍କ ଗହଣରେ ସୁଖ ଓ ସୌହାର୍ଦ୍ଦ୍ୟରେ ଜୀବନ ବିତାଉଥିବା ବେଳେ ହଠାତ୍‌ ଅକାଳେ ବଜ୍ରପାତ ହେବା ପରି ଏକ ପୀଡ଼ାଦାୟକ ଘଟଣା ସେମାନଙ୍କୁ ବିଷମ ସମସ୍ୟାରେ ଛନ୍ଦିଦେଲା।
ନରଓ୍ବେର ଷ୍ଟାରାଙ୍ଗରରେ ରହୁଥିବା ଏହି ପରିବାରର ସ୍ତନ୍ୟପାୟିନୀ ଶିଶୁକନ୍ୟାଟିକୁ ସେଠାକାର ବାରନେଭେନେଟ (ସିଡବ୍ଲ୍ୟୁଏସ୍‌ ଅର୍ଥାତ୍‌ ଚାଇଲ୍‌ଡ ଓ୍ବେଲ୍‌ ଫର ସର୍ଭିସେସ୍‌) ନିଜ ତତ୍ତ୍ୱାବଧାନରେ ରଖି ପାଳନ ପୋଷଣ କରିବା ସକାଶେ ଉଠାଇ ନେଲା। ସାଗରିକାଙ୍କ ଦୋଷ ହେଉଛି ଯେ, ସେ ପିଲାମାନଙ୍କୁ ଧରି ଗୋଟିଏ ଶେଯରେ ଶୋଉଛନ୍ତି। ଖାଲି ହାତରେ ଝିଅକୁ ସ୍ତନ୍ୟପାନ କରାଉଛନ୍ତି। ପ୍ରାୟ ପ୍ରତ୍ୟେକ ଭାରତୀୟ ପରିବାରରେ ଏହି ଆଚରଣ ଅନୁସୃତ ହେଉଛି। କେହି ଭାବୁନାହାନ୍ତି ଯେ, ଏହା ଦ୍ୱାରା ସନ୍ତାନଟି ଜୀବାଣୁ ଦ୍ୱାରା ସଂକ୍ରମିତ ହେବ। କିନ୍ତୁ ନରଓ୍ବେରେ ଏମିତି ଆଚାରକୁ ଅସ୍ବାସ୍ଥ୍ୟକର ବେନିୟମ ବୋଲି ବିବେଚନା କରାଯାଉଛି। ସେଠାକାର କର୍ତ୍ତୃପକ୍ଷ ସାଗରିକାଙ୍କୁ ଶିଶୁ ସନ୍ତାନ ପାଳନ କରିବା ପାଇଁ ମାନସିକ ଭାବେ ଅଯୋଗ୍ୟ ବୋଲି ଘୋଷଣା କରିବା ସହ ଜଣାଇଦେଲେ ଯେ, ଝିଅକୁ ଅଠର ବର୍ଷ ହେବାଯାଏ ତାକୁ ସିଡବ୍ଲ୍ୟୁଏସ୍‌ରେ ହିଁ ରଖାଯିବ।
ଶିଶୁକୁ ମା’ କୋଳରୁ ଛଡ଼ାଇ ନେବା ଏକ ଅମାନୁଷିକ ଓ ନିଷ୍ଠୁର କାର୍ଯ୍ୟ। ସାଗରିକା ଯନ୍ତ୍ରଣାଦଗ୍ଧ ହୋଇ ସେଠାକାର ପ୍ରଶାସକଙ୍କ ବିରୋଧରେ ଆଇନଗତ ଲଢ଼ାଇରେ ଲିପ୍ତ ହେଲେ। ତାଙ୍କର ନିବେଦନ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ବିରୋଧୀ ଦଳ ନେତ୍ରୀ ସୁଷମା ସ୍ବରାଜ, ସିପିଏମ୍‌ର ବୃନ୍ଦା କରାତ୍‌ ଏବଂ ଅନ୍ୟ କେତେକ ସାଂସଦ ନରଓ୍ବେ ସରକାରଙ୍କ ସହ ଯୋଗାଯୋଗ ସ୍ଥାପନ କଲେ। ତତ୍‌ସହ କେତେକ ମାନବିକ ଅଧିକାର କର୍ମୀ ସହଯୋଗର ହାତ ବଢ଼ାଇଲେ। ଦୁଇବର୍ଷର ଅକ୍ଳାନ୍ତ ପରିଶ୍ରମ ଓ ସଙ୍ଘର୍ଷ ପରେ ସାଗରିକା ଝିଅକୁ ନିଜ ଅଧୀନକୁ ଆଣିପାରିଲେ। ଭାରତକୁ ପ୍ରତ୍ୟାବର୍ତ୍ତନ କରି ସେ ଆଶ୍ୱସ୍ତ ହେଲେ ଓ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ପାଇ ସମ୍ପ୍ରତି ନୋଏଡାଠାରେ ଏକ ସଫ୍ଟଓ୍ବେର କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ସେ ନିଜ ଅନୁଭୂତିକୁ ଆଧାର କରି ୨୦୨୨ରେ ‘ଦ ଜର୍ନିଂ ଅଫ୍‌ ଏ ମଦର’ ଶୀର୍ଷକ ଗୋଟିଏ ପୁସ୍ତକ ଇତ୍ୟବସରରେ ପୁଣେର ବିଶ୍ୱକର୍ମା ପବ୍ଲିକେଶନ ଦ୍ୱାରା ପ୍ରକାଶ କରିଛନ୍ତି। ପ୍ରଯୋଜକ ନିଖିଳ ଆଡ୍‌ଭାନୀ ୨୦୨୩ରେ ଅସୀମ ଚିବରଙ୍କ ନିର୍ଦ୍ଦେଶନାରେ ‘ମିସେସ୍‌ ଚାଟାର୍ଜୀ ଭର୍ସେସ ନରଓ୍ବେ’ ଶୀର୍ଷକ ଏକ ହିନ୍ଦୀ ଫିଲ୍ମ ପ୍ରସ୍ତୁତ କରିଛନ୍ତି। ଇଷ୍ଟୋନିଆରେ ପ୍ରଥମ ଥର ପାଇଁ ଶୁଟିଂ ହୋଇଥିବା ଏହି ଚଳଚ୍ଚିତ୍ରରେ ନାୟିକା ହେଉଛନ୍ତି ରାଣୀ ମୁଖାର୍ଜୀ। ଫିଲ୍ମଟି ସାଗରିକାଙ୍କ ଅପ୍ରୀତିକର ଅନୁଭୂତି ସହ ଅନେକାଂଶରେ ମେଳ ଖାଉଛି। ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ନରଓ୍ବେର ଭାରତୀୟ ଦୂତାବାସ ତରଫରୁ କୁହାଯାଇଛି ଯେ, ଏହା କେବଳ ଗୋଟିଏ କାହାଣୀ। ତଥାପି ବାଧ୍ୟ ହୋଇ ସେଥିରେ ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ, ଭାରତ ସରକାରଙ୍କ ସହ ପରାମର୍ଶ କରି ସାଗରିକା ମାମଲାର ସମାଧାନ କରାଯାଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ସ୍ବୀକାର କରନ୍ତୁ ଯେ, ବିଭିନ୍ନ ଦେଶ ମଧ୍ୟରେ ଥିବା ସାଂସ୍କୃତିକ ଫରକକୁ ନଜର ଅନ୍ଦାଜ କରାଯିବା ଠିକ୍‌ ନୁହେଁ। ସେମାନେ ଗଣତନ୍ତ୍ରର ଧ୍ୱଜାଧାରୀ ବୋଲି ଡିଣ୍ଡିମ ପିଟୁଛନ୍ତି। ବିବିଧତାକୁ ଯଥା ସମ୍ମାନ ଦେବା ଏହି ଦୃଷ୍ଟିରୁ ଅପରିହାର୍ଯ୍ୟ। ଭାରତୀୟ ପରମ୍ପରାରେ ଯୁଗ ଯୁଗ ଧରି ରହିଆସିଥିବା ପବିତ୍ର ମାତୃତ୍ୱକୁ ସେମାନେ ଅପମାନିତ ନ କରନ୍ତୁ।
ମୋ:୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri